Advertisment

Shikhandi’s True Identity Revealed: ପର୍ଶୁରାମ ଓ ଭୀଷ୍ମଙ୍କ ଯୁଦ୍ଧ ଏବଂ ଶ୍ରୀଖଣ୍ଡୀଙ୍କ ଅସଲ ପରିଚୟ କଥା

କିଏ ଥିଲେ ଶ୍ରୀଖଣ୍ଡୀ?  ପୂର୍ବ ଜନ୍ମରେ କ'ଣ ଥିଲା ତାଙ୍କ ନାମ ? ଭୀଷ୍ମଙ୍କ ସହ କ'ଣ ଥିଲା ତାଙ୍କର ସମ୍ପର୍କ?  କାହିଁକି ଭୀଷ୍ମ ତାଙ୍କ ଗୁରୁ ପର୍ଶୁରାମଙ୍କ ସହ ଯୁଦ୍ଧ କଲେ?  କିଏ ଜିତିଲା ସେ ଯୁଦ୍ଧରେ?  ଏଇସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢ଼ନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

author-image
Ramakanta Samantaray
Mahabharat

Mahabharat Photograph: (OTV)

ପିତାମହ କୁରୁକ୍ଷେତ୍ର ଯୁଦ୍ଧରେ ପ୍ରତିପକ୍ଷର ସମସ୍ତଙ୍କୁ ବିନାଶ କରିପାରିବେ କିନ୍ତୁ ପାଣ୍ଡବ ପାଞ୍ଚ ଭାଇ ଓ ଶ୍ରୀଖଣ୍ଡୀଙ୍କୁ ନିହତ କରିବେନି ବୋଲି କହିବାରୁ ଦୁର୍ଯ୍ୟୋଧନ କହିଲେ, " ହେ ପିତାମହ ! ଆପଣ ପାଣ୍ଡବ ଭାଇମାନଙ୍କୁ ବିନାଶ କରିବେନିର କାରଣ ମୁଁ ବୁଝୁଛି କିନ୍ତୁ ଅସ୍ତ୍ରଧାରୀ ଶ୍ରୀଖଣ୍ଡୀକୁ କାହିଁକି ବିନାଶ କରିବେନିର କାରଣ ମୁଁ ବୁଝିପାରୁନି । ଆପଣଙ୍କ ବୀରତ୍ୱ ଆଗରେ ଶ୍ରୀଖଣ୍ଡୀ ପରି ଯୋଦ୍ଧା କ୍ଷଣଟେ ପାଇଁ ତିଷ୍ଠି ରହି ପାରିବନି । କାହିଁକି ଆପଣଙ୍କ ଅସ୍ତ୍ର ଶ୍ରୀଖଣ୍ଡୀଙ୍କ ପ୍ରତି ଉଦ୍ୟତ ହେବ ନାହିଁ?"

Advertisment

ଦୁର୍ଯ୍ୟୋଧନଙ୍କ ପ୍ରଶ୍ନ ଶୁଣି ଭୀଷ୍ମଦେବ କହିଲେ, "ହେ ପୁତ୍ର ! ଅନେକ ବର୍ଷ ତଳେ ମୁଁ ଯେବେ ଦେବତା ଓ ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ଶପଥ ନେଇଥିଲି ଯେ ଆଜୀବନ ବ୍ରହ୍ମଚାରୀ ରହିବି ସେହିଦିନ ନିର୍ଣ୍ଣୟ କରିଥିଲି କୌଣସି ସ୍ତ୍ରୀ ଲୋକ ଓ କୌଣସି ସ୍ତ୍ରୀ ପୂର୍ବ ବ୍ୟକ୍ତିକୁ ସଂହାର କରିବି ନାହିଁ ।

