ନୀଳଗିରି(ବିଶ୍ୱମ୍ବର ଦାସ) : ମହାପ୍ରଭୁଙ୍କ ଅପାର ଲୀଳା । ଭାବ ଓ ଭକ୍ତିରେ ବନ୍ଧା କାଳିଆ ଠାକୁର । କେତେବେଳେ କାହାପାଖରେ ଯାଇ ପହଞ୍ଚି ଯାଆନ୍ତି ତାହା ତାଙ୍କୁ ହିଁ ଜଣା । ଏଇ ଯେଉଁ ଭଳି ନୀଳଗିରିର ଜଣେ ଦିବ୍ୟାଙ୍ଗ ଯୁବକଙ୍କ ସ୍ୱପ୍ନରେ ଆସି ରଥ ନିର୍ମାଣ କରିବ ବସାଇବାକୁ ଅଳି କରିଥିଲେ ଜଗତର ନାଥ ଜଗନ୍ନାଥ । ଆଉ ଯିଏ ଦିନେ ବଟାଳି ଛୁଇଁ ନଥିଲେ ଚାହୁ ଚାହୁଁ ଗଢ଼ିଦେଲେ ମହାବାହୁଙ୍କ ବିଗ୍ରହ ସମେତ ରଥ ।
କାଳିଆର କୁନି ରଥ । ଅତି ସୁନ୍ଦର ଭାବେ ନିର୍ମାଣ ହୋଇଛି ରଥ । ଆଉ ତା’ ଭିତରେ ବିଜେ ହୋଇଛନ୍ତି କାଳିଆ ଠାକୁର । ପୁରୀ ବ୍ୟତୀତ ସବୁଠି ରଥଯାତ୍ରା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଥିବା ବେଳେ କିଏ ଓ କାହିଁକି ଏ ରଥ ତିଆରି କଲା ତାହା ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ? ହଁ ଏ ପ୍ରଶ୍ନ ଉଠିବା ବି ସ୍ୱାଭାବିକ।
ନୀଳଗିରି ବ୍ଲକ ଅଁଳାପାଳ ଗ୍ରାମର ସାଗର ପଢ଼ିଆର । ଦିବ୍ୟାଙ୍ଗ ହୋଇଥିବାରୁ ପିଲା ବେଳଠୁ କେବେ ରଥଯାତ୍ରା ଦେଖିନାହାନ୍ତି କି ରଥ ଟାଣିବାର ସୁଯୋଗ ପାଇ ନାହାନ୍ତି । ହେଲେ ରଥ ଟାଣିବାକୁ ଆଉ କାଳିଆକୁ ଦର୍ଶନ କରିବାକୁ ମନ ସବୁ ବେଳେ ବିକଳ ହେଉଥିଲା । ଦେବସ୍ନାନ ପୂର୍ଣ୍ଣିମା ଦିନ ତାଙ୍କ ଘରେ ଏକ ନିମ୍ବ ଗଛର ଡାଳ କଟାଯାଇଥିଲା । ହଠାତ୍ ମନକୁ ଆସିଲା ରଥଯାତ୍ରା ପୂର୍ବରୁ ଗଢ଼ିବେ କାଳିଆ ଠାକୁର ବିଗ୍ରହ । ପରେ ସେହିଦିନ ରାତିରେ ତାଙ୍କ ସ୍ୱପ୍ନରେ ଆସିଥିଲେ କାଳିଆ ଠାକୁର । ରଥ ନିର୍ମାଣ କରି ସେଥିରେ ବସାଇବାକୁ କହିଥିଲେ । ବାସ ପରଦିନ ସକାଳୁ ଠୁଁ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ । କାଳିଆ ସମେତ ବଳଭଦ୍ର ଓ ମା ସୁଭଦ୍ରା ଙ୍କ ବିଗ୍ରହ ତିଆରି କରିବା ସହ ରଥ ନିର୍ମାଣ କରି ସାରିଛନ୍ତି ସାଗର ।
ପିଲାବେଳେ ଥରେ ନାତିକୁ ଜେଜେମା କୋଳରେ ବସାଇ ରଥ ଦେଖାଇ ନେଇଥିଲେ । ଆଉ କେବେ ନେଇନାହାନ୍ତି । ଆଜି ନାତି ନିଜେ ରଥ ତିଆରି କରି କାଳିଆକୁ ବସାଇଛି, ଏହା ଦେଖି ଜେଜେମା ବି ବହୁତ ଖୁସି। ସେପଟେ ପୁଅର କୁନିରଥ ଦେଖି ମା ପ୍ରତିଦିନ ଝୁଣା ଓ ଧୂପ ବି ଦେଉଛନ୍ତି।