/odishatv-khabar/media/media_files/2025/10/06/why-goddess-lakshmi-took-birth-2025-10-06-18-58-15.jpg)
ଗଜଲକ୍ଷ୍ମୀ ପୂଜାର ବିଧି ଓ ଉଦ୍ଦେଶ୍ୟ Photograph: (OTV)
ଧନ, ଜନ ତଥା ସୁଖ ଐଶ୍ୱର୍ଯ୍ୟର ଦେବୀ ହେଉଛନ୍ତି ମା ଲକ୍ଷ୍ମୀ। ମାଙ୍କ ଆରାଧନା ପାଇଁ ପ୍ରତି ଓଡ଼ିଆ ଘରେ ବିଭିନ୍ନ ସମୟରେ ଓଷାବ୍ରତ ପାଳନ ହୁଏ। ଏହି ବ୍ରତ ଉତ୍ସବ ମାନଙ୍କ ମଧ୍ୟରେ ଗଜଲକ୍ଷ୍ମୀ ପୂଜା ଅନ୍ୟତମ ଶ୍ରେଷ୍ଠ ଉତ୍ସବ। ଏହି ପର୍ବଟି ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ପାଳିତ ହୁଏ । ଏହିଦିନ ମା ଲକ୍ଷ୍ମୀ ତାଙ୍କ ପ୍ରିୟ ବାହନ ଗଜ ବା ହାତୀ ଉପରେ ଉପରେ ଉପବେଶନ କରି ପୂଜିତ ହୁଅନ୍ତି ତେଣୁ ଏହି ପୂଜାକୁ ଗଜଲକ୍ଷ୍ମୀ ପୂଜା କୁହାଯାଇଥାଏ।
ଲକ୍ଷ୍ମୀଙ୍କ ଜନ୍ମ କିପରି ହୋଇଥିଲା !
ମାଆ ଲକ୍ଷ୍ମୀ ହେଉଛନ୍ତି ସାଗର ଦୁଲଣୀ। କାରଣ, ସମୁଦ୍ର ମନ୍ଥନରୁ ତାଙ୍କର ଜନ୍ମ ହୋଇଥିଲା। କିନ୍ତୁ ତା ପୂର୍ବରୁ ଲକ୍ଷ୍ମୀଙ୍କ ଜନ୍ମ ପ୍ରସଙ୍ଗରେ ଅନ୍ୟଏକ କାହାଣୀ ରହିଛି, ପୀତାମ୍ବର ଦାଶ ବିରଚିତ ‘ନୃସିଂହ ପୁରାଣ’ରେ। ଶୁକମୁନି ପରୀକ୍ଷିତ ରାଜାଙ୍କୁ ଲକ୍ଷ୍ମୀଙ୍କର ପ୍ରଥମ ଜନ୍ମ ବିଷୟରେ କହିଛନ୍ତି। ବା ଲକ୍ଷ୍ମୀ ଦେବୀ ପ୍ରଥମେ ଭୃଗୁଙ୍କଠାରୁ ଜାତ ହୋଇଥିଲେ। ବ୍ରହ୍ମାଙ୍କ ନିର୍ଦ୍ଦେଶରେ କଶ୍ୟପ ପ୍ରଜାପତି ଯେଉଁ ସୃଷ୍ଟି କଲେ, ସେହି ସୃଷ୍ଟିର ଜୀବକୁଳଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରିବା ପାଇଁ ହିଁ ମା ମହାଲକ୍ଷ୍ମୀଙ୍କର ଆବିର୍ଭାବ ଘଟିଥିଲା।
ଭୃଗୁ ହେଉଛନ୍ତି ବ୍ରହ୍ମାଙ୍କର ଏକ ମାନସ ପୁତ୍ର ଏବଂ ଅନ୍ୟତମ ପ୍ରଜାପତି। ପିଲାଦିନରୁ ଜ୍ଞାନସାଧନା ତାଙ୍କର ଥିଲା। ତାଙ୍କର ଚିନ୍ତା ଥିଲା- ଜୀବକୁଳ ତ ସୃଷ୍ଟି ହୋଇଗଲେ ମାତ୍ର ତାଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କିପରି ହେବ? ଏଥିପାଇଁ ସେ ପରଂବ୍ରହ୍ମଙ୍କୁ ଧ୍ୟାନ କଲେ। ସେହି ଧ୍ୟାନରେ ତାଙ୍କୁ ଏକ ଜ୍ୟୋତିପୁଞ୍ଜ ଦେଖାଗଲା। ସେ ତାଙ୍କୁ ସ୍ତ୍ରୀ ଓ ପୁରୁଷ ଦୁଇରୂପ ଧାରଣ କରିବାକୁ ଅନୁରୋଧ କଲେ ଏବଂ ସ୍ତ୍ରୀ ରୂପରେ ଲକ୍ଷ୍ମୀ ଜାତ ହେଲେ। ‘ନୃସିଂହ ପୁରାଣ’ ଅନୁସାରେ, ସେ କହିଲେ-
