Advertisment

Mohammed Shami and Team India: ମହମ୍ମଦ ଶାମୀଙ୍କ ପାଇଁ ବନ୍ଦ ହୋଇଗଲା କି ଟିମ୍ ଇଣ୍ଡିଆର ଦ୍ୱାର ?

ଘରୋଇ କ୍ରିକେଟ୍ ଖେଳି ନିଜ ଫର୍ମ ଓ ଫିଟ୍‌ନେସ୍‌ର ପ୍ରମାଣ ଦେବା ସତ୍ତ୍ୱେ କୌଣସି ଆନ୍ତର୍ଜାତିକ ଫର୍ମାଟ୍ ପାଇଁ ଟିମ୍‌ରେ ସ୍ଥାନ ପାଉ ନାହାନ୍ତି ଅଭିଜ୍ଞ ପେସର୍ ମହମ୍ମଦ ଶାମୀ । ପ୍ରଶ୍ନ ଉଠୁଛି, ଶାମୀଙ୍କ ପାଇଁ କ’ଣ ବନ୍ଦ ହୋଇଗଲା ଟିମ୍ ଇଣ୍ଡିଆର ଦ୍ୱାର?

author-image
Biswajit Mohanty
Shami

Shami Photograph: (Shami)

ଆନ୍ତର୍ଜାତିକ କ୍ରିକେଟ୍‌ରେ ୪୬୨ ୱିକେଟ୍ ନେଇଥିବା ଭାରତୀୟ ପେସର୍ ମହମ୍ମଦ ଶାମୀଙ୍କୁ କ୍ରମାଗତ ଅଣଦେଖା କରାଯାଉଛି । ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଆୟୋଜିତ ଦିନିକିଆ ସିରିଜ୍‌ରେ ବି ତାଙ୍କୁ ଭାରତୀୟ ଟିମ୍‌ରେ ସୁଯୋଗ ମିଳି ନ ଥିଲା ।

Advertisment

ଆଘାତରୁ ସୁସ୍ଥ ହେବା ପରେ ଶାମୀ ଘରୋଇ କ୍ରିକେଟ୍ ଖେଳି ନିଜ ଫର୍ମ ଓ ଫିଟ୍‌ନେସ୍‌ର ପ୍ରମାଣ ଦେବା ସତ୍ତ୍ୱେ ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି କୌଣସି ଆନ୍ତର୍ଜାତିକ ଫର୍ମାଟ୍ ପାଇଁ ତାଙ୍କ ନାମ ବିଚାରକୁ ନେଉ ନାହିଁ । ଏପରିକି ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ମଧ୍ୟ ତାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଆଗ୍ରହ ପ୍ରକାଶ ନ କରିବା ବିଡ଼ମ୍ବନାର ବିଷୟ ।

ଏଥିରୁ ସଙ୍କେତ ମିଳୁଛି ଯେ ବିସିସିଆଇ ଏକଦା ଭାରତର ଶୀର୍ଷ ପେସର୍‌ଙ୍କ ମଧ୍ୟରେ ପରିଗଣିତ ହେଉଥିବା ଶାମୀଙ୍କ ଠାରୁ ଆଗକୁ ବଢ଼ିଲାଣି ଏବଂ ଏହି ଅଭିଜ୍ଞ ବୋଲର୍‌ଙ୍କ ଆନ୍ତର୍ଜାତିକ କ୍ୟାରିଅର୍‌ର ଆପାତତଃ ଅନ୍ତ ଘଟିଛି । ଏହାକୁ ନେଇ ଏବେ ଭାରତୀୟ କ୍ରିକେଟ୍ ମହଲରେ ଚର୍ଚ୍ଚା ହେଉଛି ।ପ୍ରଶ୍ନ ଉଠୁଛି ଯେ ଶାମୀଙ୍କ ପାଇଁ କ’ଣ ଟିମ୍ ଇଣ୍ଡିଆର ଦ୍ୱାର ବନ୍ଦ ହୋଇଗଲା? ମୁଖ୍ୟ ଚୟନକାରୀ ଓ ମୁଖ୍ୟ କୋଚ୍‌ଙ୍କ ‘ସ୍କିମ୍ ଅଫ୍ ଥିଙ୍କ୍‌ସ’ରେ କ’ଣ ତାଙ୍କ ପାଇଁ ସ୍ଥାନ ନାହିଁ?

