/odishatv-khabar/media/post_attachments/uploadimage/library/16_9/16_9_0/andhra_1627367100.jpg)
andhra
ଭୁବନେଶ୍ୱର: ୧୯କୁ ପର୍ଯ୍ୟନ୍ତ ଗଲା କୋଟିଆ ବିବାଦ। କୋଟିଆର ୩ ଗାଁରେ ପଞ୍ଚାୟତ ନିର୍ବାଚନ କରି ଅଦାଲତ ଅବମାନନା କରିଥିବା ଅଭିଯୋଗରେ ଓଡ଼ିଶା ପକ୍ଷରୁ ଦାଏର ମାମଲାର ଶୁଣାଣି କରିଛନ୍ତି ସୁପ୍ରିମ୍କୋର୍ଟ। ମାମଲାରେ ଆନ୍ଧ୍ରକୁ ନୋଟିସ୍ କରି ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ହେଲେ ଆସନ୍ତାକାଲି କୋଟିଆରେ ହେବାକୁ ଥିବା ଆନ୍ଧ୍ର ନିର୍ବାନ ଲାଗି କୌଣସି ସ୍ଥଗିତାଦେଶ ମିଳିପାରିନି। ଏପଟେ ଗଜପତି ଜିଲ୍ଲା ରାୟଗଡ଼ର କିଛି ସୀମାନ୍ତ ଗାଁକୁ ବି ଦଖଲକୁ ନେଇ ନିର୍ବାଚନ କରିବାକୁ ମସୁଧା କରୁଛି ଆନ୍ଧ୍ର। ଆଜି ଆନ୍ଧ୍ର ପ୍ରଶାସନର କିଛି ଅଧିକାରୀ ଗାଁକୁ ଆସି ଲୋକଙ୍କୁ ମନାଉଥିବା ବେଳେ ଘଟଣାସ୍ଥଳକୁ ଯାଇଥିବା ବିଜେପି ଟିମ୍ ସହ ମୁହାଁମୁହିଁ ହୋଇଥିଲେ।
କୋରାପୁଟର ସୀମାନ୍ତ ଗାଁରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ବନ୍ଦ ନେଇ ସୁପ୍ରିମ୍କୋର୍ଟଙ୍କ ତତ୍କାଳ ନିର୍ଦ୍ଦେଶ ଆସିନଥିଲେ ବି ବହୁଚର୍ଚ୍ଚିତ ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ମାମଲାର ତ୍ୱରିତ ଶୁଣାଣି କରି ଆଜି ଆନ୍ଧ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ।
ଜଷ୍ଟିସ୍ ଏ.ଏମ୍. ଖାନଓ୍ୱିଲକର ଓ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ୨ ଜଣିଆ ଖଣ୍ଡପୀଠ ୭ ଦିନ ଭିତରେ ଲିଖିତ ଜବାଦ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋଟିଆରେ ପଞ୍ଚାୟତ ନିର୍ବାଚନ କରି ଆନ୍ଧ୍ର ସରକାର ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକୁ ଉଲ୍ଲଂଘନ କରିଥିବା ନେଇ ଓଡ଼ିଶା ଯାହା ଦର୍ଶାଇଥିଲା, ତା ଉପରେ କୌଣସି ବିଶେଷ ଟିପ୍ପଣୀ ରଖିନାହାନ୍ତି କୋର୍ଟ।
ଏପଟେ ଆନ୍ଧ୍ର ପ୍ରଶାସନ କୋଟିଆର ଦୁଇଟି ଗାଁରେ ନିର୍ବାଚନ ସାରିଥିବା ଏବଂ ଅନ୍ୟ ଏକ ଗାଁରେ ଆସନ୍ତାକାଲି ନିର୍ବାଚନ କରୁଥିଲେ ବି ତା ଉପରେ ରୋକ୍ ଲଗାଇ ନାହାନ୍ତି ସର୍ବୋଚ୍ଚ କୋର୍ଟ।
