/odishatv-khabar/media/post_attachments/uploadimage/library/16_9/16_9_0/mahandi_1627366443.jpg)
mahandi
ଭୁବନେଶ୍ୱର: ମହାନଦୀକୁ ନେଇ ପୁଣି ବିବାଦ। ଦେଖା ଦେଇଛି। ମହାନଦୀ ପାଣିର ଅଭାବ ଯୋଗୁ ଆଗକୁ ଓଡ଼ିଶା ଭୟଙ୍କର ଜଳସଂକଟ ଦେଇ ଗତି କରିବ ବୋଲି ଆଶଙ୍କା କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ନେତା। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଅଭିଯୋଗ କରିଛନ୍ତି ଯେ, ଓଡ଼ିଶା ଭୟଙ୍କର ଜଳ ସଙ୍କଟ ଭିତରକୁ ଯାଉଛି। ଆଗକୁ ସ୍ଥିତି ଆହୁରି ଗମ୍ଭୀର ହେବ। ମହାନଦୀ ପାଇଁ ଗଠିତ ଟ୍ରିବ୍ୟୁନାଲର ଅବଧି ଆଉ ମାତ୍ର ୨ ମାସ ଅଛି। କେନ୍ଦ୍ର ସରକାର ଚାହିଁଲେ ଟ୍ରିବ୍ୟୁନାଲର ଅବଧି ଆଉ ୨ ବର୍ଷ ବଢ଼ାଇ ପାରିବେ, କିନ୍ତୁ ଅବଧି ବଢ଼ାଇବେ କି ନାହିଁ କିଏ କହିବ ବୋଲି କହିଛନ୍ତି ବିଜୟ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଟ୍ରିବ୍ୟୁନାଲରେ କଣ ହେଉଛି କେହି ଜାଣିପାରୁନାହାନ୍ତି। ରାଜ୍ୟ ସରକାର ସେଠାରେ ତଥ୍ୟ ଉପସ୍ଥାପନ କରିପାରୁନାହାନ୍ତି, କିମ୍ବା ଲଢ଼େଇ କରିପାରୁନାହାନ୍ତି। କିଛି ଦିନ ତଳେ ମହାନଦୀ ପାଇଁ ସ୍ୱର ଉତ୍ତୋଳନ କରୁଥିବା ସରକାର, ବିରୋଧୀ ଓ ବିଭିନ୍ନ ସଂସ୍ଥା ଏବେ ଚୁପ କାହିଁକି ବୋଲି ବିଜୟ ପ୍ରଶ୍ନ କରିଛନ୍ତି। ତା ସହିତ ରାଜ୍ୟ ସରକାର ହୀରାକୁଦର ତଳମୁଣ୍ଡରେ ଘୋଷଣା କରିଥିବା ୬ ପ୍ରକଳ୍ପ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ବିଜୟ।
ସେହିପରି ଇବ୍ ପ୍ରକଳ୍ପ ପରି ମହାନଦୀର ଉପର ମୁଣ୍ଡରେ ଥିବା ଉପନଦୀରେ ମଧ୍ୟ ୧୨ ପ୍ରକଳ୍ପ ହୋଇପାରୁନି। ବର୍ତ୍ତମାନ ସଂସଦରେ ଏହି ପ୍ରସଙ୍ଗ ଉଠାଇବା ଜରୁରୀ ରହିଛି। ମହାନଦୀର ସ୍ଥିତି ଉପରେ ସରକାର ତୁରନ୍ତ ସାଧାରଣ ଲୋକଙ୍କୁ ଅବଗତ କରାନ୍ତୁ। ଏବେ ଠାରୁ ରାଜ୍ୟରେ ମହାନଦୀ ଓ ଶାଖାନଦୀ ଶୁଖିଲାଣି। ଆଗକୁ ପରିସ୍ଥିତି ଆହୁରି ଭୟାନକ ହେବ ବୋଲି ବିଜୟ କହିଛନ୍ତି।
ସେପଟେ ଏହି ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବରିଷ୍ଠ ତାରା ବାହିନୀପତି। ରାଜ୍ୟର ସ୍ୱାର୍ଥ ବିଜେପି ଓ ବିଜେଡି ଦେଖୁନାହାନ୍ତି ବୋଲି କହିଛନ୍ତି ତାରା। ମୁଖ୍ୟମନ୍ତ୍ରୀ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରନ୍ତୁ ବୋଲି ତାରା କହିଛନ୍ତି।
