ଭୁବନେଶ୍ୱର: ଲଗାତାର ୫୦ ଦିନ ଧରି ଲକ୍ଡାଉନ୍ ବି କାମ ଦେଲାନି । ଏବେ ଅନଲକ୍ ମୁହାଁ ହୋଇଥିଲେ ବି ରାଜ୍ୟରେ ନା ଦୈନିକ ସଂକ୍ରମଣରେ ସୁଧାର ଆସୁଛି, ନା ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁଛି । ଜୁନ୍ ଶେଷ ସପ୍ତାହରୁ ଲାଗିରହିଥିବା କରୋନାର ଟ୍ରେଣ୍ଡ, ସମ୍ଭାବ୍ୟ ତୃତୀୟ ଲହର ଆଡକୁ ଇଙ୍ଗିତ କରୁଛି । ଏଭଳି ସ୍ଥିତିରେ ସଂକ୍ରମଣ ଏବଂ କୋଭିଡ୍ ମୁକାବିଲା ସ୍ଥିତିର ଅନୁଧ୍ୟାନ ପାଇଁ ଓଡ଼ିଶା ଆସୁଛି କେନ୍ଦ୍ରୀୟ ଟିମ୍ । ଏହି ଟିମ୍ ଓଡ଼ିଶା ସହ ୬ଟି ରାଜ୍ୟରେ କରୋନା ନିୟନ୍ତ୍ରଣ ପାଇଁ ପରାମର୍ଶ ଦେବା ସହ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବ ।
ଦେଶରେ କମୁଛି, କିନ୍ତୁ ଓଡ଼ିଶାରେ ବଢୁଛି । ମେ’ ଗଲା, ଜୁନ୍ ଗଲା, ଜୁଲାଇ ଆସିଲା । ତଥାପି ବେକାବୁ କରୋନା । ବୋଲମାନୁନି ମହାମାରୀ । ଦ୍ୱିତୀୟ ଲହରର କମ୍ପନକୁ ଦେଖି ଲକ୍ଡାଉନ୍ ହେଲା, ଅନ୍ଲକ୍ ଆରମ୍ଭରୁ ତଳମୁହାଁ ହେଉଥିବା କରୋନା ଗ୍ରାଫ୍ ଏବେ ପୁଣି ମୁଣ୍ଡ ଟୁଙ୍ଗାରିଲାଣି । ଜୁନ୍ ୨୨ରେ ୩ ହଜାର ତଳେ ଥିବା ଦୈନିକ ସଂକ୍ରମଣ କେବଳ ୨୫ ଓ ୨୯କୁ ଛାଡ଼ି ଆଜିକୁ ପ୍ରାୟ ୧୦ ଦିନ ହେଲା ୩ ହଜାର ଉପରେ ଟ୍ରେଣ୍ଡ । ଆଜି ପୁଣି ଗତକାଲିର ଦୈନିକ ସଂକ୍ରମଣକୁ ଟପିଛି ସଂଖ୍ୟା । କେବଳ ସଂକ୍ରମଣ ନୁହେଁ, ଗତ ୧୦ ଦିନର ମୃତ୍ୟୁ ହାରକୁ ଦେଖିଲେ ଜୁନ୍ ୨୭ ବ୍ୟତୀତ ୪୦ ଉପରେ ଟ୍ରେଣ୍ଡ ରହି ଆଜି ୪୬କୁ ଛୁଇଁଛି ।
ତେବେ ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦେଇ A ଏବଂ B ଦୁଇଟି କାଟାଗୋରୀ କରି ରାଜ୍ୟ ସରକାର ଅନ୍ଲକ୍ ମୁହାଁ ହୋଇଛନ୍ତି ସତ । କିନ୍ତୁ B କାଟାଗୋରୀରେ ଥିବା ୧୦ ଜିଲ୍ଲାରେ ଯେଉଁଠି ପ୍ରଶାସନିକ ଓ ବାଣିଜ୍ୟିକ ପେଣ୍ଠସ୍ଥଳି ସବୁ ରହିଛି, ସେଠି ଖସୁନି ସଂକ୍ରମଣ ହାର । ଆଜି ବି ରେଡ୍ ଜୋନ୍ରେ ଖୋର୍ଦ୍ଧା, କଟକ ଏବଂ ବାଲେଶ୍ୱର । ଏହାର ଅନୁଧ୍ୟାନ କରିବାକୁ ପବ୍ଲିକ ହେଲ୍ଥ ସ୍ପେସାଲିଷ୍ଟ ଡାକ୍ତର ଏ.