/odishatv-khabar/media/media_files/2025/10/06/curfew-2025-10-06-19-54-45.jpg)
CURFEW Photograph: (OTV)
ସମସ୍ତେ ଜାରି ରଖିଛନ୍ତି ଉଦ୍ୟମ। ୧୩ଟି ଥାନା ଅଞ୍ଚଳରେ ୩୬ ଘଣ୍ଟିଆ କର୍ଫ୍ୟୁ ସହ କଡ଼ା ସୁରକ୍ଷା ବଳୟରେ ରହିଛି ସାରା ସହର। ହେଲେ କେମିତି ଘଟିଗଲା ଏତେବଡ଼ ଅଘଟଣ ? ୩୪ ବର୍ଷର ବ୍ୟବଧାନ ପରେ କାହିଁକି କଟକ ଦେଖିଲା କର୍ଫ୍ୟୁ ?
ଚଳଚଞ୍ଚଳ କଟକ ଆଜି ଗୁମସୁମ୍। ଦିନରାତି ଯେଉଁ ସହର ଦୌଡ଼ୁଥିଲା। ମେଢ଼ ଭସାଣିବେଳର ଅଶାନ୍ତି ପରେ ବି ସବୁକିଛିକୁ ଭୁଲି ସ୍ବାଭାବିକ ହେଉଥିଲା। ଗତକାଲି ସଂଧ୍ୟା ପରଠୁ ବଦଳିଗଲା ହଜାରେ ବର୍ଷର ସହରର ଚିତ୍ର। କାଲି ରାତି ପରଠୁ ଲିଭିଛି ଅସନ୍ତୋଷର ନିଆଁ...କିନ୍ତୁ ରାତି ପାହିଲା ବେଳକୁ ଦାଉ ଦାଉ ହୋଇ ବାରି ହେଉଛି ସବୁକିଛି। ଉଡ଼ୁନି କାଉ କୋଇଲି। ଭୟରେ ସାଧାରଣ କଟକିଆ। କେଉଁଠି ସାଇରନ୍ ବଜାଇ ବଜ୍ର ଭ୍ୟାନ ପଇଁତରା ମାରୁଛି ତ ଆଉ କେଉଁଠି ୩୬ ଘଣ୍ଟିଆ କର୍ଫ୍ୟୁ ପାଇଁ ଡାକବାଜିରେ ସତର୍କ କରିଦିଆଯାଉଛି ।
ଦରଘା ବଜାର, ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ, ପୁରୀଘାଟ, ଲାଲବାଗ, ବିଡ଼ାନାସୀ, ମର୍କତନଗର, ସିଡିଏ ଫେଜ୍-୨, ମାଲଗୋଦାମ, ବାଦାମବାଡ଼ି, ଜଗତପୁର ଓ ବୟାଳିଶ ମୌଜା। ୧୩ଟି ଥାନା ଅଞ୍ଚଳରେ ଗତରାତିଠୁ ଲାଗୁ ହୋଇଛି କର୍ଫ୍ୟୁ। ପ୍ରତି ଗଳିକନ୍ଦି, ଛକ ବଜାର, ପ୍ରବେଶ ପଥ। ସବୁଠି ଚେକିଂ। ସବୁଠି ପାଟ୍ରୋଲିଂ।
ଏସବୁ ଭିତରେ ପୋଲିସ କମିଶନରଙ୍କ କଡ଼ା ଚେତାବନୀ, ଉପଦ୍ରବକାରୀଙ୍କୁ ବରଦାସ୍ତ କରାଯିବନାହିଁ। ବିଶୃଙ୍ଖଳାକାରୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ଗୁଜବଠୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି।
ଅକଟୋବର ୩, ଶୁକ୍ରବାର। ଭସାଣ ଉତ୍ସବ ରାତିରେ ଦରଘlବଜ଼ାର ଜେଲ୍ ରୋଡ୍ ନିକଟରେ ଶୋଭାଯାତ୍ରାକାରୀଙ୍କ ଉପରକୁ ଟେକା ମାଡ଼ ସହ ବର୍ଷିଥିଲା ଢେଲା ଓ କାଚ ବୋତଲ। ଏହି ଘଟଣାରେ ପୋଲିସ ୬ ଜଣଙ୍କୁ ବାନ୍ଧିଥିଲା। ରାପିଡ୍ ଆକ୍ସନ ଫୋର୍ସ ସମେତ ସିଆରପିଏଫ ବାହିନୀ ବି ଛକି ରହିଥିଲା ସବୁଠି।
