/odishatv-khabar/media/post_attachments/uploadimage/library/16_9/16_9_0/OTV-portal-leader_1626167934.jpg)
OTV-portal-leader
ଲୋକ ଅନେକ। ଏଇ ପୃଥିବୀରେ ପାଖାପାଖି ଆଠଶହ କୋଟି ଲୋକ। ସରକାରୀ ହିସାବ ସବୁବେଳେ ଭୁଲ। ଆତ୍ମସ୍ୱାର୍ଥ ସର୍ବସ୍ୱ କର୍ମଚାରୀମାନେ ନିଜ ପ୍ରେମରେ ବୁଡ଼ିରହି ପ୍ରକୃତ ଜନଗଣନା କରନ୍ତି ନାହିଁ। ଏପର୍ଯ୍ୟନ୍ତ ଆଫଗାନିସ୍ଥାନର ଲୋକସଂଖ୍ୟା କଳନା ହୋଇନି। ଆଉ କେତେ କେତେ ଯାଯାବରଙ୍କ ସଂଖ୍ୟା ରଖୁଛି କିଏ? ସେଥିପାଇଁ ଆମେ ଅନୁମାନ କରି ଆଠଶହ କୋଟି କହୁଛୁ - ଆହୁରି ବେଶି ହୋଇପାରେ, ଟିକେ କମ୍ ବି ହୋଇପାରେ, କିନ୍ତୁ ସାତଶହ ଚାଳିଶ କୋଟି ଜନସଂଖ୍ୟା ଗଣନାରେ ମୁଣ୍ଡି ମାରିଦେବା ଠିକ୍ ନୁହେଁ।
ସାରାବିଶ୍ୱରେ ଜୀବିତ ଲୋକଙ୍କ ଭିତରୁ ଜଣେ ଭଲ ଲୋକ ନାଁ ଖୋଜି ଖୋଜି ନୟାନ୍ତ ହୋଇଗଲିଣି – ଏପର୍ଯ୍ୟନ୍ତ ମିଳୁନାହାନ୍ତି। ଭଲ ଲୋକ ସଂଜ୍ଞା ବଡ଼ ବିଚିତ୍ର। ବିଭିନ୍ନ କିସମର ଲୋକ ମିଳିବେ – କିନ୍ତୁ ମୁଁ ଯେଉଁ ଭଲଲୋକ ଖୋଜୁଛି – ହୁଏତ ଏ ଜନ୍ମରେ ମିଳିବ କି ନାହିଁ ସନ୍ଦେହ। ଖୋଜୁ ଖୋଜୁ ମିଳିଗଲେ ଜୀବନ ମୋର ଧନ୍ୟ ହେବ। ହୁଏତ ସେଇ ଭଲଲୋକ ସହିତ କଥାବାର୍ତ୍ତା କରି କିମ୍ବା ଦର୍ଶନ କରି ଅପାର ଆନନ୍ଦ ପାଇବି।
ଭଲ ମଣିଷ ଖୋଜିଖୋଜି ପୃଥିବୀ ସାରା ବୁଲିଲିଣି। ଯେଉଁ ଦେଶର ଯେଉଁ ନେତାଙ୍କୁ ଦେଖିଲି – ସେମାନେ କେବଳ କ୍ଷମତା ଓ ଅର୍ଥ ପାଇଁ ପାଗଳ। ଏପର୍ଯ୍ୟନ୍ତ କୌଣସି ଦେଶରେ ଜଣେ ହେଲେ ଯୋଗ୍ୟ ନେତା ମିଳିବା ମୁସ୍କିଲ୍। ଏକବିଂଶ ଶତାଦ୍ଦୀର ଯେତେ ନେତା ଚଳପ୍ରଚଳ କରୁଛନ୍ତି – ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ କିଛିନା କିଛି ବାଦବିସମ୍ବାଦରେ ବ୍ୟାପୃତ ଓ ବିତର୍କିତ। ଅଧିକାଂଶ ରାଜକୋଷଲୁଟେରା, ବହୁନେତା ଜନବିରୋଧୀ ପୁଣି ଅଧିକାଂଶ ଅତ୍ୟନ୍ତ ଆତ୍ମକୈନ୍ଦ୍ରିକ।
