/odishatv-khabar/media/media_files/2026/02/25/assembly-2026-02-25-15-40-00.jpg)
Assembly Photograph: (OTV)
ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟର କାର୍ଯ୍ୟ ଏକ ପ୍ରକାର ଶେଷ ହୋଇଛି। ଗତ ୧୭ ତାରିଖ ଠାରୁ ଆରମ୍ଭ ହୋଇଥିଲା ଏହି ଅଧିବେଶନ । ୧୭ ତାରିଖ ଦିନ ରାଜ୍ୟପାଳ ତାଙ୍କର ଅଭିଭାଷଣ ରଖିଥିଲେ । ୨୦ ତାରିଖ ଦିନ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର ବାର୍ଷିକ ବଜେଟ୍ ଉପସ୍ଥାପନ କରିଥିଲେ । ଉପରୋକ୍ତ ରାଜ୍ୟପାଳ ଅଭିଭାଷଣ ଓ ବାର୍ଷିକ ବଜେଟ୍ ଉପସ୍ଥାପନ ଆମ ସାମ୍ବିଧାନିକ ବିଧିବ୍ୟବସ୍ଥାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ।
ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଧାର୍ଯ୍ୟ କାର୍ଯ୍ୟକ୍ରମ ବ୍ୟତୀତ ଅନ୍ୟାନ୍ୟ ବୈଧାନିକ କାର୍ଯ୍ୟ ଏହି ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ଏକ ପ୍ରକାର ଆଦୌ ସମ୍ପାଦିତ କରିହେଲା ନାହିଁ ବୋଲି କୁହାଯାଇପାରେ । ଏହାର କାରଣ ହେଲା ଯେ ମୁଖ୍ୟ ବିରୋଧୀ ବିଜୁ ଜନତା ଦଳ ବିଧାନସଭା ଭିତରେ ଶାସକ ଭାରତୀୟ ଜନତା ପାର୍ଟିକୁ ନେଇ ଏକ ମୁକାବିଲାମୂଳକ ଆଭିମୁଖ୍ୟ ଗ୍ରହଣ କଲା ।
ପ୍ରଥମ ଦିନରୁ ବିଜୁ ଜନତା ଦଳର ସଦସ୍ୟମାନେ ଚାଷୀ ଓ ଚାଷକୁ ଏକ ବଡ଼ ପ୍ରସଙ୍ଗ କରିବେ ବୋଲି ସ୍ପଷ୍ଟ ସଙ୍କେତ ଦେଇ ରାଜ୍ୟପାଳଙ୍କ ଅଭିଭାଷଣକୁ ଏକ ପ୍ରକାର ଶେଷ ଆଡ଼କୁ ବର୍ଜନ କରିଥିଲେ । ଏହାପର ଠାରୁ ନିୟମିତ ଭାବରେ ସେମାନେ ପ୍ରତିଦିନ ଶୂନ୍ୟକାଳ ଠାରୁ ଗୃହରେ ହଙ୍ଗାମା କରି ଗୃହ ଚଳାଇ ଦେଇନଥିଲେ ।
ପାର୍ଲାମେଣ୍ଟ ହେଉ ବା ବିଧାନସଭା, ତାହା ଆମ ଗଣତନ୍ତ୍ରର ମନ୍ଦିର । ବିଧାନସଭା ଆରମ୍ଭ ହେଲେ ରାଜ୍ୟବାସୀ ଅତ୍ୟନ୍ତ ଉତ୍ସୁକତାର ସହିତ ଏହି ଅଧିବେଶନରେ କ’ଣ ହେଉଛି, ସେ ନେଇ ଲକ୍ଷ୍ୟ ରଖିଥାନ୍ତି । ସେମାନଙ୍କର ଦୁଃଖସୁଖ ଓ ଆଞ୍ଚଳିକ ସମସ୍ୟା ନିର୍ବାଚିତ ପ୍ରତିନିଧିମାନେ ଆଲୋଚନା କରିବେ ବୋଲି ଏକ ବିଶ୍ୱାସ ଜନସାଧାରଣ କରିଥାନ୍ତି । କିନ୍ତୁ ଏଥର ଯାହା ହେଲା, ତାହା ସେମାନଙ୍କୁ ବ୍ୟଥିତ କରିଥିବ ନିଶ୍ଚିତ ।
