/odishatv-khabar/media/media_files/2026/01/19/mahabharat-2026-01-19-19-07-51.jpg)
Mahabharat Photograph: (OTV)
କୁରୁକ୍ଷେତ୍ରରେ ଉଭୟ ପକ୍ଷରେ ପରସ୍ପରଙ୍କୁ ମୁହଁ କରି ଛିଡ଼ା ହୋଇ ରହିଥିଲେ କୌରବ ଓ ପାଣ୍ଡବଙ୍କର ସୈନ୍ୟସାମନ୍ତ, ରଥ, ରଥୀ, ହାତୀ ଓ ଘୋଡ଼ା । ବୀର ବାଦ୍ୟରେ କମ୍ପି ଉଠୁଥିଲା ଯୁଦ୍ଧଭୂମି । ଦୁଇ ସୈନ୍ୟବାହିନୀଙ୍କ ମଝିରେ ଛିଡ଼ା ହୋଇ ରହିଥିଲା ଅର୍ଜୁନଙ୍କ କପିଧ୍ୱଜ ରଥ । ହାତରୁ ଗାଣ୍ଡିବ ଧନୁକୁ ତଳେ ରଖିଦେଇ ବିଷାଦ ମନରେ ବସିଥିଲେ ଅର୍ଜୁନ ଓ ତାଙ୍କୁ ବୁଝେଇ ଚାଲିଥିଲେ କପିଧ୍ୱଜ ରଥର ସାରଥି ଶ୍ରୀକୃଷ୍ଣ ।
ଶ୍ରୀକୃଷ୍ଣ କହୁଥା'ନ୍ତି, "ହେ ପାର୍ଥ ! ଯେଉଁମାନେ ବେଦ ନିର୍ଦ୍ଦେଶିତ କର୍ମକାଣ୍ଡରେ ବିଶ୍ୱାସ କରନ୍ତି, ସେମାନେ ଫଳ ପ୍ରାପ୍ତି ପାଇଁ ବିଭିନ୍ନ କାମରେ ବ୍ୟସ୍ତ ରୁହନ୍ତି । ଈଶ୍ୱରଙ୍କ ସହ ସେମାନଙ୍କର ମନର ବିଲୟ ଘଟେନି । ତେଣୁ ତୁମେ ତୁମ ମନରେ କୌଣସି ପ୍ରକାର ଫଳର ଆଶା ନରଖି କାମ କର । ଫଳ ଲାଭର ଆଶା ରଖନି । କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ ।
ହେ ଅର୍ଜୁନ! ଶୁଣ । କେବଳ କର୍ମରେ ତୁମର ଅଧିକାର ରହିଛି, ଫଳରେ କେବେ ବି ନାହିଁ । ଶୀତ ଓ ଉଷୁମ, ଲାଭ ଓ କ୍ଷତି, ସୁଖ ଓ ଦୁଃଖ ଅବସ୍ଥାରେ ସମଭାବରେ ରହିବା ହିଁ ଯୋଗ । ତେଣୁ ବୁଦ୍ଧି ଓ ଜ୍ଞାନରେ କର୍ମ କରି ତୁମକୁ କର୍ମଯୋଗୀ ହେବାକୁ ହେବ । ବେଦବାକ୍ୟ ଓ ଲୋକବାକ୍ୟରେ ତୁମ ମନ ଅସ୍ଥିର ହେଉଛି । ମନ ଈଶ୍ୱରଙ୍କ ସହ ସଂଯୁକ୍ତ ହେଲେ ଯାଇ ପ୍ରକୃତ ଯୋଗ ସମ୍ଭବ ହୋଇପାରିବ ।"
ସ୍ଥିତପ୍ରଜ୍ଞ କାହାକୁ କୁହାଯାଏ ?