ଊନ୍ନବିଂଶ ଓ ବିଂଶ ଶତାଦ୍ଦୀରେ ସମଗ୍ର ବିଶ୍ୱ କେବଳ ରକ୍ତରେ ଜୁଡୁବୁଡୁ ହୋଇଛି। ବିଂଶ ଶତାଦ୍ଦୀରେ ଦୁଇଟି ବିଶ୍ୱଯୁଦ୍ଧ ହିରୋସୀମା ଓ ନାଗାସାକି ଧ୍ୱଂସ, ଭାରତ-ପାକିସ୍ତାନ, ଇରାକ-ଇରାନ, ଆରବ-ଇସ୍ରାଏଲ, କୋରିଆ, ଭିଏତନାମ, ଆଫଗାନ-ଯୁଦ୍ଧ, ସ୍ପେନ୍, ଚୀନ୍, ଗ୍ରୀକ୍ ଓ ସୁଜାନ ଗୃହଯୁଦ୍ଧ, ଆର୍ମେନିଆ ଗଣହତ୍ୟା, ହିଟଲରଙ୍କ ଗ୍ୟାସଚେମ୍ବର, କାମ୍ବୋଡିଆର ମୃତ୍ୟୁକୂପ, ତିବ୍ବତ, ଆଲଜେରିଆ, ଆଙ୍ଗୋଲା, ମୋଜାମ୍ବିକ୍ ଓ ବାଂଲାଦେଶର ମୁକ୍ତିସଂଗ୍ରାମ, ଦକ୍ଷିଣଆଫ୍ରିକା ଓ ଗୁଆଟିମାଳାରେ ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ, ବଲ୍କାନରେ ଗୋଷ୍ଠୀସଂଘର୍ଷ, ଆଫ୍ରିକା ସମେତ ପୃଥିବୀର ବିଭିନ୍ନ ଅଂଚଳରେ ଅସଂଖ୍ୟ ଆଦିବାସୀ ଓ ବିଚ୍ଛିନ୍ନତାବାଦୀ ସଂଘର୍ଷରେ ଶହେ କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ହତ୍ୟା କରାଯାଇଛି। ଏକବିଂଶ ଶତାଦ୍ଦୀର ପ୍ରାରମ୍ଭ ଏଇ ୨୧ ବର୍ଷରେ ଅତ୍ୟନ୍ତ ଜଘନ୍ୟ ଭାବେ ହଜାର ହଜାର ସାଧାରଣ ଲୋକଙ୍କୁ ହତ୍ୟା କରାଯାଇଛି ଏବଂ ପ୍ରତି ମୁହୂର୍ତ୍ତରେ ହତ୍ୟାର ତାଣ୍ଡବଲୀଳା ଲାଗିରହିଛି।
୧୮୦୦ରୁ ୧୯୯୯ ଦୁଇ ଦଶାବ୍ଦୀରେ ଏଇ ଧରାପୃଷ୍ଠରେ କେତେକ ଯୋଗ୍ୟନେତା ଥିଲେ। କାର୍ଲ ମାର୍କ୍ସ, ଲେନିନ୍, ଷ୍ଟାଲିନ୍ ମାଓ ସେତୁଙ୍ଗ, ହୋଚିମିନଙ୍କଠାରୁ ଆରମ୍ଭକରି ନେପୋଲିୟନ ବୋନାପାର୍ଟ, ଆବ୍ରାହମ ଲିଙ୍କନ୍, ଆଲବର୍ଟ ଆଇନ୍ଷ୍ଟାଇନ୍ ଏପରିକି ହିଟଲର, ଚର୍ଚ୍ଚିଲ, ନେତାଜୀ, ଜବାହାରଲାଲ ନେହେରୁ, ଜନ୍ ଏଫ୍ କେନେଡିଙ୍କ ଭଳି ବହୁଚର୍ଚ୍ଚିତ ନେତା ଥିଲେ, କିନ୍ତୁ ସମସ୍ତଙ୍କ ଉପରେ ଥିଲେ ମୋହନଦାସ କରମଚାନ୍ଦ ଗାନ୍ଧୀ।
