/odishatv-khabar/media/media_files/2025/12/29/living-statue-woman-2025-12-29-16-21-19.jpg)
Living Statue Woman Photograph: (OTV)
ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍ ଦ୍ରୁତ ଗତିରେ ଭାଇରାଲ ହେଉଛି, ଯାହା ଦେଖୁଥିବା ଲୋକମାନଙ୍କୁ ପ୍ରଥମେ ଆଶ୍ଚର୍ଯ୍ୟ କରିଦେଇଛି ଏବଂ ପରେ ଭାବୁକ କରିଦେଇଛି। ଭିଡିଓରେ ରାସ୍ତା କଡ଼ରେ ବସିଥିବା ଜଣେ ମହିଳା ପୁରାପୁରି ମୂର୍ତ୍ତି ଭଳିଆ ଦେଖାଯାଉଛନ୍ତି। ତାଙ୍କ ଶରୀରରେ ସିଲଭର ରଙ୍ଗ ବୋଳା ହୋଇଛି । ମୁହଁ ଦୁଲହନ ଭଳି ସଜାଯାଇଛି । କୋଳରେ ଏକ ଛୋଟ ଶିଶୁ ଶୋଇଥିବାର ଦେଖାଯାଉଛି। ରାସ୍ତାରେ ଚାଲୁଥିବା ଲୋକମାନେ ତାଙ୍କୁ ମୂର୍ତ୍ତି ଭାବି କିଛି କ୍ଷଣ ଅଟକି ଦେଖନ୍ତି, ଫଟୋ ଉଠାନ୍ତି ଏବଂ ଅନେକ ଲୋକ ତାଙ୍କ ଆଗରେ ଟଙ୍କା ମଧ୍ୟ ରଖିଦିଅନ୍ତି। ପ୍ରଥମ ଦୃଷ୍ଟିରେ ଏହା କୌଣସି ଆର୍ଟ ଗ୍ୟାଲେରୀ କିମ୍ବା ଷ୍ଟ୍ରିଟ୍ ଶୋ ଭଳି ଲାଗୁଛି, କିନ୍ତୁ ବାସ୍ତବତା ଅଲଗା କିଛି।
ଏହା କୌଣସି ପଥର କିମ୍ବା ଧାତୁର ମୂର୍ତ୍ତି ନୁହେଁ, ବରଂ ଜଣେ ଜୀବନ୍ତ ମହିଳା, ଯିଏ ନିଜର ପରିସ୍ଥିତି ପାଇଁ ଘଣ୍ଟା ଘଣ୍ଟା ଧରି ନହଲି ବସି ରହୁଛନ୍ତି । କୁହାଯାଏ ଅଭାବ ଏବଂ ପରିସ୍ଥିତି ମଣିଷ ଠାରୁ ବହୁତ କିଛି କରାଇଦିଏ। ଏହି ଭିଡିଓରେ ମଧ୍ୟ ଏମିତି କିଛି ଦେଖିବାକୁ ମିଳୁଛି।
ମହିଳା ଜଣକ ପୁରାପୁରି ଶାନ୍ତ ମୁଦ୍ରାରେ ବସି ରହୁଛନ୍ତି, ଆଖି ସ୍ଥିର, ଶରୀର ବି ସ୍ଥିର ଏବଂ ମୁହଁରେ କୌଣସି ଭାବ ନାହିଁ। ଦେଖୁଥିବା ଲୋକମାନେ ବହୁତ ସମୟ ଧରି ବୁଝି ପାରନ୍ତି ନାହିଁ ଯେ ସାମ୍ନାରେ ବସିଥିବା ଏହି ଆକୃତି କୌଣସି ଜୀବନ୍ତ ମଣିଷ । ଭିଡିଓରେ କେତେକ ଲୋକ ତାଙ୍କୁ ଅସଲି ମୂର୍ତ୍ତି ଭାବୁଛନ୍ତି, ତ କେତେକ ଲୋକ ସନ୍ଦେହ କରି ଧ୍ୟାନ ଦେଇ ଦେଖୁଛନ୍ତି ।
ଯେତେବେଳେ ମହିଳା ଜଣକ ହାଲୁକା ହଲଚଲ କରନ୍ତି, ଲୋକମାନେ ଜାଣନ୍ତି ଯେ ଏହା କୌଣସି ମୂର୍ତ୍ତି ନୁହେଁ ବରଂ ଜଣେ ମଣିଷ, ଯିଏ ନିଜର କଳା କିମ୍ବା ପରିସ୍ଥିତି ପାଇଁ ଏଭଳି କରୁଛନ୍ତି ।
ପ୍ରକୃତରେ ଏମିତି ପରଫର୍ମାନ୍ସକୁ ଲିଭିଙ୍ଗ ଷ୍ଟ୍ୟାଚୁ ଆର୍ଟ (Living Statue Art) କୁହାଯାଏ। ଏହା ଏକ ବିଶେଷ ପ୍ରକାରର ଷ୍ଟ୍ରିଟ୍ ପରଫର୍ମାନ୍ସ, ଯେଉଁଠାରେ କଳାକାର ଠିଆ ହୋଇ କିମ୍ବା ବସି ପୁରା ମୂର୍ତ୍ତି ଭଳି ରହନ୍ତି। ସେମାନେ ନିଜ ଶରୀରରେ ସିଲଭର, ଗୋଲ୍ଡ କିମ୍ବା ବ୍ରୋଞ୍ଜ ରଙ୍ଗ ଲଗାନ୍ତି ଏବଂ ପାରମ୍ପରିକ କିମ୍ବା ଐତିହାସିକ ପୋଷାକ ପିନ୍ଧନ୍ତି। ଯେତେବେଳେ କୌଣସି ଦର୍ଶକ ପାଖକୁ ଆସି ଟଙ୍କା ଦିଏ, ଅନେକ ସମୟରେ କଳାକାର ହଠାତ୍ ଆଖି ମିଟିକାଏ କିମ୍ବା ହାଲୁକା ହଲଚଲ କରେ। ଏହି ମୁହୂର୍ତ୍ତରୁ ହିଁ ଲୋକମାନଙ୍କୁ ବୁଝାପଡ଼େ ଯେ ସାମ୍ନାରେ କୌଣସି ମୂର୍ତ୍ତି ନୁହେଁ, ବରଂ ଜୀବନ୍ତ ମଣିଷ। ଏହି ମୁହୂର୍ତ୍ତ ଲୋକମାନଙ୍କୁ ସବୁଠାରୁ ଅଧିକ ଆଶ୍ଚର୍ଯ୍ୟ କରିଦିଏ।