"ହେ ସଖା! ମୋର ମନ ଅସ୍ଥିର ଲାଗୁଛି" ବୋଲି ଅର୍ଜୁନ କହିବାରୁ କୃଷ୍ଣ କହିଲେ, "ହେ ପାର୍ଥ! ଯେତେବେଳେ ସାଧକ ମନ ଭିତରକୁ ଆସୁଥିବା କାମନାକୁ ପରିତ୍ୟାଗ କରନ୍ତି, ପରମାନନ୍ଦ ରୂପ ଆତ୍ମାରେ ଆତ୍ମାଦ୍ୱାରା ସନ୍ତୁଷ୍ଟ ହୁଅନ୍ତି, ସେତବେଳେ ତାଙ୍କୁ ସ୍ଥିତପ୍ରଜ୍ଞ କୁହାଯାଏ । ଦୁଃଖରେ ଯାହାର ମନ ଉଦବିଘ୍ନ ହୁଏନି, ଯାହାର ମନ ସୁଖ ସମୟରେ ଉତଫୁଲ୍ଲ ହୁଏନାହିଁ, ଯିଏ ରାଗ, ଭୟ, କ୍ରୋଧ ପାଖରୁ ଦୂରରେ ରୁହେ ତାକୁ ସ୍ଥିତପ୍ରଜ୍ଞ କୁହାଯାଏ ।
କଇଁଛ ଯେମିତି ତା'ର ଅଙ୍ଗକୁ ବାହାରୁ ଆଣି ତା'ର ଖୋଳପା ଭିତରେ ରଖେ, ସେମିତି ସ୍ଥିତପ୍ରଜ୍ଞ ବ୍ୟକ୍ତି ନିଜର ଇନ୍ଦ୍ରୀୟମାନଙ୍କୁ ବିଭିନ୍ନ କାମ୍ୟ ଓ ଭୋଗ୍ୟ ବସ୍ତୁ ଠାରୁ ହଟେଇ ଆଣେ । ଯେଉଁ ମଣିଷ ତା"ର ଚିତ୍ତକୁ ନିଜର ବଶକୁ ଆଣିପାରେନି ତା'ର ଅବସ୍ଥା ନାଉରୀ ନଥିବା ଡଙ୍ଗା ପରି ହୁଏ । ଯିଏ ନିଜର ମନକୁ ବଶ କରିପାରେ ସେ ହିଁ ବ୍ରହ୍ମଜ୍ଞାନ ଲାଭ କରେ ଓ ତା'ର ମନ ଈଶ୍ୱରଙ୍କ ସହ ଲୀନ ହୋଇଯାଏ । କାମନା ବାସନା ଓ ଅହଂକାର ତ୍ୟାଗ କରି ସେ ପ୍ରକୃତ ଶାନ୍ତି ଲାଭ କରେ ।
ବିଷୟ ଚିନ୍ତା କରୁ କରୁ ପୁରୁଷର ସେଇ ବିଷୟ ପ୍ରତି ଆସକ୍ତି ଜନ୍ମେ । ଆସକ୍ତି ଜନ୍ମିଲେ ଅଭିଳାଷ ଆସେ । ଅଭିଳାଷ କୌଣସି କାରଣରୁ ପ୍ରତିହତ ହେଲେ କ୍ରୋଧ ହୁଏ । କ୍ରୋଧରୁ ମୋହ ଜାତ ହୁଏ । ମୋହରୁ ସ୍ମୃତିଭ୍ରଂଶ ହୁଏ । ସ୍ମୃତିଭ୍ରଂଶ ହେଲେ ବୁ୍ଦ୍ଧିନାଶ ହୁଏ । ବୁଦ୍ଧିନାଶ ହେଲେ ମଣିଷ ଆପେ ବିନିଷ୍ଟ ହେଇଯାଏ ।"
କୃଷ୍ଣଙ୍କ କଥାରେ ଅର୍ଜୁନ ଆହୁରି ଦ୍ୱିଧାଗ୍ରସ୍ତ ହୋଇ କହିଲେ, "ହେ କେଶବ! ତୁମେ କେତେବେଳେ ଜ୍ଞାନର ପ୍ରଶଂସା କରୁଛ ତ କେତେବେଳେ କର୍ମର । ମୋତେ ସ୍ଥିତପ୍ରଜ୍ଞ ଓ ଜ୍ଞାନୀଙ୍କ କଥା ବୁଝେଇ କହିଲ । ପୁଣି କର୍ମ କଥା କହିଲ । ମୋତେ କୁହ ଯଦି କର୍ମ ଅପେକ୍ଷା ଜ୍ଞାନ ଶ୍ରେଷ୍ଠ, ତେବେ ହିଂସାତ୍ମକ ଏହି ଯୁଦ୍ଧରୂପକ ଘୋର ହିଂସା କାମରେ ମୋତେ କାହିଁକି ପୂରାଉଛ? ମୁଁ ଜାଣିପାରୁନି ମୋ ପାଇଁ କୋଉଟା ଭଲ । ଦୟାକରି ମୋତେ କୁହ ମୁଁ କ'ଣ କରିବା ଉଚିତ ।
କେଉଁ ମଣିଷଟି ଶ୍ରେଷ୍ଠ ?
