Advertisment

Bhai Jiuntia Festival: କାହିଁକି ପାଳନ ହୁଏ ଭାଇ ଜୀଉନ୍ତିଆ ଓଷା, ଜାଣନ୍ତୁ ଓଷା ପାଳନର ବିଧିsan

ମାଳତୀ ନିଷ୍ଠାର ସହିତ ଭାଇମଦନର ଶୁଭ ପାଇଁ ଉଚିତ ବିଧିବିଧାନ ଅନୁସାରେ ପୂଜା କରି ଆଶିଷ ଫୁଲପାଇଛି। ଏଣେ ରାଜାଘର ନାନା ଉପାୟ କରୁଛନ୍ତି ମଦନସୁନ୍ଦରକୁ ମାରିବା ପାଇଁ। ବଣକୁ ପଠାଇଛନ୍ତି ଶିକାର ଆଳରେ ଏବଂ ସେଠାରେ ମାରିବାର ଚେଷ୍ଟା ବ୍ୟର୍ଥ ହୋଇଛି।

author-image
Sarojini Sankhua
bhai-jiuntia-festival

bhai-jiuntia-festival Photograph: (OTV)

ଏ ହେଉଛି ଚମ୍ପାବତୀ ନଗରର କଥା। ନଗରର ରାଜା ବିକ୍ରମସେନ। ପାଟମହାଦେଈଙ୍କ ନାଁ ମଦନାବତୀ। ଆଉ ତାଙ୍କର ଅଲିଅଳ ରାଜକୁମାରୀ ନାଁ ଅରୁଣା। ସେହି ନଗରର ମନ୍ତ୍ରୀ ବୀରସେନ ଓ ମନ୍ତ୍ରୀଙ୍କର ସ୍ତ୍ରୀ କମଳା ଦୁର୍ଗାଙ୍କର ଭକ୍ତ। ଦୁର୍ଗାଙ୍କ ପ୍ରସାଦରୁ ସେ ଝିଅଟିଏ ଓ ପୁଅଟିଏ ପାଇଥିଲେ। ଝିଅ ନାଁ ମାଳତୀ। ପୁଅ ନା ମଦନସୁନ୍ଦର। ସେ ଦୁହେଁ ମଧ୍ୟ ଦୁର୍ଗାଙ୍କର ଭକ୍ତ। ଦୁର୍ଗାଙ୍କ ପ୍ରସାଦରୁ ଭାଇଭଉଣୀ ଦିହେଁ ସୁଖରେ ବଢ଼ୁଥାନ୍ତି। ଯୁବତୀ ରାଜକୁମାରୀ ଦିନେ ସଖୀମେଳରେ ବଗିଚାରେ ବୁଲୁଥିଲେ। 
ମଦନସୁନ୍ଦର ଘୋଡାରେ ବସି ବୁଲୁବୁଲୁ ଶୋଷ ଲାଗିବାରୁ ସେହି ବଗିଚାରେ ଥିବା ପୁଷ୍କରିଣୀ ନିକଟରେ ପହଞ୍ଚିଲା। ସେଇଠି ରାଜକୁମାରୀ ଅରୁଣାଙ୍କ ସହିତ ତା’ର ସାକ୍ଷାତ ହେଲା ଓ ଭାବ ବିନିମୟ ଆରମ୍ଭ ହୋଇ ପ୍ରେମ ହେଲା।

