Advertisment

Fire Stops, But Digital Lockdown Continues: ଥମିଲା ମାଲକାନଗିରି ନିଆଁ, ଆଉ ୧୮ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା

ଶାନ୍ତି ଫେରୁଛି ସତ, କିନ୍ତୁ ସୁରକ୍ଷା ବଳୟରୁ ମୁକ୍ତ ହୋଇନି ମାଲକାନଗିରି। ଜନ ଜୀବନ ସ୍ବାଭାବିକ ହୋଇନଥିଲେ ବି ଅସ୍ବାଭାବିକ ସ୍ଥିତିର ପୁନରାବୃତ୍ତି ହୋଇନାହିଁ। ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ପରଠୁ ରାଖାଲଗୁଡ଼ା ଏବଂ MV-26 ଗାଁ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ଆଜି ଥମିଛି।

author-image
Tapan Swain
MALKANGIRI

MALKANGIRI Photograph: (OTV)

ଶାନ୍ତି ଫେରୁଛି ସତ, କିନ୍ତୁ ସୁରକ୍ଷା ବଳୟରୁ ମୁକ୍ତ ହୋଇନି ମାଲକାନଗିରି। ଜନ ଜୀବନ ସ୍ବାଭାବିକ ହୋଇନଥିଲେ ବି ଅସ୍ବାଭାବିକ ସ୍ଥିତିର ପୁନରାବୃତ୍ତି ହୋଇନାହିଁ। ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ପରଠୁ ରାଖାଲଗୁଡ଼ା ଏବଂ MV-26 ଗାଁ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ଆଜି ଥମିଛି।

Advertisment

କାଲିଠୁ ଘଟଣାସ୍ଥଳକୁ ଯାଇ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ସ୍ଥିତି ଉପରେ ନିଜେ କଡ଼ା ନଜର ରଖିଛନ୍ତି ଡିଜିପି। ଜିଲ୍ଲାରେ ଇଣ୍ଟରନେଟ୍ କଟକଣାକୁ ଆଉ ୧୮ ଘଣ୍ଟା ବଢ଼ାଇ ଦିଆଯାଇଛି। ସେପଟେ ଶୋକାକୂଳ ପରିବେଶରେ ୫ ଦିନ ପରେ ଆଜି ମୃତ ମହିଳାଙ୍କ ଅନ୍ତିମ ସତ୍କାର କରିଛନ୍ତି ଆତ୍ମୀୟ ସ୍ବଜନ ଏବଂ ଗାଁ ଲୋକେ।..

ସୁଧୁରୁଛି ପରିସ୍ଥିତି...ନିୟନ୍ତ୍ରଣରେ ରହିଛି ସବୁକିଛି...ଆଉ ନାହିଁ ଗୃହଦାହ ଭଳି ସ୍ଥିତି...ଆଉ ଘଟିନି କୌଣସି ପୋଡ଼ାଜଳା କି ଗଣ୍ଡଗୋଳ। କିନ୍ତୁ ସୁରକ୍ଷାବଳୟରେ ରହିଛି ମାଲକାନଗିରି MV-26 ଗାଁ। ସାରା ଗାଁ ଏବେ ପୋଲିସ ଛାଉଣୀରେ ଭର୍ତ୍ତି। ୨ ଦିନ ଧରି ଯେଉଁଭଳି ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଲା, ଆଉ ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ ଗାଁର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ଦିନ ରାତି ସଜାଗ ରହିଛନ୍ତି ସଶସ୍ତ୍ର ସୁରକ୍ଷାକର୍ମୀ।

Advertisment

ଗାଁର ବିଭିନ୍ନ ସ୍ଥାନରେ ଲାଗିଛି ସିସିଟିଭି। ଯେଉଁ ଗାଁରେ ଜଳିପୋଡ଼ି ଛାରଖାର ହୋଇଛି ୧୮୮ଟି ଘର ମଧ୍ୟରୁ ୧୬୩ ଘର, ସେଇଠି କେବଳ ପୋଡ଼ା ଚିହ୍ନ ସହ ଉଜୁଡ଼ା ଚିତ୍ର। ତାହାରି ଭିତରେ କିଏ ନିଆଁ ଦାଉରୁ ବର୍ତ୍ତିଯାଇଥିବା ଆସବାବପତ୍ର ଓ ସାମଗ୍ରୀ ଗୋଟାଉଛନ୍ତି ତ ଆଉ କିଏ ଗାଁ ଛାଡ଼ି ଅନ୍ୟତ୍ର ଚାଲିଯାଉଛନ୍ତି। 