“ଏହି ଶରୀର ମଧ୍ୟରୁ ଶିରୀ ଜାତ କର
ବ୍ରହ୍ମାଣ୍ଡ ଯାକରେ ମିଳୁ ପ୍ରାଣୀଙ୍କୁ ଆହାର।”
ଫଳରେ ଶ୍ରୀ ବା ଲକ୍ଷ୍ମୀ ଜନ୍ମ ହେଲେ। ଲକ୍ଷ୍ମୀଙ୍କର ସେହି ଜନ୍ମ ମାସ ହେଉଛି- ବିଛା ମାସ ବା ମାର୍ଗଶିର। ସେହି ମାସର ଶୁକ୍ଳ ଦଶମୀ ତିଥି, ଗୁରୁବାର ଦିନ ସେ ଜନ୍ମଗ୍ରହଣ କରିଥିଲେ। ଯାହା ଏବେ 'ସୁଦଶାବ୍ରତ' ଭାବରେ ପାଳନହେଉଛି।‘ନୃସିଂହ ପୁରାଣ’ରେ ଏ ସଂପର୍କରେ ଉଲ୍ଲେଖ ଅଛି-
“ଶୁକଳ ଦଶମୀ ବିଛା ମାସ ଗୁରୁବାରେ
ଉପୁଜିଲେ ମହାଲକ୍ଷ୍ମୀ ସୁଦଶା ବ୍ରତରେ।”
ଜନ୍ମ ହେବା ପରେ, ସେ ଯାଇ ଭୃଗୁଙ୍କ କୋଳରେ ବସିଲେ। ତାହାଙ୍କ ଫଳରେ ସମସ୍ତ ପ୍ରାଣୀ ଶ୍ରୀ ଭୋଗ କଲେ। ବ୍ରହ୍ମା ଭୂମିରେ ଯେତେ ଫଳର ସର୍ଜନା କରିଥିଲେ, ମହାଲକ୍ଷ୍ମୀ ସେମାନଙ୍କୁ ଚାହିଁ ଦେବାରୁ, ସେଥିରୁ ଅମୃତ ସମାନ ରସ ଝରିଲା। ଅନେକ ଧନର ଉତ୍ପତ୍ତି ହେଲା। କେବଳ ଏତିକି ନୁହେଁ, ଦେବୀ ଲକ୍ଷ୍ମୀଙ୍କ ସେହି ସୁଦୃଷ୍ଟିରୁ ସମସ୍ତ ଖାଦ୍ୟ ଦ୍ରବ୍ୟ ମଧ୍ୟ ସୃଷ୍ଟିହେଲା।
ଏ ସଂପର୍କରେ ‘ନୃସିଂହପୁରାଣ’ରେ କୁହାଯାଇଛି-
“ସମସ୍ତେ ଭୁଞ୍ଜିଲେ ଠାବେ ଠାବେ କୃଷି କରି।
ସର୍ବଦା ସଞ୍ଚିଲେ ଜୀବ ପାଇଁ ଏହି ଶିରୀ।
‘ନୃସିଂହ ପୁରାଣ’ରେ ମଧ୍ୟ
ଏ ସଂପର୍କରେ ଉଲ୍ଲେଖ ଅଛି-
“ବ୍ରହ୍ମୁ କୀଟ ପରିଯନ୍ତେ ଖାଇ ହେଲେ ତୋଷ।”
ପୁରାଣରେ ଗଜଲକ୍ଷ୍ମୀ ପୂଜା
ଏ ହେଉଛି ଦ୍ଵାପର ଯୁଗର କଥା। ଦିନେ ବ୍ୟାସମୁନି ହସ୍ତିନାପୁରକୁ ଆସିଥିଲେ, ଏହି ସମୟରେ କୁନ୍ତୀ ଓ ଗାନ୍ଧାରୀ ଯାଇ ତାଙ୍କୁ ହାତ ଯୋଡ଼ି ପ୍ରଶ୍ନ କଲେ ଯେ ହେ ମୁନିବର ଆମକୁ କୁହନ୍ତୁ କେଉଁ ପୂଜା କଲେ ପରିବାର ଖୁସିରେ ରହିବ ଓ ରାଜ୍ୟ, ଧନ ସୁଖ ସମ୍ପତ୍ତି ବଢିବ? କୁନ୍ତୀ ଓ ଗାନ୍ଧାରୀଙ୍କ ପ୍ରଶ୍ନର ଉତ୍ତର ଦେଇ ବ୍ୟାସ ମୁନି କହିଲେ "ଗଜଲକ୍ଷ୍ମୀ ପୂଜା ନିଷ୍ଠାର ସହ ପାଳନ କଲେ ସୁଫଳ ପାଇବ। ଭାଦ୍ର ପଦ ଶୁକ୍ଳ ଅଷ୍ଟମୀ ଦିନ ସ୍ନାନ ସାରି ଏ ବ୍ରତ ଷୋହଳ ଦିନ ପର୍ଯ୍ୟନ୍ତ କରିବ।