ଅର୍ଜୁନଙ୍କ କଥା ଶୁଣି କୃଷ୍ଣ କହିଲେ, "ହେ ସଖା ! ମନେରଖ, ନିଷ୍କାମ କର୍ମ ବିନା ଜ୍ଞାନୋଦୟ ହୁଏନାହିଁ । ନିଷ୍କାମ କର୍ମରେ ଚିତ୍ତ ଶୁଦ୍ଧି ହୁଏ । କାମ ନକରି କେବଳ ସନ୍ୟାସୀ ହୋଇଗଲେ ଚିତ୍ତଶୁଦ୍ଧି କି ଜ୍ଞାନପ୍ରାପ୍ତି ହୁଏ ନାହିଁ । ପ୍ରକୃତିର ନିୟମ ହେଲା କୌଣସି ମଣିଷ ବିନା କର୍ମରେ ଗୋଟେ ବି ମୁହୂର୍ତ୍ତ ରହିପାରିବ ନାହିଁ । ଯିଏ ମନ ଭିତରେ ସବୁ ପ୍ରକାରର କାମନା ବାସନା ରଖି କର୍ମ ଛାଡ଼ି ନିଜକୁ ସନ୍ୟାସୀ ବୋଲି ପରିଚୟ ଦିଏ, ସେହି କପଟି ସନ୍ୟାସୀ ଠାରୁ କୌଣସି ଫଳ ଆଶା ନରଖି କେବଳ ନିଷ୍କାମ ଭାବରେ କାମ କରୁଥିବା ମଣିଷଟି ଶ୍ରେଷ୍ଠ ଅଟେ ।
ପ୍ରାଣୀମାନେ ଅନ୍ନରୁ ଉତ୍ପନ୍ନ ହୁଅନ୍ତି । ଅନ୍ନ ପ୍ରର୍ଜନ୍ୟରୁ ଜାତ ହୁଏ । ପ୍ରର୍ଜନ୍ୟ ଯଜ୍ଞରୁ ଓ ଯଜ୍ଞ ହୋମ କର୍ମରୁ ଜାତ ହୁଏ । କର୍ମ ବେଦରୁ ଜନ୍ମ ହୁଏ ଓ ବେଦ ଅକ୍ଷର ବ୍ରହ୍ମରୁ ଜନ୍ମ ନିଏ । ବେଦ ଈଶ୍ୱରଙ୍କ ବାକ୍ୟ ଅଟେ । ବେଦ ବାକ୍ୟ ଅନୁସାରେ ପୁରୁଷର କର୍ମ ପ୍ରବୃତ୍ତି ହୁଏ । ଯଜ୍ଞାଦି କର୍ମ ହେଲେ ମେଘମାନେ ବର୍ଷା କରନ୍ତି । ବୃଷ୍ଟି ହେଲେ ଅନ୍ନ ଉତ୍ପନ୍ନ ହୁଏ । ସେଇ ଅନ୍ନକୁ ଭୋଜନ କରି ପ୍ରାଣୀମାନେ ପାଳିତ ହୁଅନ୍ତି । ଜଗତ ଚକ୍ର ଆକାରରେ ଅହରହ ବୁଲୁଥାଏ । ଯେଉଁ ମଣିଷ ସେହି ଚକ୍ରର ଅନୁଗାମୀ ନହୋଇ କୌଣସି କର୍ମ ନକରି ସମୟ ନଷ୍ଟ କରେ ତା'ର ଆୟୁଷ ପାପ ସଦୃଶ୍ୟ ।
ଶ୍ରେଷ୍ଠ ବ୍ୟକ୍ତି ଯାହା ଆଚରଣ କରନ୍ତି ଇତର ବ୍ୟକ୍ତି ତାକୁ ଅନୁସରଣ କରନ୍ତି । ହେ ପାର୍ଥ ! ଜନକ ଆଦି ରାଜର୍ଷି ନିଷ୍କାମ କର୍ମ କରି ଜ୍ଞାନ ଲାଭ କରିଥିଲେ । ତିନି ଭୁବନରେ ଏମିତି କିଛି କାମ ନାହିଁ ଯାହାକି ମୋତେ କର୍ତ୍ତବ୍ୟ ଭାବରେ କରିବାକୁ ପଡ଼ିବ । ସାରା ସଂସାରରେ ଏମିତି କିଛି ଜିନିଷ ନାହିଁ ଯାହା ମୋ ପାଖରେ ନାହିଁ । ତଥାପି ମୋତେ କର୍ମ କରିବାକୁ ପଡୁଛି । ମୁଁ ଆଳସ୍ୟର ବଶବର୍ତ୍ତୀ ହୋଇ କିଛି କର୍ମ ନକଲେ ମୋତେ ଲୋକେ ଅନୁସରଣ କରି ସେଇଆ କରିବେ ।