୫ ଦିନ ପରେ ମୃତ ମହିଳାଙ୍କ ଅନ୍ତିମ ସତ୍କାର

ଏସବୁ ଭିତରେ ଆଜି ରାଖାଲଗୁଡ଼ା ଗାଁର ସେହି ନିହତ ମହିଳା ଲୋକେ ପଡ଼ିଆମୀଙ୍କ ଅନ୍ତିମ ସତ୍କାର କରାଯାଇଛି। ଦୀର୍ଘ ୫ ଦିନ ପରେ ଆଜି ନିଜ ଜମିର ଖଳା ନିକଟରେ ଗାତ ଖୋଳି ଶେଷ ସତ୍କାର କରିଛନ୍ତି ଆତ୍ମୀୟ ସ୍ବଜନ ଏବଂ ଗାଁ ଲୋକେ। ଯେହେତୁ ଏଯାଏଁ ମୁଣ୍ଡ ମିଳିନି, ତେଣୁ ମାଟିରେ ମୁଣ୍ଡର ଏକ ପ୍ରତିକୃତି ତିଆରି କରି ମୃତ ଶରୀର ସହ ସତ୍କାର କରାଯାଇଛି।

ଏହି ସମୟରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି, ଏସପି ଓ ଜିଲ୍ଲାପାଳଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ହେଲେ କାହିଁକି ଏଭଳି ହତ୍ୟା କରାଗଲା ତାଙ୍କୁ ? ସେନେଇ ପୋଲିସ ସ୍ପଷ୍ଟ କରିନଥିଲେ ବି ହତ୍ୟା ମାମଲାରେ ଜଣଙ୍କୁ ଗିରଫ କରିଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯିବ ବୋଲି କହିଛନ୍ତି ମାଲକାନଗିରି ଜିଲ୍ଲାପାଳ।

ଡିସେମ୍ବର ୩ରୁ ନିଖୋଜ, ଡିସେମ୍ବର ୪ରେ ମିଳିଥିଲା ମୁଣ୍ଡ ବିହୀନ ଡେଡବଡ଼ି। ଯାହାକୁ ନେଇ ତାତି ଉଠିଥିଲେ ରାଖାଲଗୁଡ଼ା ଗାଁ ଲୋକେ। ଅଭିଯୋଗ ସତ୍ତ୍ବେ ପୋଲିସ କୌଣସି ଆକ୍ସନ ନେଇନଥିବାରୁ ଏବଂ ହତ୍ୟାକାରୀଙ୍କୁ ଧରିପାରିନଥିବାରୁ ଉପୁଜିଥିଲା ବିବାଦ। ରାଖାଲଗୁଡ଼ା ଏବଂ MV-26 ଗାଁର ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ପୋଲିସ ଉପସ୍ଥିତିରେ MV-26ରେ ହୋଇଥିଲା ବ୍ୟାପକ ପୋଡ଼ାଜଳା।

ଏସବୁ ଭିତରେ ଗତକାଲି ସଂଧ୍ୟାଠୁ ଗ୍ରାଉଣ୍ଡଜିରୋକୁ ଯାଇ ଆଇନଶୃଙ୍ଖଳା ସ୍ଥିତି ଉପରେ ନିଜେ କଡ଼ା ନଜର ରଖିଛନ୍ତି ଡିଜିପି ୱାଇ.ବି.ଖୁରାନିଆ। ସେହିପରି ମାଲକାନଗିରି ଜିଲ୍ଲାରେ ଇଣ୍ଟରନେଟ୍ କଟକଣାକୁ ଆଉ ୧୮ ଘଣ୍ଟା ବଢ଼ାଇଛି ଜିଲ୍ଲା ପ୍ରଶାସନ। ଆସନ୍ତାକାଲି ମଧ୍ୟାହ୍ନ ୧୨ ଯାଏଁ ବଳବତ୍ତର ରହିବ ଇଣ୍ଟରନେଟ୍ କଟକଣା। କିନ୍ତୁ ସରକାରୀ, ବ୍ୟାଙ୍କ ଓ ରେଲୱେ ସେବା ପାଇଁ ଇଣ୍ଟରନେଟ୍ କଟକଣା ନାହିଁ। ତେବେ ଉଭୟ ଗାଁ ମଧ୍ୟରେ ଉପୁଜିଥିବା ଅଘଟଣ ପାଇଁ ଜିଲ୍ଲାର ବିଜେଡି ଏବଂ କଂଗ୍ରେସ ନେତା ସରକାର ଏବଂ ପ୍ରଶାସନକୁ ଦାୟୀ କରିଥିବାବେଳେ ଶାନ୍ତି ପାଇଁ ଉଦ୍ୟମ ଜାରି ରହିଥିବା କହିଛି ବିଜେପି। 

Tension Malkangir
Advertisment
Related Articles
Advertisment