• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜ୍ୟରେ ଶୀତ ସାମାନ୍ୟ କମିଛି, ବଢିଛି କୁହୁଡି । ଗତ ୨୪ ଘଣ୍ଟାରେ ଅଧିକାଂଶ ସ୍ଥାନରେ ବୃଦ୍ଧି ପାଇଛି ରାତି ତାପମାତ୍ରା । ଦୁଇଦିନ ପାଇଁ ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ କୁହୁଡ଼ି ସତର୍କତା ଜାରି ହୋଇଛି । ଏହିସବୁ ସ୍ଥାନରେ ସକାଳୁ କୁହୁଡ଼ି ରହିବ ବୋଲି ପୂର୍ବାନୁମାନ କରାଯାଇଛି ।

ଆଜି ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ଗଜପତି, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସକାଳୁ ଘନ କୁହୁଡ଼ି ରହିବ । ଆଗାମୀ ୭ ଦିନ ଯାଏଁ ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବାୟୁମଣ୍ଡଳର ଉପରିଭାଗରେ ପଶ୍ଚିମା-ନିମ୍ନ ଚାପ ରେଖା ସହ ଜଡ଼ିତ ବାୟୁ ଚଳାଚଳ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ମେଘୁଆ ଆକାଶ ଥିଲେ ବି, ବର୍ଷାର କୌଣସି ସମ୍ଭାବନା ନାହିଁ ବୋଲି କହିଛି ପାଣିପାଗ ବିଭାଗ । ଏଥିସହ ୨୫ ତାରିଖ ଯାଏଁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଘନ କୁହୁଡି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ୍ ରହିବା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ବାୟୁମଣ୍ଡଳରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବାକୁ ଥିବାରୁ ୨୪ ତାରିଖରେ ପ୍ରବଳ କୁହୁଡ଼ି ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଉପକୂଳ ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ କୁହୁଡ଼ିର ମାତ୍ରା ଅଧିକ ରହିବ । ୨୪ ତାରିଖରେ ୧୮ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅନ୍ୟପଟେ ଗତ କିଛି ଦିନ ଧରି ରାଜ୍ୟରେ ହାଡ଼ଭଙ୍ଗା ଜାଡ଼ ଜାରି ରହିଥିଲା । କଲବଲ କରୁଥିଲା କାଲୁଆ ପବନ । ବର୍ତ୍ତମାନ ଶୀତ ଟିକେ କମ ରହିବ ବୋଲି କହିଛି ପାଣିପାଗ ବିଭାଗ ।