/odishatv-khabar/media/post_attachments/uploadimage/library/16_9/16_9_0/top-6_1627367684.jpg)
top-6
ଟପ୍ ନ୍ୟୁଜ୍ ସଂକ୍ଷେପରେ...
- ଦିବ୍ୟାଙ୍ଗକୁ ବିବାହ କଲେ ଦମ୍ପତିଙ୍କୁ ମିଳିବ ୨ ଲକ୍ଷ ୫୦ ହଜାର
- ରାଜ୍ୟରେ ୭ଟି ସହରରେ ବଢୁଛି ବାୟୁ ପ୍ରଦୂଷଣ
- ରାଜ୍ୟରେ ବଢ଼ିଛି ବନ୍ୟ ପ୍ରାଣୀ ଓ ମଣିଷ ସଂଘର୍ଷ ଘଟଣା
- ଏବେ ହୋଇନପାରେ ପୌର ନିର୍ବାଚନ ନିର୍ବାଚନ
- ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଭିତରେ ବଢ଼ିଛି କରୋନା ସଂକ୍ରମଣ ଚିନ୍ତା
ଦିବ୍ୟାଙ୍ଗକୁ ବିବାହ କଲେ ଦମ୍ପତିଙ୍କୁ ମିଳିବ ୨ ଲକ୍ଷ ୫୦ ହଜାର
ଭୁବନେଶ୍ୱର: ଏଣିକି ଦିବ୍ୟାଙ୍ଗକୁ ବିବାହ କଲେ ଦମ୍ପତିଙ୍କୁ ମିଳିବ ୨ ଲକ୍ଷ ୫୦ ହଜାର ଟଙ୍କା। ଏହା ପୂର୍ବରୁ ଯଦି କୌଣସି ଦିବ୍ୟାଙ୍ଗ ଯୁବତୀଙ୍କୁ ଦିବ୍ୟାଙ୍ଗ ଯୁବକ ବିବାହ କରୁଥିଲା, ତେବେ ପ୍ରୋତ୍ସାହନ ରାଶି ୫୦ ହଜାର ଟଙ୍କା ମିଳୁଥିଲା। ହେଲେ ଏବେ ଏହି ରାଶି ବୃଦ୍ଧି କରାଯାଇ ୨ ଲକ୍ଷ ୫୦ହଜାର କରାଯାଇଛି। ଏନେଇ ସାମାଜିକ ନିରାପତ୍ତା ଏବଂ ଦିବ୍ୟାଙ୍ଗ ସଶକ୍ତୀକରଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ସମ୍ପର୍କରେ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଗାଇଡ୍ ଲାଇନ୍ ଜାରି କରିଛନ୍ତି ବିଭାଗୀୟ ସଚିବ।
ରାଜ୍ୟରେ ୭ଟି ସହରରେ ବଢୁଛି ବାୟୁ ପ୍ରଦୂଷଣ
ଭୁବନେଶ୍ୱର: ରାଜ୍ୟରେ ୭ଟି ସହରରେ ବଢୁଛି ବାୟୁ ପ୍ରଦୂଷଣ। ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକ ସମେତ ବାଲେଶ୍ୱର, ଅନୁଗୁଳ, ତାଳଚେର, ରାଉରକେଲା ଓ କଳିଙ୍ଗନଗରର ବାୟୁ ପ୍ରଦୂଷଣ ମାତ୍ରା କ୍ରମାଗତ ଭାବେ ବଢ଼ିଚାଲିଛି। ମଙ୍ଗଳବାର ବିଧାନସଭାରେ ଏ ସମ୍ପର୍କିତ ପ୍ରଶ୍ନ ପଚାରିଥିଲେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା।
ଏହାର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ ଏହି ୭ଟି ସହରର ବାୟୁମଣ୍ଡଳରେ PM10 ଓ PM25ର ମାତ୍ରା ନିର୍ଦ୍ଧାରିତ ମାନଠାରୁ ଅଧିକ ରହୁଛି। ଏହିସବୁ ସହରରେ ଯାନବାହନ ଚଳାଚଳ ତଥା ଅନ୍ୟାନ୍ୟ କାରଣରୁ ଘଟୁଥିବା ବାୟୁ ପ୍ରଦୂଷଣର ମାତ୍ରା ହ୍ରାସ ପାଇଁ ସରକାର ବିଭିନ୍ନ ବିଭାଗର ସମନ୍ୱୟରେ ପରିଚାଳନା କରୁଥିବା କହିଥିଲେ ପରିବେଶ ମନ୍ତ୍ରୀ।
ରାଜ୍ୟରେ ବଢ଼ିଛି ବନ୍ୟ ପ୍ରାଣୀ ଓ ମଣିଷ ସଂଘର୍ଷ ଘଟଣା
ଭୁବନେଶ୍ୱର: ରାଜ୍ୟରେ ଉଦ୍ବେଗ ଜନକ ସ୍ଥିତିରେ ବନ୍ୟ ପ୍ରାଣୀ ଓ ମଣିଷ ସଂଘର୍ଷ ୨୦୧୫ରୁ ୨୦୨୦ ମଧ୍ୟରେ ରାଜ୍ୟରେ ୩୬୦ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ବନ୍ୟପ୍ରାଣୀଙ୍କ ଆକ୍ରମଣରେ ୬୮୯ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ସେହିପରି ୩୮ ଭାଲୁ, ୧୯୯ ବାର୍ହାଙ୍କ ଜୀବନ ଯାଇଛି। ଏହି ୫ ବର୍ଷରେ ବନ୍ୟପ୍ରାଣୀ ଓ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ମୋଟ ସଂଖ୍ୟା ୮୩୬ ରହିଛି।
