Advertisment

FAFO Parenting: ଶିଶୁଙ୍କୁ ନିଜ ଅନୁଭୂତିରୁ ଶିଖିବାକୁ ଦେବାର ଏକ ନୂତନ ବିଚାରଧାରା

ସ୍ରଷ୍ଟାଙ୍କ ସୃଷ୍ଟିର ସର୍ବଶ୍ରେଷ୍ଠ ସର୍ଜନା ହେଉଛି ଶିଶୁ । ଶୈଶବ ଜୀବନର ସବୁଠାରୁ କୋମଳ, ଗଠନାତ୍ମକ ଓ ସହଜରେ ପ୍ରଭାବିତ ହେଉଥିବା ଏକ ଅତି ମୂଲ୍ୟବାନ ପର୍ଯ୍ୟାୟ ।  ଏହି  ସମୟରେ  ହିଁ  ସ୍ୱାସ୍ଥ୍ୟ, ବୃଦ୍ଧି,  ବିକାଶ, ଭବିଷ୍ୟତର  ମୂଳଦୁଆ  ପଡ଼ିଥାଏ ।

author-image
Pragyan Paramita Behera
Child Care

Child Care Photograph: (OTV)


ପ୍ରଥମ  ବର୍ଷ ମାନଙ୍କରେ  ମିଳିଥିବା  ସ୍ନେହ  ଓ ଯତ୍ନ  ଶିଶୁର  ବିକାଶରେ  ବିଶେଷ  ସହାୟକ  ହୋଇଥାଏ । ଅନ୍ୟ  ସମୟ  ତୁଳନାରେ  ଶିଶୁଟି  ଏହି  ସମୟରେ  ବହୁତ  ଶୀଘ୍ର  ଶିଖିଥାଏ  । ସବୁ ବାପାମାଆ ପିଲାର ମାନସିକ ବିକାଶ, ବୌଦ୍ଧିକ ବିକାଶ, ଶାରୀରିକ ବିକାଶ ଚାହାନ୍ତି ଓ ନିଜ ନିଜ ହିସାବରେ ଶିଶୁର ଲାଳନପାଳନ କରିଥାଆନ୍ତି ।  

Advertisment

ନିଜ ପିଲାର ଲାଳନପାଳନ ପାଇଁ ବାପାମା’ ଅଥରେଟିଭ, ପରମିସିଭ, ଜେଣ୍ଟେଲ ଭଳି ଅନେକ ପ୍ରକାର ପ୍ୟାରେଣ୍ଟିଂ ଷ୍ଟାଇଲ ଆପଣାଇ ଥାଆନ୍ତି । ଆଜିକାଲି ଜେଣ୍ଟେଲ ପ୍ୟାରେଣ୍ଟିଂ ପଦ୍ଧତିକୁ ଅଧିକ ଅନୁସରଣ କରୁଛନ୍ତି ନୂଆ ହୋଇ ବାପାମା’ ହୋଇଥିବା ଦମ୍ପତି । ଦିନ ଥିଲା ପିଲାକୁ ନାନାବାୟା ଗୀତ ଶୁଣାଇ, ଆକଟ କରି କିମ୍ବା ବେଳ ପଡ଼ିଲେ ହାତ ଉଠାଇ ଦେଉଥିଲେ ଗୁରୁଜନ । କିନ୍ତୁ ସମୟ ପରିବର୍ତ୍ତନ ହେବା ସଙ୍ଗେ ସଙ୍ଗେ ପ୍ୟାରେଣ୍ଟିଂ ଷ୍ଟାଇଲରେ ମଧ୍ୟ ପରିବର୍ତ୍ତନ ଆସିଛି । ଏବେ ପିଲାଙ୍କୁ ଜେଣ୍ଟଲ ପ୍ୟାରେଣ୍ଟିଂ ଅର୍ଥାତ ବିନା ଗାଳିମାଡ଼ରେ ବୁଝାଇବାକୁ ଚେଷ୍ଟା କରାଯାଉଛି ।