ତା' ପଛରେ ଗୋଟେ ଲମ୍ବା କାହାଣୀ ଅଛି ଶୁଣ । ଆମ ପିତା ଶାନ୍ତନୁଙ୍କ ଦେହାନ୍ତ ପରେ ଆମେ ଆମର ସାନଭାଇ  ଚିତ୍ରାଙ୍ଗଦକୁ ହସ୍ତିନାର ରାଜା କଲୁ । ଚିତ୍ରାଙ୍ଗଦଙ୍କର ଅକାଳ ମୃତ୍ୟୁ ପରେ ତା' ତଳ ଭାଇ ବିଚିତ୍ରବୀର୍ଯ୍ୟକୁ ରାଜ ସିଂହାସନରେ ବସାଇଲୁ । ସେତେବେଳେ ଶ୍ରୀଖଣ୍ଡୀ ପ୍ରକୃତରେ ତାଙ୍କ ପୂର୍ବଜନ୍ମରେ କାଶୀ ରାଜନନ୍ଦିନୀ ଭାବରେ ଜନ୍ମ ଗ୍ରହଣ କରିଥିଲେ। କାଶୀ ନରେଶଙ୍କର ଅମ୍ବା, ଅମ୍ବିକା ଓ ଅମ୍ବାଳିକା ନାମରେ ତିନୋଟି କନ୍ୟା ଥିଲେ । ସେମାନଙ୍କ ସ୍ୱୟମ୍ବର ସଭାକୁ ସାରା ଭାରତବର୍ଷରୁ ରାଜା ଓ ରାଜକୁମାରମାନେ ଆସିଥା'ନ୍ତି ।

Advertisment

ତିନି କନ୍ୟାଙ୍କୁ ବଳପୂର୍ବକ ନେଇଆସିଲି 

ବିଚିତ୍ରବୀର୍ଯ୍ୟର ବିବାହ ପାଇଁ ମୁଁ ସେ ସ୍ୱୟମ୍ବର ସଭାରେ ପହଞ୍ଚି ଜାଣିଲି କାଶୀ ରାଜନନ୍ଦିନୀମାନେ ହେଲେ ବୀର୍ଯ୍ୟଶୁଳ୍କା । ଅର୍ଥାତ ଯାହାର ବଳ ଅଧିକ ସେ ବଳ ପ୍ରୟୋଗ କରି ସେ କନ୍ୟାମାନଙ୍କୁ ସାଙ୍ଗରେ ନେଇଯାଇପରିବ । ମୁଁ ଆଉ ବିଳମ୍ବ ନକରି କନ୍ୟା ତିନିଜଣ ସ୍ୱୟଂବର ସଭାରେ ପହଞ୍ଚୁ ପହଞ୍ଚୁ ସେମାନଙ୍କୁ ବଳପୂର୍ବକ ଆଣି ମୋ ରଥରେ ବସାଇଲି। ମୋତେ ବିରୋଧ କରି ସେଠାରେ ଉପସ୍ଥିତ ରାଜାମାନେ ମୋ ସହ ଯୁଦ୍ଧ କଲେ । ଚାରିଦିଗରୁ ଘେରି ଯାଇ ସେମାନେ ମୋ ଉପରକୁ ବାଣ ମାରିଲେ ଓ ଆକ୍ରମଣ କଲେ । କିନ୍ତୁ ମୋର ପରାକ୍ରମରେ କେହି ଜଣେ ହେଲେ ବି ମୋ ଆଗରେ ବେଶୀ ସମୟ ତିଷ୍ଠି ରହିପାରିଲେନି । ଅଳ୍ପ ସମୟ ପରେ ଛତ୍ରଭଙ୍ଗ ଦେଇ ନିଜ ନିଜ ଜୀବନ ରକ୍ଷା କରି ସେଠୁ ପଳାୟନ କଲେ।

