Advertisment

Karna’s Loyalty Prevails: କର୍ଣ୍ଣଙ୍କୁ କୃଷ୍ଣ ଓ କୁନ୍ତୀ ପ୍ରସ୍ତାବ ଦେଲେ, କିନ୍ତୁ ସେ ରାଜି ହେଲେନି

କୁନ୍ତୀ କ'ଣ ପାଇଁ ଦିନେ କର୍ଣ୍ଣଙ୍କୁ ସାକ୍ଷାତ କରିବାକୁ ଗଙ୍ଗାନଦୀ କୂଳକୁ ଯାଇଥିଲେ?  କ'ଣ ଥିଲା କଥା? ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢ଼ନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

author-image
Ramakanta Samantaray
Mahabharat

Mahabharat Photograph: (OTV)

ଦୁର୍ଯ୍ୟୋଧନକୁ ବୁଝାଇବାରେ କୃଷ୍ଣ ଅସଫଳ ହେଲେ । ସନ୍ଧି ଓ ଶାନ୍ତି ସ୍ଥାପନ କରିବାର ସମସ୍ତ ପ୍ରଚେଷ୍ଟା ତାଙ୍କର ବୃଥା ଗଲା । କୃଷ୍ଣ ଶେଷରେ କୁନ୍ତୀଙ୍କ ପାଖରୁ ବିଦାୟ ନେଇ ଉପପ୍ଲବ୍ୟ ନଗରୀକୁ ବାହାରିଲେ । ହସ୍ତିନା ତ୍ୟାଗ ପୂର୍ବରୁ କୃଷ୍ଣ ତାଙ୍କ ରଥରେ କର୍ଣ୍ଣକୁ ଡାକି ବସେଇଲେ ।

Advertisment

କିଛି ରାସ୍ତା ଅତିକ୍ରମ କଲାପରେ କୃଷ୍ଣ ଏକ ନିର୍ଜନ ସ୍ଥାନରେ ରଥ ରଖି କର୍ଣ୍ଣଙ୍କୁ କହିଲେ ‘ହେ ରାଧେୟ ତୁମେ ସନାତନ ବେଦବାକ୍ୟ ଜାଣିଛ । ଶାସ୍ତ୍ର ଅଧ୍ୟୟନ କରିଛ । ତୁମକୁ ଆଜି ଗୋଟେ ସତ କଥା କହିବି । ମନଦେଇ ଶୁଣ । ଶାସ୍ତ୍ର ଅନୁସାରେ ବିବାହ ପୂର୍ବରୁ ଯେଉଁ କନ୍ୟା ପୁତ୍ର ସନ୍ତାନ ଜନ୍ମ କରେ ତାକୁ କାନୀନ ପୁତ୍ର କୁହାଯାଏ । ବିବାହ ପରେ ଜନ୍ମିତ ସନ୍ତାନକୁ ସହଢ଼ୋ କୁହାଯାଏ । ପଣ୍ଡିତମାନଙ୍କ କହିବା ଅନୁସାରେ ସେ କନ୍ୟାର ପାଣିଗ୍ରହଣ କରିଥିବା ବ୍ୟକ୍ତି ବିବାହ ପୂର୍ବର ଓ ପରର ସନ୍ତାନମାନଙ୍କର ପିତା ହୁଏ।

