Advertisment

Key BJD Leaders From Bhadrak : ପ୍ରଫୁଲ୍ଲଙ୍କୁ ଏକା କରି ଦଳ ଛାଡ଼ିଦେଲେ ଦୁଇ ପୁଅ ଓ ଭଉଣୀ

ଆଜି ଉଭୟ ଭାଇ ଦଳବଳ ସହ ପୀଉସୀଙ୍କୁ ସାଥୀରେ ଧରି ଭୁବନେଶ୍ବର ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି । ଉର୍ମିଳା, ଲୁଲୁ ଏବଂ ଜୁଲୁଙ୍କ ସହ ବନ୍ତ, ଭଣ୍ଡାରୀପୋଖରୀ ଏବଂ ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ମଧ୍ୟ ଆଜି ବିଜେପିରେ ସାମିଲ ହୋଇଛନ୍ତି ।

author-image
Manas Ranjan Mohanty
BHADRAK-POLITICS

BHADRAK-POLITICS Photograph: (OTV)

ନବୀନ ବାବୁ ଦାୟିତ୍ବ ଦେଇଥିଲେ ପ୍ରଫୁଲ୍ଲଙ୍କୁ । ଯିଏ ବିଜେଡି ଛାଡ଼ି ପଳାଉଛି ତାଙ୍କୁ ଭିଡ଼ିକି ଧର, ଫେରାଇ ଆଣ । ଘଳିଆ ମାରିବାକୁ ନବୀନ ନିବାସରୁ ବଳ ପାଇଥିଲେ ପ୍ରଫୁଲ୍ଲ ।  କିନ୍ତୁ ପ୍ରଫୁଲ୍ଲଙ୍କୁ ଏକା କରି ଦଳ ଛାଡ଼ିଦେଲେ ଦୁଇ ପୁଅ ଓ ଭଉଣୀ । 

ଶୁଣିଲେ କଣ କହୁଛନ୍ତି ଭଦ୍ରକ ପଞ୍ଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ । ଭିଡିଓ ଉପରେ କ୍ଲିକ୍ କରନ୍ତୁ । 

Advertisment

ସେ ଅପେକ୍ଷା କଲେ କିନ୍ତୁ ବିଜେଡିର କୌଣସି ନେତା ତାଙ୍କ ସହ ଆଲୋଚନା ନକରିବାରୁ ସେ ବିଜେପିରେ ମିଶୁଛନ୍ତି ବୋଲି କହିଲେ ଉର୍ମିଳା । ଯେଉଁ ନେତାମାନେ ବିଜେଡି ଛାଡ଼ି ପଳାଉଛନ୍ତି ସେମାନଙ୍କୁ ବୁଝାଇ ସୁଝାଇ ଫେରାଇ ଆଣିବାକୁ ଭଦ୍ରକ ବିଜେଡିର ତୁଙ୍ଗ ନେତା ପ୍ରଫୁଲ୍ଲ ସାମଲଙ୍କୁ ଦାୟିତ୍ବ ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କିନ୍ତୁ ଉର୍ମିଳା କହୁଛନ୍ତି ତାଙ୍କ ସହ କୌଣସି ବିଜେଡି ନେତା ଆଲୋଚନା କଲେନି । ତେଣୁ ସେ ବାଧ୍ୟ ହୋଇ ଆଜି ବିଜେପିରେ ମିଶୁଛନ୍ତି । ଆଉ ଜାଣିଛନ୍ତି ଏ ଉର୍ମିଳା ନାୟକ କିଏ ? ଇଏ ହେଉଛନ୍ତି ଖୋଦ୍ ପ୍ରଫୁଲ୍ଲ ସାମଲଙ୍କ ନିଜ ଭଉଣୀ । ୟାଙ୍କୁ ଭଦ୍ରକ ବ୍ଲକ ଅଧ୍ୟକ୍ଷା କରାଇଥିଲେ ନିଜେ ପ୍ରଫୁଲ୍ଲ । କିନ୍ତୁ ପ୍ରମିଳାଙ୍କ କହିବା କଥା ତାଙ୍କ ସହ କେହି ବିଜେଡି ନେତା ଆଲୋଚନା କରିନାହାନ୍ତି । ଅର୍ଥାତ୍ ତାଙ୍କ ଭାଇ ତାଙ୍କୁ ବିଜେଡିରେ ଅଟକିବାକୁ ଟିକିଏ ବି ଆଲୋଚନା କରିନଥିବା ସିଧା ସିଧା କହିଦେଇଛନ୍ତି ଉର୍ମିଳା । 