ମହାତ୍ମାଗାନ୍ଧୀ ଭାରତୀୟମାନଙ୍କ ମାନସିକତାକୁ ଲକ୍ଷ୍ୟକରି ବନ୍ଧୁକ ବୋମା ବଦଳରେ ଅହିଂସା ଆନ୍ଦୋଳନ ଆରମ୍ଭ କରିଥିଲେ, କିନ୍ତୁ ନେତାଜୀ ସଶସ୍ତ୍ର ବିପ୍ଲବର ଆହ୍ୱାନ ଦେଇଥିଲେ। ଆଜି ଭାରତରେ ଉଭୟ ନେତା ଜନମାନସରେ ସଦାଜାଗ୍ରତ। କିନ୍ତୁ ଗାନ୍ଧୀ ସମଗ୍ର ବିଶ୍ୱରେ ଏବେ ବି ଚର୍ଚ୍ଚାରେ – ତାଙ୍କ କଥା ଜୀବନ ସହିତ ଦର୍ଶନକୁ ଯୋଡ଼ିବାର କଥା, ମଣିଷ ସହିତ ମୂଲ୍ୟବୋଧକୁ ମିଶାଇବାର କଥା – ସରିନାହିଁ ସେ କଥା, ସରିବ ନାହିଁ ବି।
ସଂପ୍ରତି ସମଗ୍ର ବିଶ୍ୱର ସମସ୍ତ ଦେଶରେ ଭୟଙ୍କର ଭାବେ ଜନଗଣଙ୍କ ମଧ୍ୟରେ ଅଶାନ୍ତି ଅସନ୍ତୋଷର ବହ୍ନି ପ୍ରଜ୍ୱଳିତ ହେବାରେ ଲାଗିଛି। ସବୁରି ମୂଳରେ ରୋଟି-କପଡ଼ା-ମକାନ। ଭାଗେ ଲୋକଙ୍କ ହାତରେ ଅମାପ ଧନ କ୍ଷମତା ଠୁଳ ହୋଇଥିଲା ବେଳେ ୯୯ ଭାଗ ଲୋକଙ୍କ ମଧ୍ୟରେ ପ୍ରଚଣ୍ଡ କ୍ରୋଧ ଜାତ ହେବା ସ୍ୱାଭାବିକ। ଉନ୍ନବିଂଶ ଓ ବିଂଶ ଶତାଦ୍ଦୀରେ ଶ୍ରମ ଓ ପୁଂଜି ମଧ୍ୟରେ ନାହିଁ ନଥିବା ଦ୍ୱନ୍ଦ୍ୱ ଓ ସଂଘର୍ଷ ଘଟି ବିଶ୍ୱ ୩ ଫାଳ ହୋଇଗଲା। ପ୍ରଥମ ବିଶ୍ୱରେ ପୁଂଜିବାଦୀ, ସାମ୍ରାଜ୍ୟବାଦୀ ଦେଶ ସମୂହ ମେଳି କରି ତାଙ୍କ ଧନ୍ଦା ଚଳାଇଲେ, ୨ୟ ଫାଳରେ ସମାଜବାଦୀ ଦେଶ ସମୂହ ,କାଠି ହୋଇଗଲେ। ୩ୟ ଫାଳରେ ବିକାଶମୁଖୀ ଅନୁନ୍ନତ ଦେଶସମୂହ ପ୍ରଥମ ଦୁଇ ବିଶ୍ୱର ଫାଇଦାହାସଲ କରିବାରେ ମଜ୍ଜିଗଲେ। ଶେଷବେଳକୁ ସମାଜବାଦୀ ଦେଶ ସମୂହରେ ସଂଶୋଧନବାଦ ପ୍ରବେଶ କରି ପୁଣି ପୁଂଜିବାଦୀ ଢାଂଚାକୁ ଫେରିଆସିଲେ।
ସଂପ୍ରତି ଦୁଇବିଶ୍ୱରେ ପୁଂଜିବାଦୀ ଶାସନଶୋଷଣ ତୀବ୍ର ଗତିରେ ଚାଲୁରହିଲା। ୩ୟ ବିଶ୍ୱ ମଧ୍ୟରେ ପୁଂଜିବାଦ ତା’ର କାୟା ବିସ୍ତାର କରି ମାଡ଼ିଚାଲିଲା। ଫଳରେ ସମଗ୍ର ବିଶ୍ୱରେ ପୁଂଜିବାଦ ପ୍ରବେଶ କରିଗଲା। ପୁଂଜିବାଦର ମୂଳଲକ୍ଷ୍ୟ ପୁଂଜିରୁ ପୁଂଜି ହିମାଳୟ ପର୍ବତ ଭଳି ସୃଷ୍ଟି କରିବା। ତେଣୁ ଏଇ ବିଶ୍ୱରେ ପୁଂଜିବାଦୀ, ଶୋଷଣକାରୀ, ରକ୍ତପିପାସୁ ମଣିଷମାନେ ୯୯% ଲୋକଙ୍କୁ ବିଭିନ୍ନ ଉପାୟରେ ଦମନ କରି କବ୍ଜାରେ ରଖିଥିବାରୁ ଏବେ ସମଗ୍ର ବିଶ୍ୱରେ ସବୁ ଦେଶରେ ଅର୍ଥନୈତିକ ଆତଙ୍କବାଦ, ଶାସନତନ୍ତ୍ରୀ ଆତଙ୍କବାଦ, ପ୍ରଶାସନିକ ଆତଙ୍କବାଦ ଆକାଶଛୁଆଁ ହେଲାଣି।
