Advertisment

Big Shake-Up Ahead: ‘ଦୁଇ କୋଚ୍’ ନୀତି ଆପଣାଇବ କି ବିସିସିଆଇ; ଟି-୨୦ ବିଶ୍ୱକପ୍ ପରେ ହୋଇପାରେ ବଡ଼ ପରିବର୍ତ୍ତନ

ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ କ୍ଲିନସୁଇପ୍ ହୋଇଛି ଟିମ୍ ଇଣ୍ଡିଆ । ଏହି ବିପର୍ଯ୍ୟୟ ପାଇଁ କଡ଼ା ସମାଲୋଚନାର ଶରବ୍ୟ ହୋଇଛନ୍ତି ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ।

author-image
Biswajit Mohanty
Team India

Team India Photograph: (OTV)

ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ କ୍ଲିନସୁଇପ୍ ହୋଇଛି ଟିମ୍ ଇଣ୍ଡିଆ । ଏହି ବିପର୍ଯ୍ୟୟ ପାଇଁ କଡ଼ା ସମାଲୋଚନାର ଶରବ୍ୟ ହୋଇଛନ୍ତି ମୁଖ୍ୟ କୋଚ୍ ଗୌତମ ଗମ୍ଭୀର । ଟି-୨୦ ବିଶ୍ୱକପ୍ ଶେଷ ହେବା ପରେ ଏହାକୁ ନେଇ ବଡ଼ ନିଷ୍ପତ୍ତି ନେବ କି ବିସିସିଆଇ? ଗମ୍ଭୀରଙ୍କ ଠାରୁ କାଢ଼ି ନିଆଯିବ କି ଟେଷ୍ଟ ଦାୟିତ୍ୱ? ବୋର୍ଡ ଆପଣାଇବ କି ‘ଦୁଇ କୋଚ୍’ ନୀତି?  
 
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ରେ କ୍ଲିନ୍ସୁଇପ୍ ହେବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏକ ପ୍ରଶ୍ନର ଉତ୍ତରରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ତାଙ୍କ ଭବିଷ୍ୟତ ସଂକ୍ରାନ୍ତ ନିଷ୍ପତ୍ତି ନେବ ବୋଲି କହିଥିଲେ ।  
ଏ କଥା କହିବା ବେଳେ ଗମ୍ଭୀର ବଡ଼ ଦମ୍ଭରେ ଯୁକ୍ତି ବାଢ଼ିଥିଲେ ଯେ ସେ ଟିମକୁ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ଦେଇଛନ୍ତି, ଯେଉଁଥିରେ ଚାମ୍ପିଅନ୍ସ ଟ୍ରଫି (ଦିନିକିଆ) ଓ ଏସିଆ କପ୍ (ଟି-୨୦) ବିଜୟ ଏବଂ ଇଂଲଣ୍ଡ ବିପକ୍ଷ ଡ୍ର’ ସିରିଜ୍ (ଟେଷ୍ଟ) ରହିଛି । ତାଙ୍କ ଉତ୍ତରରୁ ସ୍ପଷ୍ଟ ସଙ୍କେତ ମିଳୁଛି ଯେ ଯେତେ ସମାଲୋଚନା ହେଉ ପଛେ ସେ ନିଜଆଡ଼ୁ କୌଣସି ଫର୍ମାଟରେ ଦାୟିତ୍ୱରୁ ଅବ୍ୟାହତି ନେବେ ନାହିଁ ।

Advertisment

ଗମ୍ଭୀର ହ୍ୱାଇଟ୍ ବଲରେ ପାସ୍, ରେଡ୍ ବଲରେ ଫେଲ୍

ଗମ୍ଭୀର ଗତ ବର୍ଷ ଅଗଷ୍ଟରେ ରାହୁଲ ଦ୍ରାବିଡ଼ଙ୍କ ସ୍ଥାନରେ ସବୁ ଫର୍ମାଟ୍ ପାଇଁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହୋଇଥିଲେ । ସେବେଠାରୁ ଏ ଯାବତ ତାଙ୍କ କୋଚିଂ ରେକର୍ଡକୁ ବିଶ୍ଳେଷଣ କଲେ, ହ୍ୱାଇଟ୍ ବଲ୍ ଓ ରେଡ୍ ବଲ୍ ଫର୍ମାଟରେ ବଡ଼ ତାରତମ୍ୟ ଦେଖିବାକୁ ମିଳେ । ଦିନିକିଆ ଓ ଟି-୨୦ ଆନ୍ତର୍ଜାତିକ ଟିମର କୋଚ୍ ଭାବେ ତାଙ୍କ ପ୍ରଦର୍ଶନ ପ୍ରଭାବଶାଳୀ ଥିବା ବେଳେ ଟେଷ୍ଟ ପ୍ରଦର୍ଶନ ଦୁର୍ବଳ ରହିଛି ।