ଡାନ୍ଙ୍କ ନେତୃତ୍ୱରେ ଓଡ଼ିଶା ସମେତ ୬ଟି ରାଜ୍ୟକୁ ଯିବ ଏକ କେନ୍ଦ୍ରୀୟ ଟିମ । ଏହି ଟିମ୍ କୋଭିଡ ନିୟନ୍ତ୍ରଣ, କଣ୍ଟେନମେଣ୍ଟ ଜୋନ୍ ଅନୁଧ୍ୟାନ ଓ ଟିକାକରଣ ବ୍ୟବସ୍ଥାର ଅନୁଧ୍ୟାନ କରିବ । ତାସହିତ ହସ୍ପିଟାଲ ବେଡ୍, ଭେଣ୍ଟିଲେଟର, ଅକ୍ସିଜେନର ମଧ୍ୟ ସ୍ଥିତି ଦେଖିବ । ତାପରେ କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟକୁ ଏହି ଟିମ୍ ପରାମର୍ଶ ଦେବ । ତା ସହିତ କେନ୍ଦ୍ର ସରକାରଙ୍କୁ ମଧ୍ୟ ଏକ ରିପୋର୍ଟ ଦେବ ।
ତେବେ ରାଜ୍ୟରେ କାହିଁକି ଜାରି ରହିଛି ଏଭଳି ଟ୍ରେଣ୍ଡ ? ମେ’ ୫ ରୁ ୫୭ ଦିନ ଧରି ତାଲାବନ୍ଦ କଟକଣା ସତ୍ତ୍ୱେ କାହିଁକି ସଂକ୍ରମଣରେ ଆସୁନି ସୁଧାର ? ମାଡ଼ି ଚାଲିଥିବା ମହାମାରୀକୁ ଚେକ୍ ଦେବା ପାଇଁ ରାଜ୍ୟ ସରକାରଙ୍କ ରଣନୀତି ଫେଲ୍ ହେବା ପରେ ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍ର ପଡ଼ିଲା କି ଆବଶ୍ୟକତା ? ଓଟିଭି ଇଙ୍ଗ୍ଲିସ୍ ଟ୍ୱିଟର ହ୍ୟାଣ୍ଡେଲ୍ ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ୬୦ ହଜାରରୁ ଅଧିକ ଲୋକ ମତ ରଖି ୫୬.୮ ପ୍ରତିଶତ ସରକାରଙ୍କ ବିଫଳ ରଣନୀତିକୁ ଦାୟୀ କରିଥିବା ବେଳେ ୪୧.୬ ପ୍ରତିଶତ ନା କହିଛନ୍ତି । ଆଉ ଏଭଳି ବିଫଳ ରଣନୀତିକୁ ନେଇ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ବିରୋଧୀ ।
ତେବେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କହିଛି, ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ସଂକ୍ରମଣ କମିଛି । ଏମାସ ଦ୍ୱିତୀୟ ସପ୍ତାହ ବେଳକୁ ରାଜ୍ୟରେ ସେହି ଧାରାରେ ଆହୁରି ସଂକ୍ରମଣ କମିବ । ୨୩ରୁ ୨୯ ଜୁନ୍ ମଧ୍ୟରେ ରାଜ୍ୟର ୪ ଜିଲ୍ଲାରେ ଦୈନିକ ପଜିଟିଭ୍ ହାର ୧୦ ପ୍ରତିଶତ ରହୁଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦର୍ଶାଇଛି । ଆଉ ଏସବୁ ଭିତରେ ପ୍ରଶ୍ନ କଟକ-ଭୁବନେଶ୍ୱର ସମେତ ଉପକୂଳବର୍ତ୍ତୀ ଜିଲ୍ଲାରେ କରୋନା ନିୟନ୍ତ୍ରଣ ନହେଲା ଯାଏଁ ଓଡ଼ିଶାର ସ୍ଥିତି ସ୍ୱାଭାବିକ୍ ହେବ କିପରି ।