/odishatv-khabar/media/media_files/2026/03/08/t-20-world-cup-2026-03-08-08-49-17.jpg)
T-20 World Cup Photograph: (OTV)
ମାର୍ଚ୍ଚ ୮ରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ବିଶ୍ୱକପ୍ ଫାଇନାଲ୍ ଜିତି ନୂଆ ଇତିହାସ ରଚିବ କି ଟିମ୍ ଇଣ୍ଡିଆ? ଭାଙ୍ଗିବ କି ପରମ୍ପରା? ବିଶ୍ୱବିଜୟୀ ଅଧିନାୟକଙ୍କ ତାଲିକାରେ ସାମିଲ୍ ହେବେ କି ସୂର୍ଯ୍ୟକୁମାର?
ମାର୍ଚ୍ଚ ୮ରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଯଦି ଟିମ୍ ଇଣ୍ଡିଆ ବିଜୟ ହାସଲ କରେ, ତା’ହେଲେ କ୍ଷୁଦ୍ରତମ ଫର୍ମାଟ୍ର ଇତିହାସରେ ଭାରତୀୟ ଆଧିପତ୍ୟର ନୂଆ ଅଧ୍ୟାୟ ଯୋଡ଼ାହେବ, ପରମ୍ପରା ଭାଙ୍ଗିବ ଓ ଇତିହାସ ବଦଳିବ ।
ଟି-୨୦ ବିଶ୍ୱକପ୍ର ଫାଇନାଲ୍ରେ ନ୍ୟୁଜିଲାଣ୍ଡକୁ ହରାଇଲେ, ଭାରତ ମୁଖ୍ୟତଃ ତିନି ଉପଲବ୍ଧି ହାସଲ କରିବ । ପ୍ରଥମ, ଟୁର୍ଣ୍ଣାମେଣ୍ଟ୍ ଇତିହାସରେ ସର୍ବାଧିକ ତିନି ମୁକୁଟ ଜିତିବ । ଦ୍ୱିତୀୟ, ପ୍ରଥମ ଟିମ୍ ଭାବେ କ୍ରମାଗତ ଦ୍ୱିତୀୟ ଥର ଚାମ୍ପିଅନ୍ ହେବ । ତୃତୀୟ, ଆୟୋଜକ ଭାବେ ମୁକୁଟ ଜିତିବାରେ ପ୍ରଥମ ଦେଶ ହେବ ।
୨୦୨୪ ଟି-୨୦ ବିଶ୍ୱକପ୍ ବିଜୟ ଠାରୁ ଏ ଯାବତ ଏହି ଫର୍ମାଟ୍ରେ ଭାରତର ଆଧିପତ୍ୟ ରହିଆସିଛି । ଟି-୨୦ ଆନ୍ତର୍ଜାତିକରୁ ରୋହିତ ଓ ବିରାଟଙ୍କ ଅବସର ପରେ ସୂର୍ଯ୍ୟକୁମାର ଯାଦବ ଯୁବ ଖେଳାଳିମାନଙ୍କର ସଫଳ ନେତୃତ୍ୱ ନେଇଆସୁଛନ୍ତି, ଯେଉଁଥିରେ ଅନେକ ଦ୍ୱିପାକ୍ଷିକ ସିରିଜ୍ ଓ ଏସିଆ କପ୍ ବିଜୟ ରହିଛି ।
କିନ୍ତୁ ବିଶ୍ୱବିଜୟ ପରେ ହିଁ ସେହି ଆଧିପତ୍ୟରେ ପୂର୍ଣ୍ଣତା ଆସିବ । ସୂର୍ଯ୍ୟକୁମାର ଓ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏ କଥା ଭଲ ଭାବେ ଜାଣନ୍ତି । ଅତଏବ, ଉଭୟଙ୍କ ପାଇଁ ଫାଇନାଲ୍ ମ୍ୟାଚ୍ ଅଗ୍ନିପରୀକ୍ଷା ହେବ ।
