Advertisment

2026 Test for State Government: ରାଜ୍ୟ ସରକାରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ, ନୂଆ ମୁଖ୍ୟ ସଚିବଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୧୫ ଟାସ୍କ

ନୂଆ ବର୍ଷରେ ଦାୟିତ୍ୱ ନେଇଥିବା ମୁଖ୍ୟ ଶାସନ ସଚିବଙ୍କ ପାଖରେ ପ୍ରଶାସନିକ କଳରେ ଆହ୍ୱାନ କଣ ? ନିର୍ବାଚନ ପ୍ରତିଶ୍ରୁତି ପୂରଣ ବାଦ୍ ସରକାରଙ୍କ ପାଇଁ ଏ ବର୍ଷ ସବୁଠି ବଡ ଚାଲେଞ୍ଜ ହେବ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ।

author-image
Tapan Swain
CHALLENGES

CHALLENGES Photograph: (OTV)


୨୦୨୬ରେ ରାଜ୍ୟ ସରକାରଙ୍କ ଆଗରେ କଣ ରହିବ ଚାଲେଞ୍ଜ। ପୁଣି ନୂଆ ବର୍ଷରେ ଦାୟିତ୍ୱ ନେଇଥିବା ମୁଖ୍ୟ ଶାସନ ସଚିବଙ୍କ ପାଖରେ ପ୍ରଶାସନିକ କଳରେ ଆହ୍ୱାନ କଣ ? ନିର୍ବାଚନ ପ୍ରତିଶ୍ରୁତି ପୂରଣ ବାଦ୍ ସରକାରଙ୍କ ପାଇଁ ଏ ବର୍ଷ ସବୁଠି ବଡ ଚାଲେଞ୍ଜ ହେବ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ। ଦୁର୍ନୀତି ଆଉ ବେଆଇନ ଖଣି ଚୋରା କାରବାରରେ ରୋକ ବି ବଡ ଆହ୍ୱାନ ରହିବ। ଆଉ ଏ ଭିତରେ ଓଡିଶା ପ୍ରଶାସନକୁ ଆହୁରି ଗତିଶୀଳ କରିବାକୁ ଆଜି ମୁଖ୍ୟମନ୍ତ୍ରୀ, ନୂଆ ମୁଖ୍ୟ ଶାସନ ସଚିବଙ୍କୁ ଦେଇଛନ୍ତି ୧୫ ଟାସ୍କ। .... 

Advertisment

୨୦୨୫ରେ ନୂଆପଡା ଉପନିର୍ବାଚନରେ ବଡ ବିଜୟ ନୂଆ ବିଜେପି ସରକାରଙ୍କୁ ଦେଇଥିଲା ସ୍ବୀକୃତି। ବର୍ଷ ୨୦୨୬ରେ କିନ୍ତୁ ସରକାରଙ୍କ ଆଗରେ ଲମ୍ବା ଚାଲେଞ୍ଜ । ଆଉ ନୂଆ ମୁଖ୍ୟ ଶାସନ ସଚିବଙ୍କ ଆଗରେ ବି ରହିଛି ବଡ ଆହ୍ୱାନ। ତେବେ ନୂଆ ବର୍ଷରେ ସରକାରଙ୍କ ପାଇଁ କଣ ରହିବ ଚାଲେଞ୍ଜ ? ବାକି ନିର୍ବାଚନ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବା। ଧାନ ମଣ୍ଡି ବ୍ୟବସ୍ଥିତ କରି ଚାଷୀ ଅସନ୍ତୋଷକୁ ପ୍ରଶମିତ କରିବା। ଚିଟଫଣ୍ଡ କ୍ଷତିଗ୍ରସ୍ତକୁ ଟଙ୍କା ଫେରାଇବା। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ସହ ରତ୍ନଭଣ୍ଡାର ଗଣତି ମଣତି। ଲକ୍ଷାଧିକ ଖାଲିଥିବା ସରକାରୀ ପଦବୀ ପୂରଣ। ବେସରକାରୀ ସ୍ତରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା। 

ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବଡ଼ ଆହ୍ବାନ 

ଆଉ ସବୁଠୁ ବଡ ଚାଲେଞ୍ଜ ହେବ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରଖିବା। ବିଶେଷ କରି ମହିଳା ବିରୋଧୀ ହିଂସା ରୋକିବାକୁ କଡା ପଦକ୍ଷେପ ନେବା। ସେହିଭଳି ଦୁର୍ନୀତି ଆଉ ବେଆଇନ ଖଣି କାରବାରରେ ରୋକ ଲଗାଇବା। ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ୨୦୨୬ରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା। ଏହା ସହ ମହାନଦୀ ଓ ପୋଲାଭରମ ଭଳି ବିବାଦର ସମାଧାନ। ଅନ୍ୟ ପଟେ ଦେଢ ବର୍ଷ ଧରି ବୋର୍ଡ ନିଗମ ନିଯୁକ୍ତି କରି ନଥିବାରୁ ୨୦୨୬ରେ ଦଳୀୟ କର୍ମୀଙ୍କୁ ସନ୍ତୁଷ୍ଟ କରିବା ଚାପ ବି ବିଜେପି ସରକାରଙ୍କ ଉପରେ ରହିବ।

Advertisment

ଅନ୍ୟ ପଟେ ଆଜିଠୁ କାର୍ଯ୍ୟରମ୍ଭ କରିଛନ୍ତି ଓଡିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ଆଉ ପ୍ରଥମ ଦିନରେ ହିଁ ଓଡିଶା ପ୍ରଶାସନକୁ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ଅନୁ ଗର୍ଗଙ୍କୁ ୧୫ଟି ଟାସ୍କ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେଗୁଡିକ ହେଲା- ଓଡିଶା ଭିଜନ ଡକ୍ୟୁମେଣ୍ଟରେ ଥିବା ପ୍ରସ୍ତାବ ଗୁଡିକୁ ଆସନ୍ତା ଦୁଇ ବର୍ଷରେ କାର୍ଯ୍ୟକାରୀ କରିବା। ୨୦୩୬ ସୁଦ୍ଧା ୫୦୦ ବିଲିଅନ ଆମେରିକୀୟ ଡଲାର ଅର୍ଥନୀତି ସହିତ ଶ୍ରେଷ୍ଠ ପାଞ୍ଚଟି ବିକଶିତ ରାଜ୍ୟ ମଧ୍ୟରେ ଓଡିଶାକୁ ପହଞ୍ଚାଇବା। ଶିଳ୍ପାୟନର ଦ୍ରୁତ ବିକାଶ ପାଇଁ ବିଭିନ୍ନ ପ୍ରକ୍ରିୟାକୁ ଫାଷ୍ଟଟ୍ରାକ କରିବେ ସବୁ ଜିଲ୍ଲାପାଳ । ଆସନ୍ତା ଦୁଇବର୍ଷ ମଧ୍ୟରେ ସବୁ ଖାଲିଥିବା ସରକାରୀ ପଦବୀ ପୂରଣ। ଦୁର୍ନୀତିଗ୍ରସ୍ତ, ଅପାରଗ ଏବଂ ଦାୟିତ୍ବହୀନ ଅଧିକାରୀ ଓ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ। 

ସରକାରୀ କାର୍ଯ୍ୟରେ ଓଡିଆ ଭାଷାର ଅଧିକ ବ୍ୟବହାର । ସଚିବାଳୟ ଠାରୁ ଆରମ୍ଭ କରି ବ୍ଲକ ଓ ତହସିଲ ସ୍ତର ପର୍ଯ୍ୟନ୍ତ ଅଭିଯୋଗ ଶୁଣି ତାର ସମାଧାନ। ଅଭିଯୋଗ ଶୁଣାଣିରେ ସୋସିଆଲ୍ ମିଡିଆର ବହୁଳ ବ୍ୟବହାର ସହ ସବୁ ସ୍ତରର ଅଧିକାରୀଙ୍କୁ ଅଧିକ ଗ୍ରାଉଣ୍ଡ ଭିଜିଟ କରିବା ଲାଗି ନିର୍ଦ୍ଦେଶାବଳୀରେ କୁହାଯାଇଛି । 

ବଡ ବଡ ପ୍ରକଳ୍ପ ଯେମିତି ଏସସିବିର ଦ୍ୱିତୀୟ କ୍ୟାମ୍ପସ, ଶ୍ରୀଲିଙ୍ଗରାଜ ଏବଂ ଶ୍ରୀମନ୍ଦିର ପ୍ରକଳ୍ପ, କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଶେଷ କରିବା ବି ସରକାରଙ୍କ ପାଇଁ ଆହ୍ୱାନ ହେବ। 

Chief Minister Mohan Majhi Anu Garg
Advertisment