Advertisment

Sathtala Ekadashi: ସ୍ୱର୍ଗରେ ସୁନ୍ଦର ଘରଟିଏ ପାଇଲେ ବ୍ରାହ୍ମଣୀ, କିନ୍ତୁ ସେ ଘରେ ଖାଇବାକୁ ନଥିଲା କାହିଁକି

ପୁରାଣ ସମୟର କଥା, ମର୍ତ୍ତ୍ୟରେ  ଜଣେ ଧର୍ମପରାୟଣା ବ୍ରାହ୍ମଣୀ ଥିଲେ। ସେ ଥିଲେ ଭଗବାନ ବିଷ୍ଣୁଙ୍କର ଭକ୍ତା। ଏକାଦଶୀ ବ୍ରତପାଳନ ଓ ଦେବପୂଜାରେ ସେ ଦିନ ବିତାଉଥିଲେ। କିନ୍ତୁ କେବେ କୌଣସି ଭିକ୍ଷୁକଙ୍କୁ ଭିକ୍ଷା ବା ବ୍ରାହ୍ମଣଙ୍କୁ ଭୋଜନ ଦେଉ ନଥିଲେ।

author-image
Sarojini Sankhua
Sathtala Ekadashi

ଷଟ୍‌ତିଳା ଏକାଦଶୀର ମହତ୍ତ୍ୱ Photograph: (OTV)

ଭଗବାନ ବିଷ୍ଣୁ ହେଉଛନ୍ତି ଏକାଦଶୀ ତିଥିର ପୂଜନୀୟ ଦେବତା। ବିଷ୍ଣୁଙ୍କୁ ସନ୍ତୁଷ୍ଟ କରି ବିଷ୍ଣୁଲୋକ ପ୍ରାପ୍ତି ପାଇଁ ଏକାଦଶୀ ବ୍ରତ ପାଳନ କରାଯାଇଥାଏ। ପ୍ରତ୍ୟେକ ଏକାଦଶୀର ଗୋଟିଏ  ଗୋଟିଏ ସ୍ୱତନ୍ତ୍ର ନାମ ରହିଛି। ସେହି ଅନୁସାରେ ସେମାନଙ୍କର ମହତ୍ତ୍ୱ ମଧ୍ୟ ରହିଛି।

Advertisment

ଓଡ଼ିଆ ପର୍ବ ପର୍ବାଣୀ (Odia Parba Parbani) ରେ ଅନେକ ନୀତି ଅନେକ କାହାଣୀ। ମାଘ କୃଷ୍ଣ ଏକାଦଶୀର ନାମ ‘ଷଟ୍‌ତିଳା ଏକାଦଶୀ’। ‘ଷଟ୍‌’ର ଅର୍ଥ ‘ଛଅ’ ଓ ‘ତିଳ’ର ଅର୍ଥ ରାଶି। ମାଘ ମାସ କୃଷ୍ଣପକ୍ଷ ଏକାଦଶୀର ନାମ ଷଟ୍‌ତିଳା ଏକାଦଶୀ। ଏହି ଏକାଦଶୀରେ ‘ତିଳ’ ବା ରାଶିକୁ ନେଇ ଛଅଟି ବିଧି ରହିଛି । ସେହି ଛଅଟି ବିଧି ହେଉଛି- ତିଳଜଳରେ ସ୍ନାନ, ତିଳବଟା ଲେପନ, ତିଳଆହୁତିରେ ହୋମ, ତିଳଜଳ ପାନ, ତିଳଦାନ ଓ ତିଳଭୋଜନ ସେଥିପାଇଁ ଏହି ଏକାଦଶୀର ନାମ ‘ଷଟ୍‌ତିଳା ଏକାଦଶୀ’। 