ହେ କର୍ଣ୍ଣ, ତୁମକୁ କୁନ୍ତୀ ବିବାହ ପୂର୍ବରୁ ଜନ୍ମ ଦେଇଥିଲେ । ତେଣୁ ନିୟମ ଅନୁସାରେ ତୁମେ ରାଜା ପଣ୍ଡୁଙ୍କର ବଡ଼ ପୁଅ । ତେଣୁ ଏ ଦୁଷ୍ଟ ଦୁର୍ଯ୍ୟୋଧନର ବୁଦ୍ଧିରେ ପଡି ନିଜକୁ ନଷ୍ଟ କରନି । କୌରବ ଓ ପାଣ୍ଡବମାନଙ୍କ ଭିତରେ ଯୁଦ୍ଧ ତ ନିଶ୍ଚୟ ହେବ । ତୁମେ ତୁମ ଭାଇମାନଙ୍କ ସହ ମିଶି ଯୁଦ୍ଧ କର ଓ ଯୁଦ୍ଧ ପରେ ବଡ ପୁଅ ଭାବରେ ଦେଶର ରାଜା ହୁଅ । ତୁମର ପ୍ରକୃତ ପରିଚୟ ପାଇଲା ପରେ ପାଣ୍ଡବମାନେ ତୁମକୁ ଆଦର ପୂର୍ବକ ସିଂହାସନରେ ବସାଇବେ । ମୋ ସାଙ୍ଗରେ ଚାଲ ଆଜିହିଁ ତୁମ ଅଭିଷେକ କରିବା । ପାଣ୍ଡବମାନେ ପାଞ୍ଚ ନୁହେଁ ପ୍ରକୃତରେ ଛଅ ଜାଣିଲା ପରେ ଦ୍ରୌପଦୀ ମଧ୍ୟ ଷଷ୍ଠ ଦିବସରେ ତୁମ ପାଖରେ ଉପସ୍ଥିତ ରହିବେ ।

Advertisment

କୃଷ୍ଣଙ୍କର କଥା ଶୁଣି କର୍ଣ୍ଣ କହିଲେ, ’ହେ ଯଦୁପତି! ମୁଁ ଜାଣିଛି କୁନ୍ତୀ ଦେବୀଙ୍କ ଗର୍ଭରୁ ଓ ସୂର୍ଯ୍ୟଦେବଙ୍କ ଔରସରୁ ମୁଁ ଜନ୍ମ ନେଇଛି । ବିବାହ ପୂର୍ବରୁ ମାଆ ମୋତେ ଜନ୍ମ ଦେଇଥିବାରୁ ଲୋକଲଜ୍ୟାକୁ ଭୟ କରି ମୋତେ ପରିତ୍ୟାଗ କରିଥିଲେ । ନଦୀରେ ଭାସି ଯାଉଥିବା ବେଳେ ସୂତଜାତୀୟ ଅଧିରଥ ମୋତେ ନଦୀରୁ ଉଦ୍ଧାର କରି ତାଙ୍କ ପତ୍ନୀ ରାଧାଙ୍କ ହାତରେ ଦେଇଥିଲେ । ସେ ଦୁହେଁ ମୋତେ ପରମ ଶ୍ରଦ୍ଧା ଓ ସ୍ନେହରେ ଲାଳନ ପାଳନ କରି ବଡ କରିଛନ୍ତି। ବ୍ରାହ୍ମଣଙ୍କ ଦ୍ୱାରା ଜାତ କର୍ମ କରି ମୋ ନାମ ‘ବସୁଷେଣ’ ରଖିଛନ୍ତି । ନିଜ ଜାତିରେ କନ୍ୟା ଖୋଜି ବିବାହ ଦେଇଛନ୍ତି ।

ହେ ମାଧବ! ମୋତେ ସମଗ୍ର ପୃଥିବୀ ମିଳିଲେ ବି ମୁଁ ଏହି ସମ୍ପର୍କର ଦଉଡିକୁ କାଟି ପାରିବିନି । ତାପରେ ଅନ୍ୟମାନେ ଅପମାନିତ କଲାବେଳେ ଧୃତରାଷ୍ଟ୍ର ପୁତ୍ର ଦୁର୍ଯ୍ୟୋଧନ ମୋତେ ସମ୍ମାନର ସହ ଅଙ୍ଗ ଦେଶର ରାଜା କରାଇଛନ୍ତି । ବନ୍ଧୁ ଭାବରେ ଗ୍ରହଣ କରିଛନ୍ତି । ମୋ ଭରସାରେ ଦୁର୍ଯୋଧନ ଏବେ ପାଣ୍ଡବମାନଙ୍କ ସହ ଯୁଦ୍ଧ କରିବାକୁ ଅଣ୍ଟା ଭିଡିଛନ୍ତି । ଏବେ ବଧ, ବନ୍ଧନ, ପରାଜୟ, ଭୟ ଅବା ପ୍ରଲୋଭନ ବଶର ମୁଁ କେବେବି ଦୁର୍ଯ୍ୟୋଧନଙ୍କ ପାଖରେ ମିଥ୍ୟା ଆଚରଣ କରିପାରିବିନି ।