Advertisment

ଏପଟେ ରାଜା ଝିଅର ବୟସ ଅନୁସାରେ ତାର ବିବାହର ଆୟୋଜନ କଲେ। ଉପଯୁକ୍ତ ବରପାତ୍ର ଠିକଣା ହେଲା। ଅରୁଣାଙ୍କର ବିବାହ ହେବ ବୋଲି ଦିନ ଧାର୍ଯ୍ୟ ହେଲା। କିନ୍ତୁ ଅରୁଣା ଏହି ପ୍ରସ୍ତାବରେ ରାଜି ହେଲେ ନାହିଁ। ସେ ମଦନସୁନ୍ଦରଙ୍କୁ ବିବାହ କରିବାର ଇଚ୍ଛାପ୍ରକାଶ କଲେ। ମନ୍ତ୍ରୀ ପୁଅ ସଙ୍ଗେ ରାଜା ଝିଅର ବିବାହ ପ୍ରସ୍ତାବ ରାଜାବିକ୍ରମସେନଙ୍କର ପସନ୍ଦ ହେଲା ନାହିଁ। କିନ୍ତୁ ଝିଅ ନିଜର ସଂକଳ୍ପରେ ଦୃଢ। ସେ ମଦନସୁନ୍ଦରଙ୍କୁ ବିବାହ କରିବେ। ତାହା ନ ହେଲେ ଆତ୍ମହତ୍ୟା କରିବେ। ଘଟଣା ଗୁରୁତର ରୂପ ନେଲା। ରାଜା ମନ୍ତ୍ରିପୁଅ ମଦନସୁନ୍ଦରକୁ ଗୁପ୍ତରେ ଘାତକ ଦ୍ୱାରା ହଣାଇ ଦେବାର ବ୍ୟବସ୍ଥା କରାଇଲେ। ଏଣେ ମଦନକୁ ସ୍ୱାମୀ ଭାବରେ ପାଇବା ପାଇଁ ଅରୁଣା ମହାଷ୍ଟମୀବ୍ରତ ପାଳନ କରୁଥାଏ। ସେହିଦିନ ଯୋଗକୁ ଭାଇ ଜୀଉନ୍ତିଆ ବ୍ରତ ସମୟ ହୋଇଥିଲା। ମନ୍ତ୍ରୀ ଘରେ ମାଆ ଝିଅ ମାଳତୀକୁ ଭାଇର ହିତ ପାଇଁ ମହାଷ୍ଟମୀ ବ୍ରତପାଳନର କଥା କହିଲେ।
‘‘କହିଲେ ଜନନୀ ଆଜିଲୋ ମହାଅଷ୍ଟମୀବ୍ରତ
ଉପବାସେ ଦୁର୍ଗାପୂଜିଲେ ହୁଏ ଭାଇର ହିତ।’’ 
“ଭଉଣୀର ଭାଇ ଭରସା କଥା ସଂସାରେ ଅଛି
ଭାଇ ସୁଖେ ଥିଲେ ତୋହର ଉଣା ନୋହିବ କିଛି।”