ଷୋହଳଟି ବ୍ରତକୁ ନେଇ ଷୋହଳଟି ଗଣ୍ଠି ପକାଇ ହଳଦୀ ପାଣିରେ ବୁଡାଇ ଦୁବ ସହ ମିଶାଇ ଷୋଳଦିନ ଯାଏଁ ମାଙ୍କୁ ସମର୍ପଣ କରିବ।ଷୋଳଦିନ ବେଳକୁ ହାତୀ ଉପରେ ବସିଥିବା ମା ଲକ୍ଷ୍ମୀଙ୍କ ପ୍ରତିମା ରଖି ପୂଜା କରିବ।" ଦୁଇ ରାଣୀଙ୍କୁ ଏପରି କହି ବ୍ୟାସ ମୁନି ନିଜ ଆଶ୍ରମକୁ ଫେରିଗଲେ। ଭାଦ୍ରବ ମାସ ଶୁକ୍ଳ ଅଷ୍ଟମୀ ତିଥି ଆସି ପହଞ୍ଚିଲା। କୁନ୍ତୀ ଓ ଗାନ୍ଧାରୀ ଗଜଲକ୍ଷ୍ମୀ ବ୍ରତ ପାଳନ କଲେ। ଦିନ ପରେ ଦିନ ଯାଇ ବ୍ରତର ଷୋହଳ ଦିନ ଆସିଲା। ସେଦିନ ମା ଲକ୍ଷ୍ମୀଙ୍କୁ ହାତୀ ଉପରେ ବସେଇ ପୂଜା କରିବା ବିଧି।
ଗାନ୍ଧାରୀଙ୍କ ଶହେ ପୁଅ ମାଟିରେ ଗୋଟିଏ ବିରାଟ ଆକାରର ହାତୀ ଗଢି ଆଣିଲେ। ନଗରର ସବୁ ମହିଳା ଗାନ୍ଧାରୀଙ୍କ ହାତୀ ଦେଖିବା ପାଇଁ ପୂଜା ସ୍ଥାନକୁ ଆସିଲେ। କୁନ୍ତୀଙ୍କ ପୂଜା ସ୍ଥାନକୁ କେହି ଗଲେନି। ଏପରିକି ଗାନ୍ଧାରୀ ମଧ୍ୟ ନିଜ ପୂଜା ସ୍ଥାନକୁ କୁନ୍ତୀଙ୍କୁ ନିମନ୍ତ୍ରଣ କଲେନି। କୁନ୍ତୀ ଏଇ ଘଟଣାରେ ଅପମାନିତ ଅନୁଭବ କରି ମନ ଦୁଃଖ କଲେ। ପଞ୍ଚୁ ପାଣ୍ଡବ ମହଲକୁ ଆସି ମାଙ୍କ ମନ ଦୁଃଖ ଥିବା ଜାଣିଲେ। ତୃତୀୟ ପାଣ୍ଡବ ଅର୍ଜୁନ କୁନ୍ତୀଙ୍କୁ ବୁଝାଇ କହିଲେ ମନ ଦୁଃଖ କରନି, ଆଜି ନିଶ୍ଚୟ ତୁମର ବ୍ରତ ସଫଳ ହେବ।
ମାତା ଗାନ୍ଧାରୀଙ୍କ ପୂଜା ମାଟି ହାତୀକୁ ନେଇ ହେଉଛି ତୁମ ପୂଜା ପାଇଁ ସ୍ଵୟଂ ଐରାବତ ହାତୀ ଆସିବ। ଏ ଖବର ନଗର ସାରା ଡେଙ୍ଗୁରା ବଜାଇ ଜଣାଇ ଦିଅ। ଇନ୍ଦ୍ରଙ୍କ ପାଖରୁ ଅର୍ଜୁନ ଐରାବତ ହାତୀ ଆଣିଲେ ଓ ତା ଉପରେ ଲକ୍ଷ୍ମୀ ପ୍ରତିମା ସ୍ଥାପନ କରି ସନ୍ଧ୍ୟା ସମୟରେ କୁନ୍ତୀ ପୂଜା କଲେ । ଯାହାକୁ ଦେଖିବା ପାଇଁ ନଗରର ସମସ୍ତ ଲୋକ କୁନ୍ତୀଙ୍କ ପୂଜା ସ୍ଥାନକୁ ଆସିଲେ। ପୂଜା ପରେ ଲକ୍ଷ୍ମୀ ମୂର୍ତ୍ତି ବିସର୍ଜନ ହେଲା ଓ ଐରାବତ ସ୍ୱର୍ଗକୁ ଫେରିଗଲା।
ଓଡ଼ିଶାରେ ଗଜଲକ୍ଷ୍ମୀ ପୂଜା