ନିକଟରେ ଏକ ନୂଆ ପ୍ୟାରେଣ୍ଟିଂ ଷ୍ଟାଇଲକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି, ଯାହାକୁ FAFO Parenting କୁହାଯାଉଛି । ଏହି ପ୍ୟାରେଣ୍ଟିଂ ଷ୍ଟାଇଲ ପିଲାଙ୍କୁ କଠୋରତା ମାଧ୍ୟମରେ ନୁହେଁ ବରଂ ଅଭିଜ୍ଞତା ଏବଂ ପରିଣାମ ମାଧ୍ୟମରେ ଶିକ୍ଷା ଦେବା ଉପରେ ଗୁରୁତ୍ୱ ଦିଏ। FAFOର ଅର୍ଥ ରୁକ୍ଷ ଲାଗୁଥିଲେ ମଧ୍ୟ ଏହା ପଛର ବିଚାରଧାରା ଗଭୀର ଓ ବ୍ୟାବହାରିକ । ଏଥିରେ ବାପାମା’ ଗାଳିମାଡ଼ ନଦେଇ ନିଜ ଅଭିଜ୍ଞତା ମାଧ୍ୟମରେ ପିଲାଙ୍କୁ ଶିଖିବାକୁ ଅନୁମତି ଦିଅନ୍ତି ।

Advertisment

ପିଲାଙ୍କୁ ଶିକ୍ଷା ଦେବାର ସରଳ ଉପାୟ

ଏହି ନୂଆ ପ୍ୟାରେଣ୍ଟିଂ ପଦ୍ଧତି ଅନୁସାରେ କୌଣସି ପିଲାକୁ ବାରମ୍ବାର ଆକଟ କରିବା ପରେ ମଧ୍ୟ ଯଦି ଭୁଲ କରେ କିମ୍ବା କଥା ନଶୁଣେ, ତେବେ ବାପାମା’ ତାକୁ ନଅଟକାଇ ପରିଣାମ ଭୋଗ କରିବାକୁ ଦିଅନ୍ତି । ଉଦାହରଣ ସ୍ୱରୂପ ଶୀତ ଦିନରେ କୌଣସି ପିଲା ଜ୍ୟାକେଟ ନନେଇ ବାହାରକୁ ଯିବାପାଇଁ ଜିଦ୍ କଲେ ତାକୁ ଯିବାକୁ ଦିଅ । କାରଣ ବାହାରକୁ ଯାଇ ଥଣ୍ଡା ଅନୁଭବ କଲେ, ସେ ଆପେ ଆପେ ଆସି ଜ୍ୟାକେଟ ପିନ୍ଧି ବାହାରକୁ ଯିବ । ଆଉ ପରବର୍ତ୍ତୀ ସମୟରେ ସେପରି ଭୁଲ କରିବା ପାଇଁ ଚେଷ୍ଟା କରିବ ନାହିଁ ।
ବାପାମା’ଙ୍କର ଚାପ ହ୍ରାସ
ବର୍ତ୍ତମାନ ଅଷ୍ଟ୍ରେଲିଆରେ FAFO Parentingର ଟ୍ରେଣ୍ଡ ଚାଲିଛି । ଯେଉଁମାନେ ଏହି ପଦ୍ଧତି ଆପଣାଇଛନ୍ତି, ସେମାନେ କୁହନ୍ତି - ଏହା ପିଲାମାନଙ୍କ ମଧ୍ୟରେ ଦାୟିତ୍ୱ ଏବଂ ସ୍ୱାଧୀନତାକୁ ପ୍ରୋତ୍ସାହିତ କରେ ଏବଂ ବାପାମା’ଙ୍କ ଚାପ ମଧ୍ୟ ହ୍ରାସ କରେ। ବାରମ୍ବାର ବୁଝାଇବା କିମ୍ବା ରାଗିବା ପରିବର୍ତ୍ତେ ପିଲାମାନେ ନିଜ ଅଭିଜ୍ଞତାରୁ ଶିଖନ୍ତି  ଠିକ୍ କ’ଣ ଏବଂ ଭୁଲ କ’ଣ ।

ରିପୋର୍ଟ ଅନୁସାରେ ଅନେକ ଲୋକ ଏହି ଶୈଳୀକୁ ପ୍ରଶଂସା କରୁଛନ୍ତି । ଏହି ପ୍ୟାରେଣ୍ଟିଂ ଷ୍ଟାଇଲ ପିଲାମାନଙ୍କୁ ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରୁଥିବା କୁହାଯାଉଛି । ହେଲେ କିଛି ବାପାମା’ଙ୍କ କହିବା ଅନୁସାରେ ଏହି ଶୈଳୀ ଅତ୍ୟଧିକ କଠୋର । ତାଙ୍କ କହିବା ଅନୁସାରେ ଏହି ବୟସରେ ପିଲାମାନଙ୍କୁ ମାର୍ଗଦର୍ଶନ କରିବାର ଆବଶ୍ୟକତା ଥାଏ ।
 
