/odishatv-khabar/media/media_files/2025/10/30/the-story-and-rituals-behind-amla-navami-2025-10-30-14-32-34.jpg)
ଅଁଳା ନବମୀ ପୂଜା କାହିଁକି ହୁଏ Photograph: (OTV)
ଧର୍ମର ମାସ କାର୍ତ୍ତିକ l ଓଡ଼ିଆ ପର୍ବପର୍ବାଣୀ (odia parba parbani) ର ମାସ। ଏହି ମାସରେ କାଳୀପୂଜା, ଗୋବିନ୍ଦ ଚତୁର୍ଦ୍ଦଶୀ, ନାଗଲ ଚତୁର୍ଥୀ, ଦୀପାବଳୀ, ଗୋବର୍ଦ୍ଧନ ପୂଜା, ଅଁଳା ନବମୀ, ରାଧା ଦାମୋଦର ପୂଜା, କାର୍ତ୍ତିକ ବ୍ରତ, ତୁଳସୀ ପୂଜା, ବଡ଼ ଏକାଦଶୀ, ପଞ୍ଚୁକ ବ୍ରତ, ଆକାଶ ଦୀପ ଦାନ, ପାୟାଶ୍ରାଦ୍ଧ ଓ କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ଆଦି ଅନେକ ପବିତ୍ର ପର୍ବ ପର୍ବାଣି ପଡ଼େ l ଏଥିପାଇଁ କାର୍ତ୍ତିକ ମାସକୁ ଏକ ପୁଣ୍ୟର ମାସ ବୋଲି ବିବେଚନା କରାଯାଏ।
ଆମର ଆଧ୍ୟାତ୍ମିକ ଶାସ୍ତ୍ରମାନଙ୍କରେ ପ୍ରତିଟି ପର୍ବ, ଓଷା ଏବଂ ବ୍ରତ ପଛରେ କିଛି ନା କିଛି କାହାଣୀ ବା କିମ୍ବଦନ୍ତୀ ରହିଛି l ସେହି ଭଳି ଅଁଳା ନବମୀ ପାଳନ ପଛରେ କେତେକ ପୌରାଣିକ କାହାଣୀ ଓ କିମ୍ବଦନ୍ତୀ ରହିଛି l ଏ ଦିବସଟି କାର୍ତ୍ତିକ ଶୁକ୍ଲ ପକ୍ଷ ନବମୀ ତିଥିରେ ପଡିଥାଏ l ଅଁଳା ନବମୀ ସହିତ ଏହି ଦିନର ମହତ୍ତ୍ଵ ହେଲା ସତ୍ୟବାଦୀର ସାକ୍ଷୀଗୋପାଳଙ୍କ ପୀଠରେ ରାଧାରାଣୀଙ୍କ ପାଦ ଦର୍ଶନ l
ଅଁଳା ଗଛର ପୂଜା
ହିନ୍ଦୁ ଧର୍ମରେ ଅଁଳା ନବମୀର ଅନେକ ମହତ୍ତ୍ୱ ରହିଛି। କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ଅଁଳା ନବମୀ ପାଳନ କରାଯାଏ। ଏହି ଦିନ ଅଁଳା ଗଛକୁ ପୂଜା କରାଯାଏ। ଏହି ଅଁଳା ଗଛର ମହିମା ରହିଚି। ଅଁଳା ନବମୀ ଦିନ ପ୍ରଥମେ ମା’ ଲକ୍ଷ୍ମୀଙ୍କୁ ଆରାଧନା କରାଯାଇଥାଏ। ଏହା ପଛରେ ଏକ କାହାଣୀ ରହିଛି।