ଭାରତ ୨୦୦୭ ଓ ୨୦୨୪ରେ ଯଥାକ୍ରମେ ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟି-୨୦ ବିଶ୍ୱକପ୍ ଜିତିଥିଲା । ଏହି ଗୌରବମୟ ତାଲିକାରେ ସାମିଲ୍ ହେବାଠାରୁ ସୂର୍ଯ୍ୟକୁମାର ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି । ଅନ୍ୟପଟେ, ନ୍ୟୁଜିଲାଣ୍ଡ ପ୍ରଥମ ମୁକୁଟ ଲକ୍ଷ୍ୟରେ ଅଛି । ଟି-୨୦ ବିଶ୍ୱକପ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଚତୁର୍ଥ ଥର ଓ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଥର ଫାଇନାଲ୍ ଖେଳିବ ।
ଯଦି ଭାରତ ଫାଇନାଲ୍ ମ୍ୟାଚ୍ ହାରିଯାଏ, ତା’ହେଲେ ତାହା ଟିମ୍ର ବଡ଼ ବିଫଳତାକୁ ଦର୍ଶାଇବ ନାହିଁ; କିନ୍ତୁ ଏକ ବିରଳ ସୁଯୋଗ ହାତଛଡ଼ା ହେବ । ଟିମ୍ ପରବର୍ତ୍ତୀ ବିଶ୍ୱକପ୍ ଜିତି ସର୍ବାଧିକ ତିନି ଥର ଚାମ୍ପିଅନ୍ ହୋଇପାରିବ, ହେଲେ କ୍ରମାଗତ ଓ ନିଜ ମାଟିରେ ମୁକୁଟ ଜିତିବାର ଉପଲବ୍ଧି ହାସଲ ପାଇଁ ହୁଏତ ଅନେକ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ।
କ’ଣ କହୁଛି ଟି-୨୦ ରେକର୍ଡ
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏ ଯାବତ ଖେଳାଯାଇଥିବା ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଆଗରେ ଥିଲେ ବି ଆଇସିସି ଇଭେଣ୍ଟରେ କିୱି ଟିମ୍ ଭାରତ ପାଇଁ ଚାଲେଞ୍ଜ୍ ରହିଆସିଛି ।
ଟି-୨୦ ଆନ୍ତର୍ଜାତିକରେ ଦୁଇ ଟିମ୍ ମଧ୍ୟରେ ୩୦ ମ୍ୟାଚ୍ ଖେଳାଯାଇଛି । ସେଥିମଧ୍ୟରୁ ଭାରତ ୧୮ ମ୍ୟାଚ୍ ଜିତିଛି, ଯେଉଁଥିରେ ଦୁଇ ସୁପର୍ ଓଭର୍ ବିଜୟ ରହିଛି । ସେହିପରି ନ୍ୟୁଜିଲାଣ୍ଡ ୧୧ ମ୍ୟାଚ୍ ଜିତିଛି । ଅନ୍ୟ ଏକ ମ୍ୟାଚ୍ ଟାଇ ରହିଛି । ଘରୋଇ ଗ୍ରାଉଣ୍ଡରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୬ରୁ ୧୧ ମ୍ୟାଚ୍ ଜିତିଛି ।
