Advertisment

Harsh Realities of the Online World: ନିଷ୍ଠୁର ଓ କ୍ରୁର ଡିଜିଟାଲ ଦୁନିଆ, ଉତ୍ତରଦାୟୀ ରହିବେ ଟେକ କମ୍ପାନୀ

କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । କିନ୍ତୁ ଆଜି ଯେତେବେଳେ ଏକ କମ୍ପାନୀ ତାଙ୍କୁ ନିଯୁକ୍ତି ଦେବା ପାଇଁ ଗୁଗଲରେ ତାଙ୍କ ନାମ ଖୋଜେ, ସେହି ପୁରୁଣା ଗିରଫଦାରୀର ଖବର ଶୀର୍ଷରେ ଚମକୁଥାଏ। ଏ ଡିଜିଟାଲ ଦୁନିଆ କୌଣସି କଥା ଭୁଲିବାକୁ ଦିଏ ନାହିଁ ।

author-image
Pragyan Paramita Behera
Digital Space Under Scrutiny

Digital Space Under Scrutiny Photograph: (OTV)

ଆଜିକାଲିର ଡିଜିଟାଲ ଦୁନିଆ ଯେତିକି ଚମତ୍କାର, ସେତିକି ନିଷୁର ଆଉ କ୍ରୁର । ସକାଳର ପହିଲି କିରଣ ସହିତ ଯେତେବେଳେ ଆମେ ଆମର ଫୋନ ଅନଲକ କରୁ, ସେତେବେଳେ କେବଳ ଏକ ଉପକରଣ ଖୋଲେନାହିଁ ବରଂ ଏପରି ଦୁନିଆରେ ଆମେ ଅଜାଣତରେ ପ୍ରବେଶ କରିଯାଉ, ଯାହା କେବେ ଶୁଏନାହିଁ ।

Advertisment

ବର୍ତ୍ତମାନ ସମୟରେ ଆମ ଜୀବନର ଏକ ବଡ଼ ଅଂଶ ଡିଜିଟାଲ ଦୁନିଆ ଚାରିପାଖେ ଘୂରିବୁଲେ କହିଲେ ଚଳେ । ଡିଜିଟାଲ ପଦଚିହ୍ନ ଜଣେ ବ୍ୟକ୍ତିଙ୍କ ବର୍ତ୍ତମାନର ଜୀବନକୁ ନକାରାତ୍ମକ ଭାବରେ ପ୍ରଭାବିତ କରିବାର କ୍ଷମତା ରଖେ ।

ଆମର ପରିଚୟ, ସମ୍ପର୍କ ଏବଂ ସାମାଜିକ ସ୍ଥିତି ବର୍ତ୍ତମାନ ଆମର ଡିଜିଟାଲ୍ ଫୁଟପ୍ରିଣ୍ଟ ଦ୍ୱାରା ନିର୍ଣ୍ଣୟ କରାଯାଏ । ହେଲେ ଅତି ପରିଚୟେ ଗୌରବ ନଷ୍ଟ ପରି ବେଳେବେଳେ ଡିଜିଟାଲ୍ ଫୁଟପ୍ରିଣ୍ଟ  ପାଇଁ ବର୍ତ୍ତମାନ ବୋଝ ପାଲଟିଯାଏ ।

Advertisment

ଧରିନିଅନ୍ତୁ, ଦଶ ବର୍ଷ ପୂର୍ବେ ଏକ ଛୋଟ ଅପରାଧରେ ଜଣେ ଯୁବକଙ୍କୁ କୋର୍ଟର ଚକ୍କର କାଟିବାକୁ ପଡ଼ିଥିଲା । ହେଲେ ପରେ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । କିନ୍ତୁ ଆଜି ଯେତେବେଳେ ଏକ କମ୍ପାନୀ ତାଙ୍କୁ ନିଯୁକ୍ତି ଦେବା ପାଇଁ ଗୁଗଲରେ ତାଙ୍କ ନାମ ଖୋଜେ, ସେହି ପୁରୁଣା ଗିରଫଦାରୀର ଖବର ଶୀର୍ଷରେ ଚମକୁଥାଏ। ଏ ଡିଜିଟାଲ ଦୁନିଆ କୌଣସି କଥା ଭୁଲିବାକୁ ଦିଏ ନାହିଁ ।