କୁହାଯାଏ ଯେ, ଥରେ ମା’ ଲକ୍ଷ୍ମୀ ପୃଥିବୀଲୋକକୁ ବୁଲିବାକୁ ଆସିଥିଲେ। ପୃଥିବୀକୁ ଆସିବା ପରେ ଭଗବାନ ବିଷ୍ଣୁ ଓ ଭଗବାନ ଶିବଙ୍କ ପୂଜା ଏକାସଙ୍ଗେ କରିବାକୁ ତାଙ୍କୁ ଇଚ୍ଛା ହେଲା। ସେତେବେଳେ ସେ ମନେପକାଇଲେ ଯେ, ତୁଳସୀ ହେଉଛି ନାରାୟଣଙ୍କ ପ୍ରିୟ। କିନ୍ତୁ ଶିବଙ୍କର ନୁହେଁ। ଶିବଙ୍କ ପୂଜାରେ ତୁଳସୀ ଲାଗେନି। କିନ୍ତୁ ଶିବଙ୍କ ସ୍ୱରୂପ ବେଲର ଗୁଣ ଅଁଳା ବୃକ୍ଷରେ ରହିଛି। ସେଥିପାଇଁ ଅଁଳା ଗଛରେ ଉଭୟ ତୁଳସୀ ଓ ବେଲର ଅଂଶ ରହିଛି।
ସେତେବେଳେ ମା’ ଲକ୍ଷ୍ମୀ ଅଁଳାକୁ ହିଁ ଶିବ ଓ ବିଷ୍ଣୁଙ୍କ ସ୍ୱରୂପ ଭାବି ପୂଜା କଲେ। ମା’ଙ୍କ ପୂଜା ପରେ ଭଗବାନ ଶିବ ଓ ଭଗବାନ ବିଷ୍ଣୁ ପ୍ରକଟ ହେଲେ। ଏହାପରେ ମା’ଲକ୍ଷ୍ମୀ ଅଁଳା ଗଛ ମୂଳରେ ଭୋଜନ ପ୍ରସ୍ତୁତ କଲେ ଓ ଶିବ ଓ ବିଷ୍ଣୁଙ୍କୁ ଭୋଜନ କରାଇଲେ। ସେହିଦିନଠାରୁ କାର୍ତ୍ତିକ ମାସ ଶୁକ୍ଳ ପକ୍ଷରେ ଅଁଳା ନବମୀ ଦିନ ଅଁଳା ଗଛକୁ ପୂଜା କରାଯାଇଥାଏ ଏବଂ ଅଁଳା ଗଛ ମୂଳରେ ରୋଷେଇ ମଧ୍ୟ ହୋଇଥାଏ। ସେହିଦିନଠାରୁ ଏହି ପ୍ରଥା ଚାଲି ଆସିଛି।
ଅଁଳା ଗଛର ପୂଜା କରାଯାଏ କାହିଁକି
କାର୍ତ୍ତିକ ବ୍ରତ ପାଳୁଥିବା ହବିଷ୍ୟାଳୀମାନେ ଏହିଦିନ ଅଁଳାଗଛ ମୂଳରେ ଏକାଠି ହୋଇ ଭୋଜନ କରନ୍ତି। ଏହାକୁ ନେଇ ବହୁ କାହାଣୀ କିମ୍ବଦନ୍ତୀ ଓ ପୌରାଣିକ ଆଖ୍ୟାୟିକା ମାନ ରହିଛି l ଅଁଳା, ତୁଳସୀ ଏବଂ ମାଳତୀ, ବୃନ୍ଦାବତୀଙ୍କର ତିନି ଗୁଣ ରୂପର ପରିପ୍ରକାଶ l ମା’ ବୃନ୍ଦାବତୀ ଥିଲେ ଦୈତ୍ୟ ଜଳନ୍ଧରଙ୍କ ପତ୍ନୀ l ସେ ଥିଲେ ପତିବ୍ରତା ସତୀ ନାରୀ l ତାଙ୍କର ସତୀତ୍ୱ ଯୋଗୁଁ, ଦୈତ୍ୟ ଜଳନ୍ଧର ପ୍ରବଳ ପରାକ୍ରମୀ ଓ ଅପରାଜୟ ଥିଲା l ତା’ର ଅତ୍ୟାଚାରରେ ତିନିପୁର ଥରହର ହେଉଥିଲା।