କିନ୍ତୁ ଟି-୨୦ ବିଶ୍ୱକପ୍ରେ ଭିନ୍ନ କାହାଣୀ ଦେଖିବାକୁ ମିଳେ । ଟୁର୍ଣ୍ଣାମେଣ୍ଟର ଇତିହାସରେ ଉଭୟ ଟିମ୍ ମଧ୍ୟରେ ଏ ଯାବତ ମାତ୍ର ତିନି ମ୍ୟାଚ୍ ଆୟୋଜିତ ହୋଇଛି ଏବଂ ନ୍ୟୁଜିଲାଣ୍ଡ ସମସ୍ତ ମ୍ୟାଚ୍ ଜିତିଛି ।
ଟି-୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ନ୍ୟୁଜିଲାଣ୍ଡ ଟିମ୍ ଭାରତ ଗସ୍ତରେ ଆସି ପାଞ୍ଚ ମ୍ୟାଚ୍ର ଟି-୨୦ ସିରିଜ୍ ଖେଳିଥିଲା । ଏଥିରେ ଭାରତ ୪-୧ରେ ବିଜୟୀ ହୋଇଥିଲା । ଏହା ସୂର୍ଯ୍ୟକୁମାରଙ୍କ ଟିମ୍ ପାଇଁ ଏକ ସକାରାତ୍ମକ ପକ୍ଷ ।
ଫାଇନାଲ୍ ପାଇଁ ଭାରତ କେତେ ପ୍ରସ୍ତୁତ
୨୦୨୪ ଟି-୨୦ ବିଶ୍ୱକପ୍ ବିଜୟ ଠାରୁ ଚଳିତ ସଂସ୍କରଣର ପୂର୍ବ ଯାଏଁ ଟିମ୍ ଇଣ୍ଡିଆ କ୍ଷୁଦ୍ରତମ ଫର୍ମାଟ୍ରେ ୩୨ ମ୍ୟାଚ୍ ଜିତିଥିବା ବେଳେ ମାତ୍ର ୫ ମ୍ୟାଚ୍ରେ ପରାଜିତ ହୋଇଥିଲା । ଏହି ସମୟ ମଧ୍ୟରେ କୌଣସି ଟିମ୍ ଭାରତକୁ ଦ୍ୱିପାକ୍ଷିକ ସିରିଜ୍ରେ ହରାଇପାରି ନ ଥିôଲେ କି କ୍ରମାଗତ ଦ୍ୱିତୀୟ ଏସିଆ କପ୍ ମୁକୁଟ ବିଜୟରୁ ବଞ୍ଚିତ କରିପାରି ନ ଥିଲେ ।
ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ମୁକୁଟର ମୁଖ୍ୟ ଦାବିଦାର ଥିଲା । କିନ୍ତୁ ସେମିଫାଇନାଲ୍ ମ୍ୟାଚ୍ ନ୍ୟୁଜିଲାଣ୍ଡ ପାଇଁ ଆଶା ସଞ୍ଚାର କରିଛି । ଏହାସତ୍ତ୍ୱେ ଆୟୋଜକ ଟିମ୍ ଫେଭରିଟ୍ ରହିବ । ଟି-୨୦ ଆନ୍ତର୍ଜାତିକ ଟିମ୍ ମାନ୍ୟତାରେ ଭାରତ ପ୍ରଥମ ସ୍ଥାନରେ ଥିବା ବେଳେ ନ୍ୟୁଜିଲାଣ୍ଡ ଚତୁର୍ଥ ସ୍ଥାନରେ ରହିଛି ।
ଟିମ୍ ଇଣ୍ଡିଆ ମୁମ୍ବାଇଠାରେ ଖେଳାଯାଇଥିବା ରୋମାଞ୍ଚକ ସେମିଫାଇନାଲ୍ରେ ଇଂଲଣ୍ଡକୁ ୭ ରନ୍ରେ ହରାଇ କ୍ରମାଗତ ଦ୍ୱିତୀୟ ଥର ଟି-୨୦ ବିଶ୍ୱକପ୍ର ଫାଇନାଲ୍ରେ ପ୍ରବେଶ କରିଛି । ଏଥିରେ ଭାରତୀୟ ଓପନର୍ ସଞ୍ଜୁ ସାମ୍ସନ୍ କ୍ରମାଗତ ଦ୍ୱିତୀୟ ଥର ଦମ୍ଦାର ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ । କିନ୍ତୁ ଟିମ୍ର ବୋଲିଂ ଦୁର୍ବଳତା ପଦାରେ ପଡ଼ିଥିଲା, ଯେଉଁଠି ୨୫୪ ରନ୍ର ଚାଲେଞ୍ଜ୍ପୂର୍ଣ୍ଣ ବିଜୟଲକ୍ଷ୍ୟକୁ ବଞ୍ଚାଇବା ପାଇଁ ଟିମ୍କୁ ଶେଷ ଯାଏଁ ସଂଘର୍ଷ କରିବାକୁ ପଡ଼ିଥିଲା ।