Advertisment

ଘରୋଇ କ୍ରିକେଟ୍‌ରେ ଉତ୍ତମ ପ୍ରଦର୍ଶନ

ଶାମୀ ଶେଷ ଥର ଗତ ବର୍ଷ ମାର୍ଚ୍ଚରେ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍‌ରେ ଖେଳିଥିଲେ । ସେ ଟୁର୍ଣ୍ଣାମେଣ୍ଟରେ ମୋଟ୍ ୯ ୱିକେଟ୍ ନେଇ ଭାରତ ପକ୍ଷରୁ ମିଳିତ ଶୀର୍ଷ ସ୍ଥାନରେ ରହିଥିଲେ । ଏହାପରେ ସେ ଆଘାତ ଯୋଗୁଁ କ୍ରିକେଟ୍‌ରୁ ଦୂରେଇ ରହିଥିଲେ ଏବଂ ରଣଜୀ ଟ୍ରଫି ଜରିଆରେ ପ୍ରତ୍ୟାବର୍ତ୍ତନ କରିଥିଲେ ।

ତେବେ ପ୍ରତ୍ୟାବର୍ତ୍ତନ ପରଠାରୁ ତାଙ୍କ କ୍ୟାରିଅର୍ କେବଳ ଘରୋଇ କ୍ରିକେଟ୍ ମଧ୍ୟରେ ସୀମିତ ହୋଇଯାଇଛି । ସେ ରଣଜୀ ଟ୍ରଫି ସହିତ ସୟଦ ମୁସ୍ତାକ୍ ଅଲୀ ଟ୍ରଫି (ଟି-୨୦ ଟୁର୍ଣ୍ଣାମେଣ୍ଟ) ଓ ବିଜୟ ହଜାରେ ଟ୍ରଫି (ଦିନିକିଆ ଟୁର୍ଣ୍ଣାମେଣ୍ଟ) ଖେଳିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସେ ଘରୋଇ ଟୁର୍ଣ୍ଣାମେଣ୍ଟର ଭିନ୍ନ ଭିନ୍ନ ଫର୍ମାଟ୍‌ରେ ଫିଟ୍‌ନେସ୍ ସାବ୍ୟସ୍ତ କରିବା ସହ ଉତ୍ତମ ପ୍ରଦର୍ଶନ କରିଛନ୍ତି ।  

ଘରୋଇ କ୍ରିକେଟ୍‌ରେ ଶାମୀ ବଙ୍ଗଳା ଟିମ୍ ପକ୍ଷରୁ ଖେଳୁଛନ୍ତି । ୨୦୨୫-୨୬ ସିଜନ୍‌ରେ ସେ ଟିମ୍ ପକ୍ଷରୁ ଏ ଯାବତ ଚାରି ରଣଜୀ ମ୍ୟାଚ୍ ଖେଳି ୧୮.୬୦ ଆଭରେଜ୍‌ରେ ୨୦ ୱିକେଟ୍ ଅକ୍ତିଆର କରିଛନ୍ତି । ସୟଦ ମୁସ୍ତାକ୍ ଅଲୀ ଟ୍ରଫିରେ ସେ ସାତ ମ୍ୟାଚ୍ ଖେଳି ୧୪.୯୩ ଆଭରେଜ୍‌ରେ ୧୬ ୱିକେଟ୍ ନେଇଛନ୍ତି । ଏଥିରେ ତାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା ୧୩/୪ ।

ବିଜୟ ହଜାରେ ଟ୍ରଫିରେ ବି ସେ ଭଲ ପ୍ରଦର୍ଶନ କରିଛନ୍ତି । ଏଥିରେ ସେ ୭ ମ୍ୟାଚ୍ ଖେଳି ୨୪.୫୩ ଆଭରେଜ୍‌ରେ ୧୫ ୱିକେଟ୍ ନେଇଛନ୍ତି । କିନ୍ତୁ ତାଙ୍କର କୌଣସି ପ୍ରଦର୍ଶନ ଚୟନ କମିଟି ପାଇଁ ଗୁରୁତ୍ୱ ରଖି ନାହିଁ ।