କିନ୍ତୁ ଯେପର୍ଯ୍ୟନ୍ତ ତା’ର ପତିବ୍ରତା ପତ୍ନୀ ବୃନ୍ଦାବତୀଙ୍କର ସତୀତ୍ୱ ହରଣ ନହୋଇଛି, ଜଳନ୍ଧରର ମୃତ୍ୟୁ ସେତେବେଳ ଯାଏଁ ସମ୍ଭବ ହେବନାହିଁ l ଜଳନ୍ଧର ବଧ ପାଇଁ ନାରାୟଣ ମାୟାରେ ଜଳନ୍ଧର ରୂପ ଧାରଣ କରି ବୃନ୍ଦାବତୀଙ୍କ ସତୀତ୍ୱ ହରଣ କଲେ l ଏହା ଫଳରେ ଜଳନ୍ଧର ବିଷ୍ଣୁଙ୍କ ହାତରେ ପରାସ୍ତ ହୋଇ ମୃତ୍ୟୁଲାଭ କଲା। ବୃନ୍ଦାବତୀ ଏକଥା ଜାଣିଲେ l ସେ ନାରାୟଣଙ୍କୁ ଅଭିଶାପ ଦେଲେ, ତାଙ୍କର ପତ୍ନୀକୁ ସେମିତି ରାକ୍ଷସ ହରଣ କରୁ ଏବଂ ସେ ପଥର ପାଲଟି ଯାଆନ୍ତୁ l ତାହା ହିଁ ଘଟିଥିଲା l ଶ୍ରୀରାମ ଅବତାରରେ ମାଆ ସୀତାଙ୍କୁ ରାକ୍ଷସ ରାବଣ ହରଣ କରି ନେଇଥିଲା ଓ ବିଷ୍ଣୁ ଶାଳଗ୍ରାମ ଶିଳା ରୂପ ଧାରଣ କରିଥିଲେ l
ଜଳନ୍ଧରର ବଧ ପରେ ବୃନ୍ଦାବତୀ ନିଆଁରେ ଝାସ ଦେଇ ଆତ୍ମ ବିସର୍ଜନ କଲେ l ତାଙ୍କ ଆତ୍ମା ଅନ୍ତରୀକ୍ଷକୁ ଯାଇ ତିନୋଟି ବୀଜ ରୂପେ ମାଟିରେ ପଡ଼ିଲେ l ସେଥିରୁ ଯଥାକ୍ରମେ ତିନିଗୁଣ ଧରି ତିନୋଟି ଗଛ- ଅଁଳା, ତୁଳସୀ ଓ ମାଳତୀ ସୃଷ୍ଟି ହେଲେ।
ବିଷ୍ଣୁଙ୍କ ମାୟାରୁ ହିଁ ଏସବୁ ଘଟିଥିଲା l ମାଳତୀ ତା ’ର ତମ ଗୁଣ ହେତୁ ଶ୍ରୀଲକ୍ଷ୍ମୀଙ୍କ ପ୍ରିୟ ହୋଇ ନପାରି ବଣ ମଧ୍ୟରେ ଦୂରେଇ ରହିଲା l ଦ୍ୱାପର ଯୁଗରେ ବନଫୁଲ ହୋଇ ସେ ଶ୍ରୀକୃଷ୍ଣଙ୍କ ପ୍ରିୟ ହେବ ବୋଲି କଥା ଦେଲା l ଶ୍ରୀବିଷ୍ଣୁ ଅଁଳା ଏବଂ ତୁଳସୀଙ୍କୁ ନେଇ ବୈକୁଣ୍ଠ ଚାଲି ଗଲେ l ବିଷ୍ଣୁଙ୍କ ଇଛାନୁସାରେ ମାଳତୀ ମର୍ତ୍ତ୍ୟରେ ପୂଜା ପାଇଲେ, ଅଁଳା ମର୍ତ୍ତ୍ୟ ଓ ସ୍ୱର୍ଗ ଏବଂ ତୁଳସୀ ତିନି ପୁରରେ ପୂଜା ପାଇଲେ l
ତୁଳସୀଙ୍କ ମାହାତ୍ମ୍ୟ ତଳକୁ ଅଁଳାଙ୍କର ମାହାତ୍ମ୍ୟ ରହିଛି।
ଅଁଳାର ଉତ୍ପତ୍ତି
