/odishatv-khabar/media/post_attachments/uploadimage/library/16_9/16_9_0/puri-srimandir_1625311240.jpg)
puri srimandir
ପୁରୀ: ଶ୍ରୀମନ୍ଦିର ରତ୍ନ ସିଂହାସନର ଅବସ୍ଥା କିପରି ଅଛି ? ଏନେଇ ହେବ ଲେଜର ସ୍କାନିଂ । ରଥଯାତ୍ରା ବେଳେ ଶ୍ରୀମନ୍ଦିର ମରାମତି ସହ ରତ୍ନ ସିଂହାସନର ଡକ୍ୟୁମେଣ୍ଟେସନ୍ ହେବ । ଲେଜର ସ୍କାନିଂ ଦ୍ୱାରା ଗର୍ଭଗୃହ ଓ ଜଗମୋହନର ମରାମତି କାର୍ଯ୍ୟ ASI ଦ୍ୱାରା କରାଯିବ । ଏହାଛଡ଼ା ଶ୍ରୀମନ୍ଦିରର ସମସ୍ତ ପରିସରକୁ ଉଜ୍ୱଳ ଆଲୋକ ଦ୍ୱାରା ଆଚ୍ଛାଦିତ କରାଯିବ । ପ୍ରାୟ ଦେଢ଼ କୋଟି ଟଙ୍କା ବିନିଯୋଗରେ ଆସନ୍ତା ତିନିମାସ ମଧ୍ୟରେ ଏହି ଆଲୋକୀକରଣ କାର୍ଯ୍ୟ ଶେଷ କରାଯିବ । ଆଜି ଏକ ଘରୋଇ ସଂସ୍ଥା ଶ୍ରୀମନ୍ଦିର ଆସି ପ୍ରାରମ୍ଭିକ ଯାଞ୍ଚ କରିଛି । ଆଜି ବସୁଥିବା ଛତିଶା ନିଯୋଗ ବୈଠକରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ ।
ଅନ୍ୟପଟେ ଏଥର ଶ୍ରୀକ୍ଷେତ୍ରରେ ରଥଯାତ୍ରା ବେଳେ ଛାତ ଉପରୁ ଦେଖିପାରିବେନି ଲୋକେ । ଆଜି ଏନେଇ ସ୍ପଷ୍ଟ ସୂଚନା ରଖିଛି ଜିଲ୍ଲା ପ୍ରଶାସନ । ବଡ଼ଦାଣ୍ଡର ଉଭୟ ପାର୍ଶ୍ୱର ଘର, ଲଜ୍ ଏବଂ ହୋଟେଲ ଛାତରେ ରଥଯାତ୍ରା ଦେଖିବା ଉପରେ କଟକଣା ଲାଗିଛି । ଯେହେତୁ ରଥଯାତ୍ରା ବେଳେ ୧୪୪ ଧାରା ଲାଗିବ, ତେଣୁ ଛାତ ଉପରୁ ବି ରଥଯାତ୍ରା ଦେଖିବା ଉପରେ କଟକଣା ଲଗାଯିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।
ଜିଲ୍ଲାପାଳ କହିଛନ୍ତି, ରଥଯାତ୍ରା ବେଳେ ଘର ଭିତରେ ଲୋକେ ରହିବେ । ବଡ଼ଦାଣ୍ଡରେ ଥିବା ହୋଟେଲ, ଲଜ୍ ଏବଂ ଧର୍ମଶାଳାକୁ ରଥଯାତ୍ରାର ଦୁଇ ଦିନ ପୂର୍ବରୁ ଖାଲି କରାଯିବ । ୨୦୦ରୁ ଅଧିକ ଘର ଓ ୪୧ଟି ହୋଟେଲ, ଲଜ୍ ରହିଛି । ରଥଯାତ୍ରାରେ ଛାତ ଉପରେ କେହି ଯେପରି ଯିବେନି ସେନେଇ କଡ଼ା ନିୟମ ଲାଗୁ କରାଯିବ ।
ବିନା ଭକ୍ତରେ ହେବ ରଥଯାତ୍ରା । ଗତବର୍ଷ ଭଳି ଏଥର ବି ଯେମିତି ସୀମିତ ସଂଖ୍ୟକ ସେବାୟତ ରଥ ଉପରେ ରହିବେ । ସେନେଇ ନିଷ୍ପତ୍ତି ନିଆଯାଇଛି । ପୁରୀ ବାହାରର କୌଣସି ଭକ୍ତ କିମ୍ବା ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିବ ନାହିଁ । ରେଳ ଓ ବସ୍ ଚଳାଚଳ ସହ ବଡ଼ଦାଣ୍ଡରେ ଥିବା ସମସ୍ତ ହୋଟେଲ ଓ ଲଜିଂ ଖାଲି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)