କାଶୀ ନରେଶଙ୍କ ତିନି କନ୍ୟାଙ୍କ ବିବାହ ବିଚିତ୍ରବୀର୍ଯ୍ୟଙ୍କ ସହ କରିବା ପାଇଁ ହସ୍ତିନାପୁରରେ ଆୟୋଜନ ଚାଲିଲା । ତିନି ଭଉଣୀଙ୍କ ଭିତରେ ବଡ଼ ଅମ୍ବା କିନ୍ତୁ ପୂର୍ବରୁ ଶାଲ୍ୱରାଜାଙ୍କୁ ନିଜର ସ୍ୱାମୀ ଭାବରେ ବରଣ କରିବାକୁ ମନସ୍ଥ କରିସାରିଥିଲେ । କିନ୍ତୁ ମୋ ଦ୍ୱାରା ବଳପୂର୍ବକ ଅପହରଣ କରି ଅଣାଯାଇ ତାଙ୍କୁ ଯେତବେଳେ ବିଚିତ୍ରବୀର୍ଯ୍ୟଙ୍କୁ ବିବାହ କରିବାକୁ ବାଧ୍ୟ କରାଗଲା ସେ ତାଙ୍କର ଲଜ୍ୟା ତ୍ୟାଗ କରି ମୋତେ ଆସି କହିଲେ, ‘ହେ ଗଙ୍ଗାପୁତ୍ର! ଆପଣ ଧାର୍ମିକ, ସର୍ବ ଶାସ୍ତ୍ର ବିଶାରଦ ଓ ଜଣେ ମହାନ କ୍ଷତ୍ରୀୟ । ଧର୍ମରକ୍ଷା କରିବା ଆପଣଙ୍କର କର୍ତ୍ତବ୍ୟ । ଅତୀତରେ ମୁଁ ମୋ ପିତାଙ୍କ ଅଗୋଚରରେ ଶାଲ୍ୱ ନରେଶଙ୍କୁ ମନ ଭିତରେ ପତି ଭାବରେ ବରଣ କରିସାରିଛି । ସେ ମଧ୍ୟ ମୋତେ ପତ୍ନୀ ଭାବରେ ଗ୍ରହଣ କରିବେ ବୋଲି କଥା ଦେଇଛନ୍ତି । ଧର୍ମ ରକ୍ଷକ ଭାବରେ କୁହନ୍ତୁ ଅନ୍ୟଜଣଙ୍କ ବାଗଦତ୍ତାକୁ ଏବେ କେମିତି ଆପଣ କୁରୁ ବଂଶର ବୋହୂ ଭାବରେ ସ୍ୱୀକାର କରିବେ?  ଶାଲ୍ୱ ରାଜା ମୋର ବାଟ ଚାହିଁ ବସିଥିବେ, ତେଣୁ ମୋତେ ତାଙ୍କ ପାଖକୁ ଚାଲିଯିବାକୁ ଅନୁମତି ଦିଅନ୍ତୁ ।"

ଜାଣତରେ ମୁଁ କିଛି ବି ପାପ କରିନାହିଁ

ସାମାନ୍ୟ ନୀରବ ରହି ଭୀଷ୍ମ ପୁଣି କହିବା ଆରମ୍ଭ କରି କହିଲେ, "ହେ ଦୁର୍ଯ୍ୟୋଧନ ! ମୁଁ ସତକଥା ଜାଣିଲା ପରେ ଅମ୍ବାଙ୍କୁ ବିବାହ ମଣ୍ଡପରୁ ଚାଲିଯିବାକୁ ଅନୁମତି ଦେଲି । ଅମ୍ବିକା ଓ ଅମ୍ବାଳିକାଙ୍କ ସହ ବିଚିତ୍ରବୀର୍ଯ୍ୟର ବିବାହ ସମ୍ପନ୍ନ ହେଲା । ସେପଟେ କିନ୍ତୁ ଶାଲ୍ୱ ନରେଶ ଅମ୍ବାଙ୍କୁ ଦେଖି କହିଲେ ତୁମକୁ ଭୀଷ୍ମ ସ୍ୱୟମ୍ବରରୁ ଅପହରଣ କରି ନେଇଥିଲେ । ମୁଁ ଅନ୍ୟପୂର୍ବା ରମଣୀକୁ ନିଜର ଭାର୍ଯ୍ୟା ରୂପରେ କେବେବି ଗ୍ରହଣ କରିପାରିବିନି । ଅମ୍ବା ଅନୁନୟ କରି ଶାଲ୍ୱ ରାଜାଙ୍କୁ କହିଲେ, ମୁଁ ମୋ ଜୀବନରେ ଅନ୍ୟ କାହାକୁ ମୋ ମନ କି ହୃଦୟରେ ସ୍ଥାନ ଦେଇନାହିଁ । ମୋ ଜାଣତରେ ମୁଁ କିଛି ବି ପାପ କରିନାହିଁ । କୌଣସି ଅପରାଧ କରିନାହିଁ । ଦୟାକରି ମୋତେ ଏମିତି ଏଡ଼ାଇ ଦିଅନି । ଅମ୍ବାଙ୍କର କୌଣସି କଥା କିନ୍ତୁ ଶାଲ୍ୱରାଜା ଶୁଣିବାକୁ ପ୍ରସ୍ତୁତ ନଥିଲେ ।

