/odishatv-khabar/media/media_files/2026/01/18/dink-2026-01-18-13-29-15.jpg)
DINK Photograph: (OTV)
କଥାରେ ଅଛି ଯେ ଦେଶ ଯାଇ, ସେ ଫଳ ଖାଇ । ବର୍ତ୍ତମାନର ଡିଜିଟାଲ ଯୁଗରେ ଆପଣ ଦେଖୁଥିବେ ନିୟମିତ ବ୍ୟବଧାନରେ କିଛି ନା କିଛି ଟ୍ରେଣ୍ଡକୁ ନେଇ ଚର୍ଚ୍ଚା ହେଉଛି । ଆଉ ଲୋକମାନେ ମଧ୍ୟ ଆସୁଥିବା ନୂଆ ନୂଆ ଟ୍ରେଣ୍ଡକୁ ଆଖିବୁଜା ଅନୁସରଣ କରୁଛନ୍ତି । ଭାରତରେ ବର୍ତ୍ତମାନ ଡବଲ ଇନକମ ନୋ କିଡସ (Double Income, No Kids) ଅର୍ଥାତ DINK ଟ୍ରେଣ୍ଡକୁ ଖୁବ ପସନ୍ଦ କରୁଛନ୍ତି ଦମ୍ପତି ।
ଏହି ଟ୍ରେଣ୍ଡ ଅନୁସାରେ ଉଭୟ ସାଥୀ ପିଲା ଜନ୍ମ ନକରିବାର ନିଷ୍ପତ୍ତି ନେଇ କେବଳ ରୋଜଗାର ଉପରେ ଧ୍ୟାନ ଦେଉଛନ୍ତି । ଏହାକୁ ବର୍ତ୍ତମାନ କେବଳ ପରିବର୍ତ୍ତିତ ଜୀବନଶୈଳୀ କୁହାଯାଇ ପାରିବ ନାହିଁ ବରଂ ଏହା ସହରୀ ଭାରତର ଆର୍ଥିକ ସ୍ଥିତି, ପ୍ରାଥମିକତା ଏବଂ ସମ୍ପର୍କ ବିଷୟରେ ନୂତନ ବୁଝାମଣାର ଏକ ସଙ୍କେତ।
ଡାଟା ଓ ସର୍ଭେ ଅନୁସାରେ ଏହି ଟ୍ରେଣ୍ଡ ଏବେ ଲଗାତାର ଭାବରେ ବୃଦ୍ଧି ପାଉଛି । ଆଉ ଏହାର କାରଣ ମଧ୍ୟ ସ୍ପଷ୍ଟ । ମୁଦ୍ରାସ୍ଫୀତି, କ୍ୟାରିୟର ଚାପ, ପିଲାମାନଙ୍କ ଭରଣପୋଷଣର ଖର୍ଚ୍ଚ ଏବଂ ଏକ ସ୍ୱାଧୀନ ଜୀବନଶୈଳୀ ପାଇଁ ଦମ୍ପତି ଏହି ଟ୍ରେଣ୍ଡକୁ ଅନୁକରଣ କରୁଛନ୍ତି । ଫଳରେ ଏହି ପରିବର୍ତ୍ତନ ଭାରତର ସହରାଞ୍ଚଳ ମଧ୍ୟବିତ୍ତ ଶ୍ରେଣୀକୁ ପୂର୍ବ ଅପେକ୍ଷା ସମ୍ପୂର୍ଣ୍ଣ ଭିନ୍ନ ଦିଗକୁ ନେଇଯାଉଛି।
