/odishatv-khabar/media/post_attachments/uploadimage/library/16_9/16_9_0/puri_1625420313.jpg)
puri
ପୁରୀ: ମହାପ୍ରଭୁଙ୍କ କାମ କରି ଆନନ୍ଦ ପାଉଥିବା ସେବକ ଅଛନ୍ତି ଦୁଃଖରେ। ଆର୍ଥିକ ଅନଟନ ଏବଂ କରୋନା ସେମାନଙ୍କ ପରିସ୍ଥିତିକୁ ଆହୁରି ସୋଚନୀୟ କରିଦେଇଛି । ବର୍ଷର ୨ ମାସ ଭଲରେ ଚଳିଯାଉଥିବାବେଳେ ପାଖରେ କିନ୍ତୁ ସମ୍ବଳ ନାହିଁ ନିଜପାଇଁ ପକ୍କାଘରଟିଏ କରିବା ପାଇଁ।
ବିଶ୍ୱ ନିୟନ୍ତାଙ୍କ ରଥ ନିର୍ମାଣ କରି ଯେଉଁ ହାତ ପ୍ରଶଂସା ସାଉଁଟେ, ସେ ନିଜେ କିଭଳି ପରିସ୍ଥିତିରେ ରହୁଛନ୍ତି? ସରକାରୀ ଜାଗାରେ ପାଲ ଆଜବେଷ୍ଟସ ଘେରା ନୂଆଁଣିଆଁ ଘରେ ରହୁଛନ୍ତି ରଥ ନିର୍ମାଣରେ ମୁଖ୍ୟ ଭୂମିକା ନେଉଥିବା ନନ୍ଦିଘୋଷ ରଥର ମୁଖ୍ୟ କମାର ସେବକ ଦାସରଥୀ ମହାରଣାଙ୍କର।
୪ ପ୍ରାଣି କୁଟୁମ୍ବଙ୍କୁ ନେଇ ଏଇ ଘରେ ମୁଣ୍ଡ ଗୁଂଜିଛନ୍ତି ଦାସରଥୀ। ଗତବର୍ଷ ଫୋନିରେ ଘର ଭାଙ୍ଗିଯିବା ପରେ ଆଉ ସଜାଡ଼ିବାକୁ ପାଖରେ ନାହିଁ ସମ୍ବଳ। ରଥ ନିର୍ମାଣ ଓ ରଥଭଙ୍ଗାରୁ ଯାହା ପଇସା ମିଳିଥିଲା, ତାହା ତେଲଲୁଣ ସଂସାରକୁ ନିଅଣ୍ଟ। ଏବେ ପୁଣି କରୋନା ଛାଟରେ ଛୋଟମୋଟ କାମ ବି ବନ୍ଦ। ତେଣୁ ଜଗନ୍ନାଥଙ୍କ ଉପରେ ସବୁ ଛାଡ଼ିଦେଇଥିବା କୁହନ୍ତି ଦାସରଥୀ।
ସେଇଭଳି ଦୟନୀୟ ଅବସ୍ଥାରେ ରହୁଛନ୍ତି ଦେବୀ ସୁଭଦ୍ରାଙ୍କ ମୁଖ୍ୟ କମାର ସେବାୟତ ଅର୍ଜୁନ ମହାରଣା। ପାଲ ଟାଣି ଆଜବେଷ୍ଟସ ଘରେ ମୁଣ୍ଡ ଗୁଂଜିଛନ୍ତି ଅର୍ଜୁନଙ୍କ ପୂରା ପରିବାର। ବର୍ଷର ୨ ମାସ ଭଲରେ ଚଳିଯାନ୍ତି ସିନା, ବାକି ଦିନ ବିତୁଛି କଷ୍ଟରେ। ପ୍ରଶାସନ ପକ୍ଷରୁ ଘରଟିଏ ମିଳିଲେ ସୁବିଧା ହେବ ବୋଲି କୁହନ୍ତି ଅର୍ଜୁନ ମହାରଣା। ତେବେ କେବଳ କମାର ସେବକ ନୁହଁନ୍ତି, ଭୋଇ ସେବାୟତ ବି ଆର୍ଥିକ ଅନଟନରେ କାଳ କାଟୁଥିବା କହିଛନ୍ତି ଭୋଇ ସର୍ଦ୍ଦାର ରବି ଭୋଇ।
ଗତ ୨୦୧୩ରେ ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର୍ ଡେଭେଲପମେଣ୍ଟ ଷ୍ଟଡିଜ୍ ଦ୍ୱାରା ଶ୍ରୀମନ୍ଦିର ସେବାୟତଙ୍କ ସାମାଜିକ ଓ ଅର୍ଥନୈତିକ ସର୍ଭେ କରାଯାଇଥିଲା। ଏବେ ପୁଣିଥରେ ସେହି ଅନୁଷ୍ଠାନ ପକ୍ଷରୁ ସର୍ଭେ କରାଯିବ। ଯେଉଁମାନେ ଆର୍ଥିକ ଅନଟନରେ ଅଛନ୍ତି ସେମାନଙ୍କୁ ସହଯୋଗ କରାଯିବ ବୋଲି ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)