ଏବେ ଅମ୍ବା କରିବେ ବା କ'ଣ ?  ପିତାଙ୍କ ପାଖକୁ ଫେରିପାରିବେନି । ବିଚିତ୍ରବୀର୍ଯ୍ୟଙ୍କ ବିବାହ ମଣ୍ଡପରୁ ଉଠି ସେ ଶାଲ୍ୱରାଜାଙ୍କ ପାଖକୁ ଚାଲି ଆସିଥିଲେ । ସେ ବି ଗ୍ରହଣ କରିବାକୁ ମନା କରିସାରିଛନ୍ତି । କିଛି ଉପାୟ ନପାଇ ସେ ଅସହାୟ ହୋଇ କାନ୍ଦିବାକୁ ଲାଗିଲେ । ଯିଏ ବଳପୂର୍ବକ ହରଣ କରିବ ସେ ବିବାହ କରିବା ପରି ସର୍ତ୍ତ ରଖି ସ୍ୱୟମ୍ବର ଆୟୋଜନ କରିଥିବା ତାଙ୍କ ବାପାଙ୍କୁ ସେ ମନେ ମନେ ଧିକ୍କାର କରିବାକୁ ଲାଗିଲେ । ହେ ଦୁର୍ଯୋଧନ! ମୁଁ ତାଙ୍କୁ ବଳପୂର୍ବକ ଅପହରଣ କରି ହସ୍ତିନାପୁରକୁ ଆଣିଦେଇଥିଲି ବୋଲି ମୋତେ ବି ନିନ୍ଦା କରିବାକୁ ଲାଗିଲେ । ତାଙ୍କର କୌଣସି ଦୋଷ ନଥାଇ ବି ତାଙ୍କୁ ଗ୍ରହଣ କରିବାକୁ ମନା କରିଥିବା ଶାଲ୍ୱ ରାଜଙ୍କୁ ଧିକ୍କାରିବା ସହ ଏପରି ହୀନିମାନିଆ ଜୀବନ ଲେଖିଥିବା ବିଧାତା ପୁରୁଷଙ୍କୁ ମଧ୍ୟ ଧିକ୍କାରିବାକୁ ଲାଗିଲେ ।

ଅମ୍ବା ଶାଲ୍ୱ ନରେଶଙ୍କ ପାଖରୁ ଫେରି ଆସି ଜଙ୍ଗଲ ଭିତରେ ଏକା ଏକା ବସି କାନ୍ଦୁଥା'ନ୍ତି । କୁଆଡ଼େ ଯିବେ କାହା ପାଖକୁ ଯିବେ ଭାବିପାରୁନଥା'ନ୍ତି । ସେତିକିବେଳେ ଶୈଖାବତ୍ୟ ନାମରେ ଜଣେ ବ୍ରାହ୍ମଣ ତାଙ୍କୁ ଅସହାୟ ହୋଇ କାନ୍ଦୁଥିବାର ଦେଖି ପର୍ଶୁରାମଙ୍କ ପାଖକୁ ନେଇଗଲେ । ପର୍ଶୁରାମ ଅମ୍ବାଙ୍କ ପାଖରୁ ସମସ୍ତ କଥା ଶୁଣିଲେ । ଅମ୍ବା ପର୍ଶୁରାମଙ୍କୁ ଅନୁରୋଧ କରି କହିଲେ ହେ ତପସ୍ୱୀ! ମୋର ସମସ୍ତ ଦୁର୍ଯୋଗର କାରଣ ଭୀଷ୍ମକୁ ଯୁଦ୍ଧ କରି ଆପଣ ହତ୍ୟା କରନ୍ତୁ ।  ପର୍ଶୁରାମ କହିଲେ ଯୁଦ୍ଧର କିଛି ଆବଶ୍ୟକତା ନାହିଁ । ମୁଁ ଯାଇ କହିଲେ ସେ ମୋ କଥାକୁ ଟାଳି ଦେବନି ।