ତାଙ୍କ କାର୍ଯ୍ୟକାଳରେ ଦିନିକିଆରେ ଭାରତୀୟ ଟିମ୍ ପ୍ରଥମେ ଶ୍ରୀଲଙ୍କା ଗସ୍ତରେ ୦-୨ରେ ସିରିଜ୍ ହାରିଥିଲା, ଯେଉଁଥିରେ ଗୋଟିଏ ମ୍ୟାଚ୍ ଟାଇ ରହିଥିଲା । ଏହାପରେ ଟିମ୍ ୨୦୨୫ ଚାମ୍ପିଅନ୍ସ ଟ୍ରଫିର ପାଞ୍ଚ ମ୍ୟାଚ୍ ସମେତ କ୍ରମାଗତ ଆଠ ମ୍ୟାଚ୍ ଜିତିଥିଲା ।
ମୁଖ୍ୟ କୋଚ୍ ଭାବେ ଗମ୍ଭୀର ଦିନିକିଆରେ ଏ ଯାବତ (ଡିସେମ୍ବର ୩ ସୁଦ୍ଧା) ୧୬ରୁ ୧୦ ମ୍ୟାଚ୍ ଜିତାଇଥିବା ବେଳେ ଟିମ୍ ପାଞ୍ଚ ମ୍ୟାଚ୍ ହାରିଛି ଏବଂ ଗୋଟିଏ ଟାଇ ରହିଛି, ଯାହା ଫଳରେ ତାଙ୍କ ବିଜୟ ପ୍ରତିଶତ ୬୨.୫୦ ଅଛି ।

Advertisment

ରୋହିତ ଶର୍ମା ଓ ବିରାଟ କୋହଲି ଟି-୨୦ ଆନ୍ତର୍ଜାତିକରୁ ଅବସର ନେବା ପରେ ଟିମ୍ ଇଣ୍ଡିଆ ସୂର୍ଯ୍ୟକୁମାର ଯାଦବଙ୍କ ନୂଆ ନେତୃତ୍ୱରେ ଶ୍ରୀଲଙ୍କା ଠାରେ ଖେଳିଥିବା ଟି-୨୦ ସିରିଜକୁ ୩-୦ରେ କ୍ଲିନସୁଇପ୍ କରିଥିଲା । ଏହି ସିରିଜକୁ ମୁଖ୍ୟ କୋଚ୍ ଭାବେ ଗମ୍ଭୀରଙ୍କ କାର୍ଯ୍ୟକାଳ ସକାରାତ୍ମକ ଢଙ୍ଗରେ ଆରମ୍ଭ ହୋଇଥିଲା । ଏହା ପରବର୍ତ୍ତୀ ୧୯ ଟି-୨୦ ମ୍ୟାଚ୍ ମଧ୍ୟରୁ ଟିମ୍ ମାତ୍ର ଦୁଇ ଥର ହାରିଥିଲା ।

ତାଙ୍କ କାର୍ଯ୍ୟକାଳରେ ଟିମ୍ ୨୨ ଟି-୨୦ ମ୍ୟାଚ୍ ଖେଳିଥିବା ବେଳେ ୨୦ରେ ବିଜୟ (ଏସିଆ କପ୍ ମ୍ୟାଚ୍ ସମେତ) ହାସଲ କରିଛି ଏବଂ ତାଙ୍କ ସଫଳତା ପ୍ରତିଶତ ୯୦.୯୦ ରହିଛି ।
କିନ୍ତୁ ଟେଷ୍ଟ କୋଚ୍ ଭାବରେ ଗମ୍ଭୀରଙ୍କ ରେକର୍ଡ ନୈରାଶ୍ୟଜନକ ରହିଛି । ଟିମ୍ ୧୯ରୁ ୭ ଟେଷ୍ଟ ଜିତିଥିବା ବେଳେ ୧୦ ମ୍ୟାଚ୍ ହାରିଛି ଏବଂ ଅନ୍ୟ ଦୁଇ ମ୍ୟାଚ୍ ଡ୍ର’ ରହିଛି । ଏଥିରେ ତାଙ୍କ ବିଜୟ ପ୍ରତିଶତ ମାତ୍ର ୩୬.୮୪ ରହିଛି ।
ତାଙ୍କ କାର୍ଯ୍ୟକାଳରେ ଟିମ୍ ଇଣ୍ଡିଆ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୦-୩ରେ କ୍ଲିନ୍ସୁଇପ୍ ହୋଇଥିଲା । ଏହାପରେ ଅଷ୍ଟ୍ରେଲିଆରେ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିରେ ୧-୩ରେ ସିରିଜ୍ ହାରିଥିଲା ।

