Advertisment

କାଳ ସାଜିଲା କାଳବୈଶାଖୀ ! ଅଦିନିଆ ବର୍ଷାରେ ରାଜ୍ୟ ବେହାଲ, ଉଜାଡ଼ିଲା ଫସଲ

ଜଳବନ୍ଦୀରେ ଉବୁଟୁବୁ କଟକ ସହର । ପାଣିପାଗ ବିଭାଗର ଚେତାବନୀ, କାଲିଠୁ ତାତିରେ ଜଳିବ ଓଡ଼ିଶା ।

author-image
Satyendu Shekher Mishra
undefined

Weather News

କେଉଁଠି ଝିପିଝିପି ହୋଇ ବର୍ଷୁଛି ଅନବରତ । କେଉଁଠି ବୋହୁଛି ଝଡ଼ ପବନ । ଆଉ କେଉଁଠି ଉଜାଡ଼ି ଦେଇ ଫେରିଯାଇଛି କାଳବୈଶାଖୀ। କାହା ବାସଘରକୁ ବରବାଦ କରିଦେଇଛି ତ ଆଉ କେଉଁ ଚାଷୀଙ୍କ ଫସଲ ଉଜାଡ଼ି ଅଣ୍ଟା ଭାଙ୍ଗିଦେଇଛି।

Advertisment

ବାରିପଦାର ଅଜୟ କୁମାର କରଙ୍କ ଦିନ କେଇଟା ପରେ କ୍ଷେତରୁ ଅମଳ ହୋଇଥାନ୍ତା ଫୁଲକୋବି। କିନ୍ତୁ ଗତ ୧୬ରୁ ଲାଗିରହିଥିବା ପବନ ଆଉ ବର୍ଷା, ସବୁ କିଛିକୁ ନଷ୍ଟ କରିଦେଇଛି। ବାଇଗଣ ବି ପଚିସଢ଼ି ଯାଇଛି। ସମାନ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ କୃଷ୍ଣପ୍ରସାଦ ଅଞ୍ଚଳରୁ। ଅମଳ ବେଳକୁ ସର୍ବଗିଳା କାଳବୈଶାଖୀ କେଉଁଠି ଥିଲା କେଜାଣି ବିଲ ଭିତରେ ହିଁ ବରବାଦ କରିଦେଇଛି ଚିନାବାଦାମକୁ। 

ଏଠି ଗରିବଙ୍କ ମୁଣ୍ଡ ଉପରେ ସତେଯେମିତି ପଡ଼ିଛି ଚଡ଼କ। କାରଣ ମୁଣ୍ଡଫଟା ଖରା ଆସିବା ଆଗରୁ ମୁଣ୍ଡ ଉପରୁ ଉଡ଼ିଯାଇଛି ଚାଳ ଛପର। ଚାଳ ଚୁଲି ଛିନଛତ୍ର ହୋଇଯାଇଛି ଏମାନଙ୍କର । ନୂଆପଡ଼ା ସୋଲବନ୍ଧ ଗାଁର ଜୈମିନି ନିଆଲ ଘରଦ୍ୱାର ହରାଇ ଭାଙ୍ଗିପଡ଼ିଛନ୍ତି। ଯାହା କିଛି ଡାଲି ଚାଉଳ ଥିଲା ତାହା ବି ପାଣିରେ ଭିଜି ନଷ୍ଟ ହୋଇଯାଇଛି। ଗତକାଲି ସଂଧ୍ୟାରେ କୋମନା ବ୍ଲକରେ ଏଭଳି ସାଂଘାତିକ କ୍ଷୟକ୍ଷତି ଘଟାଇଛି କାଳବୈଶାଖୀ। କେଉଁଠି ଗଛ ଭାଙ୍ଗିପଡ଼ିଛି ତ ଆଉ କେଉଁଠି ବିଜୁଳି ଖୁଣ୍ଟ ଉପୁଡ଼ିପଡ଼ିଛି। କୋବି, ଟମାଟୋ, ବାଇଗଣ, ପିଆଜ ଫସଲର ଅବସ୍ଥା ନକହିବା ଭଲ। 

Advertisment

ଉପାନ୍ତରୁ ଉପକୂଳ, ଗାଁରୁ ସହର। ଗତକାଲିଠୁ ଲାଗିରହିଥିବା ପବନ ସହ ବର୍ଷା ସାଧାରଣ ଜନଜୀବନକୁ ବେହାଲ୍ କରିଦେଇଛି। କଟକ ସହରର ୩୧ ଓ ୩୨ ନମ୍ବର ୱାର୍ଡ ଫ୍ରେଣ୍ଡସ କଲୋନୀରେ ମୁଖ୍ୟ ରାସ୍ତାରେ ପାଣି, ଘର ଭିତରେ ପାଣି। ତାରି ଭିତରେ ପଡ଼ିରହିଛନ୍ତି ପ୍ରାୟ ୫୦ ପରିବାର। ପିଲାଠୁ ବୟସ୍ତ ସମସ୍ତେ ଜଳବନ୍ଦୀ। ଆଶା ଥିଲା ଡ୍ରେନ ବକ୍ସ ହୋଇଗଲା ପରେ ଜଳବନ୍ଦୀ ସମସ୍ୟାରୁ ମୁକ୍ତି ମିଳିବ। କିନ୍ତୁ, କାଳବୈଶାଖୀ ବର୍ଷାରେ ଯଥା ପୂର୍ବଂ ତଥା ପରଂ ସ୍ଥିତି। 

ଆଜି ଅପରାହ୍ନ ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୫.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ତେବେ ଆସନ୍ତାକାଲିଠାରୁ ପାଗ ବଦଳିବ, ୨୨ରୁ ରାଜ୍ୟରେ ମୁଖ୍ୟତଃ ଶୁଖିଲା ପାଗ ରହିବ। ୨୧ରୁ ୨୪ ତାରିଖ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

Weather News Heavy Rain
Advertisment
Advertisment