ପୌରାଣିକ କାହାଣୀ ଅନୁସାରେ ଯେଉଁ ସମୟରେ ସମଗ୍ର ବିଶ୍ୱ ପ୍ରଳୟ ଜଳରେ ବୁଡ଼ି ରହିଥିଲା, ସେତେବେଳେ ସ୍ୱୟଂ ବ୍ରହ୍ମା ବିଷ୍ଣୁଙ୍କ ନାଭିରୁ ଉତ୍ପନ୍ନ ପଦ୍ମ ଉପରେ ବସି ପରଂବ୍ରହ୍ମ ପ୍ରଭୁ ନିରାକାରଙ୍କ ଧ୍ୟାନ ଓ ତପସ୍ୟାରେ ମଗ୍ନ ଥିଲେ l ତପସ୍ୟା କରି କରି ତାଙ୍କ ଆଖିରୁ ଲୁହ ଗଡି ପଡିଥିଲା l ସେହି ଲୁହ ମାଟିରେ ପଡ଼ିବାରୁ ସେଥିରୁ ଅଁଳା ବୃକ୍ଷ ସୃଷ୍ଟି ହୋଇଥିଲା।
ଅନ୍ୟ ଏକ କାହାଣୀ ଅନୁସାରେ, ମା’ଲକ୍ଷ୍ମୀ ଓ ସରସ୍ୱତୀ ଥରେ ଶ୍ରୀହରିଙ୍କୁ ଗୋଟିଏ ନୂଆ ପଦାର୍ଥରେ ପୂଜା କରିବାକୁ ଚାହିଁଲେ। ଏହି କଥା ଚିନ୍ତା କରୁ କରୁ କେଇବୁନ୍ଦା ଆନନ୍ଦାଶ୍ରୁ ସେମାନଙ୍କ ଚକ୍ଷୁରୁ ଗଡି ପଡିଲା l ଏହି ଅଶ୍ରୁରୁ ଅଁଳା ବୃକ୍ଷ ଉତ୍ପତ୍ତି ହୋଇଥିଲା l
ଅଁଳା ନବମୀ ପାଳନ କାହିଁକି ହୁଏ
ଅଁଳା ନବମୀ ସୃଷ୍ଟି ପଛରେ ଗୋଟିଏ ସୁନ୍ଦର କିମ୍ବଦନ୍ତୀ ରହିଛି। ଥରେ କାଶୀ ନଗରୀରେ ଗୋଟିଏ ନିଃସନ୍ତାନ ଧର୍ମାତ୍ମା ବୈଶ୍ୟ ଦମ୍ପତି ରହୁଥିଲେ l ବୈଶ୍ୟଙ୍କ ପତ୍ନୀଙ୍କୁ ତାଙ୍କର ଜଣେ ପଡୋଶୀ କହିଲେ- ଯଦି କାଳ ଭୈରବଙ୍କୁ ସେ ଗୋଟିଏ ଶିଶୁ ବଳି ଦେବେ, ତେବେ ତାଙ୍କର ପୁତ୍ର ସନ୍ତାନ ପ୍ରାପ୍ତି ହେବ।
ଏହି କଥା ବୈଶ୍ୟଙ୍କୁ ପତ୍ନୀ କହିବାରୁ ସେ ଏଭଳି କ୍ରୁର ପାପକର୍ମ କରିବା ପାଇଁ ମନା କରିଦେଲେ। କିନ୍ତୁ ବୈଶ୍ୟପତ୍ନୀ ପୁତ୍ର ପାଇବା ଆଶାରେ ଏହା କରିବା ପାଇଁ ଚାହୁଁଥିଲେ। ଦିନେ ସେ ଜଣେ ଶିଶୁକନ୍ୟାକୁ ଭୈରବଙ୍କ ନାମରେ ବଳି ଚଢାଇ ଏକ କୂଅରେ ଫିଙ୍ଗି ଦେଲେ l ଏହି ଜଘନ୍ୟ ହତ୍ୟାକାଣ୍ଡ ପରେ ବୈଶ୍ୟ ପତ୍ନୀଙ୍କ ଦେହ ଭୀଷଣ ଭାବରେ ଅସୁସ୍ଥ ହୋଇ ପଡିଲା ଏବଂ ସେହି କନ୍ୟାର ଆତ୍ମା ତାଙ୍କୁ ସବୁବେଳେ ହଇରାଣ କରିବାକୁ ଲାଗିଲା।
