/odishatv-khabar/media/post_attachments/uploadimage/library/16_9/16_9_0/llp_1625220377.jpg)
llp
ରାଉରକେଲା: ଚିଟ୍ଫଣ୍ଡ ଚଞ୍ଚକତାର କଳଙ୍କିତ ଅଧ୍ୟାୟ ଭିତରେ ଆଉ ଏକ ମହାଠକେଇର ଫର୍ଦ୍ଦ। ଲକ୍ଷେ କି ଦୁଇ ଲକ୍ଷ ନୁହଁ, କୋଟିଏ କି ଦୁଇ କୋଟି ବି ନୁହଁ, ଅଢ଼େଇ ଶହ କୋଟିରୁ ଅଧିକ ଟଙ୍କାର ମହାଘୋଟାଲାର ଅଭିଯୋଗ ହୋଇଛି। ରାଉରକେଲାର ସମ୍ବନ୍ଧ ଫିନ୍ସର୍ଭ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ମାଇକ୍ରୋ ଫାଇନାନ୍ସ ସଂସ୍ଥା ବିରୋଧରେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆସିଛି।
ଜାଲ୍ ଖାତା ଖୋଲି ଏହି ଘୋଟାଲା କରିଥିବା ଅଭିଯୋଗ ହୋଇଛି। ରାଜଗାଙ୍ଗପୁର ଜ୍ଞାନପାଲି ପଞ୍ଚାୟତର ଲୋକେ ଏହି ଠକାମୀରେ ଶିକାର ହୋଇଛନ୍ତି। ଏଠି କାହାକୁ ଚାଷ ପାଇଁ ତ ଆଉ କାହାକୁ ଗୋ ପାଳନ ପାଇଁ ଋଣ ଦେବାର ପ୍ରଲୋଭନ ଦେଖାଇଥିଲା ସଂସ୍ଥା। କିନ୍ତୁ ଆଜିକୁ ୩ ବର୍ଷ ହେଲାଣି ୪୦ ଜଣଙ୍କ ନାଁରେ ଋଣ କରାଇଥିଲେ ବି ପଡ଼ିଆ ପଡ଼ିଛି ଜମି, ଖାଲି ପଡ଼ିଛି କାଓ ସେଡ୍।
ବିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଠାରୁ ଋଣ ଆଣି ସ୍ୱୟଂ ସହାୟକ ଗୋଷ୍ଠୀ ସହ ବିଭିନ୍ନ କ୍ଷେତ୍ରର ବ୍ୟକ୍ତିଙ୍କୁ ଜଏଣ୍ଟ ଲିଆବିଲିଟିଜ୍ ଆକାରରେ ଋଣ ପ୍ରଦାନ କରିଥାଏ ଏହି ସଂସ୍ଥା। ଏଥିପାଇଁ ଏସ୍ବିଆଇ, ୟେସ୍ ବ୍ୟାଙ୍କ, ବନ୍ଧନ ବ୍ୟାଙ୍କ ଭଳି ଏକାଧିକ ସଂସ୍ଥାରୁ ପ୍ରାୟ ୪୩୩ କୋଟି ଟଙ୍କା ଋଣ ଆଣିଥିଲା ମାଇକ୍ରୋ ଫାଇନାନ୍ସ ସଂସ୍ଥା ସମ୍ବନ୍ଧ । କିନ୍ତୁ, ଋଣ ପରିଶୋଧରେ ବିଫଳ ପରେ ସଂସ୍ଥାର ଆର୍ଥିକ ସ୍ଥିତିକୁ ନେଇ ସନ୍ଦେହ ଉପୁଜିବାରୁ ଆରମ୍ଭ ହୋଇଥିଲା ଆଭ୍ୟନ୍ତରୀଣ ତଦନ୍ତ।
ଏଥିରେ ଜଣାପଡ଼ିଥିଲା, ସେପ୍ଟେମ୍ବର ସୁଦ୍ଧା ଗ୍ରାହକଙ୍କୁ ୩୯୧ କୋଟିର ଋଣ ଦିଆଯାଇଥିବାବେଳେ ୨୫୧ କୋଟିର କୌଣସି ହିସାବ ମିଳୁନି। ଏସବୁ ଟଙ୍କାକୁ ଜାଲ୍ ଖାତା ଖୋଲି ଅନ୍ୟ କିଛି ଘରୋଇ ସଂସ୍ଥା ସହ ଅଜଣା ବ୍ୟକ୍ତିଙ୍କୁ ସ୍ଥାନାନ୍ତର କରାଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀ ବୋର୍ଡର ଦୃଷ୍ଟି ଆକର୍ଷଣ ପରେ ଘଟଣା ସାମ୍ନାକୁ ଆସିଛି।
ତେବେ ସିଇଓ ଦୀପକ କିଣ୍ଡୋଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ ସଂସ୍ଥାର ଚେୟାରମ୍ୟାନ୍ ତଥା ଦୀପକଙ୍କ ବାପା କହିଛନ୍ତି, ଅଭିଯୋଗର ଆଭ୍ୟନ୍ତରୀଣ ଖୋଳତାଡ଼ ଜାରି ରହିଛି। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଉଲ୍ଲେଖଯୋଗ୍ୟ ଯେ ଦୀପକଙ୍କ ବାପା ଲିଭିନିସ୍ କିଣ୍ଡୋ ହେଉଛନ୍ତି ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ।
୨୦୦୬ରୁ ପ୍ରଥମେ ସମ୍ବନ୍ଧ ଫିନ୍ସର୍ଭ ପ୍ରାଇଭେଟ୍ ଲିମିଟେଡ୍ ଏକ ମାଇକ୍ରୋ ଫାଇନାନ୍ସ ସଂସ୍ଥା ଭାବେ ଗଢ଼ିଉଠିଥିଲା। କ୍ରମେ ଓଡ଼ିଶା, ଛତିଶଗଡ଼, ଝାରଖଣ୍ଡ, ବିହାର ଏବଂ ଗୁଜରାଟରେ ଖୋଲିଥିଲା ୧୦୦ଟି ଶାଖା। ତେବେ କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ ଅନ୍ୟ ସଂସ୍ଥାଗୁଡ଼ିକୁ ଓ ଅଜଣା ବ୍ୟକ୍ତିଙ୍କୁ ଟଙ୍କା ସ୍ଥାନାନ୍ତର କରାଗଲା ? କେତେବର୍ଷ ଧରି ଚାଲିଛି ଏଭଳି ଠକେଇ ? ସେନେଇ ତଦନ୍ତ ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି ଜିଲ୍ଲା ପ୍ରଶାସନ କହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)