ବିଧାନସଭାରେ ନିର୍ବାଚିତ ପ୍ରତିନିଧିମାନେ କିପରି ଆଚରଣ ଓ ବ୍ୟବହାର କରିବେ, ତାହା ସେମାନଙ୍କର ବ୍ୟକ୍ତିଗତ ବ୍ୟାପାର । ଏଥିନେଇ ସେମାନଙ୍କର ଅଖଣ୍ଡ ଓ ଅମାପ ସ୍ୱାଧୀନତା ରହିଛି । ଏହି ସ୍ୱାଧୀନତାକୁ ପ୍ରିଭିଲେଜ୍ ବା ‘ସ୍ୱାଧିକାର’ କୁହାଯାଏ । ହେଲେ ସମ୍ବିଧାନ ବିଶେଷଜ୍ଞମାନେ ମତବ୍ୟକ୍ତ କରନ୍ତି ଯେ ଜନପ୍ରତିନିଧିମାନେ ନିଜର ସ୍ୱାଧିକାର ରୂପକ କ୍ଷମତାକୁ ଉପଯୋଗ କଲାବେଳେ ଲୋକାଚାର ଓ ସଦାଚାର ନେଇ ଅତ୍ୟନ୍ତ ସଚେତନ ହେବାର ଆବଶ୍ୟକତା ରହିଛି । କାରଣ ସେମାନଙ୍କର ପ୍ରତ୍ୟେକ କାର୍ଯ୍ୟଶୈଳୀକୁ ଲୋକମାନେ ନିରେଖି କରି ନିରୀକ୍ଷଣ କରୁଥାନ୍ତି ।
ଚାଷୀ ଓ ଚାଷ ଆମ ଦେଶର ରାଜନୈତିକ ପୃଷ୍ଠଭୂମିରେ ସର୍ବଦା ମୁଖ୍ୟ ପ୍ରସଙ୍ଗ ହୋଇ ରହିଛନ୍ତି । ସେ ଜାତୀୟ ରାଜନୀତି ହେଉ ବା ପ୍ରାଦେଶିକ ରାଜନୀତି, ରାଜନୈତିକ ଦଳଗୁଡିକ ସର୍ବଦା ଚାଷୀ ପ୍ରସଙ୍ଗ ଉଠାଇ ନିଜର ଭୋଟ୍ବ୍ୟାଙ୍କ୍ ମଜବୁତ କରିବାକୁ ଚେଷ୍ଟା କରିଥାନ୍ତି । ଓଡ଼ିଶାରେ ଚାଷୀମାନଙ୍କର କିଛି ଦୁରାବସ୍ଥା ନାହିଁ ବୋଲି ଆମେ କହିପାରିବା ନାହିଁ ।
ଖରାପ ସ୍ଥିତିରେ କୃଷି
ଚାଷ କ୍ଷେତ୍ର ଯେ ଯଥେଷ୍ଟ ଅଗ୍ରଗତି କରିଛି, ଏକଥା ବି କହିହେବ ନାହିଁ । ପର୍ଯ୍ୟାପ୍ତ ଜଳସେଚନର ଅଭାବ, କୃଷି ଉତ୍ପାଦର ବଜାର ଅଭାବରୁ ଅଭାବୀ ବିକ୍ରି ଓ ସଂରକ୍ଷଣ ସୁବିଧାର ଘୋର ଅଭାବ ଏହି କ୍ଷେତ୍ରକୁ ଏକ ପ୍ରକାର ଖରାପ ସ୍ଥିତିରେ ରଖିଛି । ହେଲେ ଏହି ସବୁ ସମସ୍ୟାର ସମାଧାନ କରିବା ପାଇଁ ବିଧାନସଭା ଅଚଳ କରିବା ଯେ ଏକମାତ୍ର ବିକଳ୍ପ ତାହା ବି ଠିକ୍ ନୁହେଁ ।
ଗତ ୧୯ ତାରିଖ ଦିନ କଂଗ୍ରେସ ଦଳ ତରଫରୁ ଚାଷୀ ପ୍ରସଙ୍ଗରେ ଏକ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରସ୍ତାବକୁ ଗୃହରେ ଆଲୋଚନା କରିବା ଲାଗି ବାଚସ୍ପତି ଅନୁମତି ଦେଇଥିଲେ । ହେଲେ ପ୍ରଶ୍ନୋତ୍ତର କାଳଠାରୁ ଏହି ପ୍ରସଙ୍ଗରେ ବିଜୁ ଜନତା ଦଳ ସଦସ୍ୟମାନେ ହୋହାଲ୍ଲା କରିବାରୁ ସେଦିନ ଗୃହ ଅଚଳ ହୋଇପଡ଼ିଥିଲା । ସେଦିନ ଯଦି ଗୃହରେ ଚାଷୀ ପ୍ରସଙ୍ଗ ଆଲୋଚନା ହୋଇଥାନ୍ତା, ଲୋକମାନେ ମଣ୍ଡିରେ ଧାନକିଣା ଅବ୍ୟବସ୍ଥା ନେଇ ଯେଉଁ ଅଭିଯୋଗ ହେଉଛି, ସେ ସମ୍ପର୍କରେ ପ୍ରକୃତ ଘଟଣା ଜାଣିପାରିଥାନ୍ତେ ।
