Advertisment

Highway Horror: ଜାତୀୟ ରାଜପଥରେ ବାଲି ଟ୍ରାଜେଡି, ରାସ୍ତା ଉପରେ ପଡ଼ିଥିବା ବାଲି ନେଲା ଜୀବନ

ଦିନେ ଅନ୍ୟକୁ ଖବର ଦେଖାଉଥିଲେ...ସିଏ ଆଜି ନିଜେ ପାଲଟିଗଲେ ଖବର...ଦିନେ ନିଜର ରିପୋର୍ଟଂ ମାଧ୍ୟମରେ ସଡ଼କ ସୁରକ୍ଷାର କଥା କହୁଥିଲେ...ଆଜି ସିଏ ଅସୁରକ୍ଷିତ ସଡ଼କ ଉପରେ ମରଣ ମୁହଁକୁ ଠେଲି ହୋଇଗଲେ...ଆଉ ନାହାଁନ୍ତି ଲେଡ଼ି ଜର୍ଣ୍ଣାଲିଷ୍ଟ ଶୀଲା ପଟ୍ଟନାୟକ।

author-image
Tapan Swain
PIPILI-ACCIDENT

PIPILI-ACCIDENT Photograph: (OTV)

ରାଜରାସ୍ତାରେ ମଣିଷ ମାରିଲା ବାଲି। ବେପରୱା ଢଙ୍ଗରେ ଟିପର୍, ଟ୍ରକ୍ କିମ୍ବା ହାଇୱାରେ ନିଆଯାଉଥିବା ବାଲି NHରେ ଜମା ହୋଇଥିବାରୁ, ସେହି ବାଲିରେ ଖସିପଡ଼ିଲେ ଲେଡ଼ି ଜର୍ଣ୍ଣାଲିଷ୍ଟଙ୍କ ସହ ୨ ମହିଳା। ପରେ ତାଙ୍କ ଉପରେ ଚଢ଼ିଗଲା ଯାତ୍ରୀବାହୀ ବସ୍।

Advertisment

ସଡ଼କ ସୁରକ୍ଷା ମାସ ଚାଲିଥିବାବେଳେ ଏଭଳି ଦୁର୍ଘଟଣା ସହ ଅକାଳ ମୃତ୍ୟୁକୁ ନେଇ ବଢ଼ିଛି ଉଦବେଗ, ବର୍ଷିଛନ୍ତି ସାଧାରଣ ଜନତା। ତେଣେ ଦାୟିତ୍ବହୀନତାର ଅଠା ବୋଳିବା ପାଇଁ ଏନ୍ଏଚ୍ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଛି ମୁଣ୍ଡ ଖୋଜା।... 

ଦିନେ ଅନ୍ୟକୁ ଖବର ଦେଖାଉଥିଲେ...ସିଏ ଆଜି ନିଜେ ପାଲଟିଗଲେ ଖବର...ଦିନେ ନିଜର ରିପୋର୍ଟଂ ମାଧ୍ୟମରେ ସଡ଼କ ସୁରକ୍ଷାର କଥା କହୁଥିଲେ...ଆଜି ସିଏ ଅସୁରକ୍ଷିତ ସଡ଼କ ଉପରେ ମରଣ ମୁହଁକୁ ଠେଲି ହୋଇଗଲେ...ଆଉ ନାହାଁନ୍ତି ଲେଡ଼ି ଜର୍ଣ୍ଣାଲିଷ୍ଟ ଶୀଲା ପଟ୍ଟନାୟକ।

Advertisment

ଏକ ଘରୋଇ ଟିଭି ଚାନେଲର ସାମ୍ବାଦିକ ସାଜି ଖବରର ସ୍ବର ସାଜୁଥିଲେ ଯିଏ, ସିଏ ଆଜି ରାଜପଥ ଉପରେ ବିପଦଜନକ ଅବସ୍ଥାରେ ପଡ଼ିଥିବା ବାଲିରେ ସ୍କୁଟର ସହ ଖସି ଆଖିବୁଜିଲେ। ସ୍କୁଟର ପଛରେ ବସିଥିବା ଆଉ ଜଣେ ମହିଳା ମଧ୍ୟ ପ୍ରାଣ ହରାଇଲେ ଦୁର୍ଘଟଣାରେ। ଯାହାଙ୍କ ନାଁ ସିପିକା ନାୟକ। 

 ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବର କଳିଙ୍ଗନଗରରେ ରହୁଥିବା ଶୀଲା ଓ ଘାଟିକିଆର ସିପିକା କୌଣସି ଏକ ଜରୁରୀ କାମରେ ଏକାଠି ସ୍କୁଟରରେ ବାହାରିଥିଲେ ପୁରୀ ଅଭିମୁଖେ। ଉଭୟେ ପିନ୍ଧିଥିଲେ ହେଲମେଟ୍। ସ୍କୁଟର ଚଳାଉଥିଲେ ଶୀଲା। ସମୟ ପୂର୍ବାହ୍ନ ୧୧ଟାରୁ ୧୧ଟା ୪୫ ମିନିଟ୍। ପିପିଲି ମଙ୍ଗଳପୁର ଛକ ନିକଟରେ ଏନଏଚ୍ ମଝିରେ ଯମ ସାଜି ଚାରିଆଡ଼େ ବିଛାଇ ହୋଇ ଛକି ରହିଥିଲା ବାଲି। ଯେଉଁ ବାଲିରେ ହଠାତ୍ ଖସିଗଲା ସ୍କୁଟର।