ହେ ଦୁର୍ଯ୍ୟୋଧନ! ତୁମେ ଜାଣିଛ ପର୍ଶୁରାମ ମୋର ପୂଜ୍ୟ ଗୁରୁ । ମୁଁ ତାଙ୍କରି ପାଖରୁ ସମସ୍ତ ଅସ୍ତ୍ର ଶସ୍ତ୍ର ବିଦ୍ୟା ଶିଖିଥିଲି । ଧର୍ନୁବିଦ୍ୟା ଶିକ୍ଷା ପାଇଁ ମୋ ମାଆ ଗଙ୍ଗା ମୋତେ ପର୍ଶୁରାମଙ୍କ ପାଖରେ ସମର୍ପି ଦେଇଥିଲେ । ଗୁରୁ ପର୍ଶୁରାମ ଅମ୍ବାକୁ ସାଙ୍ଗରେ ଧରି ହସ୍ତିନାପୁରକୁ ଆସିଲେ । ମୁଁ ଖବର ପାଇ  ତାଙ୍କ ପାଖରେ ପହଞ୍ଚିଲି । ଗୁରୁଦେବଙ୍କ ପଦ ବନ୍ଦନା କରି ଯଥାରୀତି ଆଦର ଅଭ୍ୟର୍ଥନା କଲି । ଗୁରୁଦେବ ମୋତେ କହିଲେ, ‘ହେ ଭୀଷ୍ମ! ତୁମେ ସାରା ଜୀବନ ବ୍ରହ୍ମଚାରୀ ରହିବ ବୋଲି ଶପଥ ନେଇଥିଲ ପରା । ତେବେ କାଶୀ ରାଜନନ୍ଦିନୀଙ୍କୁ ବଳପୂର୍ବକ ଅପହରଣ କାହିଁକି କଲ? ତୁମ ଦ୍ୱାରା ଅପହୃତା ହେଇଥିବାରୁ ତାଙ୍କୁ ପୂର୍ବରୁ ବିବାହ କରିବାପାଇଁ କଥା ଦେଇଥିବା ଶାଲ୍ୱ ରାଜା ଏବେ ତାଙ୍କୁ ଗ୍ରହଣ କରିବାକୁ ମନା କରୁଛନ୍ତି । କୌଣସି ଅପରାଧ କରିନଥିବା ଜଣେ କନ୍ୟାର ଏପରି ଦୁର୍ଦ୍ଦଶା ଅତ୍ୟନ୍ତ ଦୁଃଖଦାୟକ କଥା। ତୁମେ ଯଦି ମୋତେ ଗୁରୁ ଭାବରେ ଗ୍ରହଣ କରୁଥାଅ ଓ ସମ୍ମାନ ଦେଉଥାଅ, ତେବେ ତୁରନ୍ତ ଏହି ନିରପରାଧ କନ୍ୟାକୁ ଗ୍ରହଣ କର ।

ମୁଁ ପର୍ଶୁରାମଙ୍କୁ ନିଶ୍ଚୟ ଗୁରୁ ଭାବରେ ସ୍ୱୀକାର କରୁଥିଲି  । କିନ୍ତୁ ଅମ୍ବାଙ୍କୁ ମୁଁ କୌଣସି ପରିସ୍ଥିତିରେ ବିଚିତ୍ରବୀର୍ଯ୍ୟର ପତ୍ନୀ ଭାବରେ ଗ୍ରହଣ କରିପାରିବିନି ବୋଲି ଗୁରୁଦେବଙ୍କୁ ସବିନୟ ଜଣାଇଲି । କହିଲି, ହେ ଗୁରୁଦେବ! ଏଇ କନ୍ୟା ଶାଲ୍ୱ ରାଜାଙ୍କ ପାଖକୁ ଯିବାକୁ ଚାହିଁବାରୁ ମୁଁ ଅନୁମତି ଦେଇଥିଲି । ଅନ୍ୟଜଣଙ୍କ ବାଗଦତ୍ତାକୁ ମୁଁ ହସ୍ତିନାପୁରର କୁଳବଧୂ ଭାବରେ କେବେ ବି ଗ୍ରହଣ କରିପାରିବିନି । ଭୟ, ଦୟା, ଅର୍ଥ, ଲୋଭ ଓ କାମନା ଦ୍ୱାରା ମୁଁ କେବେବି କ୍ଷତ୍ରୀୟ ଧର୍ମ ତ୍ୟାଗ କରିପାରିବିନି ।

