/odishatv-khabar/media/media_files/2025/09/28/gold-2025-09-28-14-58-17.jpg)
gold Photograph: (OTV)
ମଧ୍ୟପ୍ରଦେଶର କଟନୀ ଜିଲ୍ଲା ଏବେ ଆହୁରି ସମୃଦ୍ଧ ହେବ। ବାହାରିବ ଟନ ଟନ ସୁନା । ଏଠାରେ ଥିବା ଇମଲିଆ ଗୋଲ୍ଡ ମାଇନ୍ସରେ ସୁନାର ଏକ ବଡ଼ ଭଣ୍ଡାର ମିଳିଛି। ଖଣିରୁ ଶୀଘ୍ର ସୁନା ଖନନ ଆରମ୍ଭ ହେବ। ସୋମବାର କଲେକ୍ଟର ଆଶୀଷ ତିୱାରୀ ଏବଂ ପ୍ରୋସ୍ପେକ୍ଟ ରିସୋର୍ସ ମିନେରାଲ୍ସ ପ୍ରାଇଭେଟ ଲିମିଟେଡ୍ କମ୍ପାନୀର ନିର୍ଦ୍ଦେଶକ ଅବିନାଶ ଲାଣ୍ଡଗେଙ୍କ ମଧ୍ୟରେ ଗୋଲ୍ଡ ବ୍ଲକର ମାଇନିଂ ଲିଜ୍ର ଏମଓୟୁ ହୋଇଛି।
ମୁମ୍ବାଇର ଏହି କମ୍ପାନୀକୁ ୫୦ ବର୍ଷ ପାଇଁ ଖଣି ଲିଜରେ ଦିଆଯାଇଛି। ଏହା ସହିତ କଟନୀ ଜିଲ୍ଲା ବିଶ୍ୱସ୍ତରୀୟ ସୁନା ଖନନ ମାନଚିତ୍ରରେ ପ୍ରତିଷ୍ଠିତ ହୋଇଛି। ଦେଶରେ ବର୍ତ୍ତମାନ କେବଳ କର୍ଣ୍ଣାଟକରେ ହିଁ ଗୋଲ୍ଡ ମାଇନିଂ ହେଉଛି। ଏବେ ମଧ୍ୟପ୍ରଦେଶରେ ମଧ୍ୟ ସୁନା ଖନନ ଆରମ୍ଭ ହେବ। ଇମଲିଆ ଗୋଲ୍ଡ ମାଇନ୍ସରେ ୧୪ ଲକ୍ଷ ଟନ୍ ଖଣିଜ ଥିବା ଅନୁମାନ କରାଯାଇଛି।
କଟନୀରେ ଗୋଲ୍ଡ ବ୍ଲକର ମାଇନିଂ ଲିଜ୍ର ଚୁକ୍ତିନାମା ହୋଇଛି। ଜିଲ୍ଲାର ସ୍ଲୀମାନାବାଦର ଇମଲିଆ ଗୋଲ୍ଡ ବ୍ଲକ ଖଣିରୁ ସୁନା ଖନନ ପାଇଁ କଲେକ୍ଟର ଆଶୀଷ ତିୱାରୀ ଏବଂ କମ୍ପାନୀ ନିର୍ଦ୍ଦେଶକ ଲାଣ୍ଡଗେଙ୍କ ମଧ୍ୟରେ ଏମଓୟୁ ହେବା ସହିତ ଏକ ନୂଆ ଇତିହାସ ଲେଖାଯାଇଛି ।
କଟନୀ ଖଣିଜ ସମ୍ପଦରେ ପୂର୍ବରୁ ହିଁ ସମୃଦ୍ଧ। ଏଠାରେ ଚୂନ, ବକ୍ସାଇଟ୍, ଲାଇମଷ୍ଟୋନ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ପ୍ରଚୁର ମାତ୍ରାରେ ଉପଲବ୍ଧ। କଟନୀର କଲେକ୍ଟର ଆଶୀଷ ତିୱାରୀ କହିଛନ୍ତି ଯେ ଇ-ନିଲାମୀ ପ୍ରକ୍ରିୟା ମାଧ୍ୟମରେ ମୁମ୍ବାଇର ନରିମାନ ପଏଣ୍ଟସ୍ଥିତ ପ୍ରୋସ୍ପେକ୍ଟ ରିସୋର୍ସ ମିନେରାଲ୍ସ ପ୍ରାଇଭେଟ ଲିମିଟେଡ୍ କମ୍ପାନୀକୁ ୫୦ ବର୍ଷ ପାଇଁ ଲିଜ ପ୍ରଦାନ କରାଯାଇଛି।
କଲେକ୍ଟର ଆଶୀଷ ତିୱାରୀ କହିଛନ୍ତି ଯେ ଇମଲିଆ ଗୋଲ୍ଡ ମାଇନ୍ସରେ ଖନନ ଆରମ୍ଭ ହେବା ଦ୍ୱାରା ସ୍ଥାନୀୟ ସ୍ତରରେ ବୃହତ୍ ପରିମାଣରେ ରୋଜଗାର ସୁଯୋଗ ସୃଷ୍ଟି ହେବ। ସାଙ୍ଗକୁ ଜିଲ୍ଲାକୁ ଆଞ୍ଚଳିକ ସ୍ତରରେ ଅତିରିକ୍ତ ରାଜସ୍ୱ ମିଳିବ। ଏହାଦ୍ୱାରା ଜିଲ୍ଲା ଏବଂ ସମଗ୍ର ଅଞ୍ଚଳର ଅର୍ଥନୈତିକ ବିକାଶକୁ ନୂଆ ଗତି ମିଳିବ।
ମାଇନିଂ ବିଭାଗର ଉପନିର୍ଦ୍ଦେଶକ କହିଛନ୍ତି ଯେ କଟନୀ ଜିଲ୍ଲାରେ ନୂଆ ଖଣିଜ ସ୍ରୋତ ରୂପେ ସୁନା ଖଣିରେ ସୁନା ସହିତ ବେସମେଟାଲ, ରୂପା, ଲେଡ୍ (ସୀସା) ଏବଂ ତମ୍ବା ମଧ୍ୟ ମିଳିବ। ଇମଲିଆ ଗୋଲ୍ଡ ମାଇନ୍ସରୁ ସୁନା ବାହାର କରିବା ପାଇଁ କମ୍ପାନୀ ଶୀଘ୍ର ମେସିନାରୀ ସିଷ୍ଟମ ସ୍ଥାପନ କରିବ। ଇମଲିଆ ଗୋଲ୍ଡ ମାଇନ୍ସରୁ ୧୪ ଲକ୍ଷ ଟନ୍ ଖଣିଜ ମିଳିବା ସମ୍ଭାବନା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)