ଏନେଇ ରାଜ୍ୟ ସରକାରଙ୍କ ଲିଗାଲ ଟିମ୍ ସଦସ୍ୟ ନିରଞ୍ଜନ ସାହୁ କହିଛନ୍ତି ଯେ ବିପକ୍ଷକୁ ଜବାବ ଦାଖଲ କରିବା ପାଇଁ କୁହାଯାଇଛି। ତାଙ୍କ ଜବାବ ଆସିଲେ ଆମେ ଆମର ଉତ୍ତର ଦେବୁ। ଅନ୍ୟପଟେ କୋରାପୁଟ ଏଡିଏମ୍ ଦେବେନ କୁମାର ପ୍ରଧାନ କହିଛନ୍ତି ୧୯ରେ ପରବର୍ତ୍ତି ପଦକ୍ଷେପ ନିଆଯିବ।
କୋଟିଆକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବା ବେଳେ ଏପଟେ ଗଜପତି ଜିଲ୍ଲାର ସୀମାନ୍ତ ଗାଁରେ ବି ସମାନ ଢଙ୍ଗରେ ସାମ୍ନାକୁ ଆସିଛି ଆନ୍ଧ୍ରର ଦାଦାଗିରି। ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଂଚାୟତର ମାନିକପାଟଣା ସହ ଆଉ କିଛି ଗାଁକୁ ନିଜ ଅଧୀନକୁ ନେଇ ପଞ୍ଚାୟତ ନିର୍ବାଚନ କରୁଛି ଆନ୍ଧ୍ର ପ୍ରଶାସନ।
ଗାଁ ଓଡ଼ିଶାର ହେଲେ ବି ନିର୍ବାଚନ ପାଇଁ ପୋଷ୍ଟର ଲଗାଇଛି ପଡ଼ୋଶୀ ରାଜ୍ୟ। ଆସନ୍ତାକାଲି ଏଠାରେ ନିର୍ବାଚନ ହେଉଥିବା ଜାଣି ସ୍ଥିତି ଅନୁଧ୍ୟାନ ଲାଗି ଆଜି ମାନିକପାଟଣା ଗସ୍ତ କରିଥିଲା ବିଜେପିର ପ୍ରତିନିଧି ଦଳ ଗାଁରେ ବିଜେଟି ଟିମ୍ ପହଞ୍ଚିବା ବେଳକୁ ସେଠାରେ ଉପସ୍ଥିତ ଥିଲେ। ଆନ୍ଧ୍ରପ୍ରଦେଶର ପ୍ରଶାସନିକ ଓ ପୋଲିସ ଅଧିକାରୀ ଉଭୟ ମୁହାଁମୁହିଁ ପରେ କିଛି ସମୟ ଆଲୋଚନା ବି କରିଥିଲେ।ହେଲେ ଆନ୍ଧ୍ର ଅଫିସର ସନ୍ତୋଷଜନକ ଉତ୍ତର ଦେଇନପାରି, ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିବା କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।
ଗଜପତି ଉପଜିଲ୍ଲାପଳ କହିଛନ୍ତି ଯେ ତାଙ୍କର ସବ୍ କଲେକ୍ଟର ଆସିବା ଖବର ଶୁଣି ଆମେ ଏଠାକୁ ଆସିଥିଲୁ। ଗତ କିଛିଦିନ ହେବ ଆମ ଟିମ୍ ଏଠାରେ ବୁଲୁଛନ୍ତି। ଲୋକମାନଙ୍କ ଅଭବାବ ଅସୁବିଧା ବୁଝି ତାର ବ୍ୟବସ୍ଥା କରାଯାଉଛି।
ସୂଚନା ଅନୁସାରେ କୋରାପୁଟର କୋଟିଆ, ଗଞ୍ଜାମର ପାତ୍ରପୁର ଭଳି ଗଜପତି ରାୟଗଡ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ୬ଟି ଗାଁରେ ଆସନ୍ତାକାଲି ଆନ୍ଧ୍ର ପ୍ରଶାସନ ନିର୍ବାଚନ କରୁଥିବା ସୂଚନା ମିଳିଛି। କୋଟିଆରେ ଆନ୍ଧ୍ର ନିର୍ବାନ ନେଇ ପ୍ରଥମେ ଓଟିଭିରେ ଗତ ୩ ତାରିଖରେ ଖବର ପ୍ରସାରଣ ପରେ ବିବାଦ ଜୋର୍ ଧରିଛି।
ରିପୋର୍ଟ; ଆଦର୍ଶ ଦାସ, ସୂର୍ଯ୍ୟ ନାରାୟଣ ପଣ୍ଡା,ଶିବାନନ୍ଦ ରାଉତ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)