/odishatv-khabar/media/media_files/2026/01/28/ajit-pawar-2026-01-28-12-56-49.jpg)
AJIT PAWAR Photograph: (OTV)
ଅଜିତ ପାୱାର। ପୂରା ନାଁ ଅଜିତ ଅନନ୍ତରାଓ ପାୱାର। ମହାରାଷ୍ଟ୍ର ରାଜନୀତିର ସେ ଥିଲେ ଟାଣୁଆ ନେତା। ତାଙ୍କୁ ମହାରାଷ୍ଟ୍ର ପଲିଟିକ୍ସର ବେତାଜ ବାଦଶାହ ବୋଲି କୁହାଯାଉଥିଲା। ୪ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ମହାରାଷ୍ଟ୍ର ରାଜନୀତିରେ ଥିଲା ତାଙ୍କର ବେଶ୍ ଦବଦବା। ସମସ୍ତେ ତାଙ୍କୁ ଡାକୁଥିଲେ ‘ଦାଦା’।
୧୯୫୯ ମସିହା ଜୁଲାଇ ୨୨ରେ ଅହମଦନଗର ଜିଲ୍ଲା ଦେଓଲାଲି ପ୍ରଭାରାରେ ଅଜିତ ପାୱାର ଜନ୍ମ ଗ୍ରହଣ କରିଥିଲେ। ମହାରାଷ୍ଟ୍ର ରାଜନୀତିରେ ବେଶ୍ ସକ୍ରିୟ ଥିବା ପାୱାର ପରିବାର ସହ ଅଜିତ ଜଡ଼ିତ। ସମବାୟ ଓ କୃଷି କ୍ଷେତ୍ର ସହ ଜଡ଼ିତ ହୋଇ ପାୱାର ପରିବାର ରାଜନୀତି କରନ୍ତି। ଏହାକୁ ଆଧାର କରି ଅଜିତ ପାୱାର ମଧ୍ୟ ନିଜ ରାଜନୀତି କ୍ୟାରିୟରର ମୂଳଦୁଆ ପକାଇଥିଲେ।
ସେ ନିଜ ରାଜନୈତିକ କୌଶଳ ଦ୍ୱାରା ଏନସିପି ଦଳକୁ ମହାରାଷ୍ଟ୍ରରେ ସବଳ କରିଥିଲେ। ୧୯୯୫ରୁ ଲଗାତାର ୨୦୨୪ ବାରାମତୀରୁ ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୧୯ରେ ଦୁଇ ଥର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ପୃଥ୍ବୀରାଜ ଚୌହାନ, ଫଡନାବିସ, ଉଦ୍ଧବ, ଏକନାଥ ସରକାରରେ ଥିଲେ DCM । ରାଜନୀତିରେ ପଟ୍ଟ ପରିବର୍ତ୍ତନ ପାଇଁ ଚର୍ଚ୍ଚିତ ଥିଲେ ଅଜିତ।
ଦାଦା ଶରଦ ପାୱାରଙ୍କ ହାତ ଧରି ରାଜନୀତିକୁ ଆସିଥିଲେ ଅଜିତ। ସେ ତାଙ୍କ ଠାରୁ ରାଜନୀତିର ଗୋଟି ଚାଳନା ଶିଖିଥିଲେ। ବିରୋଧୀ ଦଳରେ ଥାଆନ୍ତୁ କିମ୍ବା କ୍ଷମତାରେ, ଅଜିତ ପାୱାର ସର୍ବଦା ଲାଇମଲାଇଟରେ ରହୁଥିଲେ। ତେବେ ୨୦୨୩ରେ ଦାଦା ଶରଦଙ୍କ ବିରୋଧରେ ବିଦ୍ରୋହ କରିଥିଲେ ଅଜିତ। ବିଶେଷ କରି ଏନଡିଏ ସହ ମେଣ୍ଟକୁ ନେଇ ଦାଦା-ପୁତୁରାଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ମତଭେଦ। ଆଉ ଏହି ମତଭେଦ ଯୋଗୁ ଦଳ ଭିତରେ ସୃଷ୍ଟି ହୋଇଥିଲା ଫାଟ।
୨୦୨୩ରେ ବେଶ ନାଟକୀୟ ଢଙ୍ଗରେ ପଟ ପରିବର୍ତ୍ତନ କରିଥିଲେ ଅଜିତ। ସେ ଦାଦାଙ୍କ ଠାରୁ ଅଲଗା ହୋଇ ବିଜେପି ସହ ହାତ ମିଳାଇ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ। ନିର୍ବାଚନ ଆୟୋଗ ୨୦୨୪ରେ NCPର ନାମ ଓ ଚିହ୍ନ ତାଙ୍କ ଗୋଷ୍ଠୀକୁ ଦେଇଥିଲା।
ଅଜିତ ପାୱାର ପ୍ରଥମେ ନଭେମ୍ବର ୨୦୧୦ରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ୨୦୧୯ରେ ୨୩ ନଭମ୍ବେର ସେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ। ସେହି ବର୍ଷ ପୁଣି ଡିସେମ୍ବର ୩୦ ତାରିଖରେ ଫଡନାବିସଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ତା'ପରେ ସେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଅଘାଡି ସରକାରରେ ବି ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ୨୦୨୩ରେ ସେ ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ କରିଥିଲେ ଏବଂ ସିନ୍ଦେଙ୍କ ନେତୃତ୍ୱାଧୀନ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୨୪ରେ ସେ ଷଷ୍ଠ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ।
ମାତ୍ର ୨୩ ବର୍ଷ ବୟସରେ ସେ ପ୍ରଥମଥର ବାରାମତୀରେ ଥିବା ସମବାୟ ସୁଗାର ଫ୍ୟାକ୍ଟ୍ରୀ ବୋର୍ଡକୁ ନିର୍ବାଚିତ ହୋଇଥିଲେ। ୧୯୯୫ରେ ସେ ପ୍ରଥମଥର ବାରାମତୀରୁ ବିଧାନସଭାକୁ ଯାଇଥିଲେ। ଏହାପର ଠାରୁ ସେ କେବେ ବି ପଛକୁ ଚାହିଁନାହାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)