କେବଳ ଭଉଣୀ ଉର୍ମିଳା ନୁହନ୍ତି ପ୍ରଫୁଲ୍ଲଙ୍କ ଦୁଇ ପୁଅ ଲୁଲୁ ଏବଂ ଜୁଲୁ ମଧ୍ୟ ଆଜି ବାପାଙ୍କ ହାତ ଛାଡ଼ି ପଦ୍ମ ପୋଖରୀକୁ କୁଦା ମାରିଛନ୍ତି । ଆଉ ସବୁଠାରୁ ବଡ଼ କଥା ହେଲା ଲୁଲୁ ଓରଫ ପ୍ରୟାସକାନ୍ତିଙ୍କ ପୀଉସୀ ତଥା ପ୍ରଫୁଲ୍ଲଙ୍କ ଭଉଣୀ ଉର୍ମିଳା କହୁଛନ୍ତି ପ୍ରୟାସକାନ୍ତି ସାମଲଙ୍କ ନେତୃତ୍ବରେ ଆମେ ଆଜି ବିଜେପିରେ ସାମିଲ ହେଉଛୁ । ତା ଅର୍ଥ ଏସବୁ ଘଟଣାର ମୂଳ ମଂଜି ହେଉଛନ୍ତି ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତି ସାମଲ ଓରଫ ଲୁଲୁ । 

ଆଜି ଉଭୟ ଭାଇ ଦଳବଳ ସହ ପୀଉସୀଙ୍କୁ ସାଥୀରେ ଧରି ଭୁବନେଶ୍ବର ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି । ଉର୍ମିଳା, ଲୁଲୁ ଏବଂ ଜୁଲୁଙ୍କ ସହ ବନ୍ତ, ଭଣ୍ଡାରୀପୋଖରୀ ଏବଂ ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ମଧ୍ୟ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଭଉଣୀକୁ ଭଦ୍ରକ ବ୍ଲକ ଅଧ୍ୟକ୍ଷା କରିବା ସହ ସାନ ପୁଅ ଜୁଲୁକୁ ଭଣ୍ଡାରୀପୋଖରୀ ବ୍ଲକ ଉପାଧ୍ୟକ୍ଷ କରିଥିଲେ ପ୍ରଫୁଲ୍ଲ । 

ବିଜେଡିର ଗଡ଼ ଥିବା ଭଦ୍ରକରେ ଏବେ ଶଙ୍ଖ ଭାଙ୍ଗି ଗୁଣ୍ଡ ହୋଇଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଯାହାଙ୍କୁ ନବୀନ ବାବୁ ଗଡ଼ରକ୍ଷା ପାଇଁ ଦାୟିତ୍ବ ଦେଇଥିଲେ ତାଙ୍କରି ଘରୁ ହିଁ ଡିନାମାଇଟ ପକାଇ ଦୁର୍ଗ ଚୁନା କରିଦିଆଯାଇଛି । ଭଉଣୀ ଏବଂ ଦୁଇ ପୁଅ ପ୍ରଫୁଲ୍ଲଙ୍କ ସମ୍ମତି ବିନା ଏତେ ବଡ଼ ପଦକ୍ଷେପ ଯେ ନେଇନଥିବେ ସେନେଇ ଏବେ ଭଦ୍ରକରେ ଜୋରଦାର ଚର୍ଚ୍ଚା । 

Advertisment
Advertisment