ବିନା କର୍ମରେ ସଂସାରରୁ ଧର୍ମ ଲୋପ ପାଇଯିବ ଓ ପ୍ରାଣୀ ନଷ୍ଟ ହୋଇଯିବେ । ଅଜ୍ଞାନୀ ମଣିଷ ବିଷୟ ଆସକ୍ତ ହୋଇ ଯେପରି କାମ କରେ ଠିକ ସେମିତି ଜ୍ଞାନୀ ମଣିଷ ବି କାମ କରେ । କିନ୍ତୁ ତା' ଚିତ୍ତରେ କୌଣସି ପ୍ରକାରର ଆସକ୍ତି ନଥାଏ ।"
କୃଷ୍ଣ ଯେତେ ଯେତେ ସଂଶୟ ମୋଚନ କରୁଥା'ନ୍ତି ଅର୍ଜୁନଙ୍କ ମନରେ ସେତେ ସେତେ ନୂଆ ନୂଆ ସଂଶୟ ଆସୁଥାଏ । ସେ ପୁଣି ପଚାରିଲେ, "ହେ ଜନାର୍ଦ୍ଦନ! ମୋତେ କୁହନ୍ତୁ କୌଣସି ମଣିଷ ପାପ କର୍ମ କରିବାକୁ ନଚାହିଁଲେ ମଧ୍ୟ କୋଉ ପ୍ରବୃତ୍ତି ତାକୁ ପାପ କର୍ମରେ ପୁଣି ଲିପ୍ତ କରାଏ?"
ରଜୋ ଗୁଣରୁ କାମ ଉତ୍ପନ୍ନ ହୁଏ
ଅର୍ଜୁନଙ୍କ ପ୍ରଶ୍ନ ଶୁଣି କୃଷ୍ଣ କହିଲେ, "ରଜୋ ଗୁଣରୁ କାମ ଓ କ୍ରୋଧ ଉତ୍ପନ୍ନ ହୁଏ । ସେଇ କାମ ଓ କ୍ରୋଧ ଭାବ ତାକୁ ପାପ କର୍ମ କରିବାରେ ନିୟୋଜିତ କରାନ୍ତି । ଇନ୍ଦ୍ରୀୟ, ମନ ଓ ବୁଦ୍ଧିରେ କାମ ବାସ କରେ । ଏମାନେ ଜ୍ଞାନକୁ ଢାଙ୍କି ଜୀବକୁ ମୋହଗ୍ରସ୍ତ କରନ୍ତି । ତେଣୁ ହେ ପାର୍ଥ ! ସମସ୍ତ ଇନ୍ଦ୍ରୀୟକୁ ବଶକୁ ଆଣି କାମକୁ ବିନାଶ କର । ସ୍ଥୂଳ ଶରୀର ମଧ୍ୟରେ ଇନ୍ଦ୍ରୀୟ ହେଉଛି ଶ୍ରେଷ୍ଠ । ମନ ହେଲା ଇନ୍ଦ୍ରୀୟମାନଙ୍କ ଭିତରେ ଶ୍ରେଷ୍ଠ । ତେଣୁ ଆତ୍ମଜ୍ଞାନ ଲାଭ କରି ମନକୁ ବୁଦ୍ଧି ଦ୍ୱାରା ବଶୀଭୂତ କରି କାମନାରୂପୀ ଶତ୍ରୁକୁ ଦୂର କରିବାକୁ ହେବ ।"
ତାପରେ କୃଷ୍ଣ କହିଲେ, "ହେ ସଖା! ତୁମକୁ ଏବେ ଏଇ ଯେଉଁ କଥା କହିଲି ସେ କଥା ମୁଁ ଅନେକ ବର୍ଷ ତଳେ ସୂର୍ଯ୍ୟଙ୍କୁ କହିଥିଲି । ସୂର୍ଯ୍ୟ ତାଙ୍କ ନିଜ ପୁଅ ମନୁଙ୍କୁ ସେଇ କଥା କହିଥିଲେ । ତାପରେ ସେଇ ଯୋଗର ଉପଦେଶ କଥା ମନୁ ତାଙ୍କ ପୁଅ ଇକ୍ଷାକୁଙ୍କୁ କହିଥିଲେ । ସେ ଜ୍ଞାନ ଏମିତି ଆଗକୁ ଆଗକୁ ଗଡ଼ି ଆସିଛି । କିନ୍ତୁ ସମୟକ୍ରମେ କାଳର ଗତିରେ ପୁଣି ନଷ୍ଟ ହୋଇଯାଇଛି । ଏ ଜ୍ଞାନ ତୁମକୁ ମୁଁ ନୂଆ କରି ଦେଉଛି ସେ କଥା ନୁହେଁ । ତୁମେ ମୋର ପ୍ରିୟ ସଖା ଓ ଭକ୍ତ । ସେଇଥିପାଇଁ ତୁମକୁ ଉପଦେଶ ଦେଉଛି ।"