ଅନ୍ୟପଟେ, କୋଲକାତାରେ ହୋଇଥିବା ସେମିଫାଇନାଲ୍ରେ କିୱି ଟିମ୍ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟ୍ରେ ସହଜରେ ହରାଇଥିଲା । ଫିନ୍ ଆଲେନ୍ଙ୍କ ୩୩ ବଲ୍ରେ ଶତକ ବଳରେ ମ୍ୟାଚ୍ ଏକତରଫା ହୋଇଯାଇଥିଲା । ଏବେ ଆଲେନ୍ଙ୍କୁ ଟୁର୍ଣ୍ଣାମେଣ୍ଟର ସବୁଠାରୁ ବିପଜ୍ଜନକ ବ୍ୟାଟର୍ ବିବେଚନା କରାଯାଉଛି ।
ଗ୍ରୁପ୍ ଓ ସୁପର୍-୮ ପର୍ଯ୍ୟାୟକୁ ବିଚାରକୁ ନେଲେ, ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସୂର୍ଯ୍ୟ ସେନା ଆଗରେ ରହିବ । ଟିମ୍ ଇଣ୍ଡିଆ ଗ୍ରୁପ୍ ପର୍ଯ୍ୟାୟରେ ସମସ୍ତ ଚାରି ମ୍ୟାଚ୍ ଜିତିଥିବା ବେଳେ ସୁପର୍-୮ରେ କେବଳ ଗୋଟିଏ ମ୍ୟାଚ୍ ହାରିଥିଲା । କିନ୍ତୁ କିୱି ଟିମ୍ ଗ୍ରୁପ୍ ଓ ସୁପର୍-୮ ଉଭୟରେ ଗୋଟିଏ ଲେଖାଏଁ ମ୍ୟାଚ୍ ହାରିଥିଲେ ।
ସୁପର୍-୮ରେ ଟିମ୍ର ଗୋଟିଏ ମ୍ୟାଚ୍ ବର୍ଷାରେ ଧୋଇ ହୋଇଯାଇଥିଲା ଏବଂ ନେଟ୍ ରନ୍ରେଟ୍ ଆଧାରରେ ହିଁ ମିଚେଲ୍ ସାଣ୍ଟନର୍ଙ୍କ ଟିମ୍ ସେମିଫାଇନାଲ୍ରେ ସ୍ଥାନ ପାଇଥିଲା ।
ଟୁର୍ଣ୍ଣାମେଣ୍ଟରେ ଅଧିକାଂଶ ଭାରତୀୟ ବ୍ୟାଟର୍ ଦମ୍ଦାର ପ୍ରଦର୍ଶନ କରିଛନ୍ତି । କିନ୍ତୁ ବୋଲର୍ମାନେ ଆଶାଜନକ ପ୍ରଦର୍ଶନ କରିପାରି ନାହାନ୍ତି । ଅଭିଷେକ ଶର୍ମାଙ୍କ ଦୁର୍ବଳ ଫର୍ମ ସତ୍ତ୍ୱେ ଟିମ୍ ଇଣ୍ଡିଆ ବଡ଼ ସ୍କୋର୍ ଛିଡ଼ା କରିପାରୁଛି ।
ସଞ୍ଜୁ ଚାରି ମ୍ୟାଚ୍ରେ ୨୦୧ ଷ୍ଟ୍ରାଇକ୍ ରେଟ୍ରେ ୨୩୨ ରନ୍ କରିଥିବା ବେଳେ ଈଶାନ ଆଠ ମ୍ୟାଚ୍ରେ ୧୮୯ ଷ୍ଟ୍ରାଇକ୍ ରେଟ୍ରେ ୨୬୩ ରନ୍ ସଂଗ୍ରହ କରିଛନ୍ତି । ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନାମରେ ଆଠ ମ୍ୟାଚ୍ରେ ୨୪୨ ରନ୍ ରହିଛି ।