ହେ କୃଷ୍ଣ! ଆପଣ ସେ ଧର୍ମଭୀରୁ ଯୁଧିଷ୍ଠିରଙ୍କୁ ମୋର ପ୍ରକୃତ ପରିଚୟ ଦେବେନାହିଁ । ସେ ଯେମତିକା ଧାର୍ମିକ ଲୋକ ମୋତେ ବଡ଼ଭାଇ ମାନ୍ୟ କରି ସବୁ କିଛି ଆଣି ମୋ ପାଦ ତଳେ ସମର୍ପଣ କରିଦେବେ । ମୋତେ ଯାହାବି ଦେଲେ ମୁଁ ସେସବୁ ନେଇ ଦୁର୍ଯ୍ୟୋଧନଙ୍କୁ ଦେଇଦେବି । ମୁଁ ଯୁଦ୍ଧର ପରିଣାମ କ'ଣ ହେବ ଜାଣେ । ଆପଣ ନିଶ୍ଚିନ୍ତ ମନରେ ଫେରି ଯାଆନ୍ତୁ।‘

ତାପରେ କର୍ଣ୍ଣ ଦେଖିଥିବା ଏକ ସ୍ୱପ୍ନ ବୃତ୍ତାନ୍ତ କୃଷ୍ଣଙ୍କୁ କହିଲେ । ସ୍ୱପ୍ନରେ ସେ ଦେଖିଥିଲେ ପାଣ୍ଡବମାନେ ଧଳା ପୋଷାକ ପିନ୍ଧି ସହସ୍ର ସ୍ତମ୍ଭଥିବା ଏକ ଅଟ୍ଟାଳିକା ଭିତରେ ବସିଛନ୍ତି । ଯୁଧିଷ୍ଠିର ହାଡ଼ ଗଦା ଉପରେ ବସି ସୁନା ଥାଳିରେ ଘିଅ ଖିରି ଖାଉଛନ୍ତି । ଅନ୍ୟ ଏକ ସ୍ୱପ୍ନରେ ଯୁଧିଷ୍ଠିର ମାଟି ଖାଉଛନ୍ତି । ଅସ୍ତ୍ର ଆଘାତରେ କୃଷ୍ଣଙ୍କ ଦେହ ସାରା କ୍ଷତ ଓ ରକ୍ତ ବହୁଛି । ଉଚ୍ଚ ଆସନରେ ବସି ଭୀମସେନ ବି ମାଟି ଖାଉଛନ୍ତି । ଏକ ପାଉଁଶିଆ ହାତୀ ପିଠିରେ କୃଷ୍ଣ ଓ ଗାଣ୍ଡିବଧାରୀ ଅର୍ଜୁନ ବସିଥିବା ଦୃଶ୍ୟ ବି ଦେଖିଛନ୍ତି । ଭୀଷ୍ମ, ଦ୍ରୋଣ, ଦୁର୍ଯ୍ୟୋଧନ ଓ ସେ ନିଜେ ଗୋଟେ ଓଟ ଯୋଚା ଶଗଡ଼ ଗାଡ଼ିରେ ବସି ଦକ୍ଷିଣ ଦିଗକୁ ଯାଉଛନ୍ତି । ସ୍ୱପ୍ନ ବୃତ୍ତାନ୍ତ ବର୍ଣ୍ଣନା କରି କର୍ଣ୍ଣ କହିଲେ  ‘ହେ ମାୟାଧର ଏ ସ୍ୱପ୍ନର ଅର୍ଥ ମୁଁ ଜାଣିଛି । ଯୁଦ୍ଧରେ ପାଣ୍ଡବମାନେ ନିଶ୍ଚୟ ଜୟଯୁକ୍ତ ହେବେ । 

