/odishatv-khabar/media/media_files/2025/12/06/bata-osha-2025-12-06-10-23-25.jpg)
Bata Osha Photograph: (OTV)
ଆମ ଓଡିଶାରେ ଅଧିକାଂଶ ଓଷା ସନ୍ତାନମାନଙ୍କ ମଙ୍ଗଳ କାମନା ଓ ସେମାନଙ୍କ ଦୀର୍ଘାୟୁ ନିମନ୍ତେ ନାରୀମାନେ କରିଥାଆନ୍ତି। ଏହି ଓଷା ସବୁରେ କେତେବେଳେ ଷଠୀମାତାଙ୍କୁ ପୂଜା କରାଯାଏ ତ କେତେବେଳେ ଯମ ଦେବତାଙ୍କୁ। ପୌରାଣିକ ମତ ଅନୁସାରେ ମୃତ୍ୟୁର ଦେବତା ହେଉଛନ୍ତି ଯମ । ସେ ଅତ୍ୟନ୍ତ କଠୋର ଓ ମର୍ମନ୍ତୁଦ, ସେ ପ୍ରାଣୀର କର୍ମ ଅନୁସାରେ, ମୃତ୍ୟୁପରେ ଦଣ୍ଡବିଧାନ କରନ୍ତି । ଗରମ ତେଲ କଢ଼େଇରେ ପକାଇବା, ତାହାର ଚକ୍ଷୁ ଓ କର୍ଣ୍ଣରେ ଗରମ ତେଲ ପକାଇବା; ଅସତୀ ଦୋଚାରୁଣୀମାନଙ୍କୁ ଶିମିଳି ଗଛରେ ଟାଙ୍ଗିବା ସହ ବିଛା, କଙ୍କଡ଼ା, ନାଗମାନଙ୍କଦ୍ୱାରା ଅନେକ ଯନ୍ତ୍ରଣା ଦିଅନ୍ତି । ତେବେ ଯମଙ୍କ ପ୍ରକୋପରୁ ସନ୍ତାନମାନଙ୍କୁ ରକ୍ଷା କରିବାକୁ ମାତାମାନେ ବାଟ ଓଷା ବା ଦାଣ୍ଡ ପହଁରା ଓଷା କରନ୍ତି।
ବାଟ ଓଷା ବା ଦାଣ୍ଡ ପହଁରା ଓଷା-
ଏହା ମୁଖ୍ୟତଃ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲା ମାନଙ୍କରେ ପାଳନ କରାଯାଏ।
ବାଟ ଓଷା ବା ଦାଣ୍ଡ ପହଁରା ଓଷା ପୌଷମାସ କୃଷ୍ଣ ଦ୍ୱିତୀୟା ତିଥିରେ ପାଳନ କରାଯାଏ । ଏହି ଓଷା ଯମରାଜାଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଏ । ପ୍ରତ୍ୟେକ ମାଆମାନେ ନିଜ ସନ୍ତାନ ଦୀର୍ଘାୟୁ ହେବା ନିମନ୍ତେ ରାତିରେ ଉପବାସ ରହି ବଜ୍ରମୂଳି ଗଛରେ ଦାଣ୍ଡ ପହଁରି ନିଜ ନିଜର ସନ୍ତାନମାନଙ୍କୁ ଝାଡ଼ିଥାନ୍ତି । କୁହାଯାଏ ଇନ୍ଦ୍ରଙ୍କର ଅମୋଘ ଅସ୍ତ୍ର ହେଉଛି ବଜ୍ର ।ଆଉ ସେଥିପାଇଁ ପ୍ରବାଦ ଅଛି ମାତମାନେ ନିଜ ସନ୍ତାନର ଦୀର୍ଘଜୀବନ କାମନା କରି ଓଷା ମଣ୍ଡପର ଚାରିପାଖକୁ ବଜ୍ରମୂଳିରେ ପହଁରିବା ପରେ ସେଥିରେ ସନ୍ତାନମାନଙ୍କୁ ଝାଡ଼ିଥାନ୍ତି । ଯମ ଯନ୍ତ୍ରଣାରୁ ରକ୍ଷା କରିବା ଏବଂ ଯମଙ୍କୁ ପ୍ରସନ୍ନ କରିବା ଉଦ୍ଦେଶ୍ୟରେ ବାଟ ଓଷା ବା ଦାଣ୍ଡ ପହଁରା ଓଷାର ସୃଷ୍ଟି ।