ଆଜିକା ସମୟରେ ଶିଶୁକୁ ଛୋଟରୁ ବଡ଼ କରିବା ଖୁବ ମହଙ୍ଗା ଓ ସମୟସାପେକ୍ଷ । ଜନ୍ମ ଠାରୁ ଆରମ୍ଭ କରି ପାଠପଢ଼ା ଆଉ ଶେଷରେ ବିବାହ କରାଇବା ପର୍ଯ୍ୟନ୍ତ ବାପାମା’ଙ୍କୁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ । ହେଲେ ବର୍ତ୍ତମାନ ସମୟରେ ବଢ଼ୁଥିବା ଦରଦାମକୁ ନଜରରେ ରଖି ଅନେକ ଦମ୍ପତି ବାପାମା’ ହେବାକୁ ପସନ୍ଦ କରୁନାହାନ୍ତି । ସହରାଞ୍ଚଳରେ ପରିବାରର ଚିକିତ୍ସା ଖର୍ଚ୍ଚ, ଡେକେୟାର, ସ୍କୁଲ ଶିକ୍ଷା ଏବଂ ଉଚ୍ଚଶିକ୍ଷା ଖର୍ଚ୍ଚ ଲକ୍ଷ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଉଛି । ରିପୋର୍ଟ ଅନୁସାରେ ଜନ୍ମରୁ ବଡ଼ ହେବାପର୍ଯ୍ୟନ୍ତ ଗୋଟିଏ ପିଲାର ଲାଳନପାଳନ ଖର୍ଚ୍ଚ ପ୍ରାୟ ୪୫ ଲକ୍ଷ ।
ଏହାବ୍ୟତୀତ କ୍ୟାରିୟରରେ ସଫଳ ନହେବାର ଭୟ, କାର୍ଯ୍ୟବହୁଳ ଜୀବନ, ବ୍ୟକ୍ତିଗତ ସ୍ୱାଧୀନତା ଏବଂ ପରିବେଶଗତ ସମସ୍ୟା ମଧ୍ୟ ନିଷ୍ପତ୍ତିକୁ ପ୍ରଭାବିତ କରୁଛି । ସାମଗ୍ରିକ ଭାବରେ ଆଜିକାଲି ଦମ୍ପତିମାନେ ଜୀବନର ଗୁଣବତ୍ତା, ସମୟ ଏବଂ ଆର୍ଥିକ ସ୍ୱାଧୀନତାକୁ ପ୍ରାଥମିକତା ଦେଉଛନ୍ତି।
ଅଧିକ ରୋଜଗାର, ଅଧିକ ସଞ୍ଚୟ
ଏହି ଟ୍ରେଣ୍ଡ ଅନୁସରଣ କରୁଥିବା ଦମ୍ପତିମାନେ ସାଧାରଣତଃ ଅଧିକ ଆୟ କରନ୍ତି, କାରଣ ଉଭୟ ଚାକିରି କରୁଥିବା ବେଳେ ସନ୍ତାନ ସମ୍ବନ୍ଧୀୟ କୌଣସି ଖର୍ଚ୍ଚ ନଥାଏ। ଫଳରେ ସେମାନଙ୍କର ସଞ୍ଚୟ ହାର ବୃଦ୍ଧି ପାଇବା ସହ ସେମାନେ ବିଭିନ୍ନ ସ୍ଥାନକୁ ଯାତ୍ରା କରିବା ସହ ମନ ମୁତାବକ ଜୀବନ ବିତାଉଛନ୍ତି ।
କାହାକୁ ଲାଭ କାହାକୁ କ୍ଷତି ?
