/odishatv-khabar/media/post_attachments/uploadimage/library/16_9/16_9_0/budget-4_1626773478.jpg)
budget
ଭୁବନେଶର: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଅନ୍ତରୀଣ ବଜେଟ୍ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ଆସନ୍ତା ଆର୍ଥିକ ବର୍ଷ ଲାଗି ମୋଟ ବ୍ୟୟ ଅଟକଳ ୧ ଲକ୍ଷ ୩୨ ହଜାର ୬୬୦ କୋଟି ଟଙ୍କା ରହିଛି।
ତେବେ ଆଗକୁ ନିର୍ବାଚନ ଥିବାରୁ ଆର୍ଥିକ ବର୍ଷର ପ୍ରଥମ ଚାରିମାସ ପାଇଁ ୫୬ ହଜାର ୯୨୧ କୋଟି ଟଙ୍କା ଲେଖାନୁଦାନର ପ୍ରସ୍ତାବ ଦିଆଯାଇଛି। କାଳିଆ ଯୋଜନା ପାଇଁ ସର୍ବାଧିକ ୪ ହଜାର ୪୬୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ସେହିପରି କୃଷି ଋଣରେ ରିହାତି ପାଇଁ ୮ ଶହ କୋଟି ରଖାଯାଇଥିବା ବେଳେ ପିଠା ଯୋଜନା ପାଇଁ ୪୦୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି।
ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗି ୮୬୪ କୋଟି, ବିଜୁ ଯୁବ ବାହିନୀ ଲାଗି ୧୦୫ କୋଟିର ବ୍ୟୟ ବରାଦ ହୋଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ୧ ଲକ୍ଷ ୧୦ ହଜାର ୭୧୦ କୋଟି ଟଙ୍କା ରାଜସ୍ୱ ଆଦାୟ ନେଇ ଆକଳନ କରାଯାଇଥିବା ବେଳେ ରାଜସ୍ୱ ବ୍ୟୟ ୧ ଲକ୍ଷ ୨ହଜାର ୨୨୭ କୋଟି ଟଙ୍କା ହେବ। ଫଳରେ ୮ ହଜାର ୪୩୩ କୋଟି ଟଙ୍କାର ରାଜସ୍ୱ ବଳକା ରହିବ। ଯାହାକି ସାମଗ୍ରିକ ଘରୋଇ ଉତ୍ପାଦରର ୧.୬ ପ୍ରତିଶତ।
ତେବେ ୨୦୧୯-୨୦ ପାଇଁ ଆର୍ଥିକ ନିଅଣ୍ଟ ପରିମାଣ ୧୬ ହଜାର ୧୯୩ କୋଟି ହେବା ଆକଳନ କରାଯାଇଛି। ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ ୨୦୧୮-୧୯ରେ ଜାତୀୟ ଅଭିବୃଦ୍ଧି ହାରଠାରୁ ଅଧିକ ରହିଛି ବୋଲି ବଜେଟ୍ ଉପସ୍ଥାପନ ବେଳେ ଦର୍ଶାଇଛନ୍ତି ଅର୍ଥ ମନ୍ତ୍ରୀ ।
ସେପଟେ ବଜେଟ୍ ଉପସ୍ଥାପନ ବେଳେ ବିରୋଧୀ କଂଗ୍ରେସ୍ ଓ ବିଜେପି ବିଧାୟକମାନେ କକ୍ଷତ୍ୟାଗ କରିଛନ୍ତି। ଏ ସଂପର୍କରେ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଅର୍ଥମନ୍ତ୍ରୀଙ୍କ ବକ୍ତବ୍ୟ ସତ୍ୟ ଉପରେ ଆଧାରିତ ନୁହେଁ। ଅନ୍ତରୀଣ ବଜେଟ୍ ହୋଇଥିବା ସତ୍ତ୍ୱେ ନିର୍ବାଚନ ଦୃଷ୍ଟିରୁ ଅର୍ଥମନ୍ତ୍ରୀ ସେଥିରେ ରାଜନୀତି କରିବାକୁ ଚେଷ୍ଟା କରୁଥିବାରୁ କକ୍ଷତ୍ୟାଗ କଲୁ ବୋଲି ନରସିଂହ ଅଭିଯୋଗ କରିଛନ୍ତି। ବିଜେପି ବି ଏହାକୁ ନିର୍ବାଚନମୁଖୀ ବଜେଟ୍ ବୋଲି କହିଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାକୁ ବିକାଶମୁଖୀ ବଜେଟ୍ ଭାବେ ବର୍ଣ୍ଣନା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)