Advertisment

Forgotten History: ପରିଚୟ ଖୋଜୁଛି ଐତିହାସିକ ପାରାଭାଡ଼ି, ପାରାଙ୍କ ଦ୍ବାରା ୪ ଶହ ବର୍ଷ ତଳର ନିଆରା ଡାକସେବାର ଠିକଣା

ଅବହେଳିତ ଅବସ୍ଥାରେ ଗଞ୍ଜାମର ଐତିହାସିକ ପାରାଭାଡି଼। ଦିନ ଥିଲା ଋଷିକୁଲ୍ୟା ମୁହାଣ ନିକଟ ଗମ୍ବୁଜରୁ ହଜାର ହଜାର ପାରା ଉଡ଼ୁଥିଲେ । ଚିଠିକୁ ନେଇ ପହଞ୍ଚାଉଥିଲେ ଶହଶହ କିଲୋମିଟର ଦୂର ଠିକଣାରେ ।

author-image
Tapan Swain
PIGEON

PIGEON Photograph: (OTV)

ଏଠି ବି ଦିନେ ଶୁଭୁଥିଲା ପାରାଙ୍କ ଗୁମୁରୁ ଗୁମୁରୁ ଶବ୍ଦ। ପ୍ରତିଟି ଖୋଲପ ସାଜିଥିଲା ବିଶ୍ବସ୍ତ ଦୂତଙ୍କ ନିର୍ଭୟ ଆଶ୍ରୟସ୍ଥଳୀ। ମଣିଷର ସନ୍ଦେଶକୁ ଡେଣାରେ ବୋହିନେଇ ଆକାଶର ଛାତିଚିରି ଏଇଠୁ ଉଡ଼ିଯାଉଥିଲେ ଗୋଟିଏରୁ ଆଉ ଗୋଟିଏ ଜାଗାକୁ। ହଁ..ଆଜିକୁ ପ୍ରାୟ ୪୦୦ ବର୍ଷ ତଳେ ଚାଲିଥିଲା ଡାକଘର । ହେଲେ ମଣିଷ ନୁହେଁ, ଚିଠି ନେବାଆଣିବା କରୁଥିଲେ ହଜାର ହଜାର ପାରା।  

Advertisment

ନିରବ ସାକ୍ଷୀ ଭାବେ ଦଣ୍ଡାୟମାନ

ସମୟର ଚକ ଘୂରିବା ସହିତ ଆଜି ସବୁକିଛି ବଦଳିଯାଇଛି। ଇତିହାସର ଏକ ନିରବ ସାକ୍ଷୀ ଭାବେ ଦଣ୍ଡାୟମାନ ହୋଇରହିଛି ଗଞ୍ଜାମ ଋଷିକୁଲ୍ୟା ମୁହାଣ ନିକଟର ଏହି ପାରାଭାଡ଼ି ଗମ୍ବୁଜ। ଗବେଷକଙ୍କ କହିବା ଅନୁସାରେ, ଶହ ଶହ ବର୍ଷ ପୂର୍ବେ ପାରା ସାହାଯ୍ୟରେ ଡାକସେବା କ୍ଷେତ୍ରରେ ଗଞ୍ଜାମ ସାଜିଥିଲା ପ୍ରମୁଖ ପେଣ୍ଠସ୍ଥଳ। ଗଞ୍ଜାମରୁ ମାତ୍ରାସ୍ ଦୀର୍ଘ ୧୦୭୫ କିଲୋମିଟର ଦୂରକୁ ଖବର ବୋହି ନେବାକୁ ପାରାମାନଙ୍କୁ ନିୟୋଜିତ କରାଯାଇଥିଲା। 

ଗୁରୁତ୍ବପୂର୍ଣ୍ଣ ସରକାରୀ ଚିଠିପତ୍ର ମଧ୍ୟ ପାରାଙ୍କ ଦ୍ବାରା ଆଦାନପ୍ରଦାନ ହେଉଥିଲା। ଏଥିପାଇଁ ସେମାନଙ୍କୁ ଦିଆଯାଉଥିଲା ସ୍ବତନ୍ତ୍ର ତାଲିମ୍। ମୋଗଲ ଶାସନ ସମୟରେ ପୋତାଗଡ଼ ନିକଟରେ ପାରା ରହିବାକୁ ଏହି ଗମ୍ବୁଜଟିକୁ ନିର୍ମାଣ କରାଯାଇଥିଲା। ୪୦ ଫୁଟ ଉଚ୍ଚ ଗମ୍ବୁଜରେ ହଜାରେରୁ ଅଧିକ ପାରା ରହିବାକୁ ଭାଡ଼ି ରହିଛି ।

Advertisment

ପାରା ଡାକସେବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିବା ଗମ୍ବୁଜ ଏବେ ଅବହେଳିତ । ଏହାକୁ ଐତିହାସିକ ସ୍ମାରକୀ ଓ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ଦାବି ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ପୂର୍ବରୁ ଜିଲ୍ଲାପ୍ରଶାସନ ଘଟଣାସ୍ଥଳ ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ, କିନ୍ତୁ ଏଯାଏଁ ଫଳ ଶୂନ୍ । ତେବେ ଗଞ୍ଜାମ NAC ନିର୍ବାହୀ ଅଧିକାରିଣୀ କହିଛନ୍ତି, ଗମ୍ବୁଜର ପୁନରୁଦ୍ଧାର ପାଇଁ ଖୁବଶୀଘ୍ର ପଦକ୍ଷେପ ନିଆଯିବ । 

Pigeon
Advertisment
Related Articles
Advertisment