ଘରୋଇ ବସ୍ ମାଡ଼ିଗଲା

ଫଳରେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ଶୀଲା ଓ ସିପିକା। ସେହି ସମୟରେ ପଛରୁ ଆସୁଥିବା ଏକ ଘରୋଇ ବସ୍ ମାଡ଼ିଗଲା ଉଭୟଙ୍କ ଉପରେ। ଦୁଇ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ମଙ୍ଗଳପୁର ମେଡ଼ିକାଲକୁ ନିଆଯାଇଥିଲା ସତ, କିନ୍ତୁ ମୃତ ଘୋଷଣା କଲେ ଡାକ୍ତର। ସେପଟେ ଦୁର୍ଘଟଣା ପରେ ବସକୁ ନେଇ ସତ୍ୟବାଦୀ ଥାନାରେ ଆତ୍ମସମର୍ପଣ କରିଥିଲେ ଡ୍ରାଇଭର୍।  

ଆଜି ମାତୃହରା ହୋଇଯାଇଛି ଶୀଲାଙ୍କ ଷଷ୍ଠଶ୍ରେଣୀରେ ପଢୁଥିବା ପୁଅ, ଉଜୁଡ଼ିଯାଇଛି ସିପିକାଙ୍କ ସୁନାର ସଂସାର। ଓଲଟ ପାଲଟ ହୋଇଯାଇଛି ସବୁକିଛି। ଏବେ ଏଭଳି ମୃତ୍ୟୁ ପାଇଁ ଦାୟୀ କିଏ ? ସବୁରି ମୁହଁରେ ସେହି ଗୋଟିଏ କଥା, ଅନବରତ ଏବଂ ବେପରୁଆ ଭାବେ ପରିବହନ ହେଉଥିବା ବାଲି ହିଁ ଦୁର୍ଘଟଣାର ମୂଳ କାରଣ। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ପ୍ରଶାସନ ହିଁ ଦାୟୀ।

ତେବେ ପୁରୀ NHରେ କୁଆଡୁ ଏତେ ବାଲି ଆସି ପଡ଼ିଲା ? ପୁରୀ-ଭୁବନେଶ୍ବର ରାସ୍ତାରେ ବେଧଡ଼କ୍ ଓଭରଲୋଡିଂ କରି ଚାଲାଣ ହେଉଛି କି ବାଲି ? କାହିଁକି ଏଥିପ୍ରତି NH କର୍ତ୍ତୃପକ୍ଷ କିମ୍ବା ସ୍ଥାନୀୟ ପ୍ରଶାସନର ନିଘା ନାହିଁ ? ଜାତୀୟ ରାଜପଥରୁ ବାଲି ଉଠାଇବା ଦାୟିତ୍ବ କାହାର ? ଏଭଳି ନାନା ପ୍ରଶ୍ନ ଉଠୁଥିବାବେଳେ ସାଧାରଣ ଜନତା ବି ବର୍ଷିଛନ୍ତି। 

ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି NHAIର ଅଧିକାରୀ। ପୁରୀ ଜିଲ୍ଲାପାଳ କହିଛନ୍ତି, ପରିବହନ ଅଧିକାରୀ ଏବଂ ତହସିଲଦାରଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତଦନ୍ତ ସହ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

ଚାଲିଛି ସଡ଼କ ସୁରକ୍ଷା ମାସ। ମୋଟର ଯାନ ଆଇନ ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରାଯିବା ସହ ଗାଡ଼ିର PUCCଠୁଁ ଆରମ୍ଭ କରି ଗ୍ରୀନ୍ ଷ୍ଟିକର ବ୍ୟବସ୍ଥା ପାଇଁ ଧାଁ ଦଉଡ଼ ଚାଲିଛି। ଏଭଳି ସ୍ଥିତିରେ ଅସୁରକ୍ଷିତ ସଡ଼କ ଉପରେ ଦୁଇ ମହିଳାଙ୍କ ମୂଲ୍ୟବାନ ଜୀବନ ଚାଲିଯିବା ପରେ କିଏ ଏବେ ଦାୟୀ ? କିଏ ଭୋଗିବେ କିପରି ଦଣ୍ଡ ? ସେନେଇ ବଢ଼ିଛି ଚର୍ଚ୍ଚା। 

ମୁଖ୍ୟମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ଶୋକ ପ୍ରକାଶ

ସେପଟେ ସାମ୍ବାଦିକା ଶୀଲା ପଟ୍ଟନାୟକଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିଜ ଏକ୍ସ ପେଜରେ ସେ ଲେଖିଛନ୍ତି, ଜଣେ ଦାୟିତ୍ବସମ୍ପନ୍ନ ସାମ୍ବାଦିକା ଭାବେ ଗଣମାଧ୍ୟମ ଜଗତରେ ଶୀଲାଙ୍କର  ସୁନାମ ରହିଥିଲା । ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦ୍ ଗତି କାମନା କରିବା ସହିତ, ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ...

ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଶୀଲାଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ୍ସରେ ବୈଜୟନ୍ତ ଲେଖିଛନ୍ତି, ଶୀଲାଙ୍କ ବିୟୋଗ ଖବର ଶୁଣି ସେ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଉତ୍କୃଷ୍ଟ ଅବଦାନ ପାଇଁ ଶୀଲା ଚିର ସ୍ମରଣୀୟ ହୋଇ ରହିବେ । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ..

Accident Death
Advertisment
Related Articles
Advertisment