ଏହି ଦୁଇ ବିଫଳତା ଯୋଗୁଁ ଟିମ୍ ପ୍ରଥମ ଥର ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲ୍ୟୁଟିସି) ଫାଇନାଲରେ ପହଞ୍ଚିପାରି ନ ଥିଲା । ଟିମ୍ ଏବେ ଘରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ମଧ୍ୟ କ୍ଲିନସୁଇପ୍ (୦-୨) ହୋଇଛି ।

ଗମ୍ଭୀରଙ୍କ କୋଚିଂରେ ଭାରତୀୟ ଟେଷ୍ଟ ଟିମ୍ ଦୁଇ ନିମ୍ନ ମାନ୍ୟତାଧାରୀ - ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨-୦ରେ ସିରିଜ୍ କ୍ଲିନସୁଇପ୍ କରିଥିଲା । ଏହାଛଡ଼ା ଇଂଲଣ୍ଡ ଗସ୍ତରେ ନୂଆ ଅଧିନାୟକ ଶୁବମନ ଗିଲଙ୍କ ନେତୃତ୍ୱରେ ଟିମ୍ ୨-୨ରେ ସିରିଜକୁ ଡ୍ର’ ରଖିଥିଲା । ତେବେ ତାଙ୍କ କାର୍ଯ୍ୟକାଳରେ ଟିମ୍ ନିଜ ମାଟିରେ ଦୁଇ ଥର କ୍ଲିନସୁଇପ୍ ହେବା ଅଧିକ ଚିନ୍ତାର ବିଷୟ ।

ଆକ୍ରମଣାତ୍ମକ ଦୃଷ୍ଟିକୋଣ, ଟର୍ଣ୍ଣିଂ ପିଚ୍ ଦାବି, ଚୂଡ଼ାନ୍ତ ଏକାଦଶ ଚୟନରେ ଦ୍ୱନ୍ଦ୍ୱାତ୍ମକ ନିଷ୍ପତ୍ତି, ଅଲରାଉଣ୍ଡରଙ୍କୁ ଅଗ୍ରାଧିକାର, ବ୍ୟାଟିଂ କ୍ରମକୁ ନେଇ ପରୀକ୍ଷାନିରୀକ୍ଷା ଭଳି କାରଣ ଯୋଗୁଁ ଗମ୍ଭୀର ଟେଷ୍ଟରେ ବିଫଳ ହେଉଛନ୍ତି ।

ଟି-୨୦ ବିଶ୍ୱକପ୍ ଶେଷ ଯାଏଁ ଅପେକ୍ଷା କରିବ କି ବିସିସିଆଇ

କେତେକ ଟେଷ୍ଟ ସିରିଜରେ ଖରାପ ପ୍ରଦର୍ଶନ ଯୋଗୁଁ ରୋହିତ ଶର୍ମା, ବିରାଟ କୋହଲିଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ଟେଷ୍ଟ କ୍ୟାରିଅର୍ ଶେଷ ହୋଇଯାଇଥିଲା । ଏହା ଗମ୍ଭୀରଙ୍କ କାର୍ଯ୍ୟକାଳରେ ହୋଇଥିବାରୁ ମୁଖ୍ୟ କୋଚ୍ ଭାବେ ତାଙ୍କ ପାଇଁ ମଧ୍ୟ ଟେଷ୍ଟ ବିପର୍ଯ୍ୟୟ ମହଙ୍ଗା ପଡ଼ିବ ବୋଲି ଚର୍ଚ୍ଚା ହେଉଛି ।