ଓଷା ପଛର କଥା -
ବିରଞ୍ଚି ନାମରେ ଗୋଟିଏ ନଗର ଥିଲା । ସେଠାରେ ବୀର ବିକ୍ରମ ନାମରେ ରାଜା ରାଜୁତି କରୁଥିଲେ । ସେ ନଗରର ସାଧବଙ୍କ ନାଁ ବାସୁଦେବ । ତାଙ୍କର ସାତପୁଅ ସାତବୋହୂ । ଦିନେ ସାନବୋହୂ ପିଲା ମାନଙ୍କୁ ଛେନାଗୁଡ ବାଣ୍ଟୁଥିଲା । ବଣ୍ଟା ବଣ୍ଟି ସରିଲା ବେଳକୁ ଗୋଟିଏ ପିଲା ଆସିଲା । ସେତେ ବେଳକୁ ତା'ଦେହରେ ହରିହର କୁମର ସଞ୍ଚରିଥିଲେ । ସାଧବ ବୋହୂ ତା' ଜାଣିନଥିଲା । ତାକୁ ଗୁଡ ଖପରାଟିଏ ଦେଇ ଭଣ୍ଡି ଦେଲା । ପିଲାଙ୍କୁ ଭଣ୍ଡିବା ମନା । ଏପରି କରିଥିବାରୁ ସେ ପିଲାଟି କହିଲା- 'ତୁ ମତେ ଥରେ ଭଣ୍ଡିଲୁ । ମୁଁ ତୋତେ ସାତଥର ଭଣ୍ଡିବି ।" କିଛିଦିନ ପରେ ସାପକାମୁଡ଼ାରେ ସେ ପିଲାଟିର ମୃତ୍ୟୁ ହେଲା । ସେ ସାଧବ ଘର ବୋହୂ ଗର୍ଭରେ ବାରମ୍ବାର ଜନ୍ମ ଗ୍ରହଣ କଲା । ଜନ୍ମହେବାର ଅଳ୍ପଦିନ ପରେ ତା'ର ମୃତ୍ୟୁହେଲା । କେବେ ଜନ୍ମ ହେଲାଦିନ, କେବେ ଷଠୀଘର ଦିନ, କେବେ ଉଠିଆରୀ କେବେ ଅବା ବାରଯାତ୍ରା ଦିନ ପୁଅମାନେ ମରିଯା'ନ୍ତି । କେହି କାରଣ ଜାଣି ପାରନ୍ତି ନାହିଁ । ସାଧବର ଚିନ୍ତାହେଲା । ସେ ଏହାର ନିରାକରଣ ପାଇଁ ବହୁ ଦାନ ଧର୍ମ କଲା । ସବୁ ବିଫଳ ହେଲା । ଷଷ୍ଠ ସନ୍ତାନଟି ମରିବା ଦିନ ଗ୍ରାମ ଦେବତା ସ୍ବପ୍ନରେ ଦେଖାଦେଇ କହିଲେ - ''ସେ ମଣିଷ ନୁହେଁ। ସେ ପୁଅ ହରିହର କୁମର । ସାଧବଘର ସାନବୋହୂ ଯାହାକୁ ଗୁଡ ଖପରା ଦେଇ ଭଣ୍ଡିଥିଲା ସେହି କୁମର ସେ । ସେ ସେଥିପାଇଁ ତା’ଗର୍ଭରେ ସାତଥର ଭଣ୍ଡିକରି ଯିବ ।'' ଠାକୁରାଣୀଙ୍କର ଏହି ସପନେଇବା କଥା ଚାରିଆଡେ ପ୍ରଘଟ ହୋଇଗଲା । ସାଧବ ଘର ଲୋକେ ମନମାରି ରହିଲେ । ସାଧବ ବୋହୂ ସପ୍ତମଥର ଗର୍ଭବତୀ ହେଲା । ଏଥର ପିଲାଟି ଜନ୍ମହେବା ସଙ୍ଗେ ସଙ୍ଗେ ମରିଗଲା । ତାହା ଦେଖି ସମସ୍ତେ ବହୁତ ମନ ଦୁଃଖ କଲେ । ବୋହୂକୁ ଗାଳିଦେଲେ । ମଲାପିଲାଟିକୁ ଶ୍ମଶାନ ଭୂଇଁକୁ ନେଇ ପୋତିଦେଇ ନିଜ ନିଜର ଘରକୁ ଫେରି ଗଲେ । ସାନବୋହୂ ତା' ସହିତ ଆସିଥିଲା । କିନ୍ତୁ ସେ ଫେରିଲା ନାହିଁ । ପୁଅଟି ଯେଉଁଠି ପୋତା ହୋଇଥିଲା ସେଇଠି ବସି ରହିଲା ଦୁଃଖରେ । ଦିନ ଯାଇ ରାତି ହେଲା । ରାତି ଧୀରେ ଧୀରେ ଗଭୀର ହେଲା । ସେ କୁଆଡେ ନ ଯାଇ ସେଇଠି ବସି ବିକଳ ହୋଇ କାନ୍ଦୁଥାଏ । ନିର୍ଜନ ନିଛାଟିଆ ମଶାଣି ଭୂଇଁ । ନିଶା ଗର୍ଜଛି । ଏହି ସମୟରେ ନିତେଇ ଧୋବଣୀ ଭ୍ରମଣ କରି ସ୍ୱର୍ଗରୁ ମର୍ତ୍ତ୍ୟକୁ ଆସୁଥିଲେ । ସେ କାନ୍ଦଣା ଶୁଣି ସେଠାରେ ପହଁଞ୍ଚିଲେ। ସାଧବ ବୋହୂର ଦୁଃଖ ଶୁଣିଲେ । ତାଙ୍କ ମନ ପରିବର୍ତ୍ତନ ହେଲା । ସେ ତାକୁ ବୁଢିଆଣିଟିଏ କରିଦେଇ ହରିହର କୁମର ଯେଉଁ ପୁରରେ ଥିଲେ ସେହି ପୁରକୁ ନେଇ ଗଲେ । ସେଇଠି ମଝି ଅଗଣାରେ ଥିବା କଲରା ଗଛଟିରେ ବସାଇ ଦେଇ, କହିଲେ- '‘ଏଠାରେ ଥାଇ ସବୁକଥା ଶୁଣି ସନ୍ତକ ଧରି କାନିରେ ବାନ୍ଧିବୁ । ମୁଁ ସକାଳେ ଆସିବି ।''
ପୁଅ ବଞ୍ଚି ରହିବାର ଉପାୟ -
ସାଧବ ବୋହୂ ଦେଖିଲା ହରିହର କୁମର ଝରା ଚଉରୀରେ ବସିଛନ୍ତି । ତାଙ୍କର ଦୁଇ ସ୍ତ୍ରୀ ହୀରାବତୀ ଲୀଳାବତୀ ତାଙ୍କର ସେବା କରୁଛନ୍ତି । ସେମାନେ କଥାବାର୍ତ୍ତା ହେଉଛନ୍ତି । ହରିହର ପୁଣି ମର୍ତ୍ତ୍ୟରେ ଜନ୍ମହୋଇ ଅଳ୍ପଦିନ ଭିତରେ ଫେରି ଆସିବାର ଇଚ୍ଛା ପ୍ରକାଶ କରୁଛନ୍ତି । ଅଳ୍ପଦିନ ଭିତରେ କିପରି ଫେରି ପାରିବେ ବୋଲି ନିଜର ପ୍ରତ୍ୟାବର୍ତ୍ତନ ଯୋଜନା କରୁଛନ୍ତି । ସାଧବ ସାନବୋହୂ ସବୁ ଶୁଣିଲା ହରିହର କୁମର ଗର୍ଭରୁ ଜନ୍ମର ବିଭିନ୍ନ ସ୍ତରରେ ଜାତକର୍ମ, ବିବାହ ସମୟରେ ମଧ୍ୟ ବାହୁଡି ଆସିବାର ଗୁପ୍ତଭେଦ ବତାଇଛନ୍ତି । ସେ ଜନ୍ମ ନହେଉଣୁ ଗର୍ଭରେ ଥାଇ ପ୍ରଥମ ମାସରେ ଦୁଧ ଗଇଁଠା, ଦ୍ଵିତୀୟ ମାସରେ ନେଉଟିଆ ଶାଗ, ତୃତୀୟ ମାସରେ କୋଶଳା ଶାଗ, ଚତୁର୍ଥ ମାସରେ ମୂଳା ଓ କାଞ୍ଜି, ପଞ୍ଚମ ମାସରେ ଚାଉଳ ଭଜା, ଷଷ୍ଠ ମାସରେ ଚକୁଳି ପିଠା, ସପ୍ତମ ମାସରେ ମୁଗ ମଣ୍ଡା, ଅଷ୍ଟମ ମାସରେ ମୁଗ ପଇତି, ନବମ ମାସରେ ଘାଣ୍ଟ ତରକାରୀ, ଦଶମ ମାସରେ ମାଛ ମରିଚ - ପାଣି ଖାଇବାକୁ ମନକରିବେ । ମା' ନଖାଇଲେ ଗର୍ଭରୁ ବାହୁଡି ଆସିବେ । ମା'ଯଦି ଚତୁର ହୋଇଥିବେ ଏବଂ ପ୍ରଥମରୁ ଦଶମାସ ପର୍ଯ୍ୟନ୍ତ ଦଶ ପଦାର୍ଥ ଖାଇବେ ତେବେ ଜନ୍ମ ହେଲାକ୍ଷଣି ଲୋକେ ତାଙ୍କ ସୌନ୍ଦର୍ଯ୍ୟର ପ୍ରଶଂସା କଲେ ସେ ଫେରି ଆସିବେ । ମା' ଯଦି ଜନ୍ମହେଲା କ୍ଷଣି ବାମ ଡାହାଣ ଦୁଇ କାନ ଫୋଡାଇ ଦେବେ ଏବଂ ଛ କଡାକୁ ବିକି ନ କଡାକୁ କିଣି କିଣାବିକା ନାଁ ଦେବେ ତେବେ ପଞ୍ଚୁଆତି, ଷଠୀ,ଉଠିଆରୀ,ଦଶମୀ ବନ୍ଦାପନା, ବାରରାତ୍ର, ଏକୋଇଶିଆ ନକଲେ ଫେରି ଆସିବେ । ଗୁରୁଣ୍ଡିଲା ବେଳେ ଏରୁଣ୍ଡି ଉଚ୍ଚ ନକଲେ ନିଆଁ ଉହ୍ନେଇରେ ପଡି,ଠୁକୁ ଠୁକୁ ଚାଲିବା ବେଳେ ଖସି ପଡି, ଦାନ୍ତ ଉଠିଲା ବେଳେ ଦାନ୍ତ ଗଇଁଠା ନହେଲେ ଫେରି ଆସିବେ । ସେଥିରେ ନହେଲେ ଟିକିଏ ବଡହେଲା ଯାଏ ଯଦି ମର୍ତ୍ତ୍ୟରେ ବଞ୍ଚିଯିବେ ତେବେ ଫେରିବାର ଅନ୍ୟ ଉପାୟମାନ କରିବେ । ଦୁଷ୍ଟାମି ଆରମ୍ଭ କରିବେ । ତେଲିର ତେଲ ପସରା ଭାଙ୍ଗିବେ, କୁମ୍ଭାରର ହାଣ୍ଡି ଭାଙ୍ଗିବେ, ଗାଳି ଦେଲେ ଫେରି ଆସିବେ । ମାଆ ଯଦି ହୁସିଆର ହୋଇ ଥିବେ ଏବଂ ସେମାନଙ୍କୁ ପଇସା ଦେଇ ଖୁସି କରିଦେବେ ଓ ତାଙ୍କୁ ଗାଳି ନହେବାର ବ୍ୟବସ୍ଥା କରିବେ ତେବେ ଆହୁରି ଅନେକ ବାଟ ଅଛି ।
ବୈଶାଖ ମାସରେ ସୋରିଷ ଫୁଲ, ଶ୍ରାବଣ ମାସରେ ବର୍ଷା ସମୟରେ ସଡକ ଧୂଳି, ମାଘ ମାସରେ ପାଚିଲା ତାଳ ଆଦି ନମିଳିଲା ଦ୍ରବ୍ୟମାନ ମାଗିବେ ମା’ନଦେଲେ ବାହୁଡି ଆସିବେ । ମା' ଯଦି ହୁସିଆର ହୋଇଥିବେ ଏବଂ ଏଗୁଡିକ ଆଗରୁ ଯୋଗାଡ କରି ରଖିଥିୟବେ, ତେବେ ଆହୁରି ଉପାୟ ଅଛି । ବିବାହ ପାଇଁ ଜିଦି କରିବେ ଏବଂ ମା’ନିଜେ ଯାଇ ବିବାହ କରାଇବା ପାଇଁ କହିବେ । ମା’ସେପରି ନକଲେ ଫେରି ଆସିବେ । ମା' ଯଦି ଯିବେ, ତାଙ୍କୁ ବେଦୀ ଉପରେ ଦୁଧ ଖାଇବାକୁ ମାଗିବେ । ପୋଡପିଠା, କାଞ୍ଜି, ମାଛ, ଖାଇବାକୁ ମାଗିବେ । ମା’ଯଦି