Advertisment

Massive Hong Kong Fire: ଭୟଙ୍କର ଅଗ୍ନିକାଣ୍ଡ...ଚାହୁଁଚାହୁଁ ଜଳିଗଲା ୭ଟି ଆପାର୍ଟମେଣ୍ଟ

ମଣିଷ ପାଲଟିଲା ପାଉଁଶ ଗଦା । ଛଟପଟ ହୋଇ ଜଳିଗଲେ ୪୪ ଜଣ । ଧପ୍ କରି ଧରିଲା ନିଆଁ, ଉଜୁଡ଼ିଗଲା ପୂରା ପରିବାର । ହୁତୁହୁତୁ ହୋଇ ଜଳୁଥିବା  ସୁଉଚ୍ଚ ଆପାର୍ଟମେଣ୍ଟକୁ  ଜୀବନ ବଞ୍ଚାଇବାକୁ ଶୁଭୁଥିଲା ଚିତ୍କାର ।

author-image
Manas Ranjan Mohanty
Hong-kong-fire-44-dead

Hong-kong-fire-44-dead Photograph: (OTV)

ମଣିଷ ପାଲଟିଲା ପାଉଁଶ ଗଦା । ଛଟପଟ ହୋଇ ଜଳିଗଲେ ୪୪ ଜଣ । ଧପ୍ କରି ଧରିଲା ନିଆଁ, ଉଜୁଡ଼ିଗଲା ପୂରା ପରିବାର । ହୁତୁହୁତୁ ହୋଇ ଜଳୁଥିବା  ସୁଉଚ୍ଚ ଆପାର୍ଟମେଣ୍ଟକୁ  ଜୀବନ ବଞ୍ଚାଇବାକୁ ଶୁଭୁଥିଲା ଚିତ୍କାର । ମୃତ୍ୟକୁ ପାଖରେ ଦେଖି ଡହଳବିକଳ ହେଉଥିଲେ ଲୋକେ । ହେଲେ ନିର୍ଦ୍ଦୟ ନିଆଁ ସବୁ କିଛି ଛାରଖାର କରିଦେଲା । ୪୪ ଜଣଙ୍କୁ ଜାଳି ଜାଳି ମାରିଲା । ଆଉ ୭ଶହରୁ ଅଧିକ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହଂସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଉ ଆଗକୁ ଏହି ମୃତ୍ୟୁସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି । 

Advertisment

ହଂକଂରେ ହୋଇଛି ଏହି ଭୟଙ୍କର ଅଗ୍ନିକାଣ୍ଡ । ଚାହୁଁଚାହୁଁ ଜଳିଯାଇଛି ୭ଟି ଆପାର୍ଟମେଣ୍ଟ । ଏହି ଅଗ୍ନିକାଣ୍ଡରେ ୧୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଆପାର୍ଟମେଣ୍ଟ ଅଗ୍ନିକାଣ୍ଡରେ ଏବେ ବି ଅନେକ ଲୋକ ଫସିଥିବା ସୂଚନା ମିଳିଛି । ସେହିପରି ପ୍ରାୟ ୭ଶହ ଜଣଙ୍କୁ ଆପାର୍ଟମେଣ୍ଟରୁ ସୁରକ୍ଷିତ ଭାବେ ଉଦ୍ଧାର କରି ଅସ୍ଥାୟୀ ସେଲଟରକୁ ପଠାଯାଇଛି । ରେସକ୍ୟୁ ଅପରେସନରେ ଲାଗିଛନ୍ତି ଅଗ୍ନିଶମ ବାହିନୀ ଓ ପୋଲିସ । ସୋସିଆଲ୍ ମିଡିଆରେ ଭାଇରାଲ୍ ଭିଡିଓ ଦେଖିଲେ ଛାତି ଥରି ଉଠୁଛି । ଲୋମ ଟାଙ୍କୁରି ହୋଇଯାଉଛି । ଆକାଶକୁ ଛୁଇଁଲା ଭଳି ନିଆଁର ତାଉ ସାଙ୍ଗକୁ ପ୍ରବଳ ଧୂଆଁରେ ଚାରିଆଡ଼େ ହାହାକାର ସ୍ଥିତି । 

ହୁତୁହୁତୁ ହୋଇ ଜଳୁଥିବା ଏହି ଆପାର୍ଟମେଣ୍ଟର ପାଖକୁ ପାଖ ଲାଗି ରହିଥିଲା କିଛି ବିଲ୍ଡିଂ । ସେଥି ମଧ୍ୟରୁ ୮ଟି ବିଲଡିଂକୁ ନିଆଁ ବ୍ୟାପିଯାଇଥିଲା । ଯେଉଁଥିରେ ପ୍ରାୟ ୨୦୦୦ ଫ୍ଲାଟ ରହିଛି । ନିଆଁ ଲିଭା କାମରେ ୧୨୮ଟି ଫାୟାର ଟ୍ରକ୍ ଓ ୭୬୭ ଫାୟାର ଫାଇଟର ଲାଗିଛନ୍ତି । ଘଟଣାସ୍ଥଳରେ ୫୭ଟି ଆମ୍ବୁଲାନ୍ସ ନିୟୋଜିତ ରହିଛି । ତେବେ କେମିତି ନିଆଁ ଲାଗିଲା ତା’ର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । କିନ୍ତୁ ବାଉଁଶ ଓ ଜରିପାଲ ପାଇଁ ନିଆଁ ଗୋଟିଏ ଆପାର୍ଟମେଣ୍ଟରୁ ଅନ୍ୟ ଆପାର୍ଟମେଣ୍ଟକୁ ବ୍ୟାପିଥିବା ସ୍ପଷ୍ଟ ଜଣାପଡ଼ିଛି ।

Advertisment

ରାକ୍ଷସ ରୂପି ନିଆଁ ଜୀବନ ନେଇଛି, ପରିବାର ଉଜାଡିଛି । ସବୁ କିଛିକୁ ଛାରଖାର କରି ଏବେ ଲିଭିବା ଲିଭିବା ହେଉଛି । ପ୍ରଶାସନ ଓ ସରକାର ଉଦ୍ଧାର କାର୍ଯ୍ୟ ପାଇଁ ତତ୍ପରତା ଦେଖାଇଥିବାବେଳେ ଅକାଳରେ ଝଡ଼ିଯାଇଛି ଅନେକ ଜୀବନ । 

Advertisment