ହାର୍ଦ୍ଦିକ ପାଣ୍ଡ୍ୟା ଆଠ ମ୍ୟାଚ୍ରେ ୧୬୩ ଷ୍ଟ୍ରାଇକ୍ ରେଟ୍ରେ ୧୯୯ ରନ୍ କରିବା ସହ ୮ ୱିକେଟ୍ ବି ନେଇଛନ୍ତି । ଶିବମ୍ ଦୁବେ ସାତ ଇନିଂସ୍ରେ ୨୦୯ ରନ୍ କରିଛନ୍ତି । କିନ୍ତୁ ଅଲ୍ରାଉଣ୍ଡର୍ ଅକ୍ଷର ପଟେଲ୍ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି ।
ବୋଲିଂରେ ଯଶପ୍ରୀତ ବୁମ୍ରା ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି । ସେ ସାତ ମ୍ୟାଚ୍ରେ ୬.୬୩ ଇକୋନମୀ ରେଟ୍ରେ ବୋଲିଂ କରି ୧୦ ୱିକେଟ୍ ନେଇଛନ୍ତି । ଅର୍ଶଦୀପ ସାତ ମ୍ୟାଚ୍ରେ ୯ ୱିକେଟ୍ ନେଇଛନ୍ତି ଏବଂ ତାଙ୍କ ଇକୋନମୀ ରେଟ୍ ୮.୫୪ ରହିଛି । ସ୍ପିନର୍ ବରୁଣ ଚକ୍ରବର୍ତ୍ତୀ ଭାରତୀୟଙ୍କ ମଧ୍ୟରେ ସର୍ବାଧିକ ୧୩ ୱିକେଟ୍ ନେଇଥିଲେ ବି ତାଙ୍କ ଇକୋନମୀ ରେଟ୍ ୮.୮୬ ରହିଛି ।
ଚୂଡ଼ାନ୍ତ ଏକାଦଶରେ ହେବ କି ରଣନୈତିକ ପରିବର୍ତ୍ତନ
ଭାରତ ଫାଇନାଲ୍ ଭଳି ସବୁଠାରୁ ବଡ଼ ମ୍ୟାଚ୍ରେ ନିଜ ଚୂଡ଼ାନ୍ତ ଏକାଦଶରେ ରଣନୈତିକ ପରିବର୍ତ୍ତନ କରିବ କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି । ଅହମଦବାଦର ବଡ଼ ବାଉଣ୍ଡ୍ରୀ ଓ ଫାଇନାଲ୍ର ଚାପକୁ ଦୃଷ୍ଟିରୁ ରଖି ଟିମ୍ ମ୍ୟାନେଜ୍ମେଣ୍ଟ ପରିବର୍ତ୍ତନ କଥା ବିଚାର କରିପାରେ ।
ଟିମ୍କୁ ସବୁଠାରୁ ଅଧିକ ନିରାଶ କରିଛନ୍ତି ଓପନିଂ ବ୍ୟାଟର୍ ଅଭିଷେକ ଶର୍ମା । ସେ ସେମିଫାଇନାଲ୍ରେ ମାତ୍ର ୯ ରନ୍ କରି ଆଉଟ୍ ହୋଇଥିଲେ । ସେ ଏ ଯାବତ ୭ ମ୍ୟାଚ୍ରେ ମାତ୍ର ୮୯ ରନ୍ କରିଛନ୍ତି । କ୍ରିକେଟ୍ ବିଶେଷଜ୍ଞଙ୍କ ବିଚାରରେ ଫାଇନାଲ୍ ମ୍ୟାଚ୍ରେ ଅଭିଷେକଙ୍କୁ କାଢ଼ି ମଧ୍ୟକ୍ରମକୁ ମଜଭୁତ କରିବା ପାଇଁ ରିଙ୍କୁ ସିଂହଙ୍କୁ ନେବା ମାଷ୍ଟରଷ୍ଟ୍ରୋକ୍ ହୋଇପାରିବ ।