ସେହିପରି ୫ ବର୍ଷରେ ବନ୍ୟ ପ୍ରାଣୀ ଶିକାର ମଧ୍ୟ ଉଦ୍ବେଗ ଜନକ ଭାବେ ବୃଦ୍ଧିପାଇଛି। ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ ୨୦୧୫ରୁ ୨୦ ଭିତରେ ୧୫୪୪ ବନ୍ୟପ୍ରାଣୀଙ୍କୁ ଶିକାର କରାଯାଇଛି। ସେହିପରି ଶିକାର ଅଭିଯୋଗରେ ୧୭୦୨ ଜଣଙ୍କୁ ଗିରଫ କରାଯାଇଛି। ଏହାକୁ ରୋକିବାକୁ ସରକାର ପଦକ୍ଷେପ ନେଉଥିବା ଗୃହକୁ ସୂଚନା ଦେଇଛନ୍ତି ମନ୍ତ୍ରୀ।
ଏବେ ହୋଇନପାରେ ପୌର ନିର୍ବାଚନ ନିର୍ବାଚନ
ଭୁବନେଶ୍ୱର: ଏବେ ହୋଇନପାରେ ପୌର ନିର୍ବାଚନ। ନିର୍ବାଚନ ନହେବା ସମ୍ପର୍କରେ ମନ୍ତ୍ରୀଙ୍କ ଉତ୍ତରରୁ ଆଭାସ ମିଳିଛି। ବିଧାୟକ ମୁକେଶ ମହାଲିଙ୍ଗଙ୍କ ଏ ସମ୍ପର୍କୀତ ଏକ ପ୍ରଶ୍ନରେ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ହାଇକୋର୍ଟଙ୍କ ସ୍ଥଗିତାଦେଶ ଯୋଗୁ ରାଉରକେଲା, ସମ୍ବଲପୁର ନିର୍ବାଚନ ବନ୍ଦ ହୋଇଛି। ଅନ୍ୟ ୩ଟି ମହାନଗରରେ ପ୍ରଚଳିତ ନିୟମରେ ସଂଶୋଧନ ପରେ ପଦକ୍ଷେପ ନିଆଯିବ।
ଆବଶ୍ୟକ ନିୟମ ସଂଶୋଧନ ପରେ ପୌର ଓ NAC ନିର୍ବାଚନ ହୋଇଥାନ୍ତା। କୋଭିଡ୍ ଯୋଗୁ ସଂଶୋଧନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିବା ମନ୍ତ୍ରୀ ଉତ୍ତର ରଖିଛନ୍ତି। ନିୟମରେ ସଂଶୋଧନ ପରେ ପୌର ନିର୍ବାଚନ ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଭିତରେ ବଢ଼ିଛି କରୋନା ସଂକ୍ରମଣ ଚିନ୍ତା
ପୁରୀ: ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଭିତରେ ବଢ଼ିଛି କରୋନା ସଂକ୍ରମଣ ଚିନ୍ତା। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ତତ୍ପରତା ଦେଖାଯାଇଥିବା ବେଳେ ଜିଲ୍ଲାରେ କୋଭିଡ୍ କଟକଣା ବଳବତ୍ତର ରଖିବା ପାଇଁ ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି। ଜିଲ୍ଲାରେ ଟେଷ୍ଟିଂ ବୃଦ୍ଧି ସହ କୋଭିଡ୍ ଗାଇଡଲାଇନ ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେପଟେ ଶ୍ରୀମନ୍ଦିରରେ କୋଭିଡ୍ କଟକଣା ଓ SOPଅନୁସାରେ ଦର୍ଶନ ବ୍ୟବସ୍ଥା କରାଯାଉଛି ଓ ଏଯାବତ ୩୫୦ରୁ ଅଧିକ ସେବାୟତଙ୍କର କୋଭିଡ୍ ଟେଷ୍ଟ କରାଯାଇଛି ବୋଲି ଉନ୍ନୟନ ପ୍ରଶାସକ ଅଜୟ ଜେନା କହିଛନ୍ତି । ତେବେ ବର୍ତ୍ତମାନ ସମୟରେ ଶ୍ରଦ୍ଧାଳୁ ମାସ୍କ ଓ ସାନିଟାଇଜ ବ୍ୟବହାର କରୁଥିଲେ ମଧ୍ୟ ଗହଳି କଟକଣା ମାନୁନଥିବାରୁ କୋଭିଡ ସଂକ୍ରମଣ ଆଶଙ୍କା କରିଛନ୍ତି ସେବାୟତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)