ଡିଜିଟାଲ୍ ମିଡିଆର ଅପବ୍ୟବହାର ଆଜି ମହାମାରୀ ପାଲଟିଯାଇଛି। ଫେକ ନ୍ୟୁଜ, ଟ୍ରୋଲିଂ ଏବଂ ସାଇବରବୁଲିଂ ଭର୍ଚୁଆଲ୍ ସ୍ପେସ ଏକ ଯୁଦ୍ଧକ୍ଷେତ୍ରରେ ପରିଣତ କରିଛି। ସବୁଠାରୁ ଭୟଙ୍କର ରୂପ ହେଉଛି, ଯେତେବେଳେ କାହାର ବ୍ୟକ୍ତିଗତ ସୂଚନା କିମ୍ବା ଫଟୋ ତାଙ୍କ ସମ୍ମତି ବିନା ସାର୍ବଜନୀନ କରାଯାଏ। ଏହାକୁ ଡକ୍ସିଂ କୁହାଯାଏ। ଏହା କେବଳ ପ୍ରଯୁକ୍ତିର ଅପବ୍ୟବହାର ନୁହେଁ ବରଂ ଜଣେ ବ୍ୟକ୍ତିଙ୍କ ସମ୍ମାନ ଉପରେ ସିଧାସଳଖ ଆକ୍ରମଣ।

ଥରେ ଆପତ୍ତିଜନକ ବିଷୟବସ୍ତୁ ଭାଇରାଲ୍ ହୋଇଗଲେ ଏହାକୁ ସମ୍ପୂର୍ଣ୍ଣ ଭାବରେ ଭୁଲିଯିବା କିମ୍ବା ଲିଭାଇବା ପ୍ରାୟ ଅସମ୍ଭବ ହୋଇଯାଏ। ଡିଜିଟାଲ୍ ଦୁନିଆରେ କୌଣସି ଜିନିଷ ସ୍ଥାୟୀ ଭାବରେ ମରେ ନାହିଁ; ଏହା କେବଳ ସମୟ ସମୟରେ ଦବିଯାଏ ଏବଂ ପୁନର୍ବାର ଦେଖାଯାଏ।

ଏହିଠାରେ ରାଇଟ ଟୁ ବି ଫରଗଟନ ଆକ୍ଟ ଆଶାର କିରଣ ପ୍ରଦାନ କରେ। କୌଣସି ବ୍ୟକ୍ତିର ପୁରୁଣା, ଅପ୍ରାସଙ୍ଗିକ କିମ୍ବା ଭୁଲ ଡିଜିଟାଲ୍ ରେକର୍ଡ ଅପସାରଣ କରିବାର ଅଧିକାର ରହିବା ଉଚିତ। ଏହି କ୍ଷେତ୍ରରେ ୟୁରୋପୀୟ ୟୁନିଅନର ଏକ ଆଇନ ଏକ ଉଦାହରଣ। ସେଠାରେ ଏକ ହାଇ-ପ୍ରୋଫାଇଲ୍ ମାମଲା ନିର୍ଣ୍ଣୟ କରିଥିଲା, ପ୍ରାସଙ୍ଗିକ ନଥିବା ସୂଚନାକୁ ସର୍ଚ୍ଚ ରେଜଲ୍ଟରୁ ଅପସାରଣ କରାଯିବା ଉଚିତ। ଏହି ଅଧିକାର ଭାରତରେ ମଧ୍ୟ ଲୋକପ୍ରିୟ ହୋଇଛି।

ସୁପ୍ରିମକୋର୍ଟ ପୁଟ୍ଟାସ୍ୱାମୀ ମାମଲାରେ ଗୋପନୀୟତାକୁ ମୌଳିକ ଅଧିକାର ଭାବରେ ସ୍ୱୀକୃତି ଦେଇଥିଲେ ମଧ୍ୟ ଭୁଲିଯିବାର ଅଧିକାର ଆଇନଗତ ଦ୍ୱନ୍ଦ୍ୱରେ ଘେରି ରହିଛି। ଦିଲ୍ଲୀ ହାଇକୋର୍ଟ ସ୍ୱୀକାର କରିଛନ୍ତି ଯେ କୌଣସି ବି ବ୍ୟକ୍ତ ନିଜର ଅତୀତର ଭୁଲ କିମ୍ବା ବିବାଦରୁ ଆଗକୁ ବଢ଼ିବାର ଅଧିକାର ଅଛି।