ପରେ ବୈଶ୍ୟ ପତ୍ନୀଙ୍କଠାରୁ ସମସ୍ତ ଘଟଣା ବିଷୟରେ ଅବଗତ ହେଲେ l ବୈଶ୍ୟ ତାଙ୍କୁ ତିରସ୍କାର କରି କହିଲେ, ଗୋ, ବ୍ରାହ୍ମଣ ଏବଂ ବାଳ ବଧ କରିଥିବା ବ୍ୟକ୍ତି ପାଇଁ ସଂସାରରେ କେଉଁଠି ସ୍ଥାନ ନାହିଁ l ଗଙ୍ଗାସ୍ନାନ, ବିଭୁ ଚିନ୍ତନ ଓ ଭଜନ ଦ୍ୱାରା ତାଙ୍କର ଏହି ଘୋର ପାପର ପ୍ରାୟଶ୍ଚିତ ହୋଇ ପାରିବ l ବୈଶ୍ୟ ପତ୍ନୀ ପଶ୍ଚାତାପ କରି ପାପ ଧୋଇବା ପାଇଁ ଗଙ୍ଗାକୁ ସ୍ନାନ ପାଇଁ ଗଲେ l
ସ୍ନାନ କାଳରେ ଗଙ୍ଗା ଦେବୀଙ୍କୁ ଆକୁଳ ପ୍ରାର୍ଥନା କରୁଥିଲା ବେଳେ, ଗଙ୍ଗା ମାତା ଆବିର୍ଭାବ ହୋଇ ତାଙ୍କୁ ଏ ପାପର ଖଣ୍ଡନ ପାଇଁ କାର୍ତ୍ତିକ ଶୁକ୍ଳ ନବମୀ ତିଥିରେ ଅଁଳା ଗଛର ପୂଜା କରିବା ସହ ଅଁଳା ସେବନ କରିବା ନିମନ୍ତେ କହିଲେ l ଗଙ୍ଗା ମାତାଙ୍କ କହିବା ଅନୁଯାୟୀ ସେ ଅଁଳା ଗଛର ପୂଜା କରି ଅଁଳା ସେବନ କରିବାରୁ ତାଙ୍କ ଶରୀର ରୋଗମୁକ୍ତ ହେଲା। ଏହି ପୂଜା କରିବାର କିଛିଦିନ ପରେ ତାଙ୍କୁ ଏକ ପୁତ୍ରପ୍ରାପ୍ତି ମଧ୍ୟ ହୋଇଥିଲା l ଅଁଳା ନବମୀରେ ଅଁଳା ଗଛକୁ ପୂଜା କରିବା ବିଧି ସେହିଦିନଠାରୁ ଚଳି ଆସୁଛି ବୋଲି ବିଶ୍ୱାସ କରାଯାଏ।
ଅଁଳା ନବମୀ ପୂଜା ବିଧି
ଅଁଳା ନବମୀ ଦିନ ପ୍ରଥମେ ଭୋରରୁ ଉଠି ସ୍ନାନ ଆଦି କରାଯାଏ। କୌଣସି ପବିତ୍ର ନଦୀରେ ଗାଧୋଇଲେ ଶୁଭ ବୋଲି ବିଚାର କରାଯାଏ। ଏହାପରେ ଅଁଳା ଗଛ ମୂଳରେ କ୍ଷୀର, ଅକ୍ଷତ, ଧୂପ-ପୁଷ୍ପ ଆଦି ଅର୍ପଣ କରାଯାଏ। ଏହାପରେ ବିଧି ପୂର୍ବକ ଅଁଳା ଗଛକୁ ପୂଜା କରାଯାଇଥାଏ। ପୂଜା ପରେ ଗଛର ୭ଥର ପରିକ୍ରମା କରିବା ପରେ ଦୀପ ଜାଳି ଅଁଳା ନବମୀ କଥା ଶୁଣାଯାଏ।
ଅଁଳା ଫଳ ଖାଇଲେ ମଧ୍ୟ ମିଳିଥାଏ ଭଗବାନଙ୍କ ଆଶୀର୍ବାଦ। ପୁରାଣ କଥା ଅନୁସାରେ, ଅଁଳା ଫଳ ଖାଇଲେ ମଧ୍ୟ ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତ ହୋଇଥାଏ। ଅଁଳାର ଅନେକ ଗୁଣ ରହିଛି। ଏହାର ଅନେକ ସ୍ୱାସ୍ଥ୍ୟଗତ ଲାଭ ରହିଛି। ଅଁଳା ରସ ସେବନ ସ୍ୱାସ୍ଥ୍ୟ ପାଇଁ ହିତକର। ଅଁଳା ରସ ସେବନ କଲେ ଧର୍ମ ସ୍ଥାପନା ହୋଇଥାଏ ବୋଲି ପୁରାଣରେ କୁହାଯାଇଛି।
