/odishatv-khabar/media/post_attachments/uploadimage/library/16_9/16_9_0/IMAGE_1717323833.jpg)
weather update
ଆସନ୍ତା ୫ ଦିନ ଯାଏଁ ରାଜ୍ୟକୁ ତାତି ଓ ଗୁଳୁଗୁଳିରୁ ନିସ୍ତାର ନାହିଁ । ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଓ ତାତି ରହିବା ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା । ଆହୁରି ୩ ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ହିଟୱେଭ ଜାରି ରହିବ। ଏନେଇ ବଲାଙ୍ଗିର, ବରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଏପଟେ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ୪୦ ଡ଼ିଗ୍ରୀ ଉପରେ ତାପମାତ୍ରା ରହିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବିଜୁଳି ଘଡ଼ଘଡ଼ିର ଆଶଙ୍କା ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ମୌସୁମୀ ଓଡ଼ିଶା ଆସିବା ନେଇ କିଛି ଆକଳନ ହୋଇ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ସୂଚନା ଅନୁଯାୟୀ ମେ ୩୦ ସୁଦ୍ଧା ୪୨ଟି ଅଭିଯୋଗ ଆସିଥିବା ବେଳେ, ଗତ ୪୮ ଘଣ୍ଟାରେ ଅଂଶୁଘାତରେ ୫୪ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ ରିଲିଜ ଜରିଆରେ ସୂଚନା ଦିଆଯାଇଛି ।
ସେଥିରେ ଦର୍ଶାଯାଇଛି ଯେ, ମୋଟ ୯୬ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ମଧ୍ୟରୁ ୯ ଜଣଙ୍କ ଜୀବନ ପ୍ରକୃତରେ ଅଂଶୁଘାତରେ ଜୀବନ ଯାଇଛି ବୋଲି ସ୍ପଷ୍ଟ ହୋଇଛି । ୬ ଜଣଙ୍କ ମୃତ୍ୟୁ ଅନ୍ୟ କାରଣ ଘଟିଛି ଏବଂ ୮୧ଟି ମୃତ୍ୟୁ ଏବେବି ତଦନ୍ତାଧୀନ ରହିଛି । ସେପଟେ ରାଉରକେଲାରେ ଗତ ୨ ଦିନ ଭିତରେ ୧୦ ଜଣଙ୍କ ମୃତ୍ୟୁ ହିଟୱେ ଯୋଗୁଁ ହୋଇଛି ବୋଲି ସୂଚନା ଦେଇଛନ୍ତି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ।
ତେବେ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ ପ୍ରଶ୍ନ- ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଂଶୁଘାତ ଏମିତି ଘାତକ ସାଜିଲା କାହିଁକି ? ଆକାଶରୁ ନିଆଁ ବର୍ଷାରେ ବିରାମ ଲାଗିବ କେବେ ? ପାଣିପାଗ ବିଶେଷଜ୍ଞଙ୍କ କହିବାନୁସାରେ- ନିକଟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ରେମାଲ ପ୍ରଭାବରେ ଓଡ଼ିଶାର ସ୍ଥଳଭାଗ ଆଡ଼କୁ ଅଧିକ ଜଳୀୟ ବାଷ୍ପ ଆସିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)