କର୍ଣ୍ଣଙ୍କ କଥା ଶୁଣି କୃଷ୍ଣ କହିଲେ, ‘ ପ୍ରିୟ ରାଧେୟ! ତୁମେ ମୋ ପ୍ରସ୍ତାବରେ ରାଜି ନହୋଇ ଭାରତ ବର୍ଷକୁ ଏକ ନିଶ୍ଚିତ ଭୟଙ୍କର ଯୁଦ୍ଧ ଆଡକୁ ନେଇଯାଉଛ।’ କର୍ଣ୍ଣ ଉତ୍ତରରେ କହିଲେ, ‘ହେ ଜନାର୍ଦ୍ଦନ! ଆସନ୍ତା ମହାଭାରତ ଯୁଦ୍ଧରେ ଆମେ ଯଦି ପ୍ରାଣଧରି ବଞ୍ଚି ରହିଲୁ ତେବେ ଯୁଦ୍ଧ ପରେ ଆମର ନିଶ୍ଚୟ ସାକ୍ଷାତ ହେବ। ନ ହେଲେ ସ୍ୱର୍ଗପୁରରେ ଦେଖା ସାକ୍ଷାତ ହେବ। ଏବେ ମୁଁ ବିଦାୟ ନେଉଛି । ଅଳ୍ପ ଦିନ ପରେ ଆମର ଯୁଦ୍ଧ କ୍ଷେତ୍ରରେ ସାକ୍ଷାତ ହେବ ।‘

ତାପରେ କର୍ଣ୍ଣ ଓ କୃଷ୍ଣ ପରସ୍ପରଙ୍କୁ ଆଲିଙ୍ଗନ କଲେ । କୃଷ୍ଣଙ୍କ ରଥରୁ ଓହ୍ଲେଇ କର୍ଣ୍ଣ ତାଙ୍କ ନିଜ ରଥରେ ବସିଲେ । କର୍ଣ୍ଣ ବିଦାୟ ନେଲା ପରେ କୃଷ୍ଣ ସାତ୍ୟକିଙ୍କୁ ଉପପ୍ଲବ୍ୟ ନଗରୀ ଉଦ୍ଦେଶ୍ୟରେ ଶୀଘ୍ର ରଥ ଚଳାଇବାକୁ ନିର୍ଦ୍ଦେଶ ଦେଲେ ।

କୃଷ୍ଣ ବିଦାୟ ନେଲାପରେ ବିଦୁର କୁନ୍ତୀଙ୍କ ପାଖକୁ ଗଲେ । ଦୁଃଖ ପ୍ରକାଶ କରି କହିଲେ, ‘ ଆମେ ସବୁ ଯୁଦ୍ଧ ବନ୍ଦ କରିବାକୁ ଅନେକ ପ୍ରଚେଷ୍ଟା କଲୁ କିନ୍ତୁ ଦୁର୍ଯ୍ୟୋଧନ ଆମ କାହା କଥା ଶୁଣିଲାନି । ଧୃତରାଷ୍ଟ୍ର ପୁତ୍ର ପ୍ରେମରେ କଠୋର ନିଷ୍ପତ୍ତି ନେଇପାରୁନାହାଁନ୍ତି । ଶେଷଥର ପାଇଁ କୃଷ୍ଣ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଚେଷ୍ଟା କରି ଅସଫଳ ହେଇ ପାଣ୍ଡବମାନଙ୍କ ପାଖକୁ ଫେରିଗଲେ । ଯୁଦ୍ଧ ହେଲେ ଏବେ ଅକାରଣରେ କାହିଁରେ କେତେ ଧନ ଜୀବନ ନଷ୍ଟ ହେବ । ଏସବୁ କଥା ଶୁଣି ମୋତେ ରାତିରେ ନିଦ ଆସୁନି ।