ଲଣ୍ଡନ, ପ୍ୟାରିସ୍, ବାର୍ସେଲୋନା ଏବଂ ରୋମ୍ ଭଳି ସହରଗୁଡ଼ିକରେ ଲିଭିଙ୍ଗ ଷ୍ଟ୍ୟାଚୁ ଆର୍ଟ ବହୁତ ଲୋକପ୍ରିୟ। ସେଠାରେ ଏହାକୁ କଳା ଏବଂ ମନୋରଞ୍ଜନର ଅଂଶ ଭାବେ ଗ୍ରହଣ କରାଯାଏ। ଅନେକ କଳାକାର ଏହା ଦ୍ୱାରା ସମ୍ମାନ ସହିତ ଭଲ ରୋଜଗାର ମଧ୍ୟ କରନ୍ତି। କେତେକ ଦେଶରେ ଏହା ପାଇଁ ନିୟମିତ ଲାଇସେନ୍ସ, ନିର୍ଦ୍ଦିଷ୍ଟ ସ୍ଥାନ ଏବଂ ସମୟ ମଧ୍ୟ ନିର୍ଦ୍ଧାରିତ ହୋଇଥାଏ। ତଥାପି, ଭାଇରାଲ ଭିଡିଓକୁ ଦେଖି ଏହା ସ୍ପଷ୍ଟ ହେଉନାହିଁ ଯେ ମହିଳା ଜଣକ କୌଣସି ପ୍ରଫେସନାଲ ଆର୍ଟିଷ୍ଟର ଅଂଶ ଅଟନ୍ତି ନା କେବଳ ପରିସ୍ଥିତିରେ ପଡ଼ି ଏମିତି କରୁଛନ୍ତି। ଏହି କଥା ହିଁ ଲୋକମାନଙ୍କୁ ସବୁଠାରୁ ଅଧିକ ଭାବିବାକୁ ବାଧ୍ୟ କରୁଛି।
ଏହି ଭାଇରାଲ ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ଜଣେ ୟୁଜର୍ସ ଲେଖିଛନ୍ତି, ‘ପ୍ରଥମେ ଲାଗିଲା କୋଳରେ ଅସଲି ଶିଶୁ ଅଛି, କିନ୍ତୁ ଧ୍ୟାନ ଦେଇ ଦେଖିଲେ ସେ କଣ୍ଢେଇ ବାହାରିଲା।’ ଅନ୍ୟ ଜଣେ ୟୁଜର୍ସ କହିଛନ୍ତି ‘ଅଭାବ ମଣିଷ ଠାରୁ କ’ଣ କ’ଣ ନ କରାଇଦିଏ।’ ଅନ୍ୟପକ୍ଷେ କେତେକ ଲୋକ ଏହାକୁ କଳା କହି କହିଛନ୍ତି ଯେ, ଏମିତି ପରଫର୍ମାନ୍ସର ମୂଲ୍ୟାଙ୍କନ ହେବା ଉଚିତ୍ ଏବଂ କଳାକାରମାନଙ୍କୁ ସମ୍ମାନ ମିଳିବା ଉଚିତ୍। ଏହି ଭାଇରାଲ ଭିଡିଓ କେବଳ ଏକ ଭିନ୍ନ ଷ୍ଟ୍ରିଟ୍ ପରଫର୍ମାନ୍ସ ନୁହେଁ, ବରଂ ସମାଜକୁ ଆଇନା ଦେଖାଉଥିବା ଏକ କାହାଣୀ। ଏହା କହୁଛି ଯେ କଳା, ଅଭାବ ଏବଂ ଜୀବନର ବାସ୍ତବତା ଅନେକ ସମୟରେ ଗୋଟିଏ ହିଁ ଫ୍ରେମରେ ଆସିଯାଏ ।
Fire Breaks Out At Nursing Home: ନର୍ସିଂ ହୋମରେ ନିଆଁ, ଜଳିଗଲେ ୧୬ ବୃଦ୍ଧ, ବୃଦ୍ଧା

Unnao rape case hearing: ବହୁଚର୍ଚ୍ଚିତ ‘ଉନ୍ନାଓ’ ଦୁଷ୍କର୍ମ ମାମଲାର ଶୁଣାଣି; ଅଭିଯୁକ୍ତ କୁଲଦୀପ ସିଂ ସେନଗରଙ୍କୁ ଝଟକା

Explosive Situation in BJD: ବିଜେଡିରେ ଅସମ୍ଭାଳ ଅସନ୍ତୋଷ; କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ

Pakistan President Zardari Admits: ଅପରେସନ୍ ‘ସିନ୍ଦୂର’ ସମୟରେ ଥରୁଥିଲା ପାକିସ୍ତାନ; ନିଜ ମୁହଁରେ ସ୍ବୀକାର କରିଛନ୍ତି ପାକିସ୍ତାନ ରାଷ୍ଟ୍ରପତି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)