ସମ୍ବେଦନଶୀଳ ସ୍ଥାନ ସମେତ ସବୁ ଅଞ୍ଚଳରେ ଜାରି ରହିଥିଲା ଫ୍ଲାଗମାର୍ଚ୍ଚ। ଲାଗୁଥିଲା ସବୁକିଛି ସ୍ଥିତି ସ୍ବାଭାବିକ। କିନ୍ତୁ ଅଶାନ୍ତି ସୃଷ୍ଟିକରିଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଗତକାଲି ବିଭିନ୍ନ ସଂଗଠନ ପକ୍ଷରୁ ଶୋଭାଯାତ୍ରାବେଳେ ଦରଘାବଜାରରେ ପୋଲିସ ସହ ଉପୁଜିଥିଲା ମୁହାଁମୁହିଁ ସ୍ଥିତି। ଯେଉଁଥିରେ ଉଭୟ ପକ୍ଷରୁ ଆହତ ହୋଇଥିଲେ ଏକାଧିକ। ତାପରେ ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପ୍ରଥମେ ସୋସିଆଲ୍ ମିଡ଼ିଆ ସହ ଇଣ୍ଟରନେଟ୍ ସେବା ଉପରେ କଟକଣା ଜାରି କରିଥିଲା ପୋଲିସ।
ପରେ ରାତି ୧୦ଟାରେ ୩୬ ଘଣ୍ଟିଆ କର୍ଫ୍ୟୁ ଘୋଷଣା କରିଥିଲେ ସିପି। କର୍ଫ୍ୟୁ ସମୟରେ ଜରୁରୀକାଳୀନ ଏବଂ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି। କଟକରେ ଅଶାନ୍ତି ସୃଷ୍ଟି କରିବା ଘଟଣାରେ ପୋଲିସ ୮ ଜଣଙ୍କୁ ଗିରଫ କରିଥିବାବେଳେ ଆଉ ଯିଏ ବି ସଂପୃକ୍ତ ରହିଛନ୍ତି ତାଙ୍କୁ ବାନ୍ଧିବୁ ବୋଲି କହିଛନ୍ତି ଆଇନ ଶୃଙ୍ଖଳା ଏଡିଜି ।
ତେବେ ଭାଇଚାରାର ସହର କୁହାଯାଉଥିବା କଟକରେ କାହିଁକି ଉପୁଜିଲା ଏଭଳି ସ୍ଥିତି ? ଭସାଣି ବେଳେ ଗଣ୍ଡଗୋଳ ସ୍ଥିତି ପରେ ବି କାହିଁକି ସତର୍କ ହୋଇପାରିଲାନି ପ୍ରଶାସନ ? ଆଜି ଯେଉଁ ପରିସ୍ଥିତି ଉପୁଜିଛି ଏଥିପାଇଁ ଦାୟୀ କିଏ ? ଏବେ ଏଭଳି ପ୍ରଶ୍ନ ଉଠୁଥିବା ବେଳେ ସାଂସଦ ଭର୍ତ୍ତୃହରି ମହତାବ ଦେଇଛନ୍ତି ବଡ଼ ବୟାନ। କହିଛନ୍ତି, ‘କିଛି ଅସାମାଜିକ ଜେଲରୁ ମୁକୁଳିଥିଲେ। ଯେଉଁମାନଙ୍କୁ ବିଶୃଙ୍ଖଳା ପାଇଁ ଉସୁକାଇଥିଲେ ଅନ୍ୟ କିଛି ଲୋକ।
ପାଇଥିବା ସୂଚନା ଆଧାରରେ ପ୍ରଶାସନକୁ ଜଣାଇବା ସହ ସତର୍କ ବି କରାଇଥିଲି। କିଛି ଲୋକଙ୍କର ବଦମାସୀ କରିବାର ଅଭ୍ୟାସ ରହିଛି। ସେମାନଙ୍କୁ ଆଗରୁ ଚିହ୍ନଟ କରିବାର ଥିଲା। ସେହିପରି କଟକ ମହାନଗର ପୂଜା କମିଟି ସଂପାଦକ ପ୍ରଭାତ ତ୍ରିପାଠୀ କହିଛନ୍ତି, ୧୯୯୧ରେ ମଣ୍ଡଳ କମିଶନ ରିପୋର୍ଟକୁ ନେଇ ଉତ୍ତେଜନା ପରେ କଟକରେ କର୍ଫ୍ୟୁ ଲାଗିଥିଲା। ଆଉ ଏବେ କଟକରେ ଲାଗିଛି କର୍ଫ୍ୟୁ। ଅପରପକ୍ଷେ ମେୟର ଏବଂ ବିଧାୟିକା ସହରରେ ଶାନ୍ତି ବଜାୟ ପାଇଁ ନିବେଦନ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)