ଟ୍ରିବ୍ୟୁନାଲର ସମୟସୀମା ୩ ବର୍ଷ। ନିର୍ବାଚନକୁ ମାତ୍ର ବର୍ଷଟିଏ ଥିବା ବେଳେ ବିଜେଡି ପଲ୍ଲୀରୁ ଦିଲ୍ଲୀ ପହଞ୍ଚିଯାଇଥିଲା। ବିଜେପି ବି ସାମିଲ୍ ଥିଲା। ବିଜେପି ବିଜେଡି ମିଶି ୟାକୁ ବଡ଼ ଇଶୁ କରିଥିଲେ। ପରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ କରି ସମୟ ସୀମା ୩ ବର୍ଷ ରଖିଥିଲେ। ଏବେ ଟ୍ରିବ୍ୟୁନାଲ୍ ସମୟକୁ ଆଉ ମାତ୍ର ୨ ମାସ ରହିଲା। କଣ ହୋଇଛି କଣ ନାହିଁ ଜନସାଧାରଣ ତାହା ଜାଣିଲେ ନାହିଁ କି ସରକାର କଣ ରିପୋର୍ଟ ଦେଇଛନ୍ତି ତାହା ବି କେହି ଜାଣି ନାହାଁନ୍ତି ବୋଲି ତାରା କହିଛନ୍ତି।। ତେବେ ଏସମ୍ପର୍କରେ ତାରା ଜଣେ ବରିଷ୍ଠ ଅଫିସରଙ୍କୁ ମଧ୍ୟ ପଚାରିଥିଲେ। ସରକାର ସବୁ ବୁଝନ୍ତି ବୋଲି ଅଫିସର ଜଣଙ୍କ ଓହରି ଯାଇଥିଲେ ବୋଲି ତାରା କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଧାନସଭାରେ ଏ ସମ୍ପର୍କରେ ମଧ୍ୟ ଅନେକ ଆଲୋଚନା ହୋଇଛି। କିନ୍ତୁ ସରକାର ସବୁବେଳେ ରାଜନୀତି କରନ୍ତି। ଯେତେବେଳେ ବିଜେପି ରାଜନୀତି କରେ ବିଜେଡି ଚୁପ୍ ରହେ, ବିଜେଡି କଲେ ବିଜେପି ଚୁପ୍ ହୋଇଯାଏ ବୋଲି ତାରା କହିଛନ୍ତି। ଏତେସବୁ ଆନ୍ଦୋଳନ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିବା ସହିତ ବିଧାନସଭାରେ ଏ ବିଷୟ ପୁଣି ଉଠିବ। କଂଗ୍ରେସ ଏହାକୁ ଛାଡ଼ିବ ନାହିଁ ବୋଲି ତାରା କହିଛନ୍ତି।
ସମସ୍ୟାର ସମାଧାନ ପାଇଁ ମଧ୍ୟ ସେ ରଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏସମ୍ପର୍କରେ ତାରା କହିଛନ୍ତି ଯେ ବିଜେଡି ସରକାର ସର୍ବଦଳୀୟ ବୈଠକ ଡାକି ଆଲୋଚନ କରିବା ଦରକାର। ଏଥିରେ କଂଗ୍ରେସ ଦଳକୁ ମଧ୍ୟ ଡାକିବା ଦରକାର। ତା ସହିତ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଡାକିବା ଆଲୋଚନା କରନ୍ତୁ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ କେମିତି ଆସିବେ ସେ ବ୍ୟବସ୍ଥା ଆମେ କରିବୁ। କିନ୍ତୁ ସରକାର ଡାକିବା ଦରକାର ବୋଲି ତାରା କହିଛନ୍ତି।
ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ଉତ୍ତର ରଖିଛି ବିଜେଡି। ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଟ୍ରିବ୍ୟୁନାଲରେ ରାୟ ଆମ ସପକ୍ଷରେ ଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)