ମାଳତୀ ନିଷ୍ଠାର ସହିତ ଭାଇମଦନର ଶୁଭ ପାଇଁ ଉଚିତ ବିଧିବିଧାନ ଅନୁସାରେ ପୂଜା କରି ଆଶିଷ ଫୁଲପାଇଛି। ଏଣେ ରାଜାଘର ନାନା ଉପାୟ କରୁଛନ୍ତି ମଦନସୁନ୍ଦରକୁ ମାରିବା ପାଇଁ। ବଣକୁ ପଠାଇଛନ୍ତି ଶିକାର ଆଳରେ ଏବଂ ସେଠାରେ ମାରିବାର ଚେଷ୍ଟା ବ୍ୟର୍ଥ ହୋଇଛି। କିନ୍ତୁ ବ୍ରତର ମହିମା ହେତୁ ଘାତକତାକୁ ବଣରେ ହାଣିବାକୁ ଯିବାବେଳେ ଘାତକକୁ ବାଘ ମାଡିବସି ଖାଇଯାଇଛି। ରାଜା ନିଜେ ଖାଇବାରେ ବିଷ ମିଶେଇ ରାଜକୁମାରୀ ପଠେଇଛନ୍ତି କହି ମଦନକୁ ଦେଇଛନ୍ତି ଯାହାକୁ ଖାଇ ମଦନ ଅଚେତ ହୋଇପଡ଼ିଛି । ରାଜା ମଦନ ଶରୀରରକୁ ନଦୀରେ ଭସେଇଦେଲେ। ଦେବୀ ରାଜାଙ୍କୁ ସ୍ୱପ୍ନରେ ଦେଖାଦେଇ ତାଙ୍କ କାର୍ଯ୍ୟ ପାଇଁ ଭତ୍ସନା କରିଛନ୍ତି। ରାଜା ନିଦରୁ ଉଠି ଦୁର୍ଗାଙ୍କ ଆଦେଶ ମତେ ଦେଖିଲେ ଦେବୀଙ୍କ କୃପାରୁ ମଦନ ଶୋଇଛି ପୂର୍ବପରି। ମାଳତୀକୁ ଡକାଇ ବ୍ରତର ଦୂବ ସାତଥର ତାରଶରୀରରେ ଛୁଆଁଇଦେଲେ। ମଦନସୁନ୍ଦର ଚେତା ପାଇ ଉଠିଲା । ରାଜା ତାକୁ କ୍ଷମା ପ୍ରାର୍ଥନା କରି ଝିଅକୁ ମଦନସୁନ୍ଦରକୁ ସମର୍ପଣ କଲେ। ଶେଷରେ ଦେବୀଙ୍କର ଆଦେଶ ଓ ଅନୁଗ୍ରହ ଫଳରେ ସେ ଦୁଇଜଣଙ୍କର ବିବାହ ସଂପନ୍ନ ହୋଇଛି। ଏ ହେଉଛି ଭାଇ ଜିଉନ୍ତିଆ ଓଷା ପଛରେ ଥିବା ରୋଚକ କାହାଣୀ।

Advertisment

ଭାଇ ପାଇଁ ଭଉଣୀର ଓଷା

ଆଶ୍ୱିନ ଶୁକ୍ଳ ଅଷ୍ଟମୀରେ ଭାଇଜୀଉନ୍ତିଆ ଓଷା ପଶ୍ଚିମ ଓଡ଼ିଶାରେ ପାଳିତ ହୁଏ । ଓଡ଼ିଶାର ଅନ୍ୟ ଅଂଚଳରେ ଏହା ଦେଖାଯାଏ ନାହିଁ। ଏହି ଓଷା ଭଉଣୀମାନେ ଭାଇର ମଙ୍ଗଳ ଉଦ୍ଦେଶ୍ୟରେ ପାଳନ କରିଥାନ୍ତି । ଭଉଣୀ ସଧବା ହୋଇଥାଉ ବା ବିଧବା,କିମ୍ବା ବୃଦ୍ଧା ହେଉ ବା କୁମାରୀ,ସମସ୍ତେ ଅତ୍ୟନ୍ତ ଶ୍ରଦ୍ଧା ଓ ନିଷ୍ଠାରେ ଏହି ଓଷାକୁ ପାଳିଥାନ୍ତି। ମହାଷ୍ଟମୀ ବା ଦୁର୍ଗାଷ୍ଟମୀଦିନ ଏହା ପଡ଼ୁଥିବାରୁ ଏବଂ ଆଦ୍ୟାଶକ୍ତି ଦୁର୍ଗା ଏହି ଓଷାର ଆରାଧ୍ୟଦେବୀ ହୋଇଥିବାରୁ ଏହାକୁ ‘ଦୁର୍ଗାଷ୍ଟମୀବ୍ରତ' ବୋଲି ମଧ୍ୟ କୁହାଯାଏ। 
ଭାରତର ଅନ୍ୟ କେତେକ ଅଞ୍ଚଳରେ ଏହିଦିନ 'ଭାଇଦୁଜ୍' ବ୍ରତ ମଧ୍ୟ ପାଳନ କରାଯାଏ।