DINK ଟ୍ରେଣ୍ଡ ଯୋଗୁଁ ଟ୍ରାଭେଲ, ଆତିଥ୍ୟ, ରିଅଲ୍ ଇଷ୍ଟେଟ୍ (ବିଶେଷକରି ଛୋଟ ଏବଂ ପ୍ରିମିୟମ୍ ଆପାର୍ଟମେଣ୍ଟ), ପୋଷା ପ୍ରାଣୀଙ୍କ ଯତ୍ନ ଏବଂ ବ୍ୟକ୍ତିଗତ ସେବା ଭଳି କ୍ଷେତ୍ରଗୁଡ଼ିକ ଲାଭବାନ ହେଉଛନ୍ତି । ପିଲାଛୁଆଙ୍କ ଝିନଝଟ ନଥିବାରୁ ଏହି ଦମ୍ପତିମାନଙ୍କର ଅଧିକ ଖର୍ଚ୍ଚ କରିବାର କ୍ଷମତା ଥାଏ । ତେଣୁ ଏବେ ଅନେକ କମ୍ପାନୀ ଡିଙ୍କ କେନ୍ଦ୍ରିତ ଉତ୍ପାଦ ଏବଂ ପ୍ରୋଜେକ୍ଟ ବିକଶିତ କରୁଛନ୍ତି।
ଏହାର ବିପରୀତ ଛୋଟ ପିଲାମାନଙ୍କ ସହିତ ଜଡିତ କ୍ଷେତ୍ରଗୁଡ଼ିକ ଧୀରେ ଧୀରେ ସେମାନଙ୍କର ଗ୍ରାହକ ଆଧାରରେ ପରିବର୍ତ୍ତନ ଦେଖୁଛନ୍ତି ଏବଂ ଖେଳଣା ଶିଳ୍ପ, ଶିଶୁ ଉତ୍ପାଦ ଏବଂ ଶିଶୁ ସେବା ଭଳି ନୂତନ ରଣନୀତି ଗ୍ରହଣ କରିବାକୁ ପଡ଼ୁଛି । ଆର୍ଥିକ ସେବା ଶିଳ୍ପ ମଧ୍ୟ DINK ଗ୍ରାହକମାନଙ୍କ ପାଇଁ ନୂତନ ସମ୍ପତ୍ତି ଏବଂ ଅବସର ଉତ୍ପାଦ ବିକଶିତ କରୁଛି।
ଜନସଂଖ୍ୟା ଏବଂ ନୀତି ଉପରେ ପ୍ରଭାବ
ଅନ୍ୟପକ୍ଷରେ DINK ଧାରା ଏପରି ଜାରି ରହିଲେ, ଏହା ଦୀର୍ଘକାଳୀନ ଭାବରେ ଦେଶର ଜନସଂଖ୍ୟା ଗଠନକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରାଯାଉଛି । ଜନ୍ମହାରରେ ହ୍ରାସ ଯୋଗୁଁ କାର୍ଯ୍ୟକ୍ଷମ ଜନସଂଖ୍ୟା ହ୍ରାସ ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ବୟସ୍କଙ୍କ ଜନସଂଖ୍ୟା ବୃଦ୍ଧି ପାଇପାରେ, ଯେଉଁଥିପାଇଁ ପେନସନ, ସ୍ୱାସ୍ଥ୍ୟସେବା ଏବଂ ସାମାଜିକ ସୁରକ୍ଷାରେ ପ୍ରମୁଖ ପରିବର୍ତ୍ତନ ଆବଶ୍ୟକ ପଡ଼ିପାରେ ।
ଏହି ସ୍ଥିତି ବର୍ତ୍ତମାନ ସମୟ ପାଇଁ ଚିନ୍ତାର କାରଣ ନୁହେଁ । ତଥାପି ଆଗାମୀ ଦଶନ୍ଧିଗୁଡ଼ିକରେ ନୀତି ନିର୍ଦ୍ଧାରକମାନଙ୍କୁ ପରିବାର ପ୍ରୋତ୍ସାହନ, ଟିକସ ଲାଭ ଏବଂ ଶିଶୁ ଯତ୍ନ ସହାୟତା ଭଳି ସମସ୍ୟାଗୁଡ଼ିକର ସମାଧାନ କରିବାକୁ ପଡ଼ିପାରେ।
ସହର ବନାମ ଛୋଟ ସହର: କେଉଁଠାରେ ପ୍ରଭାବ ଅଧିକ
