/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702613721.jpg)
Weather Update
ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା । ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଜାଡ଼ରେ ଅସ୍ତବ୍ୟସ୍ତ ସାଧାରଣ ଜନଜୀବନ । ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳ ମାନଙ୍କରେ ଅଧିକ ଶୀତ ଅନୁଭୂତ ହେଉଛି । ରାଜ୍ୟର କିଛି କିଛି ସ୍ଥାନରେ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳିଛି ।
ସେପଟେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆରମ୍ଭ ହୋଇ ଯାଇଛି ଶୀତ ପାଇଁ ପ୍ରସ୍ତୁତି । ଶୀତ ପ୍ରକୋପରୁ ରକ୍ଷା ପାଇଁ ସରୀସୃପ ଓ ବିଭିନ୍ନ ପଶୁପକ୍ଷୀଙ୍କ ଖୁଆଡ଼ ମାନଙ୍କରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପଶୁପକ୍ଷୀଙ୍କ ଖୁଆଡ ଗରମ ରଖିବାକୁ ଇନଫ୍ରାରେଡ୍ ବଲବ୍, ରୁମ ହିଟରର ବ୍ୟବସ୍ଥା, ନଡାର ଚାଦର ବଳି ବ୍ୟବସ୍ଥା କରାଯାଇଛି ।
ଖାସ କରି ସିମ୍ଫାଜି ପାଇଁ ତାପମାତ୍ରା ନିରୁପଣ ଏବଂ ହ୍ୟୁମିଡିଟି ଡିଟେକ୍ଟର , ହିଟିଂ ଲାଇଟ, ଶୀତୁଆ ପବନକୁ ରୋକିବାକୁ ଗ୍ରୀନ କଭର ଲଗାଯାଇଛି । ସେହିପରି ପକ୍ଷୀ ମାନଙ୍କ ପାଇଁ ୧୦୦ ପାୱାର ବଲବ ସହ ନେଟ୍ ଲଗାଇବା ଆଦି ଅଭିନବ ଟେକନିକ ହାତକୁ ନେଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ।
ଅନ୍ୟପଟେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ପରିବର୍ତ୍ତନରେ ଆଶଙ୍କା ନାହିଁ । ରାତ୍ରି ତାପମାତ୍ରା ସ୍ବାଭାବିକ ତାପମାତ୍ରାଠାରୁ ୧ରୁ ୨ ଡିଗ୍ରୀ କମିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି । ଅନ୍ୟପଟେ ଗତକାଲି ୧୦ ଡିଗ୍ରୀ ତଳେ ରହିଥିଲା ୪ ସହରର ରାତି ତାପମାତ୍ରା । ୭ ଡିଗ୍ରୀ ସହ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ହୋଇଥିବା ବେଳେ କିରେଇ ଓ ଫୁଲବାଣୀରେ ୯ ଡିଗ୍ରୀ, ଦାରିଙ୍ଗବାଡି ୯.୫ ଡିଗ୍ରୀ ରହିଥିଲା ।
ଶୀତୁଆ ସକାଳରେ ଲୋକେ ମର୍ଣିଂ ୱାକ୍ କରି ନିଜକୁ ଫିଟ୍ ରଖିବା ପାଇଁ ଚେଷ୍ଟା କରୁଛନ୍ତି । ଅନ୍ୟପଟେ ଜାଡ ମାଡ଼ରେ ଥରଥର କୋଇଡା । କୁହୁଡିରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ । ପ୍ରବଳ ଥଣ୍ଡାରେ ଥରୁଛି ସୁନ୍ଦରଗଡ ଜିଲ୍ଲାର କୋଇଡା ବ୍ଲକ । ଗୋଟିଏ ପଟେ ରାତିର ତାପମାତ୍ରା ୧୧ ଡିଗ୍ରୀ ତଳେ ରହୁଥିବା ବେଳେ ଘନ କୁହୁଡି ଯୋଗୁଁ ୨୦ ମିଟର ପର୍ଯ୍ୟନ୍ତ ରାସ୍ତା ଦୃଶ୍ୟମାନ ହେଉନି । ଫଳରେ ନାହିଁ ନଥିବା ଅସୁବିଧାକୁ ସାମ୍ନା କରିଛନ୍ତି ଗାଡି ଚାଳକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)