ବ୍ରତ କଥା

‘ପଦ୍ମପୁରାଣ' ଅନୁସାରେ, ଯୁଧିଷ୍ଠିରଙ୍କ ପ୍ରଶ୍ନରେ ଶ୍ରୀକୃଷ୍ଣ ତାଙ୍କୁ ଏହି ବ୍ରତକଥା କହିଥିଲେ। ପୁରାଣ ସମୟର କଥା, ମର୍ତ୍ତ୍ୟରେ  ଜଣେ ଧର୍ମପରାୟଣା ବ୍ରାହ୍ମଣୀ ଥିଲେ। ସେ ଥିଲେ ଭଗବାନ ବିଷ୍ଣୁଙ୍କର ଭକ୍ତା। ଏକାଦଶୀ ବ୍ରତପାଳନ ଓ ଦେବପୂଜାରେ ସେ ଦିନ ବିତାଉଥିଲେ। କିନ୍ତୁ କେବେ କୌଣସି ଭିକ୍ଷୁକଙ୍କୁ ଭିକ୍ଷା ବା ବ୍ରାହ୍ମଣଙ୍କୁ ଭୋଜନ ଦେଉ ନଥିଲେ।

Advertisment

ଏକଥା ଜାଣି ଭଗବାନ ବିଷ୍ଣୁ ଦିନେ ଏକ କାପାଳିକର ବେଶ ଧାରଣ କରି ବ୍ରାହ୍ମଣୀ ପାଖରେ ଭିକ୍ଷା ପାଇଁ ପହଞ୍ଚିଲେ। ବିଷ୍ଣୁ ସେ ବ୍ରାହ୍ମଣୀଙ୍କୁ ଭିକ୍ଷା ମାଗିଲେ। କିନ୍ତୁ ବ୍ରାହ୍ମଣୀ ଭିକ୍ଷା ନଦେଇ, ସେ କେଉଁଠାରୁ ଆସିଛନ୍ତି ଏବଂ କେଉଁଆଡ଼େ ଯିବେ ବୋଲି ତାଙ୍କୁ ପ୍ରଶ୍ନ କରିବାରେ ଲାଗିଲେ। ମାତ୍ର କାପାଳିକ ବେଶଧାରୀ ବିଷ୍ଣୁ ତାଙ୍କୁ ଆଉ କିଛି ନକହି, କେବଳ ‘ମୋତେ ଭିକ୍ଷା ଦିଅ' ବୋଲି କହିଚାଲିଲେ। ସେଥିରେ ରାଗିଯାଇ ବ୍ରାହ୍ମଣୀ କିଛି ମାଟି ଆଣି ଭିକ୍ଷାପାତ୍ରରେ ଢାଳିଦେଲେ ଏବଂ ସେଠାରୁ ଚାଲିଗଲେ। 

କିଛିଦିନ ପରେ ବ୍ରାହ୍ମଣୀଙ୍କର ମୃତ୍ୟୁ ହେଲା। ଜୀବନକାଳରେ ବ୍ରତପାଳନ ଓ ଦେବପୂଜନ ଆଦି କରିଥିବାରୁ ସେ ସ୍ବର୍ଗ ଗଲେ। ସ୍ବର୍ଗପୁରରେ ତାଙ୍କୁ ଏକ ସୁନ୍ଦର ଘର ତ ମିଳିଲା, କିନ୍ତୁ କାପାଳିକଙ୍କୁ ଭିକ୍ଷାନ୍ନ ପରିବର୍ତ୍ତେ ମାଟି ଦେଇଥିବାରୁ, ସେ ଘରେ ଖାଇବାକୁ ଅନ୍ନ ନଥିଲା। ସେଥିରେ ବ୍ରାହ୍ମଣୀ ରାଗିଯିବାରୁ, ଭଗବାନ ବିଷ୍ଣୁ ତାଙ୍କୁ କହିଲେ, ତୁମେ ମର୍ତ୍ତ୍ୟକୁ ଯାଅ।  ମର୍ତ୍ତ୍ୟଲୋକକୁ ଦେବପତ୍ନୀମାନେ ତୁମର ଦର୍ଶନ ପାଇଁ ସେଠାକୁ ଆସିବେ। ତାଙ୍କ ପରାମର୍ଶରେ ଷଟ୍‌ତିଳା ବ୍ରତ ପାଳନ କଲେ ତୁମେ ଉଚିତ ଫଳ ପାଇବ।

