Advertisment

Puri Police Bust: ଭଲ ବେପାର ଦେହରେ ଗଲାନି, କଲା ଲୁଟ୍ ପ୍ଲାନ୍ ...ନେଇଗଲେ କୋଟିଏ ଟଙ୍କାର ଗହଣା

ଦୋକାନକୁ ଲାଗି ଦୋକାନ ହେଲେ ଜମୁ ନଥିଲା ବେପାର । ପଡ଼ୋଶୀ ଦୋକାନରେ ଗ୍ରାହକ ହାଉଜାଉ, ତା ଦୋକାନ ଫାଙ୍କା ଫାଙ୍କା ।  ପାଖ ଦୋକାନର ଭଲ ବେପାର ଦେହରେ ଗଲାନି, କଲା ଲୁଟ୍ ପ୍ଲାନ୍ । ସୁପାରୀ ଲୁଟେରା ଲଗାଇ ଲୁଟିନେଲା କୋଟିଏ ଟଙ୍କାର ଗହଣା।

author-image
Manas Ranjan Mohanty
puri-loot

puri-loot Photograph: (OTV)

ଦୋକାନକୁ ଲାଗି ଦୋକାନ ହେଲେ ଜମୁ ନଥିଲା ବେପାର । ପଡ଼ୋଶୀ ଦୋକାନରେ ଗ୍ରାହକ ହାଉଜାଉ, ତା ଦୋକାନ ଫାଙ୍କା ଫାଙ୍କା ।  ପାଖ ଦୋକାନର ଭଲ ବେପାର ଦେହରେ ଗଲାନି, କଲା ଲୁଟ୍ ପ୍ଲାନ୍ । ସୁପାରୀ ଲୁଟେରା ଲଗାଇ ଲୁଟିନେଲା କୋଟିଏ ଟଙ୍କାର ଗହଣା। 

Advertisment

ଆପଣ ସୁପାରୀ କିଲର କଥା ଶୁଣିଥିବେ । ହେଲେ କେବେ ସୁପାରୀ ଲୁଟେରା ଏବଂ ଲୁଟ୍ ପାଇଁ ସୁପାରୀ କାରବାର କଥା କେବେ ଶୁଣିଛନ୍ତି । କେବେ ଶୁଣିନଥିବା ଏକ ଘଟଣା ଘଟିଛି ପୁରୀ ଚନ୍ଦନପୁର ଅଞ୍ଚଳରେ । ପଡ଼ୋଶୀ ଦୋକାନ ଭଲ ଚାଲିବାରୁ ଇର୍ଷା ପରାୟଣ ହୋଇ ଜଣେ ଦୋକାନୀ ପ୍ରାୟ କୋଟିଏ ଟଙ୍କାର ସୁନା ଗହଣା ସୁପାରୀ ଲୁଟେରା ଲଗାଇ ଲୁଟି ନେଇଛି । ଆଜି ପୋଲିସ ପ୍ରାୟ ୭୮ ଲକ୍ଷ ଟଙ୍କାର ଲୁଟ୍ ଗହଣା ଉଦ୍ଧାର କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଲୁଟ୍ ଏବଂ ପ୍ଲାନ ନେଇ ବିସ୍ତୃତ ସୂଚନା ଦେଇଛନ୍ତି । ଡିଆଇଜିଙ୍କ ସୂଚନା ଅନୁସାରେ ନଭେମ୍ବର ୨୦ ତାରିଖରେ ଏହି ଲୁଟ୍ ହୋଇଥିଲା । ସମଯାଜପୁର ନିକଟରେ ୩ ଜଣ ବାଇକ୍ରେ ଆସି ପିସ୍ତଲ ଦେଖାଇ ପ୍ରାୟ କୋଟିଏ ଟଙ୍କାର ସୁନା ଗହଣା ଲୁଟି ନେଇ ଚମ୍ପଟ ମାରିଥିଲେ । ପୁରୀ ଏସ୍ପିଙ୍କ ନେତୃତ୍ବରେ ପୋଲିସ ତ୍ବରିତ ପଦକ୍ଷେପ ନେଇ ଘଟଣାରେ ସଂପୃକ୍ତ ୪ ଜଣଙ୍କୁ ଧରିବା ସହ ଲୁଟ୍ ସୁନା ଗହଣା ଓ ନଗଦ ଟଙ୍କା ଜବତ କରିଛି । 