ଭାଇର ମଙ୍ଗଳ କାମନା କରି ଶ୍ରାବଣପୂର୍ଣ୍ଣମୀରେ ‘ରକ୍ଷାବନ୍ଧନ’ ପର୍ବ ମଧ୍ୟ ପାଳିତ ହୁଏ। ମାତ୍ର ଭାଇ ଜୀଉଁତିଆ ଭଳି ଏହି ପର୍ବରେ ଭାଇର ଦୀର୍ଘ ଜୀବନ ପାଇଁ ଉପବାସ ରହିବାକୁ ପଡେ ନାହିଁ। ରକ୍ଷାବନ୍ଧନରେ ଭାଇରହାତରେ ରାକ୍ଷୀ ବାନ୍ଧି ଭଉଣୀ ତାଠାରୁ ସୁରକ୍ଷାର ପ୍ରତିଶ୍ରୁତି ଆଶା କରିଥିବାବେଳେ,ଏହି ବ୍ରତରେ ସେ ନିଷ୍କାମ। ଭାଇ ଠାରୁ କିଛି ପାଉ ବା ନପାଉ ତା’ର ମଙ୍ଗଳ କାମ ନାହିଁ ତା’ର ବ୍ରତ। 

ଓଷା ପାଳନର ବିଧି

ପ୍ରଥମେ ଭଉଣୀମାନେ ଭୋର ସମୟରୁ ପାଖରେ ଥିବା ପୋଖରୀ ବା ନଦୀରେ ସ୍ନାନ କରିଥାନ୍ତି। ଚାରିଥର ବା ସାତ ଥର ବୁଡ଼ ପକାଇ ଚାରି ନଚେତ୍ସାତ ମୁଠା ବାଲି ଆଣି ତୁଠରେ ବେଦୀଟିଏ ନିର୍ମାଣ କରି ସର୍ଗି କାଠି ପୋତି ଦେଇ କଟା କାକୁଡ଼ିକୁ ଛତା ଭଳି ଲଗାଇ ହଳଦୀ, ଅରୁଆ ଚାଉଳରେ ବନ୍ଦାଇ ସ୍ନାନ ପରେ ଘରକୁ ଫେରନ୍ତି। ସନ୍ଧ୍ୟା ସମୟରେ କଳସକୁ ବନ୍ଦାଇ ଦୁର୍ଗାପୂଜା କରନ୍ତି। ଆଠ ରଙ୍ଗରଫୁଲ ଓ ଆଠ ପ୍ରକାରର ଫଳ ଏଥିପାଇଁ ଦରକାର ହୋଇଥାଏ। ଏକଶହ ଆଠଟି ଦୂବ ଓ ଏକଶହ ଆଠ ଅରୁଆ ଚାଉଳରେ ସ୍ଵତନ୍ତ୍ର ବିଡ଼ା ଭଉଣୀମାନେ ପ୍ରସ୍ତୁତ କରି ତା' ଉପରେ ଗୋଟିଏକରି ବ୍ରତ ବା ଜିଉଁତିଆ ଗୁଡ଼ାଇଥାନ୍ତି। ସନ୍ଧ୍ୟା ସମୟରେ ଦେବୀଙ୍କୁ ପୂଜା କରିବା ବେଳେ ତାହାକୁ ଅର୍ପଣ କରିଥାନ୍ତି। ପୁରୋହିତ ପୂଜାପାଠ କରନ୍ତି। ଓଷେଇତିମାନେ ଓଷାର କଥା ଶୁଣିଥାନ୍ତି। ସେହି ଅଷ୍ଟମୀ ଦିନସନ୍ଧ୍ୟାରେ ଏହିପର୍ବର ବିଧି ସରିବା ପରେ ଭଉଣୀମାନେ ସେମିତି ଉପବାସରେ ପରଦିନ ସକାଳ ପର୍ଯ୍ୟନ୍ତ ରହନ୍ତି। ସକାଳୁ ଉଠି ସେମାନେ ସ୍ନାନଘାଟକୁ ଯାଇ ପୂର୍ବଦିନ ଭଳି ସ୍ନାନ କରି ଚାରିବୁଡ଼ରେ ଚାରିମୁଠା ବାଲି ସଂଗ୍ରହ କରି ପୁଣି ଏକ ଗୋଲାକୃତି ବେଦୀ ତିଆରି କରନ୍ତି। ଏଥିରେ ପୂର୍ବ ସନ୍ଧ୍ୟା ଭଳି ଚାରି ଗୋଟି ଛୋଟ କାଠିରେ ଚାରି ଗୋଟି ଚକି କାକୁଡ଼ିର ମଝିରେ ଛତା ଭଳି କରି ବେଦୀରେ ପୋତି ପୂଜାକରନ୍ତି। କେହି କେହି ପୂର୍ବଦିନ ତିଆରି ହୋଇଥିବା ବେଦୀରେ ମଧ୍ୟ ମୁଠାଯାକ ବାଲି ଦେଇ ଚାରିଗୋଟି ଚକି କାକୁଡ଼ି କାଠିରେ ମାରି ପୋତିଦିଅନ୍ତି। ଏହାକୁ ବନ୍ଦାଇ ଦିଅନ୍ତି। ଏହାପରେ ଅରୁଆ ଚାଉଳ ଆଠଟି, ଚଣା ଆଠଟି, ଦହି ଓ ଗୁଡ଼ସାଙ୍ଗରେ ପ୍ରସାଦ ଭାବରେ ଗ୍ରହଣ କରନ୍ତି। ତା'ପରେ ଜୁଉଁତିଆ ବା ବ୍ରତ ପିନ୍ଧି ଘରକୁ ଆସନ୍ତି। ଏହି ସବୁ ପୂଜା ଅର୍ଚ୍ଚନା ସାଧାରଣତଃ ଭାଇ ଠାରୁ (ବାଭାଇମାନଙ୍କଠାରୁ) ଉପହାର ସଦୃଶ ପାଇଥିବା ନୂତନ ବସ୍ତ୍ର ପିନ୍ଧି କରାଯାଇଥାଏ। ଘରକୁ ଫେରିବା ପରେ ଓଷେଇତୀ ମାନେ ଭାଇମାନଙ୍କୁ ଆସନରେ ବସାଇ ଦୀପଜାଳି ଅରୁଆ ଚାଉଳରେ ବନ୍ଦାଇ ଦିଅନ୍ତି ଏବଂ ପୂର୍ବସନ୍ଧ୍ୟାରେ ଦୁର୍ଗାଙ୍କୁ ଚଢ଼ାଯାଇଥିବା କେରାଏଲେଖାଏଁ ଦୂବରେ ଭାଇର ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ସାତ ଥର ଝାଡ଼ିଦେଇ ଆଣି ସମର୍ପଣ କରନ୍ତି। ଏହିସମୟରେ ଭାଇକୁ ସେମାନେ ଯଥାଶକ୍ତି ବସ୍ତ୍ର ବା ଅର୍ଥପ୍ରଦାନ କରିଥାନ୍ତି। କିଛିନ ହେଲେ ଛୋଟ ଗାମୁଛା ଖଣ୍ଡେ ଅଥବା ନଡ଼ିଆଟିଏ ହେଲେ ଉପହାର ଦିଆଯାଏ। ତା' ସହିତ କିଛି ମିଠା ରହିଥାଏ।

