Advertisment

Deadline vs Capacity: ମାତ୍ର ୬ଶହ ସେଣ୍ଟରରେ ଚାଲିଛି ଯାଞ୍ଚ, ମାସକର ମହଲତରେ କେମିତି ମିଳିବ ସାର୍ଟିଫିକେଟ୍ ?

ଗାଡ଼ି ମାଳମାଳ, ହେଲେ ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର୍ ସଂଖ୍ୟା ଅତି ନଗଣ୍ୟ। ମାତ୍ର ୬୦୦ ପଞ୍ଜିକୃତ ଯାଞ୍ଚ କେନ୍ଦ୍ର ଭରସାରେ ଲକ୍ଷ ଲକ୍ଷ ଗାଡ଼ି। ରାଜ୍ୟରେ PUCC ଚେକିଂ ଅବଧି ମାସେ ବଢିଥିଲେ ମଧ୍ୟ ଥମିବାର ନାଁ ଧରୁନି ଯନ୍ତ୍ରଣା।

author-image
Tapan Swain
PUCC

PUCC Photograph: (OTV)

ଗାଡ଼ି ମାଳମାଳ, ହେଲେ ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର୍ ସଂଖ୍ୟା ଅତି ନଗଣ୍ୟ। ମାତ୍ର ୬୦୦ ପଞ୍ଜିକୃତ ଯାଞ୍ଚ କେନ୍ଦ୍ର ଭରସାରେ ଲକ୍ଷ ଲକ୍ଷ ଗାଡ଼ି। ରାଜ୍ୟରେ PUCC ଚେକିଂ ଅବଧି ମାସେ ବଢିଥିଲେ ମଧ୍ୟ ଥମିବାର ନାଁ ଧରୁନି ଯନ୍ତ୍ରଣା। ହାତଗଣତି ଟେଷ୍ଟିଂ ସେଣ୍ଟର ଥିବାରୁ ସାର୍ଟିଫିକେଟ୍ ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନ୍ ଲଗାଉଛନ୍ତି ଲୋକେ। ତେଜିବାରେ ଲାଗୁଛି ଜନ ଅସନ୍ତୋଷ । ସେପଟେ ଘରେ ବସି କିଭଳି ମୋବାଇଲ୍ ନମ୍ବର ଲିଙ୍କ୍ କରି ଓଟିପି ସମସ୍ୟାରୁ ମୁକୁଳିବେ ସେନେଇ ବାଟ ଦେଖାଇଛି ପରିବହନ ବିଭାଗ।...

Advertisment

ମାସେ ମହଲତ ମିଳିଲା । ତଥାପି ଥମୁନି PUCC ଯନ୍ତ୍ରଣା । ଗାଡ଼ି ଲକ୍ଷ ଲକ୍ଷ । ହେଲେ ଟେଷ୍ଟିଂ ସେଣ୍ଟର ହଜାରେ ବି ନାହିଁ ।
ପ୍ରଦୂଷଣ ସାର୍ଟିଫିକେଟ୍ ଖଣ୍ଡେ ପାଇଁ ହନ୍ତହନ୍ତ ଲୋକେ। ରାଜ୍ୟ ତମାମ ଲମ୍ବା ଲାଇନ୍, ଘଣ୍ଟା ଘଣ୍ଟା ଅପେକ୍ଷା। ସିଲ୍କସିଟି ବ୍ରହ୍ମପୁରରୁ ସିଲଭର ସିଟି କଟକ ପର୍ଯ୍ୟନ୍ତ, ପଲ୍ୟୁସନ୍ ସାର୍ଟିଫିକେଟ୍ କରିବାକୁ ନାକେଦମ୍ ଗାଡ଼ି ମାଲିକ। ସକାଳ ପହରରୁ ଧାଡ଼ି ଲାଗୁଛି ଯେ ରାତି ପର୍ଯ୍ୟନ୍ତ ସରୁନି। ଏସବୁ ଭିତରେ ପୁଣି ଫାଇନ୍ ଆଉ ଓଟିପି ଟେନସନ୍ କଲବଲ କରିପକାଉଛି । 

ଗାଡ଼ି ମାଳମାଳ, ପଲ୍ୟୁସନ୍ ଟେଷ୍ଟିଂ ଦୁର୍ବଳ

ଉଦବେଗର କଥାହେଲା, ରାଜ୍ୟରେ ଯେତିକି ଗାଡ଼ି ରହିଛି ସେହି ଅନୁସାରେ ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର ନାହିଁ। ଓଡ଼ିଶାର ରାସ୍ତାରେ ପ୍ରାୟ ୭୫ ଲକ୍ଷ ଗାଡ଼ି ଗଡ଼ୁଥିବାବେଳେ, ଅଧିକାଂଶ ଦୁଇ ଚକିଆ। ସେଥିରୁ ପ୍ରାୟ ୯୦ ପ୍ରତିଶତ ଗାଡ଼ିର ଭେଲିଡ୍ ପଲ୍ୟୁସନ୍ ସାର୍ଟିଫିକେଟ୍ ନାହିଁ । ତେବେ ଏତେ ସଂଖ୍ୟକ ଗାଡ଼ିକୁ ପଲ୍ୟୁସନ୍ ସାର୍ଟିଫିକେଟ୍ ଦେବା ପାଇଁ ରହିଛି ମାତ୍ର ୬୦୦ଟି ପଞ୍ଜିକୃତ ପ୍ରଦୂଷଣ ଯାଞ୍ଚ କେନ୍ଦ୍ର। ଯାହାକି ଗାଡ଼ି ସଂଖ୍ୟା ତୁଳନାରେ ଅତି ନଗଣ୍ୟ। 

Advertisment

ଫଳରେ ଏତେ କମ୍ ସମୟରେ ଲକ୍ଷଲକ୍ଷ ଗାଡ଼ିକୁ କିଭଳି ସାର୍ଟିଫିକେଟ୍ ଦିଆଯିବ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ। ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି, ଯିଏ ଟେଷ୍ଟିଂ ସେଣ୍ଟର ଖୋଲିବାକୁ ଆଗ୍ରହ ପ୍ରକାଶ କରିବେ ସରକାର ତୁରନ୍ତ ଅନୁମତି ଦେବେ।

ଘରେ ବସି କରିହେବ ମୋବାଇଲ୍ ନମ୍ବର ଲିଙ୍କ୍

ଜାନୁଆରୀ ପରିବର୍ତ୍ତେ ଆସନ୍ତା ଫେବୃଆରୀରୁ କଡ଼ାକଡ଼ି ହେବ PUCC। ସବୁ ଡକ୍ୟୁମେଣ୍ଟ କାମ ସାରିବାକୁ ମିଳିଛି ମାସକର ଆଶ୍ବସ୍ତି। ତେବେ ବକେୟା ଫାଇନ୍ ଓ ଓଟିପି ଦହଗଞ୍ଜକୁ ନେଇ ବିବ୍ରତ ନହେବାକୁ ଲୋକଙ୍କୁ ପରାମର୍ଶ ଦେଇଛି ଏସଟିଏ । ପରିବହନ ବିଭାଗର ସୂଚନା ଅନୁସାରେ, ଇ-ଚାଲାଣ ୯୦ ଦିନରୁ ଅଧିକ ହୋଇ ନଥିଲେ ପ୍ରଦୂଷଣ ପତ୍ର ପାଇବାରେ କୌଣସି ଅସୁବିଧା ନାହିଁ । ଅର୍ଥାତ ୯୦ରୁ କମ୍ ଦିନର ଚାଲାଣ ଥିଲେ ଫାଇନ୍ ଦାଖଲ ନକରି ବି ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇପାରିବେ। 

କିନ୍ତୁ ତିନି ମାସରୁ ଅଧିକ ଦିନ ଧରି ଚାଲାଣ ଭରିନଥିଲେ ପ୍ରଥମେ ଫାଇନ୍ ଦେବାକୁ ପଡ଼ିବ। ଗତ ଜୁଲାଇ ୩୧ ପର୍ଯ୍ୟନ୍ତ ଥିବା ବକେୟା ଭରିବାକୁ ରିହାତି ପ୍ରଦାନ କରାଯାଉଛି। ଅନ୍ୟପଟେ ଓଟିପି ଟେନସନରୁ ମୁକୁଳିବାକୁ ବି ବାଟ ଦେଖାଇଛି ଏସଟିଏ। ଆରଟିଓକୁ ନଯାଇ ଗାଡ଼ି ମାଲିକମାନେ ଘରେ ବସି ମୋବାଇଲ୍ ନମ୍ବର ଲିଙ୍କ୍ କରିପାରିବେ। ଏଥିପାଇଁ ବାହାନ ଓ ସାରଥୀ କ୍ୟୁଆର୍ କୋଡ୍ ଜାରି କରିଛି ପରିବହନ ବିଭାଗ। 

ତେବେ ଏତେ କମ୍ ସେଣ୍ଟରରେ କେମିତି ଦିଆଯିବ ପଲ୍ୟୁସନ୍ ସାର୍ଟିଫିକେଟ୍ ? ମାତ୍ର ୬୦୦ ଯାଞ୍ଚ କେନ୍ଦ୍ରରେ ଲକ୍ଷଲକ୍ଷ ଗାଡ଼ିକୁ ସାର୍ଟିଫିକେଟ ଦେବା କଣ ସମ୍ଭବ ? ନିୟମ ଲାଗୁ ଆଗରୁ ଭିତ୍ତିଭୂମିକୁ କାହିଁକି ସୁଦୃଢ କରୁନି ପରିବହନ ବିଭାଗ ? ଏଭଳି ସ୍ଥିତିରେ ଅବଧିକୁ ଆହୁରି ବଢାଇ ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର ବୃଦ୍ଧି ପାଇଁ ଦାବି କଲେଣି ଲୋକେ।... 



Transport Department Pollution Testing
Advertisment
Related Articles
Advertisment