Advertisment

Tragic End to Marital Vows: ଏକାଠି ଜଳିଲା ବିଷପାନ କରି ମୃତ ଦମ୍ପତ୍ତିଙ୍କ ଜୁଇ , ପାରିବାରିକ କଳି ପାଇଁ ବଳି ପଡ଼ିଲା ୫ବର୍ଷର ନିଷ୍ପାପ ସନ୍ତାନ

ସ୍ବାମୀ ଦୁଷ୍ମନ୍ତ ମାଝୀ ଓ ପତ୍ନୀ ରିଙ୍କି ମାଝୀ। ଶନିବାର, ଅପରାହ୍ନ ପ୍ରାୟ ୩ଟା। କୁଣ୍ଡେଇଗୋଳା ଝରାବେରେଣୀ ଗାଁରେ ଥିବା ଶ୍ବଶୁର ଘରୁ ପତ୍ନୀ ଓ ପୁଅକୁ ଧରି ଦୁଷ୍ମନ୍ତ ବାହାରିଥିଲେ ବାଇକରେ।

author-image
OTV Bureau
DEBGARH-POISON

DEBGARH-POISON Photograph: (OTV)

ସାତ ଜନ୍ମର ସାଥୀ ହେବା ପାଇଁ ହୁଏତ ଦିନେ ଅଗ୍ନିକୁ ସାକ୍ଷୀ ରଖିଥିବେ...ହେଲେ ଆଜି ଜୁଈ ନିଆଁରେ ଜଳିପୋଡ଼ି ଏହି ଜନ୍ମରୁ ହିଁ ବିଦାୟ ନେଇଗଲେ ସଶରୀରେ...ଆଜି ଚିତା ଜଳୁଛି ଦାଉ ଦାଉ ହୋଇ...ଆତ୍ମୀୟଙ୍କ ଆତ୍ମା କାନ୍ଦୁଛି ଆପଣାର ଦୁଇ ମଣିଷଙ୍କୁ ହରାଇ...ଯିଏ ଶୁଣୁଛି ଏହି ମରଣ ପଛର ଦାରୁଣ କାହାଣୀ, ଦମ୍ଭ ହରାଉଛି ପ୍ରତିଟି ମୂହୁର୍ତ୍ତରେ...ଦେବଗଡ଼ ରିଆମାଳ ବ୍ଲକ ଜୟନ୍ତାପାଲି ଗାଁ। ଯନ୍ତ୍ରଣାଦାୟକ କାହାଣି ଭିତରେ ବୁଡ଼ିଛି ଶୋକ ଆଉ ଲୁହରେ। କୁନି ପିଲାଟିର ଭାଗ୍ୟ ଟାଣ ବୋଲି ଆଜି ସେ ଜୀବନ ଧରିଛି, ହେଲେ ୫ ବର୍ଷ ବୟସରୁ ବାପା-ମା’ ଛେଉଣ୍ଡ ହୋଇଯାଇଛି। କାହା ଭରସାରେ ବଳକା ଜୀବନକୁ ଜୀଇଁବ, ଭାବିଲେ ଛାତି କୋରି ହୋଇଯାଉଛି ସମସ୍ତଙ୍କର। 

ସ୍ବାମୀ ଦୁଷ୍ମନ୍ତ ମାଝୀ ଓ ପତ୍ନୀ ରିଙ୍କି ମାଝୀ। ଶନିବାର, ଅପରାହ୍ନ ପ୍ରାୟ ୩ଟା। କୁଣ୍ଡେଇଗୋଳା ଝରାବେରେଣୀ ଗାଁରେ ଥିବା ଶ୍ବଶୁର ଘରୁ ପତ୍ନୀ ଓ ପୁଅକୁ ଧରି ଦୁଷ୍ମନ୍ତ ବାହାରିଥିଲେ ବାଇକରେ। ସମସ୍ତେ ନିଜ ଜୟନ୍ତାପାଲି ଗାଁକୁ ଫେରିବା କଥା। କିନ୍ତୁ ଗାଁଠୁ ପ୍ରାୟ ୧୨ କିଲୋମିଟର ଦୂର ଦଲକ ଜଙ୍ଗଲରେ ଘଟିଗଲା ଅଘଟଣ। NH-53ରୁ ୩ଶହ ମିଟର ଦୂର ଜଙ୍ଗଲ ଭିତରକୁ ଗଲେ ସମସ୍ତେ। ତା’ପରେ ସେଠାରେ କ’ଣ ଘଟିଲା କେଜାଣି, ବିଷ ପିଇଦେଲେ ଦମ୍ପତ୍ତି। ପୁଅକୁ ବି କୁଆଡ଼େ ପିଆଇବାକୁ ବାଧ୍ୟ କରୁଥିଲେ କିନ୍ତୁ ବାରଣ କରିଥିଲା ଟିକି ପୁଅଟି। ପରେ ଗୁରୁତର ହୋଇପଡ଼ିଲେ ଦୁଷ୍ମନ୍ତ ଓ ରିଙ୍କି। ଟିକି ପୁଅଟି ଘରକୁ ଯିବା ପାଇଁ ହୁଏତ ନେହୁରା ହୋଇଥିବ ବାପା,ମାକୁ। 

