/odishatv-khabar/media/post_attachments/uploadimage/library/16_9/16_9_0/Crona_1625410169.jpg)
Crona
ଭୁବନେଶ୍ୱର: ଉପକୂଳ ଓ ଉତ୍ତର ଓଡ଼ିଶାରେ ଆଖିଦୃଶିଆ ଭାବେ ଖସୁନି କୋଭିଡ୍ ସଂକ୍ରମଣ ହାର । ଯାହାକୁ ନେଇ ଏବେ ଟେନସନ୍ରେ ରାଜ୍ୟ ସରକାର । କଟକକଣା ସତ୍ତ୍ୱେ ସ୍ଥିତିରେ କାହିଁକି ବଡ଼ ଧରଣର ସୁଧାର ଆସୁନାହିଁ, ତାର ଅନୁଧ୍ୟାନ ପାଇଁ ଆସନ୍ତାକାଲି ଓଡ଼ିଶା ଆସୁଛି କେନ୍ଦ୍ରୀୟ ଟିମ୍ ।
କିଛିଦିନ ହେଲା ୨୮୦୦ରୁ ୩୫୦୦ ଭିତରେ ରହୁଛି ଦୈନିକ ସଂକ୍ରମଣ ଟ୍ରେଣ୍ଡ୍ । ଗତ ୨୪ ଘଣ୍ଟାରେ ୨୮୭୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୪୨ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଚିନ୍ତା ବଢ଼ିଛି କାଟାଗୋରୀ-ବି ରେ ଆସୁଥିବା ଉପକୂଳ ଓ ଉତ୍ତର ଓଡ଼ିଶାର ୧୦ ଜିଲ୍ଲାକୁ ନେଇ । କେବଳ ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ଜିଲ୍ଲାଗୁଡ଼ିକରେ ଟେଷ୍ଟ, ପଜିଟିଭିଟି ରେଟ୍ ଏବେ ବି ୫ ପ୍ରତିଶତରୁ ଅଧିକ ରହୁଛି । ଦୁଇମାସର କଟକଣା ସତ୍ତ୍ୱେ ବି ସଂକ୍ରମଣ ଯେଉଁ ହାରରେ କମିବା କଥା ସେଭଳି କମୁନାହିଁ । ଏମିତିକି ଜାତୀୟସ୍ତର ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକ ତୁଳନାରେ ବି ସ୍ଥିତିରେ ଆଖିଦୃଶିଆ ଉନ୍ନତି ଆସିନାହିଁ ।
କାଟାଗୋରୀ ବି’ ରେ ଥିବା ୧୦ ଜିଲ୍ଲା ମଧ୍ୟରୁ ୮ଟି ଜିଲ୍ଲାରେ ମୋଟ୍ କେସରେ ୭୦ ପ୍ରତିଶତ କେସ୍ ଚିହ୍ନଟ ହେଉଛନ୍ତି । ଏଭଳି କାହିଁକି ହେଉଛି, ତାର ଅନୁଧ୍ୟାନ ପାଇଁ ଏକ କେନ୍ଦ୍ରୀୟ ଟିମ୍ ଆସନ୍ତାକାଲି ଓଡ଼ିଶା ଆସିବେ । ଏହି ଟିମ୍ରେ କୋଲକାତାସ୍ଥିତ ଅଲ୍ ଇଣ୍ଡିଅା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହାଇଜିନ୍ ଆଣ୍ଡ ପବ୍ଲିକ୍ ହେଲ୍ଥର ପ୍ରଫେସର ଶିବାନୀ ଦତ୍ତା ଓ ଭୁବନେଶ୍ୱର ଏମ୍ସର ପ୍ରଫେସର ପ୍ରଶାନ୍ତ ରାଘବ ମହାପାତ୍ର ଅଛନ୍ତି । ଦୁହେଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଅଧିକ ପଜିଟିଭ୍ କେସ୍ ଆସୁଥିବା ଜିଲ୍ଲାଗୁଡ଼ିକର ସ୍ଥିତି ଅନୁଧ୍ୟାନ ପରେ ରିପୋର୍ଟ ଦେବେ ।
ସେପଟେ ସମ୍ଭାବ୍ୟ ତୃତୀୟ ଲହର ଅକ୍ଟୋବର-ନଭେମ୍ବର ବେଳକୁ ଆସିବ ବୋଲି ଆକଳନ କରାଯାଇଛି । ଅଗଷ୍ଟରେ ଜୀବନ ଜୀବିକା ସ୍ୱାଭାବିକ ଆଡକୁ ଯାଉଥିବାରୁ ତୃତୀୟ ଲହର ଆସିବାର ଆଶଙ୍କା ରହିଛି । ତେବେ ଦ୍ୱିତୀୟ ଲହରଠାରୁ ତୃତୀୟ ଲହରର ପ୍ରଭାବ କମ୍ ରହିପାରେ, ଦ୍ୱିତୀୟ ଲହରର ପିକ୍ ସମୟରେ ସ୍ଥିତି ଯାହା ଥିଲା, ତୃତୀୟ ଲହର ପିକ୍ ବେଳେ ସଂକ୍ରମଣ ତାର ଅଧା ରହିବ ବୋଲି ଆଶା କରାଯାଉଛି । ତେଣେ ତୃତୀୟ ଲହରକୁ ଆଖି ଆଗରେ ରଖି ସ୍ୱାସ୍ଥ୍ୟ ବିଭାଗ ତାର ପ୍ରସ୍ତୁତି ଜାରି ରଖିଛି । ତୃତୀୟ ଲହରରେ ଶିଶୁ ଓ କିଶୋରମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଡାକ୍ତର ଓ ନର୍ସମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ।
କରୋନାର ପ୍ରଥମ ଲହର କଲବଲ କଲା, ଦ୍ୱିତୀୟ ଲହର ତାଣ୍ଡବ ରଚିଲା ଏବେ ତୃତୀୟ ଲହରକୁ ନେଇ ଲୋକଙ୍କ ଚିନ୍ତା ବଢ଼ିଛି । ସେପଟେ ରାଜ୍ୟରେ ଆଜି ପ୍ରଥମ ଡୋଜ୍ ଟିକାକରଣ ସଂଖ୍ୟା ୧ କୋଟି ଟପିଛି । ଅଧିକ ଲୋକଙ୍କୁ ଶୀଘ୍ର ଟିକାକରଣ କରାଯାଇ ପାରିଲେ ତୃତୀୟ ଲହରର ପ୍ରଭାବ କମ୍ ରହିବ ବୋଲି ଆଶା କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)