• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଥିବା ଘୂର୍ଣ୍ଣିବଳୟରୁ ପ୍ରଥମେ ଲଘୁଚାପ ଓ ପରେ ବର୍ଷା ଓ ବାତ୍ୟା ଭୟ । ଆସନ୍ତା ୧୮ରେ ସୃଷ୍ଟି ହେବାକୁ ଥିବା ଏହି ଘୁର୍ଣ୍ଣିବଳୟ ୨୦ରୁ ଲଘୁଚାପର ରୂପ ନେବା ଆକଳନ କରାଯାଉଥିବାରୁ ଏହାର ପ୍ରଭାବରେ ପୁଣି ଏକ ବଡ଼ ବର୍ଷାର ସାମ୍ନା କରିବେ ରାଜ୍ୟବାସୀ । ସେପଟେ ସମ୍ଭାବ୍ୟ ଲଘୁଚାପ ପରେ ବାତ୍ୟାର ରୂପ ନେବ ବୋଲି କିଛି ମଡେଲ ପୂର୍ବାନୁମାନ କରୁଥିଲେ ବି ବାତ୍ୟା ସମ୍ପର୍କିତ କୌଣସି ଚିତ୍ର ଏଯାଏଁ ସ୍ପଷ୍ଟ ହୋଇନି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଆସୁଛି ଲଘୁଚାପ, ବଢ଼ୁଛି ବର୍ଷା ଭୟ । ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୁର୍ଣ୍ଣିବଳୟ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ପୂର୍ବାନୁମାନ ଅନୁସାରେ ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ଏହା ୨୦ ତାରିଖ ବେଳକୁ ଲଘୁଚାପରେ ପରିଣତ ହୋଇପାରେ ।

ପରବର୍ତ୍ତୀ ସମୟରେ ଏହି ଲଘୁଚାପର କି ରୂପ ନେବ ସେ ନେଇ ସଠିକ ଆକଳନ କରାଯାଇନି । ତେବେ ଲଘୁବାତ୍ୟା ବାତ୍ୟାର ରୂପ ନେବ ବୋଲି କିଛି ମଡେଲ ପୂର୍ବାନୁମାନ କରିଥିଲେ ବି ବର୍ତ୍ତମାନ ସମୟରୁ ଏ ଆକଳନକୁ ଠିକ ବୋଲି ଧରାଯାଇ ପାରିବ ନାହିଁ ବୋଲି କହିଛି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ । ସେପଟେ ବାତ୍ୟାର ନିର୍ଦ୍ଦିଷ୍ଟ ସୂଚନା ନଥିଲେ ବି ଲଘୁଚାପ ପ୍ରଭାବରେ ୨୦ ତାରିଖରୁ ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ସମ୍ଭାବନାକୁ ଏଡ଼ା ଯାଇନି ।

ଏପଟେ ଅକ୍ଟୋବର୍‌ରେ ମୌସୁମୀ ଅପସାରଣ କରୁଥିବାରୁ ବାତ୍ୟା ପାଇଁ ପାଗ ଅନୁକୂଳ ରହିଥାଏ । ଏହି ସମୟରେ ହେଉଥିବା ବାତ୍ୟା ଅଧିକ ଶକ୍ତିଶାଳୀ ବି ହୋଇଥାଏ । ଏବେ ସମ୍ଭାବ୍ୟ ସାଇକ୍ଲୋନ ସିଷ୍ଟମ ଓଡ଼ିଶା, ଆନ୍ଧ୍ର, ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଉପକୂଳ ଦେଇ ଗତି କରିବା ନେଇ ଅଧିକାଂଶ ମଡେଲ ଦର୍ଶାଉଥିବା କହିଛନ୍ତି ବରିଷ୍ଠ ପାଣିପାଗ ବିଜ୍ଞାନୀ ଶରତ ସାହୁ । କିନ୍ତୁ ଏହା ବାତ୍ୟାର ରୂପ ନେବ କି ନାହିଁ, ତାହା ୨୦ ଓ ୨୧ ତାରିଖ ବେଳକୁ ହିଁ ସ୍ପଷ୍ଟ ହେବ ବୋଲି ସେ ମତ ରଖିଛନ୍ତି ।

ସମ୍ଭାବ୍ୟ ଲଘୁଚାପକୁ ଆହୁରି ଗୋଟିଏ ସପ୍ତାହ ବାକି ଥିବା ବେଳେ ସେତେବେଳକୁ ବାତ୍ୟାର ରୂପ ସ୍ପଷ୍ଚ ହେବ । ତେବେ ଓଡ଼ିଶା-ଅକ୍ଟୋବର ଆଉ ବାତ୍ୟା, ଏ ତିନିଙ୍କ ସମ୍ପର୍କ ନିବିଡ଼ ହୋଇଥିବାରୁ ଏହା କେତେକାଂଶରେ ଉପକୂଳିଆ ଲୋକଙ୍କୁ ଛାନିଆ କରିଛି ।

(ରିପୋର୍ଟ- ଭୁବନେଶ୍ୱରରୁ ବିବର୍ତ୍ତନ ପଣ୍ଡା ଓ ଚନ୍ଦନ ପାଇକରାୟ)