Advertisment

କିନ୍ତୁ ଚେତାଶୂନ୍ୟ ହୋଇପଡ଼ିଥିଲେ ସେମାନେ। ଶୁଣିବ କିଏ, କହିବ କାହାକୁ। ଧିରେ ଧିରେ ମାଡ଼ି ଆସୁଥିବା ରାତିର ଅନ୍ଧାର ଭିତରେ ଟିକି ପୁଅଟି ଯିବ ବା କୁଆଡ଼େ। ମଶା ଡାଆଁଶ ଆଉ ଡାଳ ପତ୍ର ଭିତରେ ସକେଇ ସକେଇ କାନ୍ଦୁଥିଲା ସେ। ଭୋକ ଲାଗିଲେ ଖାଉଥିଲା ସାଙ୍ଗରେ ଆଣିଥିବା ଚକୋଲେଟ୍, ପିଉଥିଲା କୋଲଡ୍ରିଙ୍କସ। ଅଜଣା ଭୟ ଆଉ ଆତଙ୍କରେ ପିଲାଟି ରାତି କାଟିବା ପରେ ସକାଳେ ରାଜରାସ୍ତାକୁ ଆସି ଲୋକଙ୍କ ସହାୟତା ଲୋଡ଼ିଥିଲା। ଜଣେ ଟ୍ରକ ଡ୍ରାଇଭରଙ୍କ ଠାରୁ ସୂଚନା ପାଇ ପୋଲିସ ପହଞ୍ଚିବା ସହ ଉଦ୍ଧାର କରି ପ୍ରଥମେ ଛେଣ୍ଡିପଦା ମେଡ଼ିକାଲ ନେଇଥିଲା ସମସ୍ତଙ୍କୁ। ଯେଉଁଠି ଦୁଷ୍ମନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଅନୁଗୁଳ ମେଡ଼ିକାଲରେ ପ୍ରାଣ ହରାଇଥିଲେ ରିଙ୍କି। 

କାହିଁକି ଘଟିଗଲା ଏତେବଡ଼ ଅଘଟଣ, ବାପ-ମା ଛେଉଣ୍ଡ ଟିକି ପୁଅଟି କିଛି ବୁଝିପାରୁନି। ସେ ଅସୁସ୍ଥ ଥିବାରୁ ତାକୁ ଆଣି ଭର୍ତ୍ତି କରାଯାଇଛି କଟକ ଶିଶୁଭବନରେ। ସିଏ ଏବେ ସୁସ୍ଥ ହେବା ପରେ ଡାକ୍ତରଙ୍କୁ ତା’ର ଦରୋଟି ଭାଷାରେ କିଛି କିଛି ବଖାଣୁଛି। 

ତେବେ ରକ୍ତର ସନ୍ତାନଟିକୁ ମାରିବା ପାଇଁ ଉଦ୍ୟମ ସହ ନିଜେ ଏକାଠି ବିଷପାନ କରି କାହିଁକି ଜୀବନ ହାରିଦେଲେ ଦମ୍ପତ୍ତି ? ପାରିବାରିକ ବିବାଦ ନା ଅନ୍ୟ କାରଣ ? କ’ଣ ଘଟିଲା ଶ୍ବଶୁର ଘରେ ? ମୃତ୍ୟୁକୁ ୨୪ ଘଣ୍ଟା ବିତିଗଲା, ସାମ୍ନାକୁ ଆସିପାରୁନି ସତ। ଘଟଣାସ୍ଥଳରୁ ପୋଲିସ ୩ଟି କୀଟନାଶକ ବୋତଲ ସହ ଏକ ଟେଷ୍ଟର ଓ ଛୁରୀ ଜବତ କରିଛି। ତେବେ ଆଜି ନ ହେଲେ କାଲି ସତ ତ ସାମ୍ନାକୁ ଆସିବ। କିନ୍ତୁ ପାରିବାରିକ ବିବାଦ ଏତେ ଉଗ୍ରରୂପ ନେଉଛି ଯେ ଖାଲି ରକ୍ତ ସମ୍ପର୍କ ବିଗୁଡୁନି ବରଂ, ରକ୍ତର ସନ୍ତାନଟିଏ ବି ବଳି ପଡୁଛି।

Advertisment
Related Articles
Advertisment