ଯୁଦ୍ଧରେ ପର୍ଶୁରାମ ହାରିଲେ

ମୋ କଥାରେ ଗୁରୁଦେବ ପର୍ଶୁରାମ ରାଗିଗଲେ। କହିଲେ, ମୋ କଥା ନଶୁଣିଲେ ମୁଁ ତୁମକୁ ଓ ତୁମର ଅମାତ୍ୟମାନଙ୍କୁ ଏଇ ମୁହୂର୍ତ୍ତରେ ସଂହାର କରିବି । ମୋତେ କ୍ରୋଧ ସହ କହିଲେ, ଭୀଷ୍ମ ତୁମେ ଯୋଉ ବାହୁବଳରେ ଏ କନ୍ୟାକୁ ହରଣ କରିଛ ତୁମର ସେଇ କ୍ଷତ୍ରୀୟ ଗର୍ବକୁ ମୁଁ ଚୁର୍ଣ୍ଣ କରିବି ।

ତାପରେ ଗୁରୁ ପର୍ଶୁରାମ ଓ ମୋ ଭିତରେ ଯୁଦ୍ଧ ଆରମ୍ଭ ହେଲା । ପୁରା ଏକୋଇଶି ଦିନ ଧରି ଯୁଦ୍ଧ ଚାଲିଲା । ଆମେ କେହି ପଛଘୁଞ୍ଚା ଦେବାକୁ ରାଜି ନଥିଲୁ । କେତେବେଳେ ସେ ଜିତୁଥିଲେ ତ କେତେବେଳେ ମୁଁ ଜିତୁଥିଲି । ଶେଷ ପର୍ଯ୍ୟନ୍ତ ଯୁଦ୍ଧର କିଛି ଫଳାଫଳ ବାହାରିଲାନି । ଶେଷରେ ବାର୍ଦ୍ଧକ୍ୟ କାରଣରୁ ଗୁରୁ ପର୍ଶୁରାମ ପରାଜୟ ସ୍ୱୀକାର କଲେ। ତାପରେ ଗୁରୁଦେବ ଅମ୍ବାକୁ ଯାଇ କହିଲେ ମୁଁ ତୁମ ପାଇଁ ଅସ୍ତ୍ର ଧାରଣ କରିଥିଲି । କିନ୍ତୁ ତୁମକୁ ଦେଇଥିବା କଥା ରକ୍ଷା କରିପାରିଲିନି । ଏବେ ତୁମେ ତୁମ ଭାଗ୍ୟ ଅନ୍ବେଷଣ କର ।

ବୀର ପର୍ଶୁରାମଙ୍କ ସହାୟତାରେ ବି ଅମ୍ବା ମୋ ଉପରେ ତାଙ୍କର ପ୍ରତିଶୋଧ ନେଇପାରିଲେନି । ଆଉ ଉପାୟ ନପାଇ ସେ ଶେଷରେ ମହାଦେବଙ୍କ ଶରଣ ନେଲେ ଓ ମହାଦେବଙ୍କୁ ସନ୍ତୁଷ୍ଟ କରିବାକୁ ଘୋର ତପସ୍ୟା କରିବାକୁ ଲାଗିଲେ । ମହାଦେବ ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ବର ପ୍ରାର୍ଥନା କରିବାକୁ କହିଲାରୁ ଅମ୍ବା କହିଲେ, ‘ହେ ଶୂଳପାଣି! ମୋତେ ବର ଦିଅନ୍ତୁ ମୁଁ ଯେମିତି ପୁରୁଷ ଦେହ ଧାରଣ କରି ଭୀଷ୍ମଙ୍କୁ ବଧ କରିବି ।’ ପଶୁପତି କହିଲେ, ‘ମା ଅମ୍ବା ! ଏ ଜନ୍ମରେ ତୋ ଇଚ୍ଛା ପୂରଣ ହୋଇପାରିବନି । ପର ଜନ୍ମରେ ତୁ ଦ୍ରୁପଦଙ୍କ କୋଳରେ ଜନ୍ମ ହୋଇ ଇଚ୍ଛାମୃତ୍ୟୁଧାରୀ ଭୀଷ୍ମଙ୍କର ମୃତ୍ୟୁର କାରଣ ହେବୁ’ । 

Mahabharat Mahabharat Story
Advertisment
Related Articles
Advertisment