ବ୍ରାହ୍ମଣୀର ଷଟ୍‌ତିଳା ବ୍ରତ ପାଳନ 

ଭଗବାନ ବିଷ୍ଣୁଙ୍କ କହିବା ଅନୁଯାୟୀ, ଦେବପତ୍ନୀମାନେ ଦିନେ ଆସି ବ୍ରାହ୍ମଣୀଙ୍କୁ ଦର୍ଶନ କରି ତାଙ୍କୁ ବ୍ରତବିଧି କହିଲେ। ଏହି ଷଟ୍‌ତିଳା ଏକାଦଶୀ ବ୍ରତ ପାପନାଶକ। ବିଧି ଅନୁସାରେ ଦାନ କଲେ ପାପ ନାଶ ହୋଇଥାଏ। ଅନ୍ନଦାନ କରିଥିଲେ ହିଁ ଅନ୍ନ ମିଳେ ଓ ପୁଣ୍ୟ ହୁଏ। ଅନ୍ନଦାନ ନ କରିଥିଲେ ଅନ୍ନ ମିଳେନାହିଁ। ବ୍ରାହ୍ମଣୀ  ସେହି ବ୍ରତ କଲେ। ବିଧି ଅନୁସାରେ ବ୍ରତପାଳନ ସହିତ ଦାନ କରିବାରୁ ସୁଫଳ ମଧ୍ୟ ପାଇଲେ। 

ତିଳର ମାହାତ୍ମ୍ୟ

ଆମ ପରମ୍ପରାର ତିଳ ଏକ ପବିତ୍ର ବୀଜ। ଯେକୌଣସି ଶୁଭ କାର୍ଯ୍ୟରେ ବ୍ଯବହାର ହେବା ସହ ପିତୃପୁରୁଷଙ୍କ ସନ୍ତୁଷ୍ଟି ନିମନ୍ତେ ତିଳର ବ୍ଯବହାର ହୋଇଥାଏ। ପୁରାଣର ବର୍ଣ୍ଣନା ଅନୁସାରେ, ତିଳ, ଋଷି କଶ୍ୟପଙ୍କ ଶରୀର ଅଙ୍ଗରୁ ସୃଷ୍ଟି ହୋଇଥିଲା। ‘ତୃପ’ ଅର୍ଥ ତୃପ୍ତି। ଏଥରୁ ନିଷ୍ପନ୍ନ ଶବ୍ଦ ‘ତର୍ପଣ’। ଏକ ପବିତ୍ର ବୀଜ ଭାବରେ ପରିଗଣିତ ହେଉଥିବାରୁ, ତିଳ ଅଞ୍ଜଳିରେ ଦେବତା ଓ ତିଳ ତର୍ପଣରେ ପିତୃପୁରୁଷ ସନ୍ତୁଷ୍ଟ ହୋଇଥାଆନ୍ତି। ଏହାକୁ ଭାରତର ପ୍ରାଚୀନତମ ତୈଳବୀଜ ଭାବରେ ଗ୍ରହଣ କରାଯାଏ। ଏହାର ବିଶେଷତ୍ୱ ହେଉଛି, ଅଳ୍ପ ବର୍ଷା ହେଲେ  ମଧ୍ୟ ଏହି ଗଛ ବଢ଼ିଥାଏ। ବୋଧହୁଏ ସେଥିପାଇଁ ପୂର୍ବ କାଳରୁ ମୁନିଋଷିମାନେ ଏହି ବୀଜକୁ ଏତେ ମହତ୍ତ୍ୱ ଦେଇଛନ୍ତି।