ଭାରତର ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ ୨୦୨୩ ନିଶ୍ଚିତ ଭାବରେ ଏହି ଦିଗରେ ଏକ ଉତ୍ତମ ପଦକ୍ଷେପ। ଏହି ନୂଆ ଆଇନ  ତଥ୍ୟ ଡିଲିଟ୍ କରିବାର ଅଧିକାର ପ୍ରଦାନ କରେ, କିନ୍ତୁ ଏଥିରେ ଅନେକ ପ୍ରତିବନ୍ଧକ ରହିଛି । କୌଣସି ବ୍ୟକ୍ତି ନିଜର ତଥ୍ୟ ଡିଲିଟ୍ କରିବାକୁ ଚାହିଁଲେ, ତାଙ୍କୁ ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ନ୍ୟାୟିକ ସ୍ୱଚ୍ଛତାର ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼େ । ଆମର ବର୍ତ୍ତମାନର ଆଇନରେ ଏକ ସ୍ପଷ୍ଟ ପ୍ରକ୍ରିୟାର ଅଭାବ ରହିଛି, ଯଦ୍ୱାରା ଟେକ୍ କମ୍ପାନୀଗୁଡ଼ିକୁ ଉତ୍ତରଦାୟୀ  କରାଯାଇପାରିବ ।

ଏହି ଜଟିଳ ସମୀକରଣରେ ଏବେ ପ୍ରବେଶ କରିଛି AI । ଏଆଇ ଦୁରୁପଯୋଗର ସବୁଠାରୁ ବୀଭତ୍ସ ରୂପ ହେଉଛି ଡିପଫେକ । ଆଜିକାଲି କୌଣସି ବି ସାଧାରଣ ଲୋକର ଚେହେରାରେ ଅଶ୍ଳୀଳ ଭିଡିଓ ଓ ଉତ୍ତେଜକ ଭାଷଣ ଯୋଡ଼ିବା ଯେପରି ପିଲାଖେଳ ହୋଇଯାଇଛି ।

ବର୍ତ୍ତମାନର ଏଆଇ ଆଲଗୋରିଦମ ଏତେ ଶକ୍ତିଶାଳୀ ଯେ ତାହା ବ୍ୟକ୍ତିର ମନର ଭାବକୁ ଆପେ ଆପେ ବୁଝିପାରି ଚାହିଁଥିବା ଦିଗରେ ନେଇଯିବ । ଘୃଣା ଭରି ରହିଥିବା କଣ୍ଟେଣ୍ଟରେ ଅଧିକ ଏନଗେଜମେଣ୍ଟ ଆସେ ଓ ଏଆଇ ଆଲଗୋରିଦମ ଏହାକୁ ପ୍ରୋତ୍ସାହିତ କରେ । ଆଉ ଏକ ଚେହେରା ଥିବା ଏଆଇ ସମାଜକୁ ଦୁଇଭାଗ କରୁଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଆଇ ହିଁ ଏହି ସମସ୍ୟାର ସମାଧାନ କରିପାରିବ ।

ଏଆଇ ଡିଜିଟାଲ ରକ୍ଷକ ହୋଇପାରିବ

ସଠିକ ଉଦ୍ଦେଶ୍ୟ ରଖି ବ୍ୟବହାର କଲେ ଏଆଇ ଡିଜିଟାଲ ରକ୍ଷକ ହୋଇପାରିବ ଓ କୌଣସି ସମସ୍ୟା ଉତ୍ପନ୍ନ ହେବନାହିଁ । ଯେଉଁ ଗତିରେ ଡିଜିଟାଲ ମିଡିଆରେ ଡାଟା ଅପଲୋଡ ହେଉଛି, ତାହାକୁ ଅନୁଶୀଳନ କରିବା ସାଧାରଣ ମନୁଷ୍ୟ ପକ୍ଷେ ଅସମ୍ଭବ । ଏଠାରେ  ଏଆଇ ଏକ ଫିଲ୍ଟର ଭାବରେ କାର୍ଯ୍ୟ କରିପାରିବ। ଏହା ଆପତ୍ତିଜନକ ବିଷୟବସ୍ତୁ, ଡିପ୍ ଫେକ୍ ଏବଂ ନକଲି ଖବର ପ୍ରସାରଣ ପୂର୍ବରୁ ଚିହ୍ନଟ ଏବଂ ଅବରୋଧ କରିପାରିବ। ରାଇଟ ଟୁ ବି ଫରଗଟନକୁ ଲାଗୁ କରିବାରେ ଏଆଇ ସହାୟକ ହୋଇପାରିବ ।

