Advertisment

Capital Shocked: ରାଜଧାନୀରେ ସୈତାନ୍ ସାଜିଲେଣି ସୌଖିନ୍ କାର୍ ଚାଳକ, ଦିନକରେ ୩ ଥାର୍ ଆକ୍ସିଡେଣ୍ଟରେ ୪ ଜଣଙ୍କ ପ୍ରାଣହାନି

ରାଜଧାନୀ ରାଜରାସ୍ତାରେ ମୃତ୍ୟୁର ଦୂତ ସାଜିଛନ୍ତି ବେପରୁଆ ଗାଡ଼ି ଚାଳକ। ନା ଆଇନକାନୁନ୍ ପ୍ରତି ଭୟ, ନା ପୋଲିସକୁ ଡର। ସୌଖିନ୍ କାର୍ ଖଣ୍ଡେ ଖଣ୍ଡେ ଧରିବା ପରେ ମାନୁନାହାଁନ୍ତି ଇନ୍ଦ୍ରଚନ୍ଦ୍ର। ଗତକାଲି ୨୪ ଘଣ୍ଟା ଭିତରେ ତିନି ତିନିଟି ଥାର୍ କାର୍ ଦୁର୍ଘଟଣାରେ ଚାରିଟି ମୁଣ୍ଡ ଗଡ଼ିଛି ।

author-image
Tapan Swain
THAR-ACCIDENT

THAR-ACCIDENT Photograph: (OTV)

ସୌଖିନ୍ କାର୍ ଧରି ସୈତାନ୍ ସାଜୁଛନ୍ତି...ନିଜେ ତ ମରୁଛନ୍ତି, ଅନ୍ୟକୁ ବି ମାରୁଛନ୍ତି...କାର୍ ତ ନୁହେଁ, ସତେ ଯେମିତି ଏରୋପ୍ଲେନ୍ ଚଲାଉଛନ୍ତି ଗତକାଲି ୨୪ ଘଣ୍ଟା ଦ୍ରୁତଗତିରେ ମାଡ଼ି ଯାଇ ତିନି ତିନିଟି ଦୁର୍ଘଟଣା ଘଟାଇଲେ ୩ଟି ଥାରର ଚାଳକ...ଚାଲିଗଲା ଚାରି ଚାରିଟି ମୁଣ୍ଡ… ।

Advertisment

ବୁଧବାର ରାତି ପ୍ରାୟ ୯। ସ୍ଥାନ ଭୁବନେଶ୍ୱର ଖୋର୍ଦ୍ଧା ଜାତୀୟ ରାଜପଥ ଗଙ୍ଗପଡ଼ା। ଥାର୍ ଗାଡ଼ି ନମ୍ବର OD33AV9420। ରାସ୍ତା ଉପରେ ଷ୍ଟିଲ୍ ବୋଛେଇ ଟ୍ରେଲରକୁ ପଛପଟୁ ଜୋରରେ ଆସି ସିଧା ପିଟିଦେଲା କାର୍। ଛିନଛତ୍ର ହୋଇଗଲା ସବୁକିଛି। ବନେଟଠୁ ବଡ଼ି ଯାଏଁ ବରବାଦ୍ ହୋଇଯାଇଛି ନୂଆ ଥାର୍ କାରର। ରେଜିଷ୍ଟ୍ରେସନ୍ ନମ୍ବର କହୁଛି, କାରଟି ଗତ ୩ ତାରିଖରେ କିଣାଯାଇଥିଲା।

ଭୁବନେଶ୍ବରରୁ ଖୋର୍ଦ୍ଧା ଅଭିମୁଖେ ଯିବାବେଳେ ବେପରୁଆ ଡ୍ରାଇଭିଂ ଯୋଗୁ ଥାର୍ ପିଟିହୋଇଗଲା ଟ୍ରେଲର୍ ସହ। ଘଟଣାସ୍ଥଳରେ ହିଁ ଚାଲିଗଲା ଥାରରେ ବସିଥିବା ତିନି ଜଣଙ୍କ ଅମୂଲ୍ୟ ଜୀବନ। ଖୋର୍ଦ୍ଧା ମୁକୁନ୍ଦପ୍ରସାଦର କରନବୀର୍ ବେହେରା, ଭୁବନେଶ୍ବରରେ ରହୁଥିବା ରାଜସ୍ଥାନର ହର୍ଷ ରାଠି ଏବଂ ଦେବଗଡ଼ ଅଞ୍ଚଳର ଆଲେକ୍ସ ପ୍ରାଣ ହରାଇଥିବାବେଳେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଆଉ ଜଣେ ଯୁବକ। 
କେବଳ ଏହି ଥାର୍ ନୁହେଁ। ଗତକାଲି ୨୪ ଘଣ୍ଟା ଭିତରେ ଯୁବ ଡ୍ରାଇଭରଙ୍କ ଉଦ୍ଧତ ପଣିଆ ପାଇଁ ଅନ୍ୟ ଦୁଇଟି ଥାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଭୁବନେଶ୍ବର କ୍ୟାପିଟାଲ୍ ହସ୍ପିଟାଲ୍ ଛକରେ ବୁଲେଟକୁ ପିଟିଦେଇଥିଲା ଚାଳକ। ଯେଉଁଥିରେ ରାଜା ପେଦିନି ନାମକ ଜଣେ ଯୁବକଙ୍କ ଚାଲିଯାଇଥିଲା ଜୀବନ। ଏକାମ୍ର ବିହାର ଅଞ୍ଚଳର କିଲର୍ ଥାର୍ ଚାଳକ ଶୁଭମ୍ କୁମାର ଦାସଙ୍କୁ ଗିରଫ କରିଥିଲା ପୋଲିସ।