ତିଳ ଦାନର ମହତ୍ତ୍ୱ

‘ମହାଭାରତ’ର ‘ଅନୁଶାସନ ପର୍ବ’ରେ ତିଳଦାନର ମହତ୍ତ୍ୱ ସଂପର୍କରେ  କୁହାଯାଇଛି। ‘ପଦ୍ମପୁରାଣ’ ଅନୁସାରେ, ମାଘ କୃଷ୍ଣ ଏକାଦଶୀ ତିଥିରେ ନିଜ ଶକ୍ତି ଅନୁସାରେ ଗୋଦାନ ଏବଂ ତିଳପୂର୍ଣ୍ଣ ପାତ୍ର କୌଣସି ବେଦଜ୍ଞ ବ୍ରାହ୍ମଣଙ୍କୁ ଦାନ କଲେ ଦଶଯଜ୍ଞର ଫଳ ମିଳିଥାଏ। ଏହା ମଧ୍ୟ କୁହାଯାଇଛି ଯେ ସେହି ପାତ୍ରରେ ଥିବା ତିଳକୁ ବୁଣି ଦେଲେ ସେଥିରୁ ଯେତେ ଶାଖାଯୁକ୍ତ ତିଳଗଛ ଉତ୍ପନ୍ନ ହେବ, ସେତିକି ହଜାର ବର୍ଷ ମଣିଷ ସ୍ୱର୍ଗଲୋକରେ ବାସ କରିବ।

ପୂଜା ପଦ୍ଧତି

ଏହି ଏକାଦଶୀ ଦିନ ସକାଳେ ଉଠି ଏବଂ ଗାଧୋଇ ସଫା ପୋଷାକ ପିନ୍ଧିବେ। ମନ୍ଦିର ବା ପୂଜା ସ୍ଥାନକୁ ଗଙ୍ଗା ଜଳ ସହିତ ଶୁଦ୍ଧ କରାଯାଏ। ଏହାପରେ ଭଗବାନ ବିଷ୍ଣୁଙ୍କ ପ୍ରତିମା କିମ୍ବା ଫଟୋ ସ୍ଥାପନ କରାଯାଇ ପ୍ରତିମା ଉପରେ ଅକ୍ଷତ, ରାଶି, ଧୂପ ଏବଂ ପୁଷ୍ଣ ଅର୍ପଣ ପୂର୍ବକ ଭଗବାନ ବିଷ୍ଣୁଙ୍କ ସହସ୍ରନାମ ପାଠ କରାଯାଏ।
ବିଷ୍ଣୁଙ୍କ ଆରତୀ ପରେ ରାଶି ମଞ୍ଜି ଅର୍ପଣ କରାଯିବାର ବିଧି ରହିଛି। ବ୍ରତର ଦ୍ୱିତୀୟ ଦିନରେ ସ୍ନାନ ପରେ ପରିଷ୍କାର ପୋଷାକ ପିନ୍ଧି ଭଗବାନ ବିଷ୍ଣୁଙ୍କୁ ଭୋଗ ଅର୍ପଣ କରିବା ସହିତ ବ୍ରାହ୍ମଣଙ୍କୁ ଖାଦ୍ୟ ଅର୍ପଣ କରିବା ପରେ, ପ୍ରସାଦ ପାଇ ଏକାଦାଶୀ ବ୍ରତ ସମାପ୍ତ କରାଯାଏ।

ମାଘମାସ କୃଷ୍ଣପକ୍ଷର ଏହି ଏକାଦଶୀରେ ଭଗବାନ ବିଷ୍ଣୁଙ୍କୁ ବିଧି ପୂର୍ବକ ଆରାଧନା କରାଯାଏ। ଏହି ଏକାଦଶୀରେ କଳା ରାଶି ପୂଜାରେ ଉପଯୋଗ ହୁଏ। ଏହି ଏକାଦଶୀ ବ୍ରତ ରଖୁଥ‌ିବା ଲୋକେ କଳା ଗାଈଙ୍କୁ ଘାସ, ଚାରା ଦେଲେ ଅଶେଷ ପୁଣ୍ୟର ଅଧିକାରୀ ହୁଅନ୍ତି ବୋଲି ପୁରାଣରେ ବର୍ଣ୍ଣନା ରହିଛି।

Odia Parba Parbani
Advertisment
Related Articles
Advertisment