/odishatv-khabar/media/post_attachments/uploadimage/library/16_9/16_9_0/high-court-3_1625283363.jpg)
high-court
ଭୁବନେଶ୍ୱର: ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାର ତଦନ୍ତରେ ଶିଥିଳତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ। ଏହି ମାମଲାରେ ଆଜି ଅଦାଲତଙ୍କ ନିକଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିଲା କମିଶନରେଟ୍ ପୋଲିସ୍। ତେବେ ଏହାକୁ ଅନୁଧ୍ୟାନ କଲା ପରେ ମାମଲାର ତଦନ୍ତ ପ୍ରକ୍ରିୟାକୁ ନେଇ ପୋଲିସ୍ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ। ତାସହିତ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆସନ୍ତା ୭ ତାରିଖ ସୁଦ୍ଧା ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୭ ତାରିଖରେ ହେବ।
ଅପରପକ୍ଷେ ମାମଲାର ଗୁରୁତ୍ୱକୁ ଦେଖି ସିବିଆଇ କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଏସ୍ଆଇଟି ଦ୍ୱାରା ଏହାର ତଦନ୍ତ ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଗତ ଅଗଷ୍ଟ ୩୦ ତାରିଖରେ ଜଣେ ମହିଳା, ତାଙ୍କ ନାବାଳିକା ଝିଅ ସହ ଭୁବନେଶ୍ୱର ମହିଳା ଥାନାକୁ ଆସି ଗଣଦୁଷ୍କର୍ମ ଅଭିଯୋଗ ସଂପର୍କରେ ଏତଲା ଦେଇଥିଲେ। ଏଥିରେ ସେ ଓଟିଭିର କିଛି କର୍ମଚାରୀ, ଜଣେ ପୋଲିସ କର୍ମଚାରୀ ଓ ତାଙ୍କର ଦୁଇ ସହଯୋଗୀ ସଂପୃକ୍ତ ଥିବା ଅଭିଯୋଗ କରିଥିଲେ। ହେଲେ ଏ ଯାଏଁ ଉକ୍ତ ପୋଲିସ୍ କର୍ମଚାରୀଙ୍କୁ ଚିହ୍ନଟ କରିପାରିନି ପୋଲିସ୍।
ଅନ୍ୟପଟେ ପୂରା ମାମଲାରେ ପୋଲିସ୍ ଓଟିଭିର ବରିଷ୍ଠ ଅଧିକାରୀଙ୍କୁ ବାରମ୍ବାର ମହିଳା ଥାନାକୁ ଡକାଇ ପଚରାଉଚରା କରିଛି। ତେବେ ମାମଲା ସଂପର୍କିତ ସମସ୍ତ ଦସ୍ତାବିଜ ଓ ଅଡିଓ ଟେପ୍ ହସ୍ତାନ୍ତର କରିବା ସହିତ ତଦନ୍ତରେ ସବୁଥିରେ ପୋଲିସ୍କୁ ପୂରା ସହଯୋଗ କରିଆସିଛନ୍ତି ଓଟିଭି କର୍ତ୍ତୃପକ୍ଷ।
ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ରାଜ୍ୟ ମହିଳା କମିଶନଙ୍କୁ ମଧ୍ୟ ଭର୍ତ୍ସନା କରିଛନ୍ତି ହାଇକୋର୍ଟ। ଓଟିଭି ଏମଡିଙ୍କୁ ମହିଳା କମିଶନଙ୍କ ନୋଟିସ ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିଛି। ଶୁଣାଣି ପୂର୍ବରୁ ଦୋଷୀ ଭଳି ନୋଟିସ ଦେଇଥିବାରୁ ହାଇକୋର୍ଟ ଭର୍ତ୍ସନା କରିବା ସହ ଆଗକୁ ଏଥପ୍ରତି ଯତ୍ନବାନ ହେବାକୁ କମିଶନଙ୍କୁ କୋର୍ଟ ତାଗିଦ କରିଛନ୍ତି। ତାସହ ଓଟିଭି ଏମ୍ଡି ବ୍ୟକ୍ତିଗତ ଭାବେ ହଜାର ନହୋଇ ନିଜ ଓକିଲ କିମ୍ବା କାର୍ଯ୍ୟାଳୟର ପ୍ରତିିନିଧିଙ୍କ ଜରିଆରେ ମହିଳା କମିଶନରେ ହାଜର ହୋଇପାରିବେ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ହାଇକୋର୍ଟ। ମହିଳା କମିଶନଙ୍କ ନୋଟିସ୍କୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଓଟିଭି ଏମ୍ଡି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)