ଚାଷୀ ହନ୍ତସନ୍ତ
ବିଜୁ ଜନତା ଦଳର କହିବା କଥା ଯେ ମଣ୍ଡିରେ ଧାନ ଉଠୁନାହିଁ । ଚାଷୀମାନେ ହନ୍ତସନ୍ତ ହେଉଛନ୍ତି । ସରକାରୀ ତଥ୍ୟ କିନ୍ତୁ ଭିନ୍ନ ଚିତ୍ର ଉପସ୍ଥାପନ କରୁଛି । ଗତ ୨୦୨୩-୨୪ ଖରିଫ ସିଜନରେ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଫେବୃୟାରୀ ୨୦ ତାରିଖ ସୁଦ୍ଧା ୫୫ଲକ୍ଷ ୮୦ ହଜାର ୬୧୪ ମେଟ୍ରିକ୍ ଟନ୍ ଧାନ ୧୨ଲକ୍ଷ ୭୪ହଜାର ୨୯୮ ଜଣ ଚାଷୀ ଙ୍କ ଠାରୁ ସଂଗ୍ରହ କରାଯାଇଥିଲା ।
ଏହି ସରକାରଙ୍କ ୨୦୨୫-୨୬ ଖରିଫ୍ ସିଜନ୍ ଉଠାଣ ଫେବୃୟାରୀ ୨୦ ତାରିଖ ୨୦୨୬ ସୁଦ୍ଧା ୬୩ ଲକ୍ଷ ୭ ହଜାର ୬୩୮ କ୍ୱିଣ୍ଟାଲ ଧାନ ୧୪ ଲକ୍ଷ ୩୨ ହଜାର ୪୯ ଜଣ ଚାଷୀଙ୍କ ନିକଟରୁ ସଂଗ୍ରହ କରାଯାଇଛି । ଇତି ମଧ୍ୟରେ ଚାଷୀମାନଙ୍କୁ ଧାନ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଇନ୍ପୁଟ୍ ସହାୟତା ପ୍ରଦାନ କାରଣରୁ ସେମାନଙ୍କର ମୁଣ୍ଡପିଛା ଆୟ ବୃଦ୍ଧି ହୋଇଛି ।
ଯାହା ଆଲୋଚନା ହେଉଛି ଯେ ବିଜୁ ଜନତା ଦଳ ଏହାର ଫେବୃୟାରୀ ୨୪ ତାରିଖ ଚାଷୀ ଆନ୍ଦୋଳନ ଲାଗି ଏକ ଟେମ୍ପୋ ବା ଉଚ୍ଛ୍ୱାସ ସୃଷ୍ଟି କରିବା ପ୍ରୟାସରେ ବିଧାନସଭାକୁ ଅଚଳ କରିବା ପାଇଁ ଏକ ସୁଚିନ୍ତିତ ଋଣନୀତି କରିଥିଲା ।
ରାଜନୀତିରେ ପ୍ରତ୍ୟେକ ପଦକ୍ଷେପ ଠିକ୍ ବୋଲି କୁହାଯାଏ । କିନ୍ତୁ କିଛି ପଦକ୍ଷେପ ଏତେ ଗଣତନ୍ତ୍ର ପରିପନ୍ଥୀ ଯେ ତାହା ସମାଜକୁ ଏବଂ ବିଧିବ୍ୟବସ୍ଥାକୁ ରୁଗ୍ଣ କରିଦିଏ । ଆଜିର ରାଜନୈତିକ ନେତୃବୃନ୍ଦଙ୍କ ଆଚରଣ, କଳାକୌଶଳ ପରପିଢି ଉପରେ ପକାଇଥାଏ । ଯଦି ଆମର ସମ୍ମାନସ୍ପଦ ବିଧାୟକମାନେ ଭଲ ଦୃଷ୍ଟାନ୍ତ ସୃଷ୍ଟି କରିବେ, ନୂଆ ବିଧାୟକମାନଙ୍କ ଉପରେ ତା’ର ପ୍ରଭାବ ପଡ଼ିବ । ଅନ୍ୟଥା ସେମାନେ ନକାରାତ୍ମକ ଭାବରେ ପ୍ରଭାବିତ ହେବେ ଏବଂ ସୁସ୍ଥ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବଜାୟ ରଖିବା ବହୁତ କଷ୍ଟକର ହୋଇଯିବ ।
ବି.ଦ୍ର. – ଏହା ଲେଖକଙ୍କ ନିଜସ୍ୱ ମତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)