/odishatv-khabar/media/media_files/2026/02/19/haladiapadar-bridge-2026-02-19-19-44-08.jpg)
HALADIAPADAR-BRIDGE Photograph: (OTV)
ଭଙ୍ଗା ଯିବ କି ବ୍ରହ୍ମପୁର ନିକଟରେ ଥିବା ମଣିଷ ମରା ହଳଦିଆପଦର ରେଲ୍ ଓଭରବ୍ରିଜ୍ ? ବ୍ରିଜର ତ୍ରୁଟିପୂର୍ଣ୍ଣ ଡିଜାଇନର ବଦଳିବ କି ରୂପରେଖ ? ତତ୍କାଳୀନ ସରକାର ଓ ପ୍ରଭାବଶାଳୀ ନେତାଙ୍କ ଇସାରାରେ କଳ ବଳ ଆଉ କୌଶଳ ଖଟାଇ କିଲର୍ ବ୍ରିଜ୍ ତିଆରି କରିଥିବା ସିଣ୍ଡିକେଟ୍ ବିରୋଧରେ ହେବ କି ଆକ୍ସନ ? ପାଞ୍ଚ ପାଞ୍ଚ ଜଣଙ୍କ ମୁଣ୍ଡ ଗଡ଼ିବା ପରେ ଓ ସୁପ୍ରିମକୋର୍ଟଙ୍କ ଉଦବେଗ ପରଠୁ ଏବେ ଏଭଳି ଚର୍ଚ୍ଚା।
ପରସ୍ପର ବିରୋଧରେ ଗଞ୍ଜାମ ନେତାଙ୍କ ମଧ୍ୟରେ ଚାଲିଛି ଗୋହି ଖୋଳାଖୋଳି। ଆଜି ପୁଣି ଥରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ସୂର୍ଯ୍ୟ ପାତ୍ରଙ୍କ ସହ ପୂର୍ବତନ ବ୍ରହ୍ମପୁର ମେୟର ଶିବଶଙ୍କର ଦାସଙ୍କ ନାଁ ନେଇ ନିଶାନା କରିଛନ୍ତି ସାନଖେମୁଣ୍ଡି ବିଧାୟକ ରମେଶ ଜେନା। ଗତକାଲି ଭଳି ଆଜି ବି କହିଛନ୍ତି, ବ୍ରିଜ୍ ନିର୍ମାଣ ବେଳେ ବିଜେଡି ସରକାର ଥିଲା, ସୂର୍ଯ୍ୟ ପାତ୍ର ମନ୍ତ୍ରୀ ଥିଲେ, ଶିବଶଙ୍କର ମେୟର ଥିଲେ।
ସେମାନେ ଯାହା କହୁଥିଲେ, ତାହା ହେଉଥିଲା। ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ବି ବ୍ରିଜ୍ ନିର୍ମାଣକୁ ନେଇ ପୁଣି ପ୍ରଶ୍ନ ଉଠାଇ କହିଛନ୍ତି, ଏତେ ବଡ଼ ତ୍ରୁଟି ଆଜି ଯାଏଁ କୌଣସି ବ୍ରିଜରେ ହୋଇନି। ତେବେ ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲରେ ଥିବାରୁ ଶିବଶଙ୍କରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ସ୍ବୀକାର କଲେ ବିପ୍ଳବ
ଆରୋପ ପ୍ରତ୍ୟାରୋପ ଭିତରେ ପ୍ରଥମ ଥର ପାଇଁ ଆଜି ମୁହଁ ଖୋଲିବା ସହ ଓଟିଭିକୁ EXCLUSIVE ପ୍ରତିକ୍ରିୟା ଦେଇଛନ୍ତି ଦିବଙ୍ଗତ ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ। ହଳଦିଆପଦର ଓଭରବ୍ରିଜ୍ ତଳେ ନିଜ ପରିବାରର ଜମି କଥାକୁ ସ୍ବୀକାର କରି କହିଛନ୍ତି, ଶାଗ ମାଛ ଦରରେ ଜମିକୁ ବିକ୍ରି କରାଯାଇଛି। ସେହି ସମୟରେ ଓଭର୍ ବ୍ରିଜ୍ ନିର୍ମାଣ ପ୍ରସ୍ତାବ ନଥିଲା। ତେଣୁ ଯାହା ଅଭିଯୋଗ ଆସୁଛି ତାହା ମିଛ। ସେହିପରି ରମେଶ ଜେନାଙ୍କୁ ପରୋକ୍ଷରେ ନିଶାନା କରି ପ୍ରସ୍ତାବିତ ଗେଟବଜାର ବ୍ରିଜ୍ ବି କ’ଣ ବୁଲିଯିବ କି ବୋଲି ବିପ୍ଲବ ପ୍ରଶ୍ନ କରିଛନ୍ତି।
ଜାନୁୟାରୀ ୩୧। ହଳଦିଆପଦର ଓଭରବ୍ରିଜରେ ଦ୍ରୁତଗାମୀ ଟ୍ରକ୍ ଧକ୍କାରେ ଚାଲିଗଲା ପାଞ୍ଚ ଜୀବନ। ସେମାନଙ୍କ ମଧ୍ୟରୁ କିଏ କାହା ଘରର ଏକମାତ୍ର ରୋଜଗାରିଆ ଥିଲେ ତ ଆଉ କିଏ ନିଜ ଭେଣ୍ଡିଆ ପୁଅକୁ ହରାଇଲେ। ଯେମିତି ବ୍ରହ୍ମପୁର ଉପକଣ୍ଠ ଫୁଲଟା ଗାଁର ଦୁଇ ସାଙ୍ଗ ରାକେଶ ଓ ଜଗନ ନାହାକ। ବୟସ ୨୦ରୁ ୨୧ ବର୍ଷ। ମିସ୍ତ୍ରୀ କାମ କରି ପରିବାର ମୁହଁରେ ଦାନା ଦେଉଥିଲେ।
କିନ୍ତୁ ଓଭରବ୍ରିଜର ଅଙ୍କା ବଙ୍କା ରାସ୍ତାରେ ମାରିଦେଲା ଟ୍ରକ୍। ଆଜିକୁ ୨୦ ଦିନ ହୋଇଗଲା, ପୁଅକୁ ଝୁରୁଛି ମା’, ଅସହାୟ ପରିବାର। ସେମାନଙ୍କ ଦାବି ତାଙ୍କର ଏଭଳି ଦଶା ପାଇଁ ନେତା, ଯନ୍ତ୍ରୀଙ୍କ ବିରୋଧରେ ଆକ୍ସନ ନିଆଯାଉ।
ଏସବୁ ଭିତରେ ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ନିର୍ମାଣ ଦିନରୁ ହିଁ ବ୍ରିଜ୍ ଡିଜାଇନରେ ତ୍ରୁଟି ଅଛି। ତେଣୁ ଭଲ ଭାବେ ବ୍ରିଜ୍ ଡିଜାଇନ୍ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)