DINK ଧାରା ବର୍ତ୍ତମାନ ବଡ଼ ସହରରେ ସର୍ବାଧିକ ଦେଖିବାକୁ ମିଳୁଛି । ମେଟ୍ରୋ ସହରଗୁଡ଼ିକରେ କ୍ୟାରିଅର ସୁଯୋଗ, ଦ୍ରୁତ ଗତିର ଜୀବନଶୈଳୀ, ମହଙ୍ଗା ଜୀବନଯାପନ ଶୈଳୀ ଏବଂ ସ୍ୱାଧୀନ ଚିନ୍ତାଧାରା ଏହି ମଡେଲକୁ ସୁଦୃଢ଼ କରୁଛି । ଛୋଟ ସହର ଏବଂ ଗ୍ରାମାଞ୍ଚଳରେ ଏହି ଧାରାର ପ୍ରଭାବ ଖୁବ କମ ଦେଖିବାକୁ ମିଳେ । ତଥାପି ଶିକ୍ଷା, ଇଣ୍ଟରନେଟ୍ ଏବଂ ନୂତନ ଚିନ୍ତାଧାରାର ପ୍ରସାର ସହିତ DINK ମାନସିକତା ଧୀରେ ଧୀରେ ଛୋଟ ସହରଗୁଡ଼ିକୁ ମଧ୍ୟ ବ୍ୟାପିବାରେ ଲାଗିଛି ।
ବ୍ୟବସାୟ ଏବଂ କମ୍ପାନୀ ପାଇଁ ସଙ୍କେତ
କମ୍ପାନୀଗୁଡ଼ିକ ପାଇଁ ଏହି ନୂତନ ଧାରା ସ୍ପଷ୍ଟ ସଙ୍କେତ ଦେଉଛି । DINK ଧାରାକୁ ବୁଝିବା ଏବଂ ଏହାକୁ ଟାର୍ଗେଟ କରିବା ଏବେ ଲାଭଦାୟକ ହୋଇପାରେ। ରିଅଲ୍ ଇଷ୍ଟେଟ୍ କମ୍ପାନୀଗୁଡ଼ିକ ଛୋଟ ଘର ଏବଂ ସୁବିଧା-ସମୃଦ୍ଧ ପ୍ରକଳ୍ପ ଉପରେ ଧ୍ୟାନ ଦେବା ଉଚିତ।
ଯାତ୍ରା ଏବଂ ଆତିଥ୍ୟ କମ୍ପାନୀଗୁଡ଼ିକ ଅଭିଜ୍ଞତା-ଭିତ୍ତିକ ପ୍ୟାକେଜ୍ ସୃଷ୍ଟି କରିପାରିବେ। ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ DINK ଦମ୍ପତିଙ୍କ ପାଇଁ ଦ୍ରୁତ ରିଟର୍ଣ୍ଣ ଏବଂ ସହଜ ସମ୍ପତ୍ତି ନିର୍ମାଣ ସହିତ ଉତ୍ପାଦ ପ୍ରଦାନ କରିପାରିବେ। ସାମଗ୍ରିକ ଭାବରେ ଏହି ଗୋଷ୍ଠୀ ବଜାରରେ ନୂତନ ସୁଯୋଗ ଏବଂ ନୂତନ ରଣନୀତି ସୃଷ୍ଟି କରୁଛନ୍ତି ।
DINK କେବଳ ଏକ ଜୀବନଶୈଳୀ ଧାରା ନୁହେଁ ବରଂ ଭାରତର ସହରାଞ୍ଚଳ ଅର୍ଥନୈତିକ ପରିବର୍ତ୍ତନର ଏକ ଅଂଶ। ଦରଦାମ ବୃଦ୍ଧିର ପ୍ରଭାବ, କ୍ୟାରିୟରକୁ ପ୍ରାଥମିକତା ଏବଂ ପରିବର୍ତ୍ତିତ ଜୀବନଶୈଳୀ ଏହାକୁ ଚାଳିତ କରୁଛି। ଏହା ଭବିଷ୍ୟତରେ ଗ୍ରାହକ ବଜାର, ନିଯୁକ୍ତି କ୍ଷେତ୍ର, ନୀତି ନିର୍ଦ୍ଧାରଣ ଏବଂ ଭାରତର ସାମାଜିକ ଗଠନକୁ ପ୍ରଭାବିତ କରିପାରେ। ଡିଙ୍କ କେବଳ ଏକ ସାମାଜିକ ପ୍ରସଙ୍ଗ ନୁହେଁ ବରଂ ଏକ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ପ୍ରସଙ୍ଗ ମଧ୍ୟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)