Advertisment

Anu Garg in Spotlight: ଅନୁ ଗର୍ଗଙ୍କ ଠାରୁ ମୋହନ ସରକାରଙ୍କ ଆଶା, ହୋଇପାରିବେ କି ‘ଲୋକଙ୍କ ମୁଖ୍ୟ ଶାସନ ସଚିବ’ ?

ତାଙ୍କର ପ୍ରଚୁର ଅଭିଜ୍ଞତା ସହିତ ସେ ସାଧାରଣ ଜନତାଙ୍କ ସହିତ ଯେଉଁଭଳି ପ୍ରତ୍ୟକ୍ଷ ସମ୍ପର୍କ ରଖନ୍ତି ଏବଂ ଜନ ପ୍ରତିନିଧିମାନଙ୍କ ସହିତ ଉତ୍ତମ ବୁଝାମଣା ନେଇ କାମ କରନ୍ତି, ତାହା ତାଙ୍କ ନୂତନ ନିଯୁକ୍ତି ପଛରେ କାମ କରିଛି ।

author-image
Akshaya Kumar Sahoo
Anu Garg

Anu Garg Photograph: (OTV)

ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ଅନୁ ଗର୍ଗ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି । ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଠାରୁ ସେ ଆସନ୍ତା ୩୧ ତାରିଖ ଦିନ ଏହି ଗୁରୁଦାୟିତ୍ୱ ଗ୍ରହଣ କରିବେ । ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ପଦବୀରେ ଅଭିଷିକ୍ତ ହେବାରେ ଶ୍ରୀମତୀ ଗର୍ଗ ହେବେ ପ୍ରଥମ ମହିଳା ।

Advertisment

ଅନୁଙ୍କ ନୂଆ ନିଯୁକ୍ତି ନେଇ ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଛି । ସତ୍ୟବ୍ରତ ସାହୁଙ୍କ ଭଳି ବରିଷ୍ଠ ଓଡ଼ିଆ ଅଧିକାରୀ ଥିବାବେଳେ ଓଡ଼ିଆ ଅସ୍ମିତାର କଥା କହୁଥିବା ଭାରତୀୟ ଜନତା ପାର୍ଟି ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଭିଷିକ୍ତ କରାଇବା ନେଇ ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ହେଉଛି । 

ଅନୁଙ୍କ କ୍ୟାରିୟର ଗ୍ରାଫ୍ ଯଦି ଦେଖିବା ତେବେ ଗୋଟିଏ କଥା କୁହାଯାଇପାରେ ତାଙ୍କର ପ୍ରଚୁର ଅଭିଜ୍ଞତା ସହିତ ସେ ସାଧାରଣ ଜନତାଙ୍କ ସହିତ ଯେଉଁଭଳି ପ୍ରତ୍ୟକ୍ଷ ସମ୍ପର୍କ ରଖନ୍ତି ଏବଂ ଜନ ପ୍ରତିନିଧିମାନଙ୍କ ସହିତ ଉତ୍ତମ ବୁଝାମଣା ନେଇ କାମ କରନ୍ତି, ତାହା ତାଙ୍କ ନୂତନ ନିଯୁକ୍ତି ପଛରେ କାମ କରିଛି ।

Advertisment

୧୯୯୧ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀଭାବେ ଅନୁଙ୍କ ଚାକିରୀ ଜୀବନ ଆରମ୍ଭ ହୁଏ ପଶ୍ଚିମ ଓଡ଼ିଶାରୁ । ୧୯୯୨ରୁ ୨୦୦୩ ମଧ୍ୟରେ ସେ କଳାହାଣ୍ଡି, ସମ୍ବଲପୁର ଓ ଝାରସୁଗୁଡ଼ାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବା ସହିତ ବିଭିନ୍ନ ବିଭାଗର ଭିନ୍ନଭିନ୍ନ ପଦବୀରେ କାର୍ଯ୍ୟକରି ସେ ବେଶ୍ ସୁନାମ ଅର୍ଜନ କରିଥିଲେ । ଜିଲ୍ଲାପାଳ ଭାବେ ପଶ୍ଚିମ ଓଡ଼ିଶାର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକମାନଙ୍କର ସ୍ଥାନୀୟ ସମସ୍ୟାଗୁଡ଼ିକ ସହିତ ଆବଶ୍ୟକତାକୁ ବୁଝି ସେଗୁଡ଼ିକର ସମାଧାନ କରିବାରେ ତାଙ୍କର ଭୂମିକା ତାଙ୍କୁ ବେଶ୍ ଜନାଦୃତି ଦେଇପାରିଥିଲା । 