ବିଶ୍ୱାସ କରାଯାଏ, ଅଁଳା ଜଳରେ ସ୍ନାନ କଲେ ଦାରିଦ୍ର୍ୟ ଦୂର ହୋଇଥାଏ ଏବଂ ସୁଖ ପ୍ରାପ୍ତ ହୋଇଥାଏ। କାର୍ତ୍ତିକ ମାସରେ ଵିଷ୍ଣୁ ଦେବତା ଋଷିମାନଙ୍କ ସହ ଅଁଳା ବୃକ୍ଷରେ ବାସ କରନ୍ତି l ତେଣୁ ଏହି ମାସରେ ଅଁଳା ବୃକ୍ଷକୁ ପୂଜା କରାଯାଏ l ହବିଷ୍ୟାଳି ମାନେ ଅଁଳା ବଟା କରି ସେଥିରେ ବିଷ୍ଣୁ ପ୍ରତିମାକୁ ସ୍ନାନ କରାଇ ପୂଜା କରିବା ସହିତ ଏହାକୁ ନିଜେ ମଧ୍ୟ ଲଗାଇ ସ୍ନାନ କରନ୍ତି।
କାର୍ତ୍ତିକ ମାସରେ ଅଁଳା ବୃକ୍ଷରୁ ପତ୍ର, ପୁଷ୍ପ ଓ ଫଳ ତୋଳିବା ମନା ହୋଇଥାଏ l ପୂର୍ବରୁ ସଂଗୃହୀତ ଅଁଳା ପତ୍ର, ଫଳ ଓ ଫୁଲରେ କାର୍ତ୍ତିକ ପୂଜା କରାଯାଏ l ପଦ୍ମପୁରାଣରେ ବର୍ଣ୍ଣିତ ଅଛି, ପ୍ରାତଃ ସ୍ନାନ ପରେ ଵିଷ୍ଣୁ ନାମ ସ୍ମରଣ କରି ଅଁଳା ଜଳ ସିଞ୍ଚନ ଓ ସେବନ ଦ୍ୱାରା ମନୁଷ୍ୟର ସକଳ କଳୁଷ ନାଶ ହୋଇ ସେ ନିରୋଗ ଓ ସ୍ୱାସ୍ଥ୍ୟବାନ ହୋଇଥାଏ l
ଅଁଳା ବୃକ୍ଷ ତଳେ ହରିନାମ ସଂକୀର୍ତ୍ତନ, ହବିଷ୍ୟ ଅନ୍ନ ଭୋଜନ କଲେ ବୈକୁଣ୍ଠ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି। ଉତ୍ତର ଭାରତୀୟ ରୀତିନୀତିରେ, ସାକ୍ଷୀଗୋପାଳ ମନ୍ଦିରରେ ପୂଜା ବିଧି ରହିଛି। ଏଠାରେ ଠାକୁରାଣୀ ଉତ୍ତର ଭାରତୀୟ ବେଶଭୂଷା ପରିଧାନ କରିଥାନ୍ତି। ତେଣୁ ବର୍ଷସାରା ଠାକୁରାଣୀଙ୍କ ପାଦ ଲୁଚି ରହିଥାଏ। ଅଁଳା ନବମୀ ଦିନ ଠାକୁରାଣୀ ଓଡ଼ିଆଣୀ ବେଶ ହୁଅନ୍ତି। ଏହି ଅବସରରେ ପାଦ ଦର୍ଶନ ଲାଗି ଭକ୍ତଙ୍କୁ ସୁଯୋଗ ମିଳିଥାଏ।
(ଏହି ଲେଖାର ସମସ୍ତ ମତ, ଲେଖିକାଙ୍କର ନିଜସ୍ବ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)