/odishatv-khabar/media/post_attachments/uploadimage/library/16_9/16_9_0/Randeep-Guleria_1626261756.jpg)
Randeep Guleria
ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ମହାମାରୀ ସହ ଦେଶ ଲଢ଼ୁଥିବା ବେଳେ ବ୍ଲାକ୍ ଫଙ୍ଗସ୍ ଏବେ ଆଉ ଏକ ଚିନ୍ତାର କାରଣ ପାଳଟିଛି । ଏହି ବ୍ଲାକ୍ ଫଙ୍ଗସ୍ ଭିନ୍ନ ଭିନ୍ନ ରଙ୍ଗରେ ଦେଖିବାକୁ ମିଳୁଛି । କିଛି ରୋଗୀଙ୍କ କ୍ଷେତ୍ରରେ ଧଳା ତ କିଛି ରୋଗୀଙ୍କ କ୍ଷେତ୍ରରେ ଏହା ହଳଦିଆ ରଙ୍ଗରେ ଦେଖାଯାଇଛି । ଏନେଇ ସୋମବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରୁଥିବାବେଳେ ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ଯେ, ଫଙ୍ଗଲ୍ ଇନ୍ଫେକ୍ସନକୁ ଏହାର ରଙ୍ଗ ନାଁରେ ନାମିତ କରିବା ଉଚିତ ନୁହେଁ । କାରଣ ଏହା ଦ୍ୱାରା ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି । ସେ ଆହୁରି କହିଛନ୍ତି ଯେ, ଇନ୍ଫେକ୍ସନ ଯେଉଁ ସ୍ଥାନରେ ହୋଇଥାଏ ତାକୁ ନେଇ ଏହା ରଙ୍ଗ ବଦଳାଇଥାଏ ।
ସେ କହିଛନ୍ତି ଯେ, ବ୍ଲାକ୍ ଫଙ୍ଗସ୍ ଏକ ଭିନ୍ନ ପରିବାର । ଏହାର ନାମ ମ୍ୟୁକର ମାଇକୋସିସ୍ ସହିତ ଜୋଡ଼ାଗଲା, କାରଣ ଏହା ହ୍ୱାଇଟ୍ ଫଙ୍ଗଲ୍ କଲୋନୀ ସହିତ ବ୍ଲାକ୍ ଚିହ୍ନ ମଧ୍ୟ ଦେଖାଇଥାଏ । ସେଥିପାଇଁ ଏହାକୁ ସାଧାରଣତଃ ବ୍ଲାକ୍ ଫଙ୍ଗସ୍ ବୋଲି କୁହାଗଲା । ବର୍ତ୍ତମାନ ସମୟରେ ରୋଗୀଙ୍କଠାରେ ଦେଖାଯାଉଥିବା ଫଙ୍ଗଲ୍ ଇନ୍ଫେକ୍ସନ ହେଉଛି ମ୍ୟୁକର ମାଇକୋସିସ୍, କ୍ୟାଣ୍ଡିଡା ଏବଂ ଆସପର୍ଜିଲସ୍ । ଏମାନଙ୍କ ମଧ୍ୟରେ ମ୍ୟୁକର ମାଇକୋସିସ୍ ଅଧିକ ପରିମାଣରେ ରହିଛି । ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ, ସେମାନଙ୍କ କ୍ଷେତ୍ରରେ ଅଧିକ କ୍ୟାଣ୍ଡିଡା, ଆସପର୍ଜିଲସ୍ କିମ୍ବା ମ୍ୟୁକର ମାଇକୋସିସ୍ ଦେଖାଯାଇଥାଏ ।
ମଧୁମେହ କିମ୍ବା ଷ୍ଟେରଏଡ ନେଉଥିବା ଲୋକଙ୍କୁ ଅଧିକ ବିପଦ
AIIMS ନିର୍ଦ୍ଦେଶକ ଶ୍ରୀ ଗୁଲେରିଆ କହିଛନ୍ତି ଯେ, ଏହି ଫଙ୍ଗଲ ଇନ୍ଫେକ୍ସନ ୯୨ ରୁ ୯୫ ପ୍ରତିଶତ ସେହି ରୋଗୀଙ୍କ କ୍ଷେତ୍ରରେ ଦେଖାଯାଏ, ଯେଉଁମାନେ ମଧୁମେହ ରୋଗରେ ଆକ୍ରାନ୍ତ ଥାନ୍ତି କିମ୍ବା ଷ୍ଟେରଏଡ ବ୍ୟବହାର କରୁ୍ଥାନ୍ତି । ଅନ୍ୟମାନଙ୍କ କ୍ଷେତ୍ରରେ ଏହା କ୍ୱଚିତ୍ ଦେଖାଯାଏ । ସେ କହିଛନ୍ତି ଯେ, ଅଧିକାଂଶ ରୋଗୀଙ୍କୁ ମ୍ୟୁକର ମାଇକୋସିସ୍, କରୋନାର ପ୍ରଥମ ସୋପାନରେ ହୋଇଥାଏ । ଏହା ଏକ ବଡ଼ ଚ୍ୟାଲେଞ୍ଜ । କାରଣ ମ୍ୟୁକର ମାଇକୋସିସ୍ ରୋଗୀର ଚିକିତ୍ସା ଦୀର୍ଘ ସମୟ ଧରି ଚାଲିଥାଏ । ଡାକ୍ତରଖାନା ପାଇଁ ଏହା ଏକ ଚ୍ୟାଲେଞ୍ଜ ଯେ, ମ୍ୟୁକର ମାଇକୋସିସ୍ ରୋଗୀଙ୍କ ପାଇଁ ଦୁଇଟି ପୃଥକ ୱାର୍ଡ ପ୍ରସ୍ତୁତ କରିବାକୁ ହେବ । ଗୋଟିଏ କରୋନା ପଜିଟିଭ୍ ରୋଗୀଙ୍କ ପାଇଁ ଏବଂ ଅନ୍ୟଟି କରୋନା ନେଗେଟିଭ୍ ରୋଗୀଙ୍କ ପାଇଁ ଉଦେଶ୍ୟରେ ।
ପୋଷ୍ଟ କୋଭିଡ୍ ମୁକାବିଲା ପାଇଁ ପ୍ରସ୍ତୁତି
ଏହା ବ୍ୟତୀତ ରଣଦୀପ ଗୁଲେରିଆ ଆହୁରି କହିଛନ୍ତି ଯେ, କରୋନା ରୋଗୀଙ୍କ ସୁସ୍ଥତା ହାର ବଢ଼ିବା ପରେ ପୋଷ୍ଟ କୋଭିଡ୍ ସହ ଲଢ଼େଇ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ । ତାଙ୍କ କହିବାନୁଯାୟୀ ଦେଶରେ କରୋନା ରୋଗୀଙ୍କ ସୁସ୍ଥତା ହାର ବଢ଼ୁଛି । ମେ ୩’ରେ ସୁସ୍ଥତା ହାର ୮୧.୮% ରହିଥିବା ବେଳେ ଏବେ ଏହା ୮୮.୭% କୁ ବୃଦ୍ଧି ପାଇଛି । ସୁସ୍ଥତା ହାର ଯେତିକି ବୃଦ୍ଧି ପାଇବ ସେହି ଅନୁସାରେ ପୋଷ୍ଟ କୋଭିଡ୍ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । ତେଣୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)