ଚତୁର ହୋଇଥିବେ ବେଦୀ ପାଖରେ ଟେରା ବାଡ ଦେଇ ଯାହା ମାଗିବ ଦେବେ । ତେବେ ଅନ୍ୟ ଉପାୟ କରାଯିବ । ବର କନ୍ୟା ଦୋଳ ମୁକୁଟ ହୋଇ ଯାଉଥିବା ସମୟରେ ମଆରେ ଛାମୁଣ୍ଡିଆ ବାଜିଲେ ବାହୁଡି ଆସିବେ । ଯଦି ବେଦୀ ଉପରେ ଚାନ୍ଦୁଆ ଟଣା ହୋଇଥିବ, ଓଳିତଳେ ଉସୁନା ଧରା ହେବ, ତେବେ ଶେଷ ଉପାୟ କରାଯିବ । ମର୍ତ୍ତ୍ୟ ଲୋକରେ ଦୁର୍ଲ୍ଲଭ ମୀନକେତନ ମାଳୀ, ଜୟ ବିଜୟ ଘଣ୍ଟି ମାଗିବେ । ମା'ନଦେଇ ପାରିଲେ ଫେରି ଆସିବେ । ମର୍ତ୍ତ୍ୟରେ ଜନ୍ମହେବା ପରେ ମଧ୍ୟ ଫେରି ଆସିବାର ଏତେ ଗୁଡିଏ ଭେଦ କହିବା ଭିତରେ ସେବା ଶେଷ କରି ହୀରାବତୀ, ଲୀଳାବତୀ ଦୁଇ ସ୍ତ୍ରୀ ହରିହର କୁମରଙ୍କ ମର୍ଦନ ମଳୁକୁଟି ସଙ୍ଗେ ମାନକେତନ ମାଳୀ, ଜୟ ବିଜୟ ଘଣ୍ଟି କଲରା ଗଛ ମୂଳକୁ ପକାଇ ଦେଲେ । ସାଧବ ବୋହୂ ବୁଢିଆଣି ରୂପରେ ଥାଇ ସବୁ ଶୁଣିଲା । ସେଇ ଦୁର୍ଲ୍ଲଭ ପଦାର୍ଥ ଦୁଇଟିକୁ କାନିରେ ବାନ୍ଧିଲା । ସମୟ ହେବାରୁ ନିତାଇ ଧୋବଣୀ ଆସିଲେ । ସେ ସାଧବ ବୋହୂକୁ ସଙ୍ଗରେ ଆଣି ସାଧବଘର ଗଙ୍ଗା ଯମୁନା ମରାଇ ପାଖରେ ଛାଡି ଦେଇ ଗଲେ ।
ସାଧବ ବୋହୂ କୁଆଡେ ଯାଇଥିଲା । କୁଆଡୁ କ'ଣ ଜାଣି କ'ଣ ନେଇ ଆସିଲା କେହି ଜାଣିଲା ନାହିଁ । ସେ ଯଥା ସମୟରେ ଗର୍ଭବତୀ ହେଲା । ହରିହର କୁମର ଅନ୍ୟଥର ପରି ଏଥର ମଧ୍ୟ ତା’ଗର୍ଭରେ ରହିଲେ । ସେ ମାସକ ଠାରୁ ଦଶମାସ ଯାଏ ଯାହା ଶୁଣିଥିଲା ତାହା ସବୁ ଖାଇଲା । ପୌଷ ତୃତୀୟା ଦିନ ରାତ୍ର ତିନିଘଡି ବେଳକୁ ତା'ର ପୁଅଟିଏ ହେଲା I ଜନ୍ମହେବା ସଙ୍ଗେ ସଙ୍ଗେ ପୁଅର କାନ ଫୋଡା ହେଲା । ହାଡିଆଣୀକୁ ଡାକି ଛଅ କଡା ମକୁ ବିକି ନଅ କଡାକୁ କିଣିଲା । କିଣା ବିକା ହାଡି ନାଁ ଦେଲା । ଜନମ ଦିନଠାରୁ ଏକୋଇଶ ଦିନ ପର୍ଯ୍ୟନ୍ତ ସମସ୍ତ ବିଧାନ କଲା । ପୁଅ ପେଟେଇବାକୁ ଆରମ୍ଭ କଳାକ୍ଷଣି ଦ୍ୱାରବନ୍ଧ ଉଚ୍ଚକଲା । ପୁଅ ଯାହା ଯେତେବେଳେ ଅଳି କଲା ସବୁ ଯୋଗାଇ ଦେଲା । ଜୟ ବିଜୟ ଘଣ୍ଟି ମୀନକେତନ ମାଳି ମଧ୍ୟ ମାଗିଲା କ୍ଷଣି