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାମ କରିବାର ଅଭିଜ୍ଞତା

ଏହା ପରେ ଅନୁ କେନ୍ଦ୍ରୀୟ ଡେପୁଟେସନର ଯାଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିପାଦିତ କରିପାରିଥିଲେ । ଏହି ସମୟରେ ସେ କେନ୍ଦ୍ର ସରକାରଙ୍କର ପବ୍ଲିକ୍ ହେଲ୍ଥ ବା ଜନସ୍ୱାସ୍ଥ୍ୟ  ନୀତି ପ୍ରଣୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କେନ୍ଦ୍ର ସରକାରଙ୍କ ଅନେକ ଯୋଜନାଗୁଡ଼ିକ ସଫଳତାର ସହିତ ରୂପାୟନ କରିବାରେ ଏକ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ । 

ବିଦେଶରେ ଜନ୍ ହପକିନ୍ସ ଶିକ୍ଷାନୁଷ୍ଠାନରେ ଜନସ୍ୱାସ୍ଥ୍ୟ ନେଇ ସେ ପାଇଥିବା ଶିକ୍ଷା ଓ ତାଲିମ୍ ତାଙ୍କୁ ଜଣେ ଉତ୍ତମ ଜନସ୍ୱାସ୍ଥ୍ୟ ପ୍ରଶାସକ  ଭାବେ ପରିଚିତି ଦେଇଥିଲା । ଦିଲ୍ଲୀରୁ ଫେରିବା ପରେ ଶ୍ରୀମତୀ ଗର୍ଗ ଓଡ଼ିଶା ସରକାରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଜଳସମ୍ପଦ, ମହିଳା ଓ ଶିଶୁ ବିକାଶ, ଯୋଜନା ଓ ସମନ୍ୱୟ ବିଭାଗ ସମେତ ଗୁରୁତ୍ୱପୂର୍ଣ୍ଣ ଉନ୍ନୟନ କମିଶନର ପଦବୀରେ ନିଜର ପାରଦର୍ଶିତା ପ୍ରଦର୍ଶିତ କରିଛନ୍ତି । 

ପୂର୍ବ ନବୀନ ପଟ୍ଟନାୟକଙ୍କ ସରକାରରେ ଯେତେବେଳେ କିଛି ଅମଲା ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀ ସହିତ ନିଜକୁ ସମ୍ପୃକ୍ତ କରି ଏକ ପ୍ରକାର ପ୍ରଶାସନିକ କଳକୁ କଳୁଷିତ କରିବାରେ ଲାଗି ପଡ଼ିଥିଲେ, ଅନୁ ନିଜକୁ ସେଠାରୁ ଦୂରେଇ ରଖିବାରେ ବେଶ୍ ସମର୍ଥ ହୋଇପାରିଥିଲେ ।

ଯଦି ବାହାରକୁ ଜଣାପଡ଼ୁଥିଲା ଯେ ସେ କ୍ଷମତାର ବେଶ୍ ନିକଟବର୍ତ୍ତୀ ରହିଛନ୍ତି, କିନ୍ତୁ ସେ ନିଜସ୍ୱ ଢଙ୍ଗରେ ନିଜ ବିଭାଗର କାର୍ଯ୍ୟ ସମ୍ପାଦିତ କରୁଥିଲେ। ନବୀନ ସରକାର ସମୟରେ ବହୁଚର୍ଚ୍ଚିତ ‘ମିଶନଶକ୍ତି’ ଯୋଜନା କଳ୍ପନା ଓ ରୂପାୟନରେ ତାଙ୍କର ପ୍ରମୁଖ ଭୂମିକା ଏବେ ବି ଢେର୍ ଚର୍ଚ୍ଚା ସାଉଁଟିଥାଏ । 

୨୦୨୪ ନିର୍ବାଚନ ବିଜୟ ଭାରତୀୟ ଜନତା ପାର୍ଟି ପାଇଁ ଏକ ଅକଳ୍ପନୀୟ ସ୍ୱପ୍ନ ସାକାର ଅନୁଭୂତି ଆଣିଦେଇଥିଲା । ହେଲେ ଏହି ଜାତୀୟ ଦଳ ଜାଣିଛି ଏହି ସ୍ୱପ୍ନକୁ ଆଗକୁ ବଢାଇବା ପାଇଁ ହେଲେ ବେଶ୍ ପରିଶ୍ରମ କରିବାକୁ ପଡ଼ିବ । 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନପ୍ରିୟତାକୁ ଅଧିକ ଆଗକୁ ନେବାର ଗୁରୁଦାୟିତ୍ୱ ରହିବ ଅନୁଙ୍କ ହାତରେ । ସୁଭଦ୍ରା ଯୋଜନାକୁ ଅଧିକ ଫଳପ୍ରସୂ କରିବା ସହିତ ମିଶନ ଶକ୍ତି ଯୋଜନାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ତାଙ୍କୁ କାର୍ଯ୍ୟ କରିବା ପାଇଁ ପଡ଼ିବ । ସୁଭଦ୍ରା ଯୋଜନା  ଓ ମିଶନ ଶକ୍ତି ମାଧ୍ୟମରେ ବିଜୁ ଜନତା ଦଳ ଭଳି ଭାରତୀୟ ଜନତା ପାର୍ଟି ମହିଳା ବର୍ଗକୁ ନିଜ ସପକ୍ଷରେ ଧୃବୀକରଣ କରିବା ପାଇଁ ଭାରତୀୟ ଜନତା ପାର୍ଟି ନିଶ୍ଚିତ ଉଦ୍ୟମ କରିବ ।

୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା

ମୋହନ ସରକାର ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ପାଇଁ ଏକ ନକ୍ସା ପ୍ରସ୍ତୁତ କରିଛନ୍ତି । ଏହି ସମୟରେ ରାଜ୍ୟର ଅର୍ଥନୀତିକୁ ୫ ବିଲିୟନ ଡଲାର ଅର୍ଥନୀତି କରିବା ଲାଗି ଏକ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ଡଲାର ଓ ଭାରତୀୟ ମୁଦ୍ରା ବିନିମୟ ହାରରେ ଏହାର ପରିମାଣ ହେବ ୪୪ହଜାର ୯୦୬କୋଟି ୨ଲକ୍ଷ ୫୦ ହଜାର । 

ଏତେ ବଡ଼ ଆର୍ଥିକ ଲକ୍ଷ୍ୟ ସାଧିତ କରିବାକୁ ହେଲେ ଓଡ଼ିଶାର ଶିଳ୍ପ, କୃଷି, ସେବା, ପର୍ଯ୍ୟଟନ କ୍ଷେତ୍ରରେ ବିଭିନ୍ନ ପ୍ରକାର ସଂସ୍କାରମୂଳକ ପଦକ୍ଷେପ ନେବା ସହିତ ଗଠନମୂଳକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । 

ଶିଳ୍ପ କ୍ଷେତ୍ରର ବିକାଶ ଲାଗି ରାଜ୍ୟ ସରକାର ‘ଉତ୍କର୍ଷ ଓଡ଼ିଶା-ମେକ୍-ଇନ୍-ଓଡ଼ିଶା’ ଲାଗି ଅନେକଗୁଡ଼ିଏ  ବୁଝାମଣାପତ୍ର ଓ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହି ବୁଝାମଣାପତ୍ର ଓ ଚୁକ୍ତିଗୁଡ଼ିକୁ ବାସ୍ତବ ରୂପ ପ୍ରଦାନ କରିବା ଲାଗି ତାଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତି ଓ ତତ୍ତ୍ୱାବଧାନର ଆବଶ୍ୟକତା ରହିଛି । 

ଶ୍ରୀମତୀ ଗର୍ଗଙ୍କର ସବୁଠାରୁ ଭଲ ଗୁଣ ହେଲା ସେ ସମସ୍ତ ଲୋକମାନଙ୍କ  ସହିତ ସହଜରେ ମିଶି ପାରନ୍ତି । ସଦା ସ୍ମିତହାସ୍ୟ ଚେହେରାରେ ପ୍ରତିଭାତ ହେଉଥିବା ଏହି ମହିଳା ପ୍ରଶାସନିକ ଅଧିକାରୀ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଭାବେ ପରିଚିତ ମୋହନ ମାଝୀଙ୍କ ସହିତ ନିଜକୁ ନିଜର କାର୍ଯ୍ୟଧାରା ମାଧ୍ୟମରେ ‘ଲୋକଙ୍କ ମୁଖ୍ୟ ଶାସନ ସଚିବ’ ଭାବରେ ଉପସ୍ଥାପିତ କରିବାକୁ ପଡ଼ିବ ।

ଉଜୁଡ଼ି ଯାଇଥିବା ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା ସହିତ ଭୁଶୁଡ଼ି ପଡ଼ିଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଧାରି ପାରିଲେ ମୋହନ ମାଝୀଙ୍କ ସରକାର ଆଶାତୀତ ଲୋକପ୍ରିୟତା ହାସଲ କରିପାରିବ, ଏଥିରେ କୌଣସି ସନ୍ଦେହ ନାହିଁ ।

ବି.ଦ୍ର. – ଏହା ଲେଖକଙ୍କ ନିଜସ୍ୱ ମତ । 

Anu Garg
Advertisment
Related Articles
Advertisment