ସାମ୍ବାଦିକ ସମ୍ମିଳନୀରେ ଗମ୍ଭୀର ଯେଉଁ ଉତ୍ତର ଦେଇଥିଲେ, ପୁଣି ସେଠିକି ଫେରିବା - ବିସିସିଆଇ ତାଙ୍କ ଭବିଷ୍ୟତ ସଂକ୍ରାନ୍ତ ନିଷ୍ପତ୍ତି ନେବ ।
ଦକ୍ଷିଣ ଆଫ୍ରିକା ବିପକ୍ଷ ସଦ୍ୟତମ ଟେଷ୍ଟ ବିପର୍ଯ୍ୟୟ ପରେ ପାରମ୍ପରିକ ଫର୍ମାଟରେ ଗମ୍ଭୀରଙ୍କ କୋଚିଂକୁ ନେଇ ଅନେକ ପୂର୍ବତନ କ୍ରିକେଟରଙ୍କ ଠାରୁ ନେଇ ପ୍ରଶଂସକଙ୍କ ପର୍ଯ୍ୟନ୍ତ - କଡ଼ା ସମାଲୋଚନା କରିଛନ୍ତି, ହେଲେ ବିସିସିଆଇର ଏକ ସୂତ୍ରରୁ ପ୍ରକାଶ ପାଇଛି ଯେ ବିଫଳତା ସତ୍ତ୍ୱେ ଗମ୍ଭୀର ୨୦୨୭ ବିଶ୍ୱକପ୍ ଯାଏଁ ସବୁ ଫର୍ମାଟରେ ମୁଖ୍ୟ କୋଚ୍ ପଦବୀ ବଜାୟ ରଖିବେ ।

ତେବେ ଏହା ଆନୁଷ୍ଠାନିକ ବିବୃତି ନୁହେଁ । ଯଦି ଏହା ସତ, ତା’ହେଲେ ପ୍ରଶ୍ନ ଉଠୁଛି ଯେ ଏହା ନିଃସର୍ତ୍ତ କ୍ଲିନଚିଟ୍ ନା ସର୍ତ୍ତମୂଳକ?
ଗମ୍ଭୀରଙ୍କୁ ଏଇଥିପାଇଁ କ୍ଲିନଚିଟ୍ ଦିଆଯାଇ ଥାଇପାରେ ଯେ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୀମିତ ଓଭର୍ ଶୃଙ୍ଖଳା ଚାଲିଛି । ଦୁଇ ମାସ ପରେ ଟି-୨୦ ବିଶ୍ୱକପ୍ ହେବ । ବଡ଼ ପଦକ୍ଷେପ ନିଆଯିବାର ଏହା ପ୍ରକୃଷ୍ଟ ସମୟ ନୁହେଁ ।

ତେବେ ଗମ୍ଭୀରଙ୍କୁ ପରଖିବା ପାଇଁ ଆଉ ଏକ ଟେଷ୍ଟ ସିରିଜ୍ ଯାଏଁ ଅପେକ୍ଷା କରାଗଲେ ହୁଏତ ବିଳମ୍ବ ହୋଇଯିବ, କାରଣ ଡବ୍ଲ୍ୟୁଟିସି ଅନ୍ତର୍ଗତ ଭାରତର ପରବର୍ତ୍ତୀ ଟେଷ୍ଟ ସିରିଜ୍ ଆଠ ମାସ ପରେ ଅର୍ଥାତ୍ ୨୦୨୬ ଅଗଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ହେବ । ଏହାପରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ଓ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ୍ ରହିଛି ।

ଚଳିତ ଚକ୍ରରେ ଟିମ୍ ଇଣ୍ଡିଆ ତା’ର ୧୮ ଟେଷ୍ଟରୁ ୯ ମ୍ୟାଚ୍ ଖେଳିସାରିଲାଣି । ସେଥିମଧ୍ୟରୁ ଟିମ୍ ଚାରି ଟେଷ୍ଟ ଜିତିଥିବା ବେଳେ ଚାରି ମ୍ୟାଚ୍ ହାରିଛି ଏବଂ ଅନ୍ୟ ଏକ ମ୍ୟାଚ୍ ଡ୍ର’ ରହିଛି । ଦକ୍ଷିଣ ଆଫ୍ରିକା ଠାରୁ ଉଭୟ ମ୍ୟାଚ୍ ହାରିବା ପରେ ଟିମର ଫାଇନାଲ୍ ପଥ ଦୁର୍ଗମ ହୋଇଯାଇଛି ।