ସାଧାରଣତଃ ଗଜଲକ୍ଷ୍ମୀଙ୍କୁ ଦିନଟିଏ ପାଇଁ ହିଁ ପୂଜା କରାଯାଇଥାଏ। କିନ୍ତୁ କେତେକ ସ୍ଥାନରେ ଏହି ପୂଜା ସାତଦିନରୁ ଦଶ ଦିନ ଧରି କରାଯାଇଥାଏ। ଏହି ପୂଜା ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସୁନ୍ଦର ଲକ୍ଷ୍ମୀ ମେଢ଼ମାନ ପୂଜା ପାଇଥାନ୍ତି।
ଓଡ଼ିଶାର ଢେଙ୍କାନାଳ ଜିଲା ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ। ଏଠାରେ ଏହି ପୂଜା କୁମାର ପୂର୍ଣ୍ଣିମା ଦିନଠାରୁ ଆରମ୍ଭ ହୋଇ ୧୧ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଢେଙ୍କାନାଳରେ ଏହି ପୂଜା ପ୍ରଥମଥର ପାଇଁ ୧୯୨୩ ମସିହାରେ କୁଞ୍ଜସାହୁ ଛକ (ବର୍ତ୍ତମାନର ଗଣେଶ ବଜାର)ଠାରେ ଆରମ୍ଭ ହୋଇଥିଲା।
ଢେଙ୍କାନାଳର କଲେଜ୍ ରୋଡ଼୍ଠାରୁ ଆରମ୍ଭ କରି କୋରିହାଁ ଛକ (ପ୍ରାୟ ୭ କିଲୋମିଟର) ଯାଏଁ ରାସ୍ତାର ଦୁଇ କଡ଼ରେ ଅନେକ ଲକ୍ଷ୍ମୀ ମେଢ଼ ତିଆରି ହୋଇଥାଏ। ଏହି ପୂଜା ଅବସରରେ ସମ୍ପୂର୍ଣ୍ଣ ସହର ବିଭିନ୍ନ ପ୍ରକାର ଆଲୋକ ମାଳାରେ ସୁସଜ୍ଜିତ ହୋଇଥାଏ।
ମାଆ ଲକ୍ଷ୍ମୀଙ୍କ ପୂଜା ଆରାଧନା ତଥା ମହିମା ଗାନ କରିବା ଆମ ପ୍ରାଚୀନ ଉତ୍କଳୀୟ ପରମ୍ପରାର ନିଦର୍ଶନ। ମାଣବସା ଗୁରୁବାର ହେଉ କି ସୁଦଶା ବ୍ରତ କିମ୍ବା ହେଉ ଗଜଲକ୍ଷ୍ମୀ ପୂଜା ସବୁଠି ଓଡ଼ିଆମାନେ ମା ଲକ୍ଷ୍ମୀଙ୍କୁ ଓଡ଼ିଶାର ଶ୍ରୀ ବୃଦ୍ଧି ପାଇଁ କରିଥାନ୍ତି ବିନତୀ।
Bhartruhari Mahtab Blames: ଭର୍ତ୍ତୃହରିଙ୍କ ବଡ଼ ବୟାନ, କିଛି ଅସାମାଜିକ ଲୋକ ଜେଲରୁ ମୁକୁଳିଥିଲେ... ବିଶୃଙ୍ଖଳା ପାଇଁ ଉସୁକାଉଥିଲେ

Protect Children from Online Gaming Fraud: ମାଗିଥିଲେ ନଗ୍ନ ଫଟୋ, ଅକ୍ଷୟ କୁମାରଙ୍କ ବଡ଼ ଖୁଲାସା...ପଢ଼ନ୍ତୁ ଗୋଟିଏ କ୍ଲିକରେ

Bihar Election Dates Announced: ବିହାର ନିର୍ବାଚନ ତାରିଖ ଘୋଷଣା, ଦୁଇଟି ପର୍ଯ୍ୟାୟରେ ହେବ ମତଦାନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)