ନ୍ୟୁଜିଲାଣ୍ଡ ବିପକ୍ଷରେ ବି ମିଳିଲାନି ସୁଯୋଗ

ଶାମୀ ଯେତେବେଳେ ରଣଜୀ ଟ୍ରଫି ଖେଳି ନିଜର ଫର୍ମ ଓ ଫିଟ୍‌ନେସ୍ ସାବ୍ୟସ୍ତ କଲେ, ସେତେବେଳେ ଆଶା କରାଯାଉଥିଲା ଯେ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଟିମ୍‌ରେ ସାମିଲ୍ କରାଯିବ । ୱିକେଟ୍‌କିପର୍‌-ବ୍ୟାଟର୍ ରିଷଭ ପନ୍ତ ସୁସ୍ଥ ହୋଇ ଫେରିଲେ, ହେଲେ ଅଭିଜ୍ଞ ପେସର୍ ଶାମୀଙ୍କୁ ବିଚାରକୁ ନିଆଗଲା ନାହିଁ । ଟିମ୍ ଏହି ସିରିଜ୍ ହାରିଯାଇଥିଲା ।

ଏହାପରେ ସୀମିତ ଓଭର୍ ସିରିଜ୍‌ରେ ବି ତାଙ୍କୁ ଅଣଦେଖା କରାଗଲା । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଯଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ମହମ୍ମଦ ସିରାଜଙ୍କୁ ବି ଟିମ୍‌ରେ ରଖାଯାଇ ନ ଥିଲା । ପେସ୍ ବୋଲିଂ ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଅନ୍‌ଫିଟ୍ ଥିବା ଯୋଗୁଁ ସ୍ଥାନ ପାଇ ନ ଥିଲେ । ଏପରି ସ୍ଥଳେ ଯୁବ ପେସର୍‌ଙ୍କ ନେତୃତ୍ୱ ନେବା ପାଇଁ ଶାମୀଙ୍କ ଭଳି ଅଭିଜ୍ଞ ପେସର୍‌ଙ୍କ ଆବଶ୍ୟକତା ଥିଲା । ସିରିଜ୍ ସମୟରେ ମଧ୍ୟ ସେଭଳି ଅନୁଭୂତ ହୋଇଥିଲା ।

ଟି-୨୦ ଟିମ୍‌ରେ ଶାମୀଙ୍କୁ ନିଆ ନ ଯିବା ପଛରେ ଯୁକ୍ତି ଥାଇପାରେ, କିନ୍ତୁ ଟେଷ୍ଟ ଓ ଦିନିକିଆ ଟିମ୍‌ରେ ତାଙ୍କୁ କାହିଁକି ନିଆଯାଉ ନାହିଁ? ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ବୁମ୍‌ରା ଓ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଗଲା, ସିରାଜ ଫେରିଲେ ଅଥଚ ଶାମୀ ଚୟନକାରୀଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଗଲେ । ଟିମ୍ ଇଣ୍ଡିଆ ୧-୨ରେ ଏହି ସିରିଜ୍ ହାରିଯାଇଛି ।

ପ୍ରଶ୍ନ ଉଠାଇଲେ ପୂର୍ବତନ କ୍ରିକେଟର୍‌

ଶାମୀଙ୍କୁ ଅଣଦେଖା କରାଯିବା ଯୋଗୁଁ ଦେଶର କେତେକ ପୂର୍ବତନ କ୍ରିକେଟର୍ ପ୍ରଶ୍ନ ଉଠାଇଛନ୍ତି । ଇରଫାନ୍ ପଠାନ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଏକ ଭିଡିଓରେ  କହିଛନ୍ତି, “(ପ୍ରତ୍ୟାବର୍ତ୍ତନ ପରେ) ଶାମୀ ୨୦୦ ଓଭର୍ ବୋଲିଂ କରିସାରିଲେଣି । ଯଦି ଏହାପରେ ବି ଫିଟ୍‌ନେସ୍ ପ୍ରଶ୍ନ ରହିଛି, ତା’ହେଲେ ଏହାର ଉତ୍ତର କେବଳ ଚୟନ କମିଟି ପାଖରେ ଅଛି ଯେ ସେମାନଙ୍କୁ ଆଉ କ’ଣ ଦରକାର?”

ପୂର୍ବରୁ ମୁଖ୍ୟ ଚୟନକାରୀ ଅଗରକର ପେସର୍ ଶାମୀଙ୍କୁ ଟିମ୍‌ରୁ ବାହାରେ ରଖାଯିବାର କାରଣ ଫିଟ୍‌ନେସ୍ ବୋଲି କହିଥିଲେ, କିନ୍ତୁ ନ୍ୟୁଜିଲାଣ୍ଡ ସିରିଜ୍ ଘୋଷଣା ସମୟରେ କୌଣସି ସ୍ପଷ୍ଟ କାରଣ କୁହାଯାଇ ନ ଥିଲା ।