Advertisment

ଆଉ ଏକ ଥାର୍ ଚନ୍ଦକା ଅଞ୍ଚଳରେ ଏକ ଭେନ୍ୟୁ କାର୍ ସହ ପିଟି ହୋଇ ରାସ୍ତାରୁ ତଳକୁ ପଶିଯାଇଥିଲା। କେବଳ ଥାର୍ ନୁହେଁ, ନାମୀ ଦାମୀ ଅନ୍ୟ ବ୍ରାଣ୍ଡର କାର୍ ଧରି ମୃତ୍ୟୁର ଖେଳ ଖେଳୁଛନ୍ତି ନିର୍ଦ୍ଦିଷ୍ଟ ଯୁବ ଗୋଷ୍ଠୀ। ଗତ ବିଳମ୍ବିତ ରାତିରେ ସୁନ୍ଦରପଦା ରାସ୍ତାରେ ବାଇକ୍ ଆରୋହୀଙ୍କ ଉପରକୁ ଚାଳକ ସିଧା ଚଢ଼ାଇଦେଲା। ଫଳରେ ୨ ବାଇକ୍ ଆରୋହୀ ଏବଂ ନିଜେ କାର୍ ଚାଳକ ଗୁରୁତର ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଦ୍ରୁତଗତିରେ ପିଟୁଛନ୍ତି-ମରଣମୁହଁକୁ ଠେଲି ହେଉଛନ୍ତି

ସଉକ ପାଇଁ ହୁଏତ ସୌଖିନ୍ କାର୍ କିଣାଯାଇପାରେ, କିନ୍ତୁ ଦାୟିତ୍ବହୀନ ଡ୍ରାଇଭିଂ ପାଇଁ ହୋଇଯାଉଛି ସର୍ବନାଶ। ସଡ଼କ ସୁରକ୍ଷା ବିଶେଷଜ୍ଞଙ୍କ କହିବା କଥା, କେବଳ ଉନ୍ମତ୍ତ ଯୁବପିଢ଼ି ହିଁ କରୁଛନ୍ତି ବେପରୁଆ ଡ୍ରାଇଭିଂ।

ଜୋଶରେ ଆସି ହୋସ୍ ହରାଇ ବସୁଛନ୍ତି, ଡ୍ରାଇଭିଂ ସ୍କିଲ୍ ଅଭାବ ସତ୍ତ୍ବେ ରାଜରାସ୍ତାରେ ଅତ୍ୟାଧୁନିକ କାର୍ ଉଡ଼ାଉଛନ୍ତି ନିଶା ସେବନ ଅବସ୍ଥାରେ। ତେଣୁ ଯିଏ ସୌଖିନ କାର୍ କିଣୁଛନ୍ତି ଏବଂ ତାକୁ ଯିଏ ଚଲାଇବେ, ତାଙ୍କର ଡ୍ରାଇଭିଂ ଲାଇସେନ୍ସ ଅଛି ନା ନାହିଁ ଡିଲର୍ ଚେକ୍ କରି ଗାଡ଼ି ଡେଲିଭରି କରନ୍ତୁ। ପୋଲିସ ଓ ପରିବହନ ବିଭାଗ ବି ଏହି ଦିଗକୁ ଗୁରୁତ୍ୱ ଦିଅନ୍ତୁ ବୋଲି କହିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ। 

ଭୁବନେଶ୍ବରରେ ଗତ ୬ ମାସ ଭିତରେ ସ୍ପିଡ୍ ଡ୍ରାଇଭିଂ ଯୋଗୁ ସାତ ସାତଟି ଥାର୍ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାଇଛି ୬ ଜଣଙ୍କ ଜୀବନ। ଆହତ ବି ହୋଇଛନ୍ତି ବହୁ ଲୋକ। ତଥାପି ନା ଚେତା ପଶୁଛି, ନା ସଚେତନ ହେଉଛନ୍ତି ଚାଳକ।... 

Accident Death
Advertisment
Related Articles
Advertisment