ପ୍ରାୟ ବିଶ୍ୱର ସବୁଦେଶର ନେତା ଊଣାଅଧିକେ ଜନଗଣଙ୍କ କ୍ରୋଧର ଶିକାର। ବହୁ ଦେଶର ନେତା ରାଜକୋଷ ଲୁଟ ଜାଲରେ ଛନ୍ଦି ହୋଇ ଜେଲରେ ଦିନ କାଟୁଛନ୍ତି। ୪୨ ବର୍ଷ ଧରି ଏକଛତ୍ରବାଦୀ ଶାସକ ଗଦ୍ଦାଫିକୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ମୃତ୍ୟୁବରଣ କରିବାକୁ ପଡ଼ିଛି। ଏବେ ବିଭିନ୍ନ ଦେଶର ବଡବଡ ନେତା ଏପରିକି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ନିଜ ଦେଶର ସଂପତି ଲୁଟ୍ କରି ବିଦେଶୀ ବ୍ୟାଙ୍କରେ ଲୁଚେଇ ରଖିଛନ୍ତି। ଧୀରେଧୀରେ ସେମାନଙ୍କ ନାଁ ମଧ୍ୟ ଜଣାପଡ଼ିଲାଣି। କେତେକେ ମରିଯାଇଥିଲେ ବି ସେମାନଙ୍କ ଉତ୍ତରାଧୀକାରୀଙ୍କ ନାଁରେ କଳାଧନ ଜମାରହିଛି। ଏବେବି କେତେକ ଉତ୍ତରାଧିକାରୀ ଶାସନରେ ଗାଦି ମାଡ଼ି ବସିଛନ୍ତି। ପ୍ରକୃତ ସତ୍ୟ ଉଦ୍ଘାଟନ ହେଲେ – ଏମାନଙ୍କ ପାପକୁ କ୍ଷମା ନାହିଁ - ପ୍ରାୟଶ୍ଚିତ କରିବାକୁ ହେବ।
ସମଗ୍ର ବିଶ୍ୱରେ ପୁଂଜିବାଦୀ ବଜାର ସଂକଟ ବଢ଼ିଚାଲିଛି। ବିଶ୍ୱ ମାନ୍ଦାବସ୍ଥା ସୁଧୁରିବାରେ ଲକ୍ଷଣ ଦେଖାଯାଉନି। ନେତାମାନେ ନିଜନିଜ ଦେଶକୁ ସମ୍ଭାଳି ପାରୁନାହାଁନ୍ତି। ସବୁ ଦେଶରେ ଚିହ୍ନାନେତାଙ୍କୁ ବାଦଦେଇ ଯେଉଁ ଭଳି ଭାବେ ଜନବିସ୍ଫୋରଣ ଦେଖାଦେଲାଣି – ଏହାହିଁ ବିଶ୍ୱ ପାଇଁ ଶୁଭଲକ୍ଷଣ। ଦେଶେଦେଶେ ଯୋଗ୍ୟନେତାଙ୍କର ଆବିର୍ଭାବ ହେବାକୁ ବେଶୀ ଡେରି ନାହିଁ।
ମାୟାଧର ନାୟକ
ଯାଜପୁର ରୋଡ, ଯାଜପୁର, ମୋ : ୯୮୬୧୦୩୪୧୬୩
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)