ଚନ୍ଦନପୁର ବଜାରରେ ଥିବା ରାଧାକାନ୍ତ ଜୁଏଲାରୀ ଦୋକାନର ସୁନା ଗହଣା ଲୁଟ୍ ନେଇ ଅଭିଯୋଗ ହୋଇଥିଲା । ୨୦ ତାରିଖ ସକାଳେ ଦୋକାନର ମାଲିକଙ୍କ ଶଳା ଏବଂ ଡ୍ରାଇଭର କାରରେ ସୁନା ରୁପା ଗହଣା ଧରି ଆସୁଥିବା ବେଳେ ବାଇକରେ ଆସିଥିବା ୩ ଲୁଟେରା ପିସ୍ତଲ ଦେଖାଇ ଲୁଟ୍ପାଟ୍ କରିଥିଲେ । ଏନେଇ ଥାନାରେ ଏତଲା ହେବା ପରେ ପୋଲିସ ତଦନ୍ତ କରି ଚାଞ୍ଚଲ୍ୟକର ସୂଚନା ପାଇଥିଲା ।

Advertisment

ପୁରୀ ଏସ୍ପି ପ୍ରତୀକ ସିଂହଙ୍କ ସୂଚନା ଅନୁସାରେ ରାଧାକାନ୍ତ ଜୁଏଲାରୀକୁ ଲାଗି ଟୁକୁ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଗହଣା ଦୋକାନ ରହିଛି । ତେବେ ରାଧାକାନ୍ତରେ ଭଲ ବେପାର ହେଉଥିବା ବେଳେ ଟୁକୁ ଦୋକାନକୁ ଗ୍ରାହକ ବିଶେଷ ଭାବେ ଯାଉ ନଥିଲେ । ଏହାକୁ ନେଇ ଇର୍ଷାନ୍ବିତ ହୋଇ ପଡ଼ିଥିଲେ ଟୁକୁ । ରାଧାକାନ୍ତ ଜୁଏଲାରୀର ଗହଣା ଲୁଟିବାକୁ ପ୍ଲାନ କରି ଅନ୍ୟଜଣେ ଅଭିଯୁକ୍ତ ବାପି ପ୍ରଧାନ ସହ ଯୋଗାଯୋଗ କରିଥିଲା ଟୁକୁ । ବାପି ଏନେଇ ଆଉ କିଛି କ୍ରିମିନାଲଙ୍କ ସହ ଯୋଗାଯୋଗ କରି ଲୁଟ୍ ପ୍ଲାନ କରିଥିଲା । ଘଟଣାର ମାସକ ପୂର୍ବରୁ ସେମାନେ ଗତିବିଧି ଉପରେ ନଜର ରଖୁଥିଲେ । ରାଧାକାନ୍ତ ଜୁଏଲାରୀ ମାଲିକ ସଂଜୟ ଦାସଙ୍କ ସାନ ଭାଇ ସହ ତାର ଭଲ ସଂପର୍କ ଥିବାରୁ କିଏ କେତେବେଳେ କଣ ନେଇ କୁଆଡ଼େ ଯାଉଛି ସବୁ ଖବର ରଖୁଥିଲା ଟୁକୁ।

ସପ୍ତାହେ ପୂର୍ବରୁ ରେକି କରିବା ପରେ ନଭେମ୍ବର ୨୦ ସକାଳେ ଲୁଟ୍ କରିବାକୁ ଫାଇନାଲ ପ୍ଲାନ କରିଥିଲେ ଟୁକୁ ଓ ବାପି । ପୂର୍ବ ଯୋଜନା ଅନୁସାରେ ମାଲିକ ସଂଜୟଙ୍କ ଶଳା ଓ ଡ୍ରାଇଭର ଗହଣା ଧରି ଯିବା ବେଳେ ଲୁଟ୍ପାଟ୍ କରିଥିଲେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ବାପିର ଗ୍ୟାଙ୍ଗ । ପୋଲିସ ୧୩୨ ଗ୍ରାମ ସୁନା ଗହଣା, ୩୧ କେଜି ରୁପା ଗହଣା, ନଗଦ ୬ ଲକ୍ଷ ଟଙ୍କା ଉଦ୍ଧାର କରିବା ସହ ପିସ୍ତଲ, ଗୁଳି, କାର୍ ଆଦି ଜବତ କରିଛି । ଘଟଣାର ମାଷ୍ଟର ମାଇଣ୍ଡ ଟୁକୁ ଏବଂ ବାପି ସହ ଆଉ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସଂପୃକ୍ତ ଅନ୍ୟ ୩ ଜଣ ଫେରାର ଅଛନ୍ତି । 

 ପଡ଼ୋଶୀ ଦୋକାନର ଭଲ ବେପାର ହେବାରୁ ସୁପାରୀ ଦେଇ ଲୁଟ୍ କରିବା ନୂଆ ଘଟଣା ହୋଇଥିବା ବେଳେ ଏଭଳି କ୍ରାଇମ ପୋଲିସ ପାଇଁ ବି ମୁଣ୍ଡବ୍ୟଥାର କାରଣ ହୋଇଛି । 

Advertisment
Related Articles
Advertisment