ରିଙ୍କୁ ଚାପରେ ଇନିଂସ୍କୁ ସମ୍ଭାଳିବା ସହ ଶେଷ ବେଳକୁ ବଡ଼ ସଟ୍ ଖେଳି ଫିନିଶର୍ ଭୂମିକା ତୁଲାଇପାରିବେ । ଏପରି ସ୍ଥଳେ ଫର୍ମରେ ଥିବା ଦୁଇ ବ୍ୟାଟର୍ - ସଞ୍ଜୁ ସାମ୍ସନ୍ ଓ ଈଶାନ କିଶାନ ଇନିଂସ୍ ଓପନ୍ କରିବେ ।
କିନ୍ତୁ ଯେଉଁ ଅଭିଷେକଙ୍କ ଉପରେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଟିମ୍ ମ୍ୟାନେଜ୍ମେଣ୍ଟର ସବୁଠାରୁ ବଡ଼ ଆଶା ଥିଲା ଏବଂ ଯାହାଙ୍କୁ ବିଫଳତା ସତ୍ତ୍ୱେ ଏ ଯାବତ ସୁଯୋଗ ଦିଆଯାଇଆସୁଛି, ତାଙ୍କୁ ଫାଇନାଲ୍ରେ ବେଞ୍ଚ୍ରେ ବସାଯିବାର ସମ୍ଭାବନା କମ୍ ।
ସେହିପରି ପୂର୍ବରୁ ସବୁଠାରୁ ବଡ଼ ମ୍ୟାଚ୍ ବିଜେତା କୁହାଯାଉଥିବା ସ୍ପିନର୍ ବରୁଣ ଚକ୍ରବର୍ତ୍ତୀ ମଧ୍ୟ ଟିମ୍ ପାଇଁ ଚିନ୍ତାର ବିଷୟ ହୋଇଛନ୍ତି । ସେ ସେମିଫାଇନାଲ୍ରେ ୪ ଓଭର୍ରେ ୬୪ ରନ୍ ଦେଇଥିଲେ । ବଡ଼ ମ୍ୟାଚ୍ ଓ ମଜଭୁତ ଟିମ୍ ବିପକ୍ଷରେ ସେ ସଂଘର୍ଷ କରୁଥିବା ଦେଖିବାକୁ ମିଳୁଛି । ତାଙ୍କୁ କଢ଼ାଯାଇ ରିଷ୍ଟ-ସ୍ପିନର୍ କୁଲଦୀପ ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇପାରେ ।
ଅହମଦାବାଦର ପିଚ୍ କୁଲଦୀପଙ୍କୁ ଅଧିକ ସୁହାଇପାରେ । ନ୍ୟୁଜିଲାଣ୍ଡର ଫିନ୍ ଆଲେନ୍ ଓ ଟିମ୍ ସାଇଫର୍ଟଙ୍କ ଭଳି ଆକ୍ରମଣାତ୍ମକ ବ୍ୟାଟର୍ଙ୍କୁ ରୋକିବାରେ କୁଲଦୀପଙ୍କ ସ୍ପିନ୍ ‘ଏକ୍ସ ଫ୍ୟାକ୍ଟର’ ହୋଇପାରିବ ।
Daily Horoscope 8th March 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 8th March 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

TMC Under Fire for ‘Disrespecting’ President: ରାଷ୍ଟ୍ରପତିଙ୍କୁ TMCର ଅପମାନ, ପ୍ରଧାନମନ୍ତ୍ରୀ ମୋଦି କ୍ଷୁବ୍ଧ

Drowning Tragedies: ଜଳଭଣ୍ଡାରରେ ବୁଡ଼ି ପ୍ରାଣ ହରାଇଲେ ଦଶମ ଶ୍ରେଣୀର ୩ ଛାତ୍ର, ପୋଖରୀରେ ୨ ନାବାଳିକାଙ୍କ ମୃତ୍ୟୁ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)