Advertisment

Passengers: ଆମ ବସ୍ ବନ୍ଦ, ଲୁଟୁଛନ୍ତି ଅଟୋ ଚାଳକ!

ପାର୍ବଣରେ ଲୁଟୁଛନ୍ତି ଅଟୋ ଚାଳକ! ବଢ଼ିଛି ଟାକ୍ସି ଡ୍ରାଇଭରଙ୍କ ଜୁଲମ। ବନ୍ଦ ରହୁଛି ଆମ ବସ। ହନ୍ତସନ୍ତ ହେଉଛନ୍ତି ଯାତ୍ରୀ। ୫୦ରୁ ୧୦୦ ଟଙ୍କା ଦେଇ ଯାତ୍ରା କରୁଛନ୍ତି ଯାତ୍ରୀ।

author-image
Chinmayee Sahoo
Ama-Bus-Isuue

Ama-Bus-Isuue Photograph: (OTV)

ଆରମ୍ଭ ହୋଇଗଲାଣି ଜଗତଜନନୀ ମାଆ ଦୁର୍ଗାଙ୍କ ମହା ପର୍ବ। ଉତ୍ସବମୁଖର ହୋଇ ଉଠିଲାଣି ସାରା ଓଡ଼ିଶା। ତେବେ ପାର୍ବଣ ପାଇଁ ଟୁଇନ ସିଟିରେ ଜମୁଛି ପ୍ରବଳ ଭିଡ଼। ବିଶେଷ କରି ସନ୍ଧ୍ୟା ସମୟରେ ରାସ୍ତାରେ ଚାରିଚକିଆ ତ ଛାଡ଼ନ୍ତୁ ଦୁଇଚକିଆ ଗାଡି ଚଲାଇବା ମଧ୍ୟ ମୁସ୍କିଲ ହେଇଯାଉଛି। ତେବେ ସେଥିପାଇଁ ରାତି ୧୦ଟା ଯାଏଁ ଚାଲୁଥିବା ଆମ ବସକୁ କ୍ରୁଟ ପକ୍ଷରୁ ଅପରାହ୍ନ ଚାରିଟା ପରେ ବନ୍ଦ କରିଦିଆଯାଉଛି। ଫଳରେ ଯାତାୟତ ନେଇ ଅଟୋ ଓ ଟ୍ୟାକ୍ସି ହିଁ ମାଧ୍ୟମ ସାଜୁଛି। ହେଲେ ଯେଉଁଠି ଯାତ୍ରୀମାନେ ୧୦ରୁ ୨୦ ଟଙ୍କା ଦେଇ ଆମ ବସରେ ଯାତ୍ରା କରିପାରୁଥିଲେ। ଏବେ ଅଟୋ ଓ ଟାକ୍ସିରେ ୫୦ ରୁ ୧୦୦ ଟଙ୍କା ଦେଇ ଯିବାକୁ ପଡ଼ୁଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଯାତ୍ରୀ ।
ଭିଡ଼ର ଫାଇଦା ଉଠାଇ କିଛି ଅସାଧୁ ଅଟୋଚାଳକ ଆବଶ୍ୟକତା ଠାରୁ ଅଧିକ ଟଙ୍କା ଦାବି କରୁଛନ୍ତି। ଆମ ବସ ସେବା ବନ୍ଦ ହେବା ଯୋଗୁଁ ଜୁଲମର ଶିକାର ହେଉଛନ୍ତି ଯାତ୍ରୀ। ଅଧିକ ଭଡା ଯୋଗୁଁ ଅନେକ ନିଜ ଗନ୍ତବ୍ୟସ୍ଥଳକୁ ଯିବାକୁ ଅସମର୍ଥ ପ୍ରକାଶ କରୁଛନ୍ତି। ହେଲେ ପୂର୍ବ ଅପେକ୍ଷା ଭଡ଼ା ବଢ଼ାଇ ନଥିବା କଥା କହିଛନ୍ତି ଅଟୋଚାଳକ।
ତେବେ ଅଧିକ ଭଡ଼ା ବୃଦ୍ଧି ନେଇ ମୁହଁ ଖୋଲିଛନ୍ତି କଟକ ଅଟୋ ମାଲିକ ସଂଘ ସମ୍ପାଦକ। କହିଛନ୍ତି ବସ ଓ ଅଟୋ ସମାନ ନୁହେଁ। ସେହିପରି ଓ୍ବାନ ଓ୍ବେ ଯୋଗୁଁ ମଧ୍ୟ ଭଡା ଟିକିଏ ଫରକ ଆସୁଛି। ହେଲେ ସେଭଳି କେହି ଅତ୍ୟଧିକ ଭଡା ଆଦାୟ କରିବାର ଅଭିଯୋଗ ଆସିଲେ ସଂଘ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ଦୁର୍ଗାପୂଜାରେ ୪ଟା ପରେ ଆମ ବସ ସେବା ବନ୍ଦ ହେବା ଯାତ୍ରୀଙ୍କ ପକେଟ ଉପରେ ଭାରି ପଡ଼ିଛି। ତେବେ ଏଭଳି ସମୟରର ଫାଇଦା ନଉଠାଇ ଯାତ୍ରୀଙ୍କୁ ସୁଲଭ ମୂଲ୍ୟରେ ଅଟୋ ଓ ଟାକ୍ସି ଚାଳକ ସେବା ଯୋଗାଇ ଦିଅନ୍ତୁ ବୋଲି ଦାବି ଉଠିଛି।

Advertisment

ଅଧିକ ଦେଖିବା ପାଇଁ କ୍ଲିକ୍ କରନ୍ତୁ:

Passengers
Advertisment
Related Articles
Advertisment