କୃଷ୍ଣଙ୍କ ଉପଦେଶ ଶୁଣି ଅର୍ଜୁନ କହିଲେ, "ହେ ପ୍ରଭୁ! ସୂର୍ଯ୍ୟଙ୍କର ଜନ୍ମ ତ ତୁମ ଜନ୍ମର ବହୁ ଆଗରୁ ହେଇଛି । ତୁମେ ପୁଣି ଅନେକ ବର୍ଷ ତଳେ ତାଙ୍କୁ କେମିତି ଉପଦେଶ ଦେଲ? ମୁଁ କିଛି ବୁଝିପାରୁନି।"
ଅର୍ଜୁନଙ୍କ ପ୍ରଶ୍ନ ଶୁଣି କୃଷ୍ଣ ତାଙ୍କ ଅଧରରେ ସ୍ମିତ ହସ ଖେଳାଇ କହିଲେ, ସଖା ! ମୋର ଏଇ ଜନ୍ମ ପୂର୍ବରୁ ତୁମର ଓ ମୋର ହଜାର ହଜାର ଜନ୍ମ ହୋଇସାରିଛି । ତୁମେ ସେସବୁ କଥା କିଛି ମନେରଖିନ । ମୋର ସବୁ କିଛି ମନେ ଅଛି । ମୁଁ ଜନ୍ମ ମରଣ ରହିତ ହେଲେ ବି ନିଜର ପ୍ରକୃତିରେ ଅବସ୍ଥିତ ରହି ନିଜର ମାୟା ବଳରେ ଜନ୍ମ ଗ୍ରହଣ କରେ । ସର୍ବ ପ୍ରାଣୀଙ୍କ ଈଶ୍ୱର ହୋଇ ସୁଦ୍ଧା ନିଜର ପ୍ରକୃତିକୁ ଅବଲମ୍ବନ କରି ନିଜର ମାୟା ବଳରୁ ଜନ୍ମ ଗ୍ରହଣ କରେ ।
ଯେଉଁ ଯେଉଁ ସମୟରେ ସଂସାରରେ ଧର୍ମ ନଷ୍ଟ ହୋଇଯାଏ ଓ ଅଧର୍ମ ବଢ଼ିଯାଏ, ସେଇ ସେଇ ସମୟରେ ମୁଁ ଏହି ଧରାଧାମରେ ଅବତୀର୍ଣ୍ଣ ହୁଏ । ସଂସାରରେ ସାଧୁମାନଙ୍କୁ ରକ୍ଷା କରିବାକୁ ଓ ଦୁଷ୍ଟମାନଙ୍କୁ ବିନାଶ କରିବାକୁ ଏବଂ ଧର୍ମମାର୍ଗକୁ ପୁଣିଥରେ ସ୍ଥାପନ କରିବାକୁ ମୁଁ ଅବତାର ରୂପରେ ଜନ୍ମ ନିଏ । ହେ ଅର୍ଜୁନ! ଆମର ଏହି ଅଲୌକିକ ଜନ୍ମ ଓ କର୍ମକୁ ଯଥାର୍ଥ ରୂପରେ ଯିଏ ଜାଣନ୍ତି ସେ ଦେହକୁ ପରିତ୍ୟାଗ କରି ପୁନର୍ବାର ଜନ୍ମଗ୍ରହଣ କରନ୍ତି ନାହିଁ ।"
"ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ।
ଅଭ୍ୟୁତ୍ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍ । ।
ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାଂ ।
ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।"
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)