ବିଦୁରଙ୍କ କଥା ଶୁଣି କୁନ୍ତୀ ମନେ ମନେ ଯୁଦ୍ଧକୁ ନେଇ କେତେ କ'ଣ ଭାବିବାକୁ ଲାଗିଲେ । ଭାବିଲେ ପରିସ୍ଥିତି ସତରେ ବହୁତ ଖରାପ । ତାଙ୍କ ପୁଅମାନେ ଯୁଦ୍ଧ ନକଲେ ରାଜ୍ୟ ଫେରିପାଇବେ ନାହିଁ । ଯୁଦ୍ଧ ହେଲେ ନିଜର ଜ୍ଞାତି ପରିଜନଙ୍କ ମୃତ୍ୟୁ ଦେଖିବାକୁ ପଡିବ । ଯୁଦ୍ଧର ପରିଣାମ କ'ଣ ହେବ କିଏ ଜାଣେ । ଭୀଷ୍ମ, ଦ୍ରୋଣ, କୃପ, କର୍ଣ୍ଣ ଓ ଅଶ୍ୱତ୍ଥାମାଙ୍କ ପରି ବୀରମାନେ ଯୁଦ୍ଧ ହେଲେ ପାଣ୍ଡବମାନଙ୍କ ସମ୍ମୁଖରେ ଅସ୍ତ୍ର ଧରି ଠିଆହେବେ ।

ପିତାମହ ଭୀଷ୍ମଙ୍କର ଅନ୍ତରରେ ପାଣ୍ଡବମାନଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ଭରି ରହିଛି । ସେ କ'ଣ କେବେ ଅସ୍ତ୍ର ଧରି ପାଣ୍ଡବଙ୍କୁ ବିନାଶ କରିବାକୁ ବାହାରିବେ? ଅର୍ଜୁନ ହେଉଛି ଗୁରୁ ଦ୍ରୋଣଙ୍କ ସବୁଠାରୁ ପ୍ରିୟ ଶିଷ୍ୟ । ସେ ବା କେମିତି ନିଜର ପ୍ରିୟ ଶିଷ୍ୟର ମୃତ୍ୟୁ କାମନା କରିବେ?

କେବଳ କର୍ଣ୍ଣକୁ ଛାଡିଦେଲେ ଅନ୍ୟ ସମସ୍ତଙ୍କର ପାଣ୍ଡବମାନଙ୍କ ପ୍ରତି ସଦିଚ୍ଛା ଅଛି । ସେଇ କର୍ଣ୍ଣ କିନ୍ତୁ ସବୁ ଅନିଷ୍ଟର ମୂଳ କାରଣ । ସବୁବେଳେ ଦୁର୍ଯ୍ୟୋଧନକୁ ମନ୍ଦ ମନ୍ତ୍ରଣା ଦେଇ ପାଣ୍ଡବଙ୍କର ଅନିଷ୍ଟ ଚିନ୍ତାକରେ । ତା'ରି ସାହାସରେ ଦୁର୍ଯ୍ୟୋଧନ ଯୁଦ୍ଧ କରିବାକୁ ଆଗଭର ହେଇଛି । କର୍ଣ୍ଣ ବହୁତ ବଳବାନ ଯୋଦ୍ଧା । ସେ ଯୁଦ୍ଧଭୂମିରେ ପାଣ୍ଡବଙ୍କୁ ମାରିବାକୁ ନିଶ୍ଚୟ ଚେଷ୍ଟା କରିବ ।