ଇରଫାନ୍‌ଙ୍କ କହିବାନୁଯାୟୀ, “ଶାମୀ ଆଇପିଏଲ୍‌ରେ ନୂଆ ବଲ୍‌ରୁ ଚମକପ୍ରଦ ପ୍ରଦର୍ଶନ କରନ୍ତୁ ଏବଂ ପ୍ରମାଣିତ କରନ୍ତୁ ଯେ ତାଙ୍କ ପାଇଁ ଏବେ ଦ୍ୱାର ବନ୍ଦ ହୋଇ ନାହିଁ ।”
ଏହା ପୂର୍ବରୁ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ସ୍ପିନର୍ ହରଭଜନ ସିଂହ ମଧ୍ୟ ଶାମୀଙ୍କୁ ଟିମ୍‌ରୁ କଢ଼ାଯିବା ନେଇ ପ୍ରଶ୍ନ ଉଠାଇଥିଲେ ।

ନିକଟ ଅତୀତରେ ଏକ କାର୍ଯ୍ୟକ୍ରମ ସମୟରେ ଗାଙ୍ଗୁଲି କହିଥିଲେ, “ଶାମୀ ଉତ୍ତମ ପ୍ରଦର୍ଶନ କରୁଛନ୍ତି । ସେ ଫିଟ୍ ଅଛନ୍ତି ଏବଂ ଆମେ ତିନି ରଣଜୀ ଟ୍ରଫି ମ୍ୟାଚ୍ ଦେଖିଲୁ । ସେ ନିଜ ଦମ୍‌ରେ ବଙ୍ଗଳାକୁ ଜିତାଇଥିଲେ । ମୁଁ  କୌଣସି କାରଣ ଦେଖୁ ନାହିଁ, ଯେଉଁଥିପାଇଁ ସେ ଭାରତ ପକ୍ଷରୁ ଟେଷ୍ଟ, ଦିନିକିଆ ଓ ଟି-୨୦ରେ ଖେଳିପାରିବେନି ।”  
 

ଏକ କଠୋର ବାସ୍ତବତା ହେଉଛି, ୨୦୨୭ ଦିନିକିଆ ବିଶ୍ୱକପ୍‌କୁ ଆଖି ଆଗରେ ରଖି ଏବେ ଟିମ୍ ଚୟନ କରାଯାଉଛି । ମୁଖ୍ୟ ଚୟନକାରୀ ଓ ମୁଖ୍ୟ କୋଚ୍‌ଙ୍କ ଦୃଷ୍ଟିକୋଣରେ ହୁଏତ ୩୫ବର୍ଷୀୟ ଶାମୀ ଫିଟ୍ ହେଉ ନାହାନ୍ତି । ଏହି ପେସର୍‌ଙ୍କ ଫିଟ୍‌ନେସ୍ ଉପରେ ସେମାନେ ଭରସା କରିପାରୁ ନାହାନ୍ତି ।

ଟେଷ୍ଟରେ ଭାରତର ପ୍ରଦର୍ଶନରେ ଅବନତି ଦେଖିବାକୁ ମିଳୁଛି । ଦିନିକିଆରେ    ଦେଢ଼ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ପରେ ବିଶ୍ୱବିଜୟର ଲକ୍ଷ୍ୟ ରହିଛି । ଏପରି ସ୍ଥଳେ ଶାମୀଙ୍କୁ ତାଙ୍କ ଅଭିଜ୍ଞତା ଓ ବର୍ତ୍ତମାନ ପ୍ରଦର୍ଶନର ଆଧାରରେ ଟିମ୍‌ରେ ସୁଯୋଗ ଦିଆଯିବା ଆବଶ୍ୟକ । ଅନ୍ୟ ବରିଷ୍ଠ ଖେଳାଳିଙ୍କ ଭଳି ତାଙ୍କ ପାଇଁ କାର୍ଯ୍ୟଭାର ପରିଚାଳନା କରାଯାଇପାରିବ ।

ଶାମୀଙ୍କ ମଧ୍ୟରେ ଆଉ କିଛି ବର୍ଷର କ୍ରିକେଟ୍ ବାକି ଅଛି । ସେ ଏବେ ବି ଟିମ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ଖେଳାଳି ସାବ୍ୟସ୍ତ ହୋଇପାରିବେ । ଅଗରକର ଓ ଗମ୍ଭୀର ଏ କଥା ବୁଝିବା ଦରକାର ।

Team India Cricket
Advertisment
Related Articles
Advertisment