‘ଭାଇଜୀଉନ୍ତିଆ’ର ମୁଖ୍ୟ ଆକର୍ଷଣ ହେଉଛି ‘ଦୂବମଖା’। ଏଥିରେ ବ୍ୟବହୃତ ଦୂବକେରା ଓ ଜୁଉଁତିଆ ଏହି ପର୍ବର ମୁଖ୍ୟ ଉପାଦାନ । ଭାଇମାନେ ଭଉଣୀ ଦ୍ଵାରା ଜୁଉଁତିଆ ( ରାକ୍ଷୀ ଭଳି ଖଣ୍ଡେ ସୂତ୍ର)କୁ ହାତରେ ବାନ୍ଧନ୍ତି ଏବଂ ଭାଇ ଭଉଣୀକୁ ହେଉ ବା ଭଉଣୀ ଭାଇକୁ ହେଉ ବୟସ ଅନୁଯାୟୀ ମୁଣ୍ଡିଆ ମାରନ୍ତି। ପ୍ରତ୍ୟେକ ଭାଇଙ୍କ ପାଇଁ କେରାଏ କେରାଏ ଦୂବ ଏଥିପାଇଁ କରାଯାଇଥାଏ। ଏହିପ୍ରକ୍ରିୟାକୁ ‘ଦୂବମଖା’ କହନ୍ତି । କହିବାକୁ ଗଲେଏହା ହିଁ ଭାଇଜୁଉଁତିଆ ଓଷାର ମୁଖ୍ୟ ଲକ୍ଷ୍ୟ। ଏତେ ଘାସ ଥାଉଁଥାଉଁ ଦୂବକୁ ନିର୍ବାଚନ କରିବାର କାରଣ ହେଉଛି – ଏହା ପବିତ୍ର ମାଂଗଳିକ କାର୍ଯ୍ୟରେ ବ୍ୟବହୃତ ହୁଏ ଏବଂଏହା ଅମରୀ ।  କାଣ୍ଡରୁ କାଣ୍ଡ ହୋଇ ପ୍ରତିପ ବରୁ ଏହାର ଦ୍ରୁତ ବଂଶ ବୃଦ୍ଧି ନାନା ବ୍ୟାଘାତ ପ୍ରତିକୂଳ ବାତାବରଣ ସତ୍ତ୍ୱେ ଘଟିଥାଏ । ତେଣୁ ଦୂବର ଦୀର୍ଘାୟୁତ୍ୱ ଓ ବଂଶ ବୃଦ୍ଧି ଭଳି ଭାଇର ଦୀର୍ଘାୟୁଏବଂବଂଶ ବୃଦ୍ଧିର କାମନା କରିଥାଏ ଭଉଣୀ । ଏଣୁ ଦୂବ ଦୀର୍ଘାୟୁ ଓ ବଂଶ ବୃଦ୍ଧିର ପ୍ରତୀକ । ୧୦୮ଟି ଦୂବ ନିର୍ବାଚନ କରିବାର କାରଣହେଲା ୧୦୮  ବର୍ଷ ଆୟୁ କାମନା ଏବଂ ୧୦୮ଟି ଅକ୍ଷତ ଅରୁଆ ଚାଉଳ ତାସଂଗରେ ବାନ୍ଧିବାର ଅର୍ଥହେଲା ଅକ୍ଷତ ଜୀବନର କାମନା ।
ଯେଉଁ ଭଉଣୀମାନେ ଅସୁବିଧା ବଶତଃ ଶାଶୂଘରୁ ଆସିପାରନ୍ତି ନାହିଁ, ସେମାନେ ସେଠାରେ ପୂଜାର୍ଚ୍ଚନା କରିଥାନ୍ତି ଓ ଭାଇକୁ ଡକାଇ କିମ୍ବା ସୁବିଧା ଅନୁସାରେ ଭାଇଘରକୁ ଆସି ଦୂବ ମଖେଇଯାଇଥାନ୍ତି।

ବାସ୍ତବରେ ଏହା ଆମ ପାରିବାରିକ ଜୀବନ ତଥା ଭାଇ-ଭଉଣୀ ମଧ୍ଯରେ ରହିଥିବା ନିବିଡ଼ ସ୍ନେହ ଓ ଶ୍ରଦ୍ଧାଭାବକୁ ପ୍ରକାଶ କରିଥାଏ। ପଶ୍ଚିମ ଓଡ଼ିଶାର ଏହିପରଂପରା ବାସ୍ତବରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ।

Advertisment
Related Articles
Advertisment