କୁନ୍ତୀ ଅନେକ ସମୟ ଧରି ଯୁଦ୍ଧ ଓ ତା'ର ପରିଣାମକୁ ନେଇ ଚିନ୍ତା କରିବାକୁ ଲାଗିଲେ । ମନ ତାଙ୍କର ବିଚଳିତ ହେଉଥାଏ । କିନ୍ତୁ କୂଳ କିନାରା କିଛି ମିଳୁନଥାଏ । ଶେଷରେ କୁନ୍ତୀଙ୍କ ମନରେ ବୁଦ୍ଧି ଗୋଟେ ଜୁଟିଲା । ସେ ଭାବିଲେ ଏତେ କଥା ବସି ଚିନ୍ତା କରିବା ଅପେକ୍ଷା ଥରେ କର୍ଣ୍ଣକୁ ସାକ୍ଷାତ କଲେ ହୁଅନ୍ତା । କର୍ଣ୍ଣକୁ ତା'ର ଜନ୍ମ ବୃତ୍ତାନ୍ତ କହି ପରିଚୟ ଦେଇ ପାଣ୍ଡବମାନେ ତା'ର ଭାଇ ବୋଲି କହିଲେ ହୁଏତ ତା' ମନରେ କିଛି ପରିବର୍ତ୍ତନ ଆସିପାରେ । ନିଜ ଜନ୍ମ କଲା ମାଆର କଥା ସେ ନିଶ୍ଚୟ ଶୁଣିବ ଓ ତା'ର ଭାଇମାନଙ୍କ ପକ୍ଷ ନେବ । କୁନ୍ତୀ ଏମିତି କିଛି ଭାବି କର୍ଣ୍ଣଙ୍କ ପାଖକୁ ବାହାରିଲେ ।

କର୍ଣ୍ଣଙ୍କ ପାଖରେ ପହଞ୍ଚିଲେ କୁନ୍ତୀ

କୁନ୍ତୀ ପହଞ୍ଚିଲା ବେଳକୁ କର୍ଣ୍ଣ ଗଙ୍ଗାନଦୀ କୂଳରେ ବସି ଉପରକୁ ହାତ ଟେକି ବେଦ ମନ୍ତ୍ର ଉଚ୍ଚାରଣ କରି ସୂର୍ଯ୍ୟଙ୍କୁ ପୂଜା କରୁଥିଲେ । କର୍ଣ୍ଣ ନିବିଷ୍ଟ ଚିତ୍ତରେ ପୂଜା କରୁଥା'ନ୍ତି । ତେଣୁ କୁନ୍ତୀ ଆସି ତାଙ୍କ ପାଖରେ ଛିଡା ହେଲାପରେ ବି ସେ କିଛି ଜାଣିପାରୁନଥାନ୍ତି । କୁନ୍ତୀ ବହୁତ ସମୟ ଧରି ଅପେକ୍ଷା କଲେ । ଧିରେ ଧିରେ ସୂର୍ଯ୍ୟଙ୍କ ତେଜ ବଢୁଥାଏ ।

କିଛି ସମୟ ପରେ ସୂର୍ଯ୍ୟ ତେଜ ସହିନପାରି କୁନ୍ତୀ କର୍ଣ୍ଣଙ୍କ ଉତ୍ତରୀୟ ତଳେ ଆଶ୍ରୟ ନେଲେ । ବହୁ ସମୟ ପରେ କର୍ଣ୍ଣଙ୍କ ପୂଜା ସରିଲା ଓ ସେ ଦେଖିଲେ ପାଣ୍ଡବ ଜନନୀ କୁନ୍ତୀ ତାଙ୍କୁ ଅପେକ୍ଷା କରି ଠିଆ ହେଇଛନ୍ତି । କର୍ଣ୍ଣ ସଙ୍ଗେ ସଙ୍ଗେ କୁନ୍ତୀଙ୍କୁ ପ୍ରଣାମ କରି କହିଲେ, ‘ମୁଁ ସାରଥି ଅଧିରଥ ଓ ରାଧାଙ୍କ ପୁତ୍ର କର୍ଣ୍ଣ । କୁହନ୍ତୁ ମୁଁ ଆପଣଙ୍କର କ'ଣ ସେବା କରିପାରିବି ।’