ଏପରି ସ୍ଥଳେ ଆସନ୍ତା ବର୍ଷ ଫେବ୍ରୁଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପରେ ବୋର୍ଡ ମୁଖ୍ୟ କୋଚ୍ ଓ ତାଙ୍କ କୋଚିଂ ଟିମକୁ ନେଇ ବଡ଼ ନିଷ୍ପତ୍ତି ନେଇପାରେ । ସେ ନିଷ୍ପତ୍ତି କ’ଣ ହେବ, ତାହା ଟୁର୍ଣ୍ଣାମେଣ୍ଟର ଫଳାଫଳ ଉପରେ ନିର୍ଭର କରିବ ।

ଯଦି ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପରେ ଚାମ୍ପିଅନ୍ ହେବ, ତା’ହେଲେ ବୋର୍ଡ ଗମ୍ଭୀରଙ୍କ ଉପରେ ସବୁ ଫର୍ମାଟ୍ ପାଇଁ ପୁନର୍ବାର ଭରସା କରିପାରେ, କାରଣ ସେତେବେଳକୁ ବାତାବରଣ ସକାରାତ୍ନକ ଥିବ ।

କିନ୍ତୁ ଯଦି ଟିମ୍ ଭାରତୀୟ ଉପମହାଦେଶରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ବିଫଳ ହୁଏ, ତା’ହେଲେ ବାତାବରଣରେ ନକାରାତ୍ମକତା ବଢ଼ିଯିବ । ସେଭଳି ସ୍ଥିତିରେ ଗମ୍ଭୀର ଓ ତାଙ୍କ କୋଚିଂ ଟିମ୍ ବିରୋଧରେ କଡ଼ା ପଦକ୍ଷେପ ନିଆଯାଇପାରେ ।

ସେତେବେଳକୁ ଦିନିକିଆ ବିଶ୍ୱକପକୁ ଦେଢ଼ ବର୍ଷରୁ ଅଧିକ ସମୟ ବାକି ଥିବ ।  ବୋର୍ଡ ପାଖରେ ଦୁଇ ବିକଳ୍ପ ରହିବ - ମୁଖ୍ୟ କୋଚ୍ ଗମ୍ଭୀରଙ୍କୁ ସବୁ ଫର୍ମାଟରୁ ବିଦା କରି ନୂଆ କୋଚ୍ ନିଯୁକ୍ତ କରିବା ଅଥବା ତାଙ୍କ ଠାରୁ କେବଳ ଟେଷ୍ଟ ଦାୟିତ୍ୱ କାଢ଼ିନେବା । ତେବେ ଦ୍ୱିତୀୟ ବିକଳ୍ପ ଆପଣାଯିବାର ସମ୍ଭାବନା ଅଧିକ ।

ଯଦି ଗମ୍ଭୀରଙ୍କ ଠାରୁ ଟେଷ୍ଟ ଦାୟିତ୍ୱ କାଢ଼ି ନିଆଯିବ, ତା’ହେଲେ ସୀମିତ ଓଭର୍ ଓ ଟେଷ୍ଟ ପାଇଁ ଭିନ୍ନ ଭିନ୍ନ କୋଚ୍ ରହିବେ । ଭାରତୀୟ କ୍ରିକେଟ୍ ଇତିହାସରେ ଫର୍ମାଟ୍ ଭିତ୍ତିରେ ‘ଦୁଇ କୋଚ୍’ ନିଯୁକ୍ତି ନୀତି ଦେଖିବାକୁ ମିଳେ ନାହିଁ, ହେଲେ ଆବଶ୍ୟକ ସ୍ଥଳେ ବୋର୍ଡକୁ ସେଭଳି ପଦକ୍ଷେପ ନେବାକୁ ପଡ଼ିପାରେ । ସେତେବେଳ ଯାଏଁ ଟେଷ୍ଟ ବିପର୍ଯ୍ୟୟ ପ୍ରସଙ୍ଗ ଶୀତଳ ଭଣ୍ଡାରରେ ରହିବ ।

Team India Cricket
Advertisment
Related Articles
Advertisment