ଦେଲା । ପୁଅ ଆଶ୍ଚର୍ଯ୍ୟ ହେଲା । ପଚାରିବାରୁ ମା' କହିଲା- 'ଆରେ ପୁଅ, ମୁଁ ତୋହରି ଲାଗି ସେ ପୁରକୁ ଯାଇଥିଲି ।" ପୁଅ ବିବାହ କଲା । ସେଠାରେ ମଧ୍ୟ ମା’ଯଥାବିଧ କଲା । ସେ ନିଶ୍ଚିତରେ ଘର ଦ୍ଵାର କରି ରହିଲା । ତା'ର ଦୁଇପୁଅ ହେଲେ । କିଛି କାଳପରେ ସାଧବ ସାଧବାଣୀଙ୍କର ଦେହାନ୍ତ ହେଲା । ହରିହର କୁମର ସାଧବ ବଂଶରେ ପୂଅହୋଇ ଏଥର ମର୍ତ୍ତ୍ୟରେ ବହୁଦିନ ରହିଗଲେ ।
ପୂଜା ବିଧି –
ଏହା ଏକ କୃଷିଭିତ୍ତିକ ପର୍ବ। ଏଇ ସମୟ ବେଳକୁ ଧାନ ଅମଳ ହୋଇ ସାରିଥାଏ। ଘରକୁ ନୂଆ ଧାନ ଆସିଥାଏ। ତେଣୁ ଏ ଓଷାରେ ନୂଆ ଧାନ କୁଟି ମଣ୍ଡାପିଠା ତିଆରି କରାଯାଏ, ମୁଢ଼ି, ଖଇ, ମୁଆଁ, ଚୁଡ଼ା, କଦଳୀ, ମୂଳା, ଆଖୁ, କରମଙ୍ଗା, କନ୍ଦମୂଳ, ତୁଷ ଓ କୁଣ୍ଡା ଆଦି ନୈବେଦ୍ୟ କରାଯାଏ । ଗାଁ ଦାଣ୍ଡରେ ଗାତ ଖୋଳାଯାଇ, ଗୋଟିଏ ପାତ୍ରରେ ସିନ୍ଦୂରରେ ଯମଙ୍କ ପ୍ରତିମା ସ୍ଥାପନ କରି ମାମାନେ ଚାରିପଟେ ଚାଙ୍ଗୁଡ଼ା ଧରି, ଚାଙ୍ଗୁଡ଼ା ଉପରେ ବଜ୍ରମୂଳି ରଖି ତା ଉପରେ ନୂଆ କପଡ଼ା ଢାଙ୍କି ବସନ୍ତି ଏବଂ ଯମ ଦେବତାଙ୍କୁ ଷୋଡ଼ଶୋପଚାରରେ ବ୍ରାହ୍ମଣଙ୍କଦ୍ୱାରା ପୂଜାର୍ଚ୍ଚନା କରନ୍ତି । ତାହା ପରେ ମାମାନେ ନିଜ ସନ୍ତାନମାନଙ୍କର ଦୀର୍ଘଜୀବନ କାମନା କରି ଯମଙ୍କୁ ସ୍ମରଣ କରିଥାନ୍ତି ।
Chill Grips Odisha: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ: ଦାରିଙ୍ଗବାଡି ସବୁଠୁ ଥଣ୍ଡା

Kalinga Ghati Safety Boost: ଦୁର୍ଘଟଣା ଏଡାଇବ ସେନସର: ଭେଇକେଲ ସେନ୍ସର ଆଲର୍ଟ ସିଷ୍ଟମ ରାଜ୍ୟରେ ପ୍ରଥମ

BJP MLA targets BJD: 'ଅପରେସନ୍ ଲୋଟସ୍': ପଞ୍ଚାୟତ ଭୋଟ୍ ପରେ ବିଜେଡି ସଫା!

IndiGo Chaos Continues: ଇଣ୍ଡିଗୋ ଅଚଳାବସ୍ଥା: ବଢ଼ି ଚାଲିଛି ଯାତ୍ରୀଙ୍କ ଦୁର୍ଦ୍ଦଶା, ଇଣ୍ଡିଗୋ କର୍ମଚାରୀଙ୍କ ଉପରେ ସୁଝାଉଛନ୍ତି ରାଗ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)