କୁନ୍ତୀ ଅତି ଧିର କମ୍ପିତ ସ୍ୱରରେ କହିଲେ, ‘ପୁଅ ମୋର, ତୁମେ ରାଧା ଅବା ଅଧିରଥଙ୍କ ପୁଅ ନୁହଁ । ତୁମେ ମୋ ପୁଅ । ମୋ ଗର୍ଭରୁ ଜନ୍ମ ନେଇଛ । ବିବାହ ପୂର୍ବରୁ ମୁଁ ସୂର୍ଯ୍ୟଦେବଙ୍କ ଔରସରୁ ତୁମକୁ ଜନ୍ମ ଦେଇଥିଲି । କୁନ୍ତିଭୋଜ ରାଜାଙ୍କ ଉଆସରେ ତୁମର ଜନ୍ମ । ବିବାହ କରିନଥିଲି ବୋଲି ତୁମକୁ ନଦୀରେ ଭସେଇ ଦେଇଥିଲି । ତେଣୁ ତୁମେ ସୂତ କୁଳରେ ନୁହେଁ କ୍ଷତ୍ରୀୟ କୁଳରେ ଜନ୍ମ ନେଇଛ । ଜନ୍ମ ବେଳେ ତୁମେ ସୂର୍ଯ୍ୟଦେବ ଦେଇଥିବା କବଚ କୁଣ୍ଡଳ ଧାରଣ କରି ଜନ୍ମ ହେଇଥିଲ । ତେଜସ୍ୱୀ ଓ ବଳବାନ ହେବ ବୋଲି ତୁମ ପିତା ତୁମକୁ ବରଦାନ କରିଥିଲେ।

ତୁମେ ତୁମ ମାଆ ଓ ଭାଇମାନଙ୍କ ପରିଚୟ ନଜାଣି ଦୁର୍ଯ୍ୟୋଧନ ସହ ମିଶିଛ । ନିଜର ମାଆ ପେଟର ଭାଇମାନଙ୍କୁ ପରମ ଶତ୍ରୁ ବୋଲି ବିବେଚନା କରୁଛ । ପୁଅ ମୋର, ଏବେବି କିଛି ଡେରି ହୋଇନି। ତୁମେ ତୁମ ମାଆ ଓ ଭାଇମାନଙ୍କ ପାଖକୁ ଫେରିଆସ ।

ଅର୍ଜୁନଙ୍କ ସହ ମିଶି ଠିଆ ହେଲେ ତୁମ ଦୁହିଁଙ୍କୁ ଦେବତାମାନେ ଆସିଲେ ବି ଯୁଦ୍ଧରେ ପରାସ୍ତ କରିପାରିବେନି । ତୁମେ ମୋର ବଡ଼ ପୁଅ । କୁନ୍ତୀ ଓ ପଣ୍ଡୁଙ୍କର ବଡ଼ ପୁଅ । ତେଣୁ ତୁମେ ହିଁ ରାଜା ହେଇ ସିଂହାସନ ଆରୋହଣ କରିବ । କୌରବମାନେ କର୍ଣ୍ଣାର୍ଜୁନଙ୍କ ସମାଗମ ଦେଖିବେ । ସମଗ୍ର ପୃଥିବୀ ଜାଣିବ ପାଣ୍ଡବମାନଙ୍କର ଜଣେ ବଡ଼ ଭାଇ ବି ଅଛନ୍ତି । ଯାହାଙ୍କ ନାମ କର୍ଣ୍ଣ ।

Mahabharat Mahabharat Story
Advertisment
Related Articles
Advertisment