ମନୋବିଜ୍ଞାନୀଙ୍କ ମତ ଅନୁସାରେ, ଏହି ପଦ୍ଧତି ଶିଶୁ ବିକାଶର ସିଦ୍ଧାନ୍ତ ସହିତ ଜଡ଼ିତ ।  ଅନ୍ୟପକ୍ଷରେ ଅନେକ ପ୍ୟାରେଣ୍ଟିଂ ଏକ୍ସପର୍ଟଙ୍କ ଅନୁସାରେ ପିଲାମାନଙ୍କୁ ଏକ ପ୍ରେମପୂର୍ଣ୍ଣ ଏବଂ ସୁରକ୍ଷିତ ପରିବେଶରେ ଠିକ୍ ଏବଂ ଭୁଲ ମଧ୍ୟରେ ପାର୍ଥକ୍ୟ ଶିଖାଇବା ଉଚିତ। ସେମାନଙ୍କ ଅନୁସାରେ ଫାଫୋର ଅର୍ଥ ହେଉଛି ପିଲାମାନଙ୍କୁ ଭର୍ତ୍ସନା କିମ୍ବା ଦଣ୍ଡ ବିନା ବାସ୍ତବ ପରିସ୍ଥିତି ପାଇଁ ପ୍ରସ୍ତୁତ କରିବାର ଏକ ଉପାୟ। ଯେତେବେଳେ ପିଲାମାନେ ଛୋଟମୋଟ ସମସ୍ୟାର ସମ୍ମୁଖୀନ ହୋଇ ଆଗକୁ ବଢ଼ିବା ଶିଖିଯାଆନ୍ତି, ଭବିଷ୍ୟତରେ ଯାଇ ବଡ଼ ବଡ଼ ଚ୍ୟାଲେଞ୍ଜର ମୁକାବିଲା କରିବାକୁ ସେମାନେ ସକ୍ଷମ ହୋଇପାରନ୍ତି ।

ଭାରତ ପାଇଁ ଶିକ୍ଷା

ଭାରତରେ ବାପାମା’ମାନେ ପ୍ରାୟତଃ ପିଲାମାନଙ୍କ ପାଳନପୋଷଣରେ ଅତ୍ୟଧିକ ହସ୍ତକ୍ଷେପ କରନ୍ତି। ଏପରି ସ୍ଥଳେ FAFO Parentingର ବାର୍ତ୍ତା ହେଉଛି, ସବୁ ସମୟରେ ପିଲାଙ୍କୁ ଉଦ୍ଧାର କରିବା ଅପେକ୍ଷା, ସେମାନଙ୍କର ଭୁଲରୁ ଶିଖିବାକୁ ଦେବା ଅଧିକ ଲାଭଦାୟକ ହୋଇପାରେ।

ପ୍ରତ୍ୟେକ ପରିସ୍ଥିତି FAFO Parenting ପାଇଁ ଉପଯୁକ୍ତ ନୁହେଁ। ଉଦାହରଣ ସ୍ୱରୂପ, ପିଲାକୁ ଏକ ବୈଦ୍ୟୁତିକ ଆଉଟଲେଟ୍ ସହିତ ହେରଫେର କରିବାକୁ ଅନୁମତି ଦେବା ବିପଦପୂର୍ଣ୍ଣ ହୋଇପାରେ। ତେଣୁ ଏହି ପଦ୍ଧତି ବୟସ ଅନୁସାରେ ଉପଯୁକ୍ତ ଏବଂ ଚିନ୍ତାଶୀଳ ହେବା ଉଚିତ । ଏହା ବ୍ୟତୀତ ପରିଣାମ କେବେବି ଦଣ୍ଡ କିମ୍ବା ତାଚ୍ଛଲ୍ୟ ହେବା ଉଚିତ୍ ନୁହେଁ, କାରଣ ଏହା ଭୟ ଏବଂ ଲଜ୍ଜା ପିଲାମାନଙ୍କୁ ସତ୍ୟ ଲୁଚାଇବାକୁ ପ୍ରବର୍ତ୍ତାଇପାରେ।

Parenting Tips
Advertisment
Related Articles
Advertisment