ଭାରତକୁ ରାଇଟ ଟୁ ବି ଫରଗଟନ ପାଇଁ ଏକ ଦୃଢ଼ ଢାଞ୍ଚା ବିକଶିତ କରିବାକୁ ପଡ଼ିବ। ଏହା କେବଳ କାଗଜପତ୍ରରେ ସୀମିତ ରହିବା ଉଚିତ୍ ନୁହେଁ । ଏହା ଏକ ଏପରି ବ୍ୟବସ୍ଥା ହେବା ଉଚିତ୍, ଯେଉଁଠାରେ କେବଳ ଗୋଟିଏ କ୍ଲିକ୍ ମାଧ୍ୟମରେ ଶୁଣାଣି କରାଯାଇପାରିବ।

ଏକ ସ୍ୱତନ୍ତ୍ର ଡିଜିଟାଲ୍ ଟ୍ରିବ୍ୟୁନାଲର ମଧ୍ୟ ଆବଶ୍ୟକତା ରହିଛି, ଯେଉଁଠାରେ ବୈଷୟିକ ବିଶେଷଜ୍ଞ ଏବଂ ଆଇନଗତ ବିଶେଷଜ୍ଞମାନେ ଶୀଘ୍ର ନିଷ୍ପତ୍ତି ନେବା ପାଇଁ ଏକାଠି କାମ କରିବେ। ନିର୍ଦ୍ଦେଶ ପାଇବା ପରେ ମଧ୍ୟ ତଥ୍ୟ ଡିଲିଟ୍ କରିବାରେ ବିଫଳ ହେଉଥିବା ପ୍ଲାଟଫର୍ମଗୁଡ଼ିକ ଉପରେ ଭାରୀ ଜରିମାନା ଲଗାଇବା ପାଇଁ ଡାଟା ପ୍ରୋଟେକ୍ସନ ବୋର୍ଡକୁ କ୍ଷମତା ଦିଆଯିବା ଉଚିତ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ହେଉଛି ଟେକ୍ କମ୍ପାନୀଗୁଡ଼ିକ ପାଇଁ ସ୍ୱଚ୍ଛତା ରିପୋର୍ଟକୁ ବାଧ୍ୟତାମୂଳକ କରିବା ଉଚିତ, ଯେଉଁଥିରେ ସେମାନେ କେତେ ଅନୁରୋଧ ଗ୍ରହଣ କରିଛନ୍ତି ଏବଂ କେତେ ପ୍ରତ୍ୟାଖ୍ୟାନ କରିଛନ୍ତି ତାହା ପ୍ରକାଶ କରାଯିବ। ଆମକୁ ଏକ ଡିଜିଟାଲ୍ ସଂସ୍କୃତି ବିକଶିତ କରିବାକୁ ପଡିବ ଯେଉଁଠାରେ ଆମେ ଅନ୍ୟମାନଙ୍କ ଗୋପନୀୟତାକୁ ସମ୍ମାନ ଦେବୁ।

ଆଇନ ତା'ର କାମ କରିବ, ଏଆଇ ତା'ର ଉନ୍ନତି କରିବ, କିନ୍ତୁ ଆମକୁ ବୁଝିବାକୁ ପଡିବ ଯେ ପ୍ରତ୍ୟେକ ବ୍ୟକ୍ତି ଦ୍ୱିତୀୟ ସୁଯୋଗ ପାଇବା ଉଚିତ। ଡିଜିଟାଲ୍ ଯୁଗରେ ଭୁଲିଯିବାର ଅଧିକାର ହେଉଛି ମାନବ ମର୍ଯ୍ୟାଦା ରକ୍ଷା କରିବାର ଏକ ପ୍ରୟାସ। ଯେପର୍ଯ୍ୟନ୍ତ  ଆମେ ପ୍ରଯୁକ୍ତିବିଦ୍ୟା ଏବଂ ଆଇନକୁ ମାନବୀୟ ସମ୍ବେଦନଶୀଳତା ସହିତ ଯୋଡ଼ିନାହାନ୍ତି, ସେପର୍ଯ୍ୟନ୍ତ ଡିଜିଟାଲ ଫାଶରୁ ମୁକୁଳିବା କଷ୍ଟକର । 

ବି.ଦ୍ର. - ଏହା ଲେଖିକାଙ୍କ ନିଜସ